Unknown

 

 

 

 

 

 

 

 

 

ଜଗୁଆ ମା

ଚିନ୍ତାମଣି ମିଶ୍ର

 

ଏକ

 

ଗୋପାଳ ବି.ଏ. ପାସ୍ କରି ବସିଛନ୍ତି । ବି.ଏ. ଘାଟିଟା ପାର ହୋଇଗଲେ ଆମ ଯୁବକମାନଙ୍କ ଆଖି ଆଗରେ ସୁଖର ଗୋଟିଏ ଚଳଚ୍ଚିତ୍ର ମେଲି ହୋଇଯାଏ । ବି. ଏ. ପରୀକ୍ଷା ପୂର୍ବରୁ ମନେ ମନେ ନିଜକୁ ବଡ଼ କ୍ଷୁଦ୍ର ବିଚାରୁଥାନ୍ତି; ମାତ୍ର କୃତିତ୍ୱ ସହ ସେ ଖଣ୍ଡ ପାସ୍ ହୋଇଯିବା ପରେ ମନେ ମନେ ନିଜର ମୂଲ୍ୟଟା ବେଶ୍ ବଢ଼ିଯାଏ । ଯେଁଉମାନେ ଆମକୁ ଶାସନ କରୁଛନ୍ତି, ଯେଉଁମାନେ ଆମ ଆଗରେ ଦୃପ୍ତ ଅଧିକାର ଜାରି କରି ବସିଛନ୍ତି, ସେମାନଙ୍କ ମଧ୍ୟରୁ ଆମେ ଜଣେ, ଏହି ଭାବ ଆସିଯାଏ । ଏହି ‘ସୋଽହଂ’ ତତ୍ତ୍ୱ ଜ୍ଞାନଟା ମିଳିବା ସାଙ୍ଗେ ସାଙ୍ଗେ ଆମ ଯୁବକମାନେ ଜୀବନର ବାସ୍ତବତାରେ ଆସି ଧକ୍କା ଖାଇଲା ପର୍ଯ୍ୟନ୍ତ କଳ୍ପନାରେ ସ୍ୱର୍ଗ ଗଢ଼ୁଥାନ୍ତି ।

ଗୋପାଳ କୃତିତ୍ୱ ସହ ବି. ଏ. ପାସ୍ କରିଛନ୍ତି ସତ, କଳ୍ପନାରେ ସ୍ୱର୍ଗ ଗଢ଼ୁଛନ୍ତି ସତ–ତେବେ ତାଙ୍କ ସ୍ୱର୍ଗଟା କଲେଜରୁ ସଦ୍ୟ ବାହାରିଥିଲା ସାଧାରଣ ବି. ଏ. ଉପାଧିଧାରୀ ଯୁବକର ମାମୁଲି ସ୍ୱର୍ଗ ନୁହେଁ । ସେଇଟା ଟିକିଏ ଭିନ୍ନ ଧରଣର । ତାଙ୍କ ସ୍ୱର୍ଗରେ ନାଲି ପଗଡ଼ି ଲଗେଇ ହୁଦା ପକେଇ ଚପରାସି ଅମୃତ ଗ୍ଳାସ ହାତକୁ ବଢ଼େଇବାର ବ୍ୟବସ୍ଥା ନ ଥାଏ । ତାଙ୍କ ପାରିଜାତ କାନନର କୁଣ୍ଡରେ ବିଲାତି ବାକ୍ସ ଗଛ ଲାଗିନଥିଲା କିମ୍ବା ତାଙ୍କ ‘ଅପ୍‌ସରା ସଙ୍ଗୀତ’ ହାର୍ମୋନିୟମ୍ ପିଆନୋ ତାନରେ ହଉନଥାଏ । ଏଗୁଡ଼ାକ ତାଙ୍କୁ ଜଣାଯାଉଥାଏ, ନିହାତି ମାମୁଲି ଏବଂ ତେଣୁ ନିହାତ୍ ବାଜେମାର୍କା ।

ଗୋପାଳ ମନ ଗୋଟେ ନୂଆ ଧରଣର ଅଦ୍ଭୁତ, ଅଦୃଷ୍ଟପୂର୍ବ, ଅଶ୍ରୁତପୂର୍ବ ଭବିଷ୍ୟତ୍ ଗଢ଼ିବାରେ ସବୁବେଳେ ବ୍ୟସ୍ତ ଥାଏ । ଦିନେ ଯେଉଁଟା ସ୍ଥିର କରୁଥାନ୍ତି, ଆର ଦିନକୁ ସେଇଟା ଭାରି ନୀରସ ଜଣାଯାଉଥାଏ । ତହୁଁ ପୁଣି କଳ୍ପନା ଚାଲେ ।

ଦିନେ ଏପରି ନୀରସୀଭୁତ ବାସି ସ୍ୱର୍ଗକୁ ଛାଡ଼ି ଗୋଟିଏ ସଦ୍ୟସ୍ୱର ଗଢ଼ା ଚାଲିଛି, ଜଣେ ବିଶିଷ୍ଟ ବନ୍ଧୁ ଆସି ପଚାରିଲେ, ‘‘କିହୋ, ଗୋପାଳ ! ଆଜିକାଲି ପୁଣି କ’ଣ କରୁଛ ?’’

ଆଗନ୍ତୁକ ବନ୍ଧୁ କିନ୍ତୁ ‘ମାନନୀୟ’ । ଗୋପାଳ ତରବର ହୋଇ ଉଠି ଅଭିବାଦନ କରି ଉତ୍ତର ଦେଲେ, ‘‘ଆଜ୍ଞା, ଆଉ କ’ଣ କରିବି ? କିଛି ତ କାମ ନାହିଁ ।’

‘‘ଆଚ୍ଛା, ଗୋଟିଏ ଟିଉସନ୍ କରିବ ?’’

ଟିଉସନ୍‍ ନାମଟା ଶୁଣି ଗୋପାଳ ଭିତରେ ଭିତରେ ଭାରି ଚଟିଗଲେ । ଟିଉସନ୍ ! ବର୍ତ୍ତମାନ ଠିକ୍ ସେ ଯାହା ବିଚାରୁଥିଲେ ତା’ ପରିବର୍ତ୍ତିରେ ଟିଉସନ୍ । କଲେଜରେ ପଢ଼ୁଥିବା ଟିଉସନ୍‌ବାଲା ସାଙ୍ଗମାନଙ୍କୁ ଦେଖି ଧୂଳିଆ ଗୋଡ଼, ମଇଳା ଲୁଗା, ସହର ଭିତର ମେସ୍‌ରୁ କଲେଜକୁ ଚାଲି ଆସିବା ହେତୁ ମୁହଁରେ କ୍ଳାନ୍ତଭାବ, ପଛ ବେଞ୍ଚରେ ସଁ ସଁ ହୋଇ ଆସି କ୍ଳାସ ଆରମ୍ଭର ପାଞ୍ଚମିନିଟ୍‌ ପରେ ବସିବା ଏବଂ ସାଧାରଣ ପିଲାଙ୍କ ମଜଲିସ୍‌ରେ ନ ମିଶି ସବୁବେଳେ ଚିନ୍ତାଭାବରେ ଅବନତ ହୋଇଯିବା–ଏସବୁ ସଙ୍ଗେ ଗୋପାଳ ଟିଉଟରମାନଙ୍କର ସ୍ୱାଭାବିକ ସମ୍ବନ୍ଧ ଠଉରେଇଥିଲେ । ଭଲ କରି ପଦେ ଅଧେ ବତେଇଦେବାପାଇଁ ମନ ହେଲା । ତେବେ ସବୁ ସ୍ଥାନରେ ତ ସମାନ ବତେଇ ହବ ନାହିଁ । ମୃଦୁ ଅବଜ୍ଞାରେ ଟିକିଏ ହସି ଉତ୍ତର ଦେଲେ–‘‘ଆଜ୍ଞା, ନା, ଟିଉସନ୍ କରିବାର ତ ଦରକାର ନାହିଁ ।

ବନ୍ଧୁ ଉତ୍ତର ଦେଲେ, ‘‘ତମେ କ’ଣ ବିଚାରିଚ ପରା, ଖାଲି ମେସ୍ ଖର୍ଚ୍ଚ ଯୋଗାଇବା ପାଇଁ ଟିଉସନ୍ ଦରକାର ? ମୁଁ ଯେଉଁ ଟିଉସନ୍ କଥା କହୁଛି, ସେଇଟା ଗୋଟିଏ ଭଲ ଜାଗାରେ । ତମେ ପଢ଼େଇଲେ ଭଲ ହୁଅନ୍ତା । ସମସ୍ତଙ୍କୁ ସେପରି ଜାଗାରେ ଛାଡ଼ିଦେଇ ନିଶ୍ଚିତ ରହି ହବ ନାହିଁ-।’’

‘‘ଆଜ୍ଞା, ମୁଁ ତ କେବେ ଟିଉସନ୍ କରି ନାହିଁ ?’’

‘‘ତେବେ ତ ତମର ସେ କାର୍ଯ୍ୟଟା କିପରି ଦେଖିନେବା ଦରକାର । ଟିଉସନ୍ କଲେ ଜାଣିପାରିବ, ତମେ ଆଜି ପର୍ଯ୍ୟନ୍ତ ଯାହା ପଢ଼ିଛ, ସେ ସବୁ ଭଲ ହୋଇ ଜୀର୍ଣ୍ଣ ହୋଇଛି କି ନାହିଁ । ଓପର କ୍ଳାସ ବହି ପଢ଼ିବାକୁ ହେବ; ଯାହାକୁ ପଢ଼େଇବ ତା’ର ଯେତିକି ଲାଭ, ତମର ମଧ୍ୟ ସେତିକି-! ଚର୍ଚ୍ଚା ଯୋଗୁଁ ତମ ନିଜ ଜ୍ଞାନ ମାର୍ଜିତ ହୋଇଯିବ ।’’

ଗୋପାଳ ଏପରି ବଳାବଳି ଫଳରେ ଫଳରେ ନାହିଁ କରିପାରିଲେ ନାହିଁ । ଆଚ୍ଛା, ହଉ ଚେଷ୍ଟାକରି ଦେଖିବି ବୋଲି କହି ବନ୍ଧୁଙ୍କୁ ବିଦାୟ ଦେଲେ ।

ଛେଳି ପାଣିକି ଓଟରା ହେଲା ପରି ଗୋପାଳ ପ୍ରଥମ ଦିନ ଟିଉସନ୍ କରିବାକୁ ବାହାରିଲେ । ବାଟରେ ଗଲାବେଳେ କେତେ ପ୍ରକାର ଅସୁବିଧା, ବିରକ୍ତିର କଳ୍ପନା କରୁଥାନ୍ତି । ଥରେ କିଛି ଗୋଟିଏ ବୁଝାଇଦେବା ପରେ ବୁଝି ନ ପାରିଲେ ଯେପରି ମୁହଁ କରିବାକୁ ହୁଏ, ତାର ଦୁଇ ଚାରିଥର ଅଭିନୟ ବାଟରେ ହୋଇଗଲା । ମାଇକିନିଆ ଝିଅକୁ ପଢ଼ାଇବା କଥା । ଯେତେ ଭୁଲ୍ କଲେ ମଧ୍ୟ, ଯେତେ ବୁଝି ନପାରିଲେ ମଧ୍ୟ ବେତଦ୍ୱାରା ଶାସ୍ତି ଦେବା ତ ଦୂରର କଥା, ନାଲି ଆଖି ଟିକିଏ ଦେଖାଇବା ସୁଦ୍ଧା ଭଦ୍ରତାବିରୁଦ୍ଧ ହୋଇଯିବ । ଶିକ୍ଷକ ଆସନରେ ବସାଇ ଶାସ୍ତି ଦେବା ଅଧିକାର କାଢ଼ି ନେବା, ସିଂହର ପଞ୍ଝାନଖ କାଢ଼ିନେବାପରି । ଗୋପାଳ ମନେ ମନେ ବଡ଼ ବ୍ୟସ୍ତ ହେଲେ । ବିଚାରିଲେ, ସମ୍ମତ ହେବାଟା ଭଲ ହେଲା ନାହିଁ ପରା ! ତେବେ ପୂର୍ଣ୍ଣ ସମ୍ମତି ତ ଦେଇ ନାହାନ୍ତି । ଦି’ ଚାରି ଦିନ ଦେଖି ଭଲ ନ ଲାଗିଲେ ଛାଡ଼ିଦେବାର ଅଧିକାର ରଖିବା ବେଶ୍ ବିଚକ୍ଷଣତାର କାର୍ଯ୍ୟ ହୋଇଛି ।

ପ୍ରଥମଦିନ ଜଣାପଡ଼ିଗଲା, ଛାତ୍ରୀଟି ଖୁବ୍ ବୁଦ୍ଧିଆ । ବିରକ୍ତ ହେବାକୁ ପଡ଼ିବ ନାହିଁ, ଶାସ୍ତି ଦେବା ଦରକାର ପଡ଼ିବ ନାହିଁ; ତେଣୁ ଶାସ୍ତିଦେବା ଅଧିକାରଟା ନ ଥିବାରୁ କୌଣସି ବିଶେଷ ଅସୁବିଧା ହେବ ନାହିଁ । ଥରେ କିଛି ଗୋଟିଏ ବତେଇଦେଲେ ସେ ଚଟ କରି କଥାଟା ଧରିନିଏ ଏବଂ ନିଜର କରି ନେଇ ସେ ବିଷୟରେ ଏପରି ପ୍ରଶ୍ନ କରେ ଯେ ଗୋପାଳଙ୍କ ଭଳି ବିଚକ୍ଷଣ ଟିଉଟର ନ ହୋଇଥିଲେ ଉତ୍ତର ଦେବା କଷ୍ଟକର ହୁଅନ୍ତା ।

ଗୋପାଳଙ୍କୁ ବେଶି ଖଟିବାକୁ ପଡ଼ିଲା ନାହିଁ କି ବେଶିଗୁଡ଼ାଏ ବକର୍ ବକର୍ ହେବାକୁ ହେଲା ନାହିଁ । ଛାତ୍ରୀ କାର୍ଯ୍ୟରେ ଲାଗିଥାଏ ଏବଂ ତା’ର ସନ୍ଦେହ ପଡ଼ିଲେ ମୋଚନ କରିବା ନିମନ୍ତେ ଗୋପାଳ ଅପେକ୍ଷା କରି ବସିଥାନ୍ତି ।

ଏହି ଅପେକ୍ଷା କରି ବସିବାଟା ହେଲା କାଳ । ଗୋପାଳ ନିଜର ଛାତ୍ରୀକୁ ତନ୍ନତନ୍ନ କରି ଦେଖିବାକୁ ଆରମ୍ଭ କଲେ । ‘‘ସୁନ୍ଦର ଲମ୍ବ ଚିକୁର’’ରେ ଗୋପାଳଙ୍କ ମନ ବାନ୍ଧିହୋଇଯାଇଥାଏ । ଗୋପାଳଙ୍କ କବିତାପଢ଼ା ମନକୁ ଛାତ୍ରୀର ‘ମଧୁହାସ’ ମାଧବ-ସୁମନକୁ ଜିଣିଥିଲାପରି ଦିଶୁଥାଏ । ତେବେ ଏ ସବୁ ଛାତ୍ରୀର ରୂପ-ଲାବଣ୍ୟକୁ ଯେତେ ବଢ଼ାଉଥାଏ, ତହିଁରୁ ବେଶି ବଢ଼ାଉଥାଏ ତା’ର ଆଖି ଦିଓଟି । ଗୋପାଳ ସେଥିରେ ଯେଉଁ ଦୀପ୍ତି ଦେଖିଲେ, ତହିଁରେ ତାଙ୍କ ହୃଦୟରେ ଗୋଟିଏ ଅପୂର୍ବ ଭାବ ଖେଳିଗଲା । ସେହି ଆଖି ଦୁଇଟି-ସେହି ଆଖିପତାର ଚଳନ ଦେଖି ଛାତ୍ରୀର ହୃଦୟର ଗୁଣଗୁଡ଼ିକ ଗୋପାଳଙ୍କ ଆଗରେ କିପରି ଜଣାପଡ଼ିଗଲା, ତାହା ଆମେ ଜାଣିପାରିବା ନାହିଁ ।

ସେ ଯାହା ହେଉ, ଅଳ୍ପଦିନ ଟିଉସନ୍ କଲା ପରେ ଗୋପାଳ ତାଙ୍କ ସମୟର ମୂଲ୍ୟ ଭୁଲିଗଲେ । ଅନ୍ୟ କୌଣସି ଆଡ଼େ ଗଲେ ସେ ଥରକୁ ଥର ହାତର ଘଡ଼ିକୁ ଚାହାନ୍ତି । ବେଶି ସମୟ ହୋଇଯିବ ପରା ବୋଲି ଥରକୁ ଥର ଯିବା ପାଇଁ ଉଦ୍ୟତ ହୁଅନ୍ତି । ପ୍ରଥମେ ଏଠାରେ ମଧ୍ୟ ସେହିପରି ହେଉଥିଲା । ଦୁଇଘଣ୍ଟା ପଢ଼ାଇବାର କଥା । ଘଣ୍ଟାଏ ଅଣଷଠି ମିନିଟ୍ ହେଲା ବେଳକୁ ଗୋପାଳଙ୍କ ଚଉକି ଚିତ୍କାର କରି ଘୁଞ୍ଚିଯାଉଥିଲା । ମାତ୍ର ପନ୍ଦର ଦିନ ଯାଉ ନ ଯାଉଣୁ ଦୁଇ ଘଣ୍ଟାରୁ ଅଢେଇଘଣ୍ଟା ତିନିଘଣ୍ଟା ହେବାକୁ ଲାଗିଲା । ଯିବା ସମୟ ହେଲା ବେଳକୁ ସେ ଏପରି ମନୋଯୋଗ ଦେଇ କିଛି ଗୋଟିଏ ପଢ଼େଇବାରେ ଲାଗିଯାନ୍ତି ଯେ ଚାହୁଁ ଚାହୁଁ ଛାତ୍ରୀର ସ୍କୁଲ ସମୟ ହୋଇଯାଏ ।

ଆହୁରି କିଛିଦିନ ଗଲାରୁ ଦିନକେ ଥରକୁ ଦୁଇଥର ଆସିବା ଦରକାର ପଡ଼ିଗଲା । କେଉଁଦିନ ପାଠ ବିଷୟରେ ବିଶେଷ କିଛି ବୁଝେଇଦେବା ପାଇଁ, ଅନ୍ୟ କେଉଁଦିନ ପଢ଼ାଇବା ବେଳେ ଭୁଲି ଯାଇଥିବା ଗୋଟାଏ କିଛି ପଢ଼ା ଦେବା ପାଇଁ, ପଢ଼ାସଂକ୍ରାନ୍ତ କୌଣସି ବାହାନାର ସୁବିଧା ନ ପାଇଲେ ପଢ଼ାଇବା ବେଳେ ଜାଣି ଜାଣି କଲମଟା ବା ଘଡ଼ିଟା ଛାଡ଼ିଯାଇ ସନ୍ଧ୍ୟାବେଳେ ଆଉଥରେ ଆସି ଦୁର୍ବଳ ସ୍ମରଣ ଶକ୍ତିର ଦୁହାଇ ଦେଇ ସେଇଟା ନେବାପାଇଁ–ଏପରି ନାନା ଉପାୟରେ ଛାତ୍ରୀଟିର ସାନ୍ନିଧ୍ୟ ଲାଭ କରିବାର ଯୋଗାଡ଼ ହେଲା ।

ଆଉ କିଛିଦିନ ଗଲା । ଗୋପାଳଙ୍କ ସ୍ୱଭାବ-ସୁଲଭ କଳ୍ପନା ଶକ୍ତି ନୂତନ ଆହାର ପାଇ ପୁଣି ତେଜି ଉଠିଲା । କଳ୍ପନା ଛାତ୍ରୀର ଛାତ୍ରୀତ୍ୱକୁ ଦୂରକୁ ଫିଙ୍ଗିଦେଇ ତାକୁ ସହଧର୍ମଣୀ ରୂପରେ ଭୋପାଳଙ୍କ ପାଖରେ ଆଣି ବସାଇଦେଲା । ଗୋପାଳ ସହଧର୍ମିଣୀ ପାଇ ଭବିଷ୍ୟତ ଗଢ଼ାଭଙ୍ଗାରେ ଲାଗିଗଲେ । ଦିନେ ସପତ୍ନୀକ ଗୋପାଳ କଟକର ଖୁବ୍ ଗୋଟାଏ ବଡ଼ ପକାରେ ନାଗରୀକ ଜୀବନ କଟାଇଲେ; ତହିଁ ଆରଦିନ ମେଘ ଅନ୍ଧାରରେ ଗୋଟିଏ ଖୁବ୍ ଭୀଷଣ ଜଙ୍ଗଲର ଏକ ଭୀଷଣ ଗୁମ୍ପା ଭିତରେ, ପ୍ରିୟତମା ଛାତ୍ରୀଟି ପାଖରେ ଲଗାଲଗି ହୋଇ ବସି ପ୍ରକୃତିର ଭ୍ରୂକୁଟିକୁ ଅବଜ୍ଞା କଲେ । ପୁଣି ପରଦିନ ଆରଣ୍ୟକ କାଣ୍ଡ ସମାପ୍ତ ହେଲା । ଗୋପାଳ ଛାତ୍ରୀଟିକୁ ସାଙ୍ଗରେ ଧରି କେତେବେଳେ ରେଳଗାଡ଼ିରେ କେତେବେଳେ ଜାହାଜରେ, କେତେବେଳେ ଅବା ଉଡ଼ାଜାହାଜରେ ଦେଶ ଦେଶ ଘୁରି ବୁଲିଲେ; କଳ୍ପନାରେ ପ୍ରାକୃତିକ, ବାସ୍ତବ, କାଳ୍ପନିକ ଦୃଶ୍ୟସବୁ ଦେଖି ମୁଗ୍‌ଧ ହେଲେ । ପ୍ରିୟତମା ସାଙ୍ଗେ ସାଙ୍ଗେ ଥିବାରୁ ଦୃଶ୍ୟଗୁଡ଼ିକର ଦର୍ଶନୀୟତା ବଢ଼ିଯାଉଥାଏ । ଆନନ୍ଦ ବହୁଗୁଣିତ ହେଉଥାଏ ।

ଦିନେ କଳ୍ପନା ମଧ୍ୟରେ ମନେ ପଡ଼ିଲା, ‘‘ଆଚ୍ଛା, ମୁଁ ତ ଏତେ କଥା ବିଚାରୁଚି, ତା’ର ମୋ ପ୍ରତି କି ଭାବ ?’’ ସେହିଦିନଠାରୁ ମାଷ୍ଟର ଗୋପାଳ ହେଲେ ଗୁଇନ୍ଦା ପୁଲିସ । ଛପି ଛପି ଛାତ୍ରୀଟିର ଭାବ ଭଙ୍ଗୀ ଗତିବିଧି ସବୁ ପରୀକ୍ଷା କରିବାକୁ ଲାଗିଲେ । ତାର କାର୍ଯ୍ୟରେ କଥାରେ ପ୍ରେମ ଅଛି କି ନା ? ଯଦି ଅଛି କେତେ ଡିଗ୍ରୀ ଅଛି ? ସେ ଯେତେବେଳେ ତା’ର ଖାଲି ପଢ଼ା ଜାଣିବାର ଇଚ୍ଛା, ନା ତାଙ୍କ ମୁହଁରୁ ଏହି ସୂତ୍ରରେ ଦି’ ଚାରି ପଦ କଥା ଶୁଣିବାର ଇଚ୍ଛା ? ସେ ଯେଇଁ ପଢ଼ାସବୁ ଏତେ ଯତ୍ନରେ କରୁଛି, ଯେଉଁ ଲେଖାସବୁ ଏତେ ଯତ୍ନରେ ପରିଷ୍କାର କରି ଗୋଲ ଗୋଲ ଅକ୍ଷରରେ ଲେଖୁଚି, ତାହା ସବୁ ମାଷ୍ଟ୍ରଙ୍କ ପାଇଁ ଲେଖନ୍ତା, ନା ତାଙ୍କ ପାଇଁ, ତାଙ୍କୁ ଖୁସି କରିବାର ବିଶେଷ ଇଚ୍ଛାରେ କରୁଛି ? ଏହିପରି ସବୁ କାର୍ଯ୍ୟକୁ ଗୋପାଳ ପ୍ରେମପରିମାପକ ଯନ୍ତ୍ରରେ ମାପି ସ୍ଥିର କଲେ, ଛାତ୍ରୀଟି ମଧ୍ୟ ତାଙ୍କୁ ପ୍ରେମଚକ୍ଷୁରେ ଦେଖିବାର ସୂଚନା ବେଶ୍ ଆଶାଜନକ ।

Image

 

ଦୁଇ

 

ମଦନବାବୁ ଡେପୁଟି ମେଜେଷ୍ଟର ଇଜ୍‌ଲାସ୍‌ରେ ବସିଲେ ଆସାମୀମାନଙ୍କର ହୃତ୍‌କମ୍ପ ହେଉଥିଲା । ତେବେ ଆସାମୀମାନଙ୍କ ତ ସବୁ ଇଜ୍‌ଲାସ୍‌ରେ ହୃତ୍‌କମ୍ପ ହେବାର କଥା । ମେଣ୍ଡାଛୁଆ ବିଚାରକ ହେଲେ ସେମାନଙ୍କର ମନ ଭାବ ଅନ୍ୟ ପ୍ରକାର ହୁଅନ୍ତା ନାହିଁ । ଆସାମୀ କଥା ଛାଡ଼ । ମଦନାବାବୁ କଚେରୀ କଲେ ଚପ୍‌ରାସି, ପେସ୍କାର, ଓକିଲଙ୍କର ବୁକୁ ଦାଉଁଦାଉଁ ହୁଏ । ସହାନୁଭୂତିରେ ଟେବୁଲ ଚଉକି ଏବଂ କାଠବାଡ଼ ସବୁ ମଧ୍ୟ ଥରିଯାନ୍ତି । ମଦନବାବୁ ଥିଲେ ଭାରି କଡ଼ା ହାକିମ ।

କଚେରୀ କରିସାରି ଘରକୁ ଫେରି ଆସିଲେ, ହାକିମ ମେଜାଜ୍‌ର ଅଳ୍ପ ବହୁତ ପରିଚୟ ଚାକରବାକରଙ୍କ ଉପରେ ଏବଂ ସ୍ତ୍ରୀଙ୍କ ଉପରେ ହେଉଥିଲା । ଚାକରବାକରଗୁଡ଼ାକ ଏକାଠି ହୋଇ କଥାବାର୍ତ୍ତା ହେବାର ଦେଖିଲେ, ତାଙ୍କର ଭାରି ରାଗ ହୁଏ । ଚାକର ଦରମା ଖାଉଛନ୍ତି, ସବୁବେଳେ କାମ କରିବାର କଥା; କଥାବାର୍ତ୍ତା ହେବେ କାହିଁକି ? ଏଥିପାଇଁ ସେମାନଙ୍କୁ ଯେତେ ନାଲି ଆଖି ଦେଖିବାକୁ ପଡ଼େ ଏବଂ ଅନେକ ସମୟରେ ନାଲି ଆଖିରେ ଚଳନ୍ତି ପ୍ରତିମା ହାତ ସେମାନଙ୍କ ପିଠିରେ ଯେତେ ବିପ୍ଳବ ଘଟାଏ, ସେମାନଙ୍କୁ ରାତି ଛ’ଘଣ୍ଟା ଛଡ଼ା ଅନ୍ୟ ସବୁବେଳେ କାର୍ଯ୍ୟରେ ନ ଲଗାଇବା ଅପରାଧରେ ପତ୍ନୀଙ୍କୁ ମଧ୍ୟ ସେତିକି ଗାଳି ଶୁଣିବାକୁ ହୁଏ । ଗୋଟିଏ କାଚଗ୍ଳାସ ଭାଙ୍ଗିଗଲେ, ଗୋଟିଏ ଗିନା ମାଙ୍କଡ଼ ନେଇଗଲେ ବା ଗୋଟିଏ ଫୁଲଗଛ ଗାଈ ଖାଇଗଲେ, ମଦନବାବୁ ପଥର ଫଟା ସ୍ୱରରେ ଗୃହର ଭବିଷ୍ୟତ୍ ସର୍ବନାଶର ସୂଚନା ଦେଉ ଦେଉ ପ୍ରାୟ ଏକ ସପ୍ତାହର ସମସ୍ତ ଛୁଟିବେଳ କଟାଇ ଦିଅନ୍ତି । ମଦନବାବୁ ଥିଲେ ଭାରି କଡ଼ା ଲୋକ ।

ପେନ୍‌ସନ ପାଇ ଇଜଲାସ୍ ତ୍ୟାଗ କଲାରୁ ସ୍ତ୍ରୀଙ୍କ ଉପରେ, ଚାକର ବାକରଙ୍କ ଉପରେ କଡ଼ା ମେଜାଜ ଦେଖାଇବାକୁ ବେଶି ସମୟ ମିଳିଲା । ପେନସନ୍ ପ୍ରାପ୍ତ ଡେପୁଟିବାବୁ ପାନବାଟିରେ ହୁକା ଟାଣୁ ଟାଣୁ ଧୂଆଁ ସାଙ୍ଗ ଗାଳି ଉଦ୍‌ଗିରଣ କରି କରି ଘରକୁ ଅନ୍ଧକାରର ଢାଙ୍କିଦେଲେ ଏବଂ ଗୃହର ସମସ୍ତଙ୍କର ସୁଖ ସ୍ୱଚ୍ଛନ୍ଦ୍ୟ ଉପରେ କାଳି ବୋଳିଦେଲେ ।

ବହୁଦିନର ଶ୍ୱାସରୋଗ ପତ୍ନୀ ଊର୍ମିଳା ଦେବୀଙ୍କୁ ଯମାଳୟ ଆଡ଼କୁ ବେଶ୍ ଖଣ୍ଡେଦୂର ଆଗେଇ ଦେଇଥିଲା । ଅବସର ପ୍ରାପ୍ତ ପତିଙ୍କ ପ୍ରକୋପରେ ସେ ଏକମାତ୍ର କନ୍ୟା କନକଲତାକୁ ପତିଙ୍କ ପାଖରେ ଦେଇ ଇପଯୁକ୍ତ ସମୟର ବହୁ ପୂର୍ବରୁ ଯମାଳୟରେ ଯାଇ ଠେଲିହୋଇ ପଶିଲେ-

ଏକମାତ୍ର କନକଳତା ମଦନବାବୁ ଦାଉରୁ ଏପର୍ଯ୍ୟନ୍ତ ରକ୍ଷା ପାଇଯାଇଥିଲେ । ମଦନବାବୁ ନିଜର ଦୋଷ ପୁରା ଷୋଳଅଣା ଦେଖୁନଥିଲେ ଏବଂ ଝିଅକୁ ବାରଅଣା ପର୍ଯ୍ୟନ୍ତ ଛାଡ଼ିଦେଉଥିଲେ । ଅନ୍ୟ ଚାରିଅଣା ପାଇଁ କେଉଁଦିନ ଦାୟୀ ହେଉଥିଲେ ତା’ର ମା, କେଉଁଦିନ ଅବା ଦାୟୀ ହେଉଥିଲେ ଚାକରବାକର । ଊର୍ମିଳାଦେବୀଙ୍କ ଅନ୍ତେ କିଛିଦିନ ଏହି ହିସାବ ଚାଲିଲା । ମାତ୍ର ମଦନବାବୁ ବିଷେଦ୍‌ଗାର ସହିବାକୁ ଲୋକର ଅଭାବ ହେଲେ ତ ନ ଚଳେ । ସୁତରାଂ ବିଚାରୀ କନକକୁ ପିତାଙ୍କ ସ୍ନେହ ଏବଂ କୋପର ସମାନ ଭାଗୀଦାର ହେବାକୁ ପଡ଼ିଲା ।

ପିତାଙ୍କ ଆଦରର ଆଂଶିକ ବିରାମ ଅନୁଭୂତ ହେବାରେ, ମାତୃହୀନା ବାଳିକାର ସମସ୍ତ ଗେଲବସର ପଣିଆ ଉଭେଇଗଲା । ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ନିଜର ନିଜତ୍ୱ ଭୁଲିବାକୁ ଚେଷ୍ଟାକରି ସବୁବେଳେ ପିତାଙ୍କୁ ସନ୍ତୁଷ୍ଟ କରିବାକୁ ଲାଗିଲା । ନିଜର ସୁଖ ସାଚ୍ଛନ୍ଦ୍ୟ, ଲାଭାଲାଭକୁ ପାସୋରି ସେ ପିତାଙ୍କ ଇଚ୍ଛା ଅନିଚ୍ଛାକୁ ଲକ୍ଷ୍ୟ ରଖି ନିଜର କର୍ତ୍ତବ୍ୟ ଅକର୍ତ୍ତବ୍ୟ ସ୍ଥିର କରିବାକୁ ଲାଗିଲା-

ଗୋପାଳ ଆସି ଟିଉସନ୍ ମାଷ୍ଟର ହେଲେ, ସେହି ପିତାଙ୍କ ଇଚ୍ଛାରେ । କନକକୁ ନିଜେ ନିଜେ ପଢ଼ିବାକୁ ଭାରି ଭଲ ଲାଗେ । କଷ୍ଟ ଅଙ୍କକୁ ନିଜେ ବିଚାରି ବିଚାରି କଷିବାରେ ତାଙ୍କର ଆନନ୍ଦ ଯେତିକି, ବାସ୍ତବିକ୍ ଲାଭ ବି ସେତିକି ହୁଏ । ଡିକ୍‌ସିନାରୀ ଦେଖି ବାରମ୍ବାର ପଢ଼ି ପଢ଼ି ସେ କଷ୍ଟ ଇଂରେଜ ବାକ୍ୟମାନଙ୍କର ଅର୍ଥ ବାହାର କରନ୍ତି । ମାତ୍ର ହଠାତ୍ ଦିନେ ମଦନବାବୁଙ୍କର କ’ଣ ଗୋଟାଏ ଝୁଙ୍କ ଉଠିଲା ସେ ପଢ଼ାଘରେ ଆସି ବସିଲେ । କନକ ବିଚାରି ବିଚାରି ଖଣ୍ଡେ ଅଙ୍କର ଧାରା ବାହାର କରୁଥାନ୍ତି । ମଦନବାବୁ ପାଞ୍ଚ ମିନିଟ୍‌ପର୍ଯ୍ୟନ୍ତ ତାଙ୍କୁ ଚାହିଁରହି କହିଲେ, ‘‘ଆଚ୍ଛା, ମା, ତୋର ବର୍ତ୍ତମାନ ମେଟ୍ରି କ୍ୟୁଲେଶନ କ୍ଳାସ । ତୁ’ ଖଣ୍ଡେ ଅଙ୍କରେ ଏତେ ଗୁଡ଼ାଏ ସମୟ ନେଲେ ତ ବହି ସାରିପାରିବୁ ନାହିଁ !’’

‘‘ବହି କେତେ ଯେ, ସରିବ ନାହିଁ ବାପା ! ଇମିତି ବିଚାରି ବିଚାରି ଥରେ କରିଦେଲେ, ଆଉ ଥରେ ଦେଖିବା ଦରକାର ପଡ଼ିବ ନାହିଁ, ଭଲ ହୋଇ ମନେ ରହିଯିବ ।’’

ମଦନବାବୁ–‘‘ନା, ନା, ସେ ସବୁ ବାଜେ କଥା । ତୋ’ର ଗୋଟିଏ ମାଷ୍ଟର ଦରକାର । ମାଷ୍ଟର ଆସି ଘଣ୍ଟାଏ ଘଣ୍ଟାଏ ପାଠ ମଡ଼େଇ ଦେଇ ଗଲେ ଭଲ ହେବ-ହବ ନାହିଁ ?’’

କନକ ବାପାଙ୍କୁ ଭଲରୂପେ ଚିହ୍ନିଥିଲେ । ନାହିଁ କରିଦେଲେ ଗୋଟିଏ ଝଡ଼ ଆସିଯିବ । ଫଳରେ ରାମବାବୁ ଟିଉସନ୍ ମାଷ୍ଟର ଖୋଜିବା ଭାର ପାଇଲେ । ଗୋପାଳ ଖୋଜାହୋଇ ଆସି ଟିଉସନ୍ ମାଷ୍ଟର ହେଲେ । ପ୍ରଥମ ଦେହରେ ବଥୁଟାଏ ପରି ମାଷ୍ଟ୍ରେ କନକଙ୍କୁ ଲାଗିଲେ । ମାଷ୍ଟରଙ୍କ ଅସ୍ତିତ୍ୱ ପାସୋରିବାକୁ ଚେଷ୍ଟାକରି ସେ ପଢ଼ିବାରେ ମନଦେଲେ । ମାତ୍ର କିଛିଦିନ ଗଲାପରେ ଆଉ ତାଙ୍କ ଅସ୍ତିତ୍ୱ ଭୁଲିହେଲା ନାହିଁ । ଥରକୁ ଥର ପଢ଼ାରୁ ମୁହ ଟେକି ମାଷ୍ଟ୍ରଙ୍କୁ ପ୍ରଶ୍ନ ପଚାରିବାରେ ତାଙ୍କର ଆନନ୍ଦ ବଢ଼ିଲା ଏବଂ ଆଉ କିଛି ଦିନ ପରେ ଆଖି ଦିଓଟିକୁ ବହି ପଢ଼ିବାକୁ ଛାଡ଼ିଦେଇ ଚଗଲା ମନଟା ମାଷ୍ଟ୍ରରଙ୍କ ବିଷୟରେ ଚିନ୍ତା କରିବାକୁ ଲାଗିଲା ।

ଗୋପାଳ ଠିକ୍ ଠଉରେଇଥିଲେ, କନକଙ୍କ ପ୍ରାଣରେ ତାଙ୍କ ପ୍ରତି ପ୍ରେମ ଜାଗରୂକ ହୋଇଥିଲା । କନକ ମଧ୍ୟ ଏକଥା ଜାଣିଲେ, ମାତ୍ର ଜାଣିପାରିଲା ମାତ୍ରେ ବାପାଙ୍କ କଥା ମନେ ପଡ଼ିଗଲା । ବାପାଙ୍କ ଇଚ୍ଛା ଅନିଚ୍ଛା କଥା ବୁଝିବାକୁ ହେବ । ପ୍ରେମର ପାତ୍ର ଯେଡ଼େ ଉପଯୁକ୍ତ ହୁଅନ୍ତୁ, ବାପାଙ୍କର ବିନା ଇଚ୍ଛାରେ ପ୍ରେମ କରିବା ତାଙ୍କ ପକ୍ଷରେ ଅସମ୍ଭବ ।

ଏହି କଥା ବିଚାରି ବିଚାରି କନକଙ୍କର ଅନେକ ସମୟ କଟିଯାଏ । ନିର୍ବାଚନ ପରୀକ୍ଷା ଖୁବ୍ ନିକଟରେ । ତେବେ ଏପରି ଚିନ୍ତା ମୁଣ୍ଡରେ ଥିଲେ ପାଠ ପଢ଼ାହେବ ଅବା କୁଆଡ଼ୁ ?

ସକାଳ; ସାତଟା ବାଜିବାକୁ ପ୍ରାୟ ପନ୍ଦର ମିନିଟ୍ ଅଛି । କନକଲତାଙ୍କ ଆଗରେ ଇତିହାସ ବହିଟି ପଡ଼ିଛି । ପଢ଼ୁଥିଲାପରି ବାହାରକୁ ଜଣାଯାଉଥାଏ; ମାତ୍ର କନକଙ୍କ ମନ ବହିର ନୀରସ ଘଟଣାବଳୀରୁ ବହୁ ଦୂରରେ ଥାଏ ।

ସେ ପୂର୍ବରାତିର ସ୍ୱପ୍ନକଥା ଭାବୁଥାନ୍ତି । ସେ ଭାବୁଥାନ୍ତି କିପରି ସ୍ୱପ୍ନରେ ସେ ଶୋଇଥିଲେ, ଗୋଟାଏ କୌଣସି ନିର୍ଜନ ଜାଗାରେ । ହଠାତ୍ ନିଦ ଭାଙ୍ଗିଗଲା, ପଛରେ କିଛି ଗୋଟାଏ ମର୍ମର ଶବ୍ଦ ଶୁଣି ସେ ଚମକି ଉଠି ଚିତ୍କାର କରି ପଛକୁ ଚାହିଁଦେଲା ବେଳକୁ ଠିଆ ହୋଇଛନ୍ତି, ପ୍ରାଣପ୍ରିୟ-ମାଷ୍ଟରବାବୁ ! ତାଙ୍କ ଆଡ଼କୁ ଚାହିଁ ମୁଡ଼ୁକି ମୁଡ଼ୁକି ହସୁଛନ୍ତି–ଠିଆ ହେବା ଠାଣିରୁ ଚାହିଁବା ଭାବ ଭଙ୍ଗୀରୁ ଜଣାଯାଉଅଛି, ସତେ ଅବା ସେ କ’ଣ ଯାଚୁଛନ୍ତି ଏବଂ ସାଙ୍ଗେ ସାଙ୍ଗେ କ’ଣ ମାଗୁଛନ୍ତି ।

କନକ ତନ୍ମୟ ହୋଇ ବହି ଉପରେ ମୁହଁ ରଖି ସ୍ୱପ୍ନ କଥା ବିଚାରୁଥାନ୍ତି । ସ୍ୱପ୍ନର ମାଷ୍ଟର ବାବୁ ଆଖି ଆଗରେ ଉଭା ହୋଇ ପ୍ରକୃତ ମାଷ୍ଟର ବାବୁ ଯେ ଆସିଯିବେ, ଏକଥା ମନରୁ ଏକାବେଳକେ ଦୂର ହୋଇଯାଇଥାଏ । ସାତଟା ବାଜିଗଲା । ମାଷ୍ଟର ବାବୁ ଆସି ପହଞ୍ଚି କନକଙ୍କ ଆଗରୁ ବହିଟା ଉଠାଇ ନେଇ ପଚାରିଲେ, ‘‘ଏ ବହିର କେଉଁ ଗଳ୍ପଟା ପଢ଼ୁଥିଲ କି ?’’

କନକ ଅପ୍ରତିଭ ହେଲେ । ମାତ୍ର ଅପ୍ରତିଭ ଭାବ ଲୁଚାଇବାକୁ ଯାଇ ହଠାତ୍ ଉତ୍ତର ଦେଲେ, ‘‘Life on the Nile’’

ଗୋପାଳ ହସି ହସି ବହି ଖଣ୍ଡ ଟେବୁଲ ଉପରେ ପକାଇ ଦେଇ କହିଲେ, ‘‘ନା,The Earth and the Comet’’ ବେଶ୍ ପଢ଼ୁଛ ତ ? ଅନ୍ୟ ଗୋଟାଏ କିଛି ଭାବନା ହେଉଥିଲା ପରା ?

କନକ–‘‘ତରବରରେ କହୁ କହୁ ଭୁଲଟେ ହୋଇଗଲା । The Earth and the Comet କହିବାକୁ ବିଚାରି Life on the Nile କହିପକାଇଲି । ଅନ୍ୟ ବିଷୟ ଭାବନା ଆଉ କ’ଣ-?’’

ଗୋପାଳ–‘‘ନା, ଭୁଲ ହେବାରୁ ଅନୁମାନ କରୁଥିଲି, ଅନ୍ୟ କିଛି ବୋଧହୁଏ ଭାବୁଥିଲ । ତୁମର କ’ଣ ଭାବିବାର କଥା କିଛି ନାହିଁ କନକ ?’’

କନକ ଟିକିଏ ମୁଡ଼ୁକି ହାସ ହସି କହିଲେ,‘‘ନାହିଁ କ’ଣ ? ପରୀକ୍ଷାରେ କ’ଣ ହବ ସେହି କଥା ତ ସବୁବେଳେ ବିଚାରୁଛି ।’’

ଗୋପାଳ କିଛି ନ କହି ଝରକାବାଟେ ବଗିଚା ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଲେ । ପ୍ରାୟ ଦଶ ପନ୍ଦର ମିନିଟ୍‌ ଚାଲିଗଲା ।

ଅବଶେଷରେ କନକ କହିଲେ, ‘‘ଆପଣ କ’ଣ ମୋତେ କହୁଥିଲେ ? ଆପଣଙ୍କର ତ ଅନେକ ଭାବନା ଅଛି ।’’

ଗୋପାଳ ଚିନ୍ତାଭାରାକ୍ରାନ୍ତ ମୁହଁରେ ଟିକିଏ ଫିକା ହାସ ପ୍ରକାଶ କରି କହିଲେ, ‘‘ମୋର କ’ଣ ଭାବନା ନାହିଁ ବୋଲି ମୁଁ କହୁଥିଲି କି ? ମୋର ତ ସବୁବେଳେ ଚିନ୍ତା–ମୋର ତ ସବୁବେଳେ ଆଶା । ମୁଁ ଯେ ଆକାଶ କୁସୁମ ତୋଳିବାକୁ ଇଚ୍ଛା କରୁଛି ! ଯେ ଆକାଶ କୁସୁମ ତୋଳିବ, ତାର କାର୍ଯ୍ୟ ତ ଏ ସଂସାରରେ କିଛି ହୋଇନପାରେ ଖାଲି ଚିନ୍ତା ଓ ଆଶାହିଁ ତାର ସମ୍ବଳ ।’’

‘‘ଆପଣ କ’ଣ ତାହେଲେ ଗୋଟାଏ କିଛି ଆକାଶ କୁସୁମ ପାଇବା ଇଚ୍ଛାରେ ଅଛନ୍ତି ପରା ? ସେଇଟା କ’ଣ ?’’

ଗୋପାଳ–‘‘ଏ ପ୍ରଶ୍ନର ଉତ୍ତର ଆଜି ମିଳିବ ନାହିଁ । ତେବେ ଏତିକି କହିପାରେ, ମୁଁ ଯେଉଁ ଜିନିଷଟିକୁ ଲାଳାୟିତ, ତାହା ମୋର ଯେତିକି ପାଖ ସେତିକି ଦୂର ।’’

କନକ ଆଉ କିଛି ପଚାରିଲେ ନାହିଁ । ଯେତିକି ପାଖ ସେତିକି ଦୂର ଜିନିଷଟା କ’ଣ ? ସେ ବୁଝିଲେ, ପୁଣି ବୁଝିଲେ ନାହିଁ ।

ଏତେବେଳକୁ ପ୍ରାୟ ସାଢ଼େ ଆଠଟା ହୋଇଯାଇଥିଲା । ଗୋପାଳ କର୍ତ୍ତବ୍ୟ ସ୍ମରଣ କରି ପଢ଼ାଇବାରେ ଅନିଚ୍ଛୁକ ମନକୁ ଧରି ବାନ୍ଧି ଲଗାଇବାର ଉଦ୍ୟମ କଲେ ଏବଂ କନକ ‘‘ଯେମିତି ପାଖ ସେତିକି ଦୂର’’ ଜିନିଷଟା ବିଷୟ ଚିନ୍ତା କରି କରି ପଢ଼ା ଶିଖିବାକୁ ଲାଗିଲେ ।

ସେଦିନ କନକ ଠିକ୍ ସ୍କୁଲରୁ ଫେରି ଗୋଡ଼ ହାତ ଧୋଇ ଜଳଯୋଗ କରିବାକୁ ବାହାରିଛନ୍ତି । ପୂର୍ବ କେତେ ରାତି ଧରି ଭଲ ନିଦ ନ ହେଉଥିବାରୁ ସ୍କୁଲଫେରା ମାମୁଲି କ୍ଲାନ୍ତି ଟିକିଏ ଅସାଧାରଣ ଭାବରେ ମୁହଁରେ ଅଙ୍କିତ ହୋଇଯାଇଛି । ମଦନବାବୁ ଉଚ୍ଚ ସ୍ୱରରେ ଡ଼ାକିଦେଲେ, ‘‘କନ ! ଏ କନ ! କନକ ! ଶୁଣିଗଲୁ ଟିକିଏ ।’’

ଡାକର କାରଣ କ’ଣ ବୁଝିନପାରି କନକ ବିସ୍ମୟରେ ଯାଇ ବାପା ଆଉଜି ଶୋଇଥିବା ଚଉକି ବାଡ଼ ଧରି ଠିଆ ହେଲେ ।

ମଦନବାବୁ ଧୂଆଁଖିଆଙ୍କ ସୁଲଭ କାଶ ଦୁଇଟା କାଶିଦେଇ ଗମ୍ଭୀର ଭାବରେ କହିଲେ, ‘‘କନକ, ତୋ’ର କେତେଦିନ ହେଲା କିଛି ପଢ଼ାପଢ଼ି ହେଉନାହିଁ ?’’

କନକ ଟିକିଏ ଇତସ୍ତତଃ ହୋଇ ଉତ୍ତର ଦେଲେ, ‘‘କାହିଁକି, ବାପା, ପଢ଼ା ତ ହେଉଚି । ମାଷ୍ଟର ବାବୁ ତ ସବୁଦିନ ଆସୁଛନ୍ତି !’’

ମଦନବାବୁ–ସେହି ମାଷ୍ଟର ବାବୁ ତ ସବୁଦିନ ଆସୁଛନ୍ତି ବୋଲି ପଢ଼ାପଢ଼ି କିଛି ହଉ ନାହିଁ, କହୁଚି ।’’

କନକଙ୍କର ମୁହଁ ଯାକ ଲାଜରେ ନାଲି ପଡ଼ିଗଲା । ସେ କିଛି ନ କହି ଚଉକି ପିଠିରେ ନଖରେ ଗାରେଇବାକୁ ଲାଗିଲେ ।

ମଦନବାବୁ ଝିଅକୁ ତୁନି ହେବାର ଦେଖି କହିଗଲେ, ‘‘ଦେଖ୍, ଆଜିଯାଏ ଯାହା ଅନୁମାନ କରୁଥିଲି ତାହା ସବୁ ତୋ’ ତୁନି ରହିବାରୁ ପରିସ୍କାର ଜଣାପଡ଼ିଗଲା । ତୁ ଆଜିକାଲି ଏତେ ତଳକୁ ଗଲୁଣି ବୋଲି ମୁଁ ଜାଣିପାରିନଥିଲି । କୁଆଡ଼ୁ ଗୋଟାଏ ଛତ୍ରଖିଆ ଟୋକା ତତେ ପାଠ ପଢ଼େଇବାକୁ ଆସିଲା, ନିଜର ମାନ ବଜାୟ ରଖି ତା’ ଠାରୁ କାମ ଆଦାୟ କରନ୍ତୁ କ’ଣ–ତୁ ବସି ତା’ ସାଙ୍ଗେ ହସି କଥାବାର୍ତ୍ତରେ ସମୟ କଟେଇଦେଉଛୁ !’’

କନକଙ୍କ ମନରେ ଘୋର ଆଘାତ ଲାଗିଲା । ଯେଉଁ ବାପାଙ୍କୁ ଖୁସି କରିବାକୁ ସେ ଏତେ କଷ୍ଟ ସ୍ୱୀକାର କରନ୍ତି, ସେ ନିଜେ ତା’ ଉପରେ ପହରା ଦେଇ ତା’ର ସୁଖ ଟିକକ ସହିପାରୁନାହାନ୍ତି ! ଅଭିମାନରେ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇଗଲା । ସେ କହିଲେ, ‘‘ବାପା, କଥାବାର୍ତ୍ତା ହେଲେ କ’ଣ ମୁଁ ପାଠ ପଢ଼ୁନାହିଁ ?’’

କଥା କହିବା ସ୍ୱରରୁ ଏବଂ ଆଖିର ଅବସ୍ଥାରୁ ମଦନବାବୁ ଝିଅର ହୃଦୟର ଭାବ ମନେ ମନେ ବୁଝିନେଲେ ପରା ! ତାଙ୍କ ହୃଦୟଟା ଟିକିଏ ତରଳିଗଲା । ସେ ପଛ ଆଡ଼କୁ ଟିକିଏ ବୁଲି ପଡ଼ି କିଞ୍ଚିତ ମୃଦୁ ଭାବରେ କହିଲେ, ‘‘ନାହିଁ ମ, ମା ! ମୁଁ ତା’ କହୁ ନାହିଁ ଯେ, ମାଷ୍ଟରଟା ହେଲା ଆମ ଚାକର । ତୁ’ ତାକୁ ସେହି ଦୃଷ୍ଟିରେ ନ ଦେଖିଲେ, ତା ସାଙ୍ଗେ ବସି ଆଳାପ କଲେ ତା’ ମୁହଁ ବଢ଼ି ଯିବ ଯେ ! ତା’ ଠାରୁ ଆମ ଦି’ଘଣ୍ଟାର କାମ ଆମେ ଆଦାୟ କରି ନେବା ଦରକାର ।’’

କନକ ଆଉ କିଛି କହିଲେ ନାହିଁ । ଆଖିରୁ ଦି’ଧାର ଲୁହ ଗାଲରେ ବହି ଆସି ଛାତି ଓପର ଲୁଗାକୁ ଓଦା କରିଦେଲା । ସେ ଗୋଟିଏ ଗୋଟିଏ ଚାଲିଗଲେ ।

ପୂଜାରୀ ଚାକର କିଛି ଜାଣି ପାରିବେ ଏହି ଭୟରେ ଖାଇବା ଘରକୁ ଯାଇ ଖାଇବସିଲେ; ମାତ୍ର ଖାଦ୍ୟ ଆଉ ରୁଚିଲା ନାହିଁ; ଖାଇବା ଜିନିଷ ସାଙ୍ଗରେ ଲୁହ ମିଶିଯାଇ ସେଗୁଡ଼ାକ ଅଖାଦ୍ୟ ହୋଇଗଲା ।

ଜଳଖିଆ ଥାଳି ପାଖେ ବସି କନକ ବହୁତ କାନ୍ଦିଲେ । କାନ୍ଦୁ କାନ୍ଦୁ ବୋଉ କଥା ମନେ ପଡ଼ିଗଲା । ବୋଉ ବଞ୍ଚିଥିଲେ ତା’ ଆଗେ ହୃଦୟ ଖୋଲିଦେଇଥାନ୍ତେ । ସେ ତାଙ୍କ ଦୁଃଖ ବୁଝିଥାନ୍ତେ-। ବାପାଙ୍କର ତ ହୃଦୟ ନାହିଁ । ତାଙ୍କର ଏକମାତ୍ର ବିଚାରର ସାମଗ୍ରୀ ଟଙ୍କା ।

କନକ କାନ୍ଦି କାନ୍ଦି ପ୍ରତିଜ୍ଞା କଲେ–ବାପାଙ୍କର ଏତେ କଥା ସହିଛନ୍ତି । ମନ ପୋଡ଼ିଯାଉ ପଛେ, ହୃଦୟ ଭାଙ୍ଗିଯାଉ ପଛେ, ଏଥରଟା ମଧ୍ୟ ସହିବାକୁ ପଡ଼ିବ । ଏଥର ମଧ୍ୟ ବାପାଙ୍କ ମନ ରଖିବା ପାଇଁ ନିଜର ସର୍ବସ୍ୱ ବଳିଦେବାକୁ ହେବ ।

Image

 

ତିନି

 

ପନ୍ଦର ଦିନ ଚାଲିଗଲା । ଗୋପାଳ ପ୍ରତିଦିନ ପଢ଼ାଇବାକୁ ଆସି କନକଙ୍କର ମ୍ରିୟମାଣ ଭାବ ଦେଖୁଥାନ୍ତି । ସେ ଆସି ବସି ପୂର୍ବପରି କୌଣସି ପ୍ରସଙ୍ଗ ପକାଇଲେ କନକ ଦୀର୍ଘ ନିଃଶ୍ୱାସଟିଏ ଛାଡ଼ି ଉଦାସୀନ ଭାବରେ କଥାବାର୍ତ୍ତାରେ ଯୋଗ ଦିଅନ୍ତି ଏବଂ କଥାବାର୍ତ୍ତା ବେଳେ ପଢ଼ାବହି ଖୋଲିବା ଏବଂ ଲେଖା ଗୋପାଳଙ୍କ ଆଡ଼କୁ ବଢ଼ାଇବା ପ୍ରଭୃତି ବାହ୍ୟଭାଗ୍ୟଙ୍ଗୀଦ୍ୱାରା ଦେଖାଇଦିଅନ୍ତି–କଥାବାର୍ତ୍ତା ପ୍ରଭୃତି କରିବାଠାରୁ ପଢ଼ାପଢ଼ି ବିଷୟ ଚର୍ଚ୍ଚା କରିବାକୁ ତାଙ୍କର ବେଶି ଇଚ୍ଛା ।

ଗୋପାଳ କନକଙ୍କର ଏ ଭାବ ଦେଖି ମର୍ମାହତ ହୁଅନ୍ତି । କେତେପ୍ରକାର ଚିନ୍ତା ମନମଧ୍ୟରେ ଆସି ଖେଳିଯାଏ । ତାଙ୍କ କଥା ପୂର୍ବେ କନକଙ୍କର କେଡ଼େ ଶ୍ରୁତିପ୍ରିୟ ହେଉଥିଲା । ସେ କଥାବାର୍ତ୍ତା ଆରମ୍ଭ କରିଦେଲେ କନକ ପାଠ ଭୁଲିଯାଇ ଆଖି ବାଟେ ତାଙ୍କ କଥା ପିଇଯାଉଥାନ୍ତି । ଗୋପାଳ ପଢ଼ାପଢ଼ି ଆରମ୍ଭ କରିବାର ଉଦ୍ୟମ କଲେ ନାନାପ୍ରକାର ଇଙ୍ଗିତଦ୍ୱାରା ବାଧା ଦିଅନ୍ତି । ଏବେ ହଠାତ୍‌ ଏ କି ପରିବର୍ତ୍ତନ ! ଗୋପାଳ କିଛି ବୁଝି ନ ପାରି ଖାଲି ଅନିଦ୍ରା ହୋଇ ରାତିଯାକ ମିଞ୍ଜିମିଞ୍ଜି ଲଣ୍ଠନ ଆଲୁଅରେ ବସାଘର ଛାତିକୁ ଚାହଁ ରହିଥାନ୍ତି । ଦିନଯାକ କୌଣସି କାର୍ଯ୍ୟରେ ମନ ଲାଗେ ନାହିଁ–କନକଙ୍କର କ’ଣ ବିପଦ ପଡ଼ିଛି, କନକଙ୍କର ମନ କାହିଁକି ଖରାପ, ଏହି ଚିନ୍ତା ସବୁବେଳେ ତାଙ୍କ ମନକୁ ଅଧିକାର କରି ଅନ୍ୟ କୌଣସିଥିରେ ଲଗାଇଦିଏ ନାହିଁ ।

ସକାଳ ବେଳ । ଶ୍ରାବଣ ମାସ ମେଘ ପୂର୍ବରାତିରେ ବର୍ଷା କରି କରି କ୍ଲାନ୍ତରେ ଆକାଶ ଉପରେ ପଡ଼ିରହିଛି । ବଗିଚାର ଗଛପତ୍ରଗୁଡ଼ିକ ପୂର୍ବରାତି ବର୍ଷାମାଡ଼କଷ୍ଟ କ୍ରମେ କ୍ରମେ ଦୂରକରି ସତେଜ ଦିଶୁଛି । ଗୋପାଳ କନକ ପଢ଼ାଘର ଚଉକିରେ ଯାଇ ବସିଲେ । ନିଦ୍ରାର ଅଭାବରେ ତନ୍ଦ୍ରା ଏବଂ ଚିନ୍ତାର ଭାର ଯୋଗୁଁ ଆଖି ଦୁଇଟି ଅଧେ ଅଧେ ବୁଜି ହୋଇଯାଉଥାଏ ।

କନକ ଆସି ଟେବୁଲ ଆର ପାଖରେ ପଡ଼ିଥିବା ଚୌକିରେ ସେହିପରି ମନ ମାରିଦେଇ ବସିଲେ । ପ୍ରାୟ ୫ ମିନିଟ୍ ନିଃଶବ୍ଦରେ ଚାଲିଗଲା ପରେ ଗୋପାଳ କନକଙ୍କର ଅବସନ୍ନ ମୁଖକୁ ଚାହିଁ ପଚାରିଲେ ‘‘କନକ ଆଜି ତୁମର କାହିଁକି ଏତେ ଉଛୁର ?’’

କନକ ଚେଷ୍ଟାକରି ଟିକିଏ ହସି କହିଲେ, ‘‘କାହିଁ ମୋର ତ ଉଛୁର ହୋଇନାହିଁ । ଆପଣ ଆଜି ଆଗରୁ ଆସିଛନ୍ତି ।’’

ଗୋପାଳ କିଛି ନ କହି ପକେଟରୁ ଘଡ଼ିଟି ବାହାର କରି ତାକୁ ଚାହିଁ ରହିଲେ–ସତେ ଅବା ଯେପରି ଘଡ଼ିରେ କେତେ ବାଜିଛି ଦେଖି ଜାଣିପାରୁନାହାନ୍ତି ବା ଜାଣି ଆଗରୁ ଆସିଛନ୍ତି ହିସାବ କରିପାରୁନାହାନ୍ତି !

କିଛି ସମୟ ଗଲା ପରେ ହଠାତ୍ ନିଦରୁ ଉଠିଲା ପରି ଗୋପାଳ କହିଲେ–‘‘କନକ, ତୁମକୁ ଆଜି ଗୋଟିଏ କଥା ପଚାରିବାର ଅଛି ।’’

କ’ଣ ପ୍ରଶ୍ନ ହେବ କନକ ଜାଣିପାରିଲେ ପରା ? ଭୟ ଏବଂ ଉତ୍କଣ୍ଠାରେ ସେ କ୍ଷୀଣ ସ୍ୱୀରରେ ପଚାରିଲେ ‘‘କ’ଣ ?’’

ଗୋପାଳ–ତୁମେ କେତେଦିନ ହେଲା କାହିଁକି ଭାରି ମନଦୁଃଖରେ ଥିଲାପରି ଜଣାଯାଉଛ ।

ସତେ ଆଶ୍ଚର୍ଯ୍ୟ ହେଲାପରି କନକ ଉତ୍ତର ଦେଲେ , ‘‘ମୋ ମନଦୁଃଖ ହୋଇଛି ? କାହିଁ ନାହିଁ ତ !’’

ଗୋପାଳ–ନାହିଁ କଲେ ମୁଁ ଭୁଲିଯିବି ନାହିଁ । ପନ୍ଦର ଦିନ ହେଲା ମୁଁ ଦେଖି ଆସୁଛି ତମର ସେ ଆଗକାର ଫୂର୍ତ୍ତି ନାହିଁ । ତମେ ଯେତେ ନାହିଁ କଲେ ତମ ଦୁଃଖଟା ଯେ ମୁହଁରେ ବାହାରି ଦିଶିଯାଉଛି ।

କନକ ଦୀର୍ଘନିଃଶ୍ୱାସଟିଏ ପକାଇ କହିଲା, ‘‘ନାହିଁ, ଦୁଃଖ କ’ଣ ?’’ ବୋଧହୁଏ ମନେ ମନେ ବିଚାରିଲେ, ଆଚ୍ଛା, ଯଦି ଦୁଃଖଟା ମୁହଁରେ ଦିଶିଯାଉଛି, ଏଥର ଦିଶି ନ ଯିବାର ଉଦ୍ୟମ କରାଯିବ ।’’

ଘଡ଼ିଏ ଖଣ୍ଡେ କଟିଗଲା । କନକଙ୍କ ମୁହଁରୁ ଦୁଃଖର ଛାୟା କ୍ରମେ କ୍ରମେ ଅପସରିଯାଇ ଗୋପାଳଙ୍କ ମୁହଁକୁ ଆବୁରି ରହିଲା । କନକ ତାଙ୍କୁ ବିଶ୍ୱାସ କରୁନାହାନ୍ତି, ହୃଦୟର କଥା ତାଙ୍କ ଆଗରେ ଖୋଲି କହିବାକୁ ତାଙ୍କର ମନ ହେଉ ନାହିଁ । ମାତ୍ର ସେ ନିଜେ-ନିଜ ହୃଦୟର ଗଭୀରତମ ପ୍ରଦେଶର କଥା ତାଙ୍କ ଆଗେ କହିଦେବାକୁ ତିଳେମାତ୍ର କୁଣ୍ଠିତ ନୁହନ୍ତି, ବରଂ କିପରି କନକଙ୍କ ଆଗେ ସବୁ କହିବେ ଏଥିପାଇଁ ସେ ସବୁବେଳେ ବ୍ୟସ୍ତ–କନକ ଆଗେ ସବୁ କହିଦେଲେ ତାଙ୍କ ହୃଦୟ ଉଶ୍ୱାସ ହୋଇଯାଏ । ଏହି କଥା ବିଚାରି ବିଚାରି ଆତ୍ମଗ୍ଳାନିରେ ତାଙ୍କ ମୁହଁ ବିକୃତ ହୋଇଗଲା । ପରେ ପରେ ଅଭିମାନ ହୃଦୟକୁ ଅଧିକାର କରିବା ସଙ୍ଗେ ସଙ୍ଗେ ଆଖି ଛଳ ଛଳ ହୋଇ ଆସିଲା ।

 

କନକ ଏ ଛଳ ଛଳ ଆଖି ଦେଖି ସହିପାରିଲେ ନାହିଁ । ପିତାଙ୍କ କଥା ପରେ ଜଳଖିଆ ଥାଳି ପାଖରେ କରିଥିବା ପ୍ରତିଜ୍ଞା ପାସୋର ହୋଇଗଲା । ସେ ପଚାରିଲେ, ‘‘ଆପଣ କାହିଁକି ଏପରି ଦୁଃଖିତ ହୋଇଛନ୍ତି ?’’

ଗୋପାଳ କିଛି ଉତ୍ତର ନଦେଇ ଉତ୍ସୁକ ଦୃଷ୍ଟିରେ କନକଙ୍କୁ ଚାହିଁ ରହିଲେ । ବର୍ତ୍ତମାନ ତାଙ୍କର ଏ ମୁହଁକୁ ଦେଖିଲେ ଆଉ କାହାର ମନରେ ଦୁଃଖ ରହିବ ?

ନାଲି ଓଠ ମଧ୍ୟରେ ସୁନ୍ଦର ଦାନ୍ତଗୁଡ଼ିକ ବାହାରି ରମଣୀୟ ଦିଶୁଥାଏ । ଚପଳ ଆଖିଗୁଡ଼ିକ ଗୋପାଳଙ୍କ ମନର ଦୁଃଖକୁ କଟାକ୍ଷପାତରେ ଦୂରକରି ଦେଉଥାଏ । ସେ ଆଖିର ଜୋର୍‌ରେ ଗୋପାଳଙ୍କ ଦୁଃଖ ତଡ଼ି ହୋଇଗଲା । ସେ ତୃପ୍ତିରେ ମନ୍ଦ ହସି ହସି କହିଲେ, ‘‘କନକ, ତମରି ଦୁଃଖ ହେତୁ ମୋର ଦୁଃଖ ହୋଇଗଲା ସିନା ! ବର୍ତ୍ତମାନ ତମର ତ ଦୁଃଖ ନାହିଁ, ମୋର ରହିବ କିପରି ?’’

ଦୁଷ୍ଟାମି କରି କନକ ପଚାରିଲେ, ‘‘ମୋ ଦୁଃଖ ସଙ୍ଗେ ଆପଣଙ୍କର ସମ୍ୱନ୍ଧ କ’ଣ ଅଛି କି-?’’

ଗୋପାଳଙ୍କ ରୁଦ୍ଧ ହୃଦୟର ଦ୍ୱାର ଫିଟିଗଲା । ସେ କନକ ଆଡ଼କୁ ଆବେଗରେ ଚାହିଁ କହିଗଲେ, ‘‘ତୁମ ଦୁଃଖ ସଙ୍ଗେ ମୋ ଦୁଃଖର କି ସମ୍ବନ୍ଧ ପଚାରୁଛ, କନକ ! ମୁଁ ଗଲା ପନ୍ଦର ଦିନ ଯେପରି କଟାଇଛି ଯଦି ଜାଣିପାରନ୍ତ, ତାହାହେଲେ ଏପରି ପଚାରନ୍ତ ନାହିଁ । ତୁମ ମୁହଁରେ ପନ୍ଦର ଦିନ ହେଲା ଦୁଃଖର ଗୋଟାଏ ଛାୟା ଦେଖି ମୋତେ ସଂସାର ବିଷପରି ଲାଗିଯାଇଛି । ମୁଁ ରାତି ରାତି ଉଜାଗର ରହି ଚିନ୍ତା କରିଛି–ତୁମର ଦୁଃଖ ଯଦି ମୋ ପ୍ରାଣ ବିନିମୟରେ ଦୂରୀଭୂତ ହୁଅନ୍ତା, ଅକାତରେ ଜୀବନ ମୂର୍ଚ୍ଛିଦେଇ କୃତାର୍ଥ ହୁଅନ୍ତି ।’’

ଏ କଥା ଏବଂ ମାଷ୍ଟର ବାବୁଙ୍କ ପ୍ରେମବିହ୍ୱଳ ଆକୃତି ଦେଖି କନକ ଯେତିକି ପ୍ରୀତ ସେତିକି ବ୍ୟଥିତ ହେଲେ ଏବଂ ମାଷ୍ଟାମି କରି ପ୍ରଶ୍ନଟା ପଚାରିବା ହେତୁ ଅନୁତପ୍ତ ହେଲେ । ବାପାଙ୍କ କଥା ରଖିବାକୁ ହେବ; ମାତ୍ର କଥା ରଖିବାର ପ୍ରଣାଳୀ ତ ଏପରି ନୁହେଁ ।

କନକ ଏପରି ଚିନ୍ତାକରି କ’ଣ କହିବାକୁ ଯାଉଥିଲେ, ଗୋପାଳ ତାଙ୍କୁ ସୁବିଧା ନ ଦେଇ ପୁଣି କହିଲେ, ‘‘କନକ, ମନେ ଥିବ ଦିନେ କହିଥିଲ । ମୁଁ ଯାହା ପାଇବାକୁ ଇଚ୍ଛା କରୁଛି, ସେ ମୋର ଯେତିକି ଦୂରରେ ସେତିକି ପାଖରେ । ତାହା କ’ଣ ବୋଲି ତମେ ସେଦିନ ପଚାରିଥିଲ । ମୁଁ ସେଦିନ କହିନଥିଲି; ମାତ୍ର ଦେଖୁଛି ବିଳମ୍ବରେ ଫଳ ନାହିଁ–ଆଜି କହିବି, ଶୁଣିବ ?’’

କନକ ଆଗ ବିଚାରିଲେ କହିଦେବେ-‘‘ଶୁଣିବା ଦରକାର ନାହିଁ ।’’ ପୁଣି ବିଚେରିଲେ, ହୁଏତ ସେ କଥାର ଉତ୍‌ଥାପନ ହେଲେ କଥା ଅନ୍ୟ ଦିଗ ଅବଲମ୍ବନ କରିବ । ଅନ୍ୟ କଥା ପଡ଼ିଗଲେ ନିଜେ ରକ୍ଷା ପାଇବେ । ସୁତରାଂ କିଛି ନ କହି ତୁନି ରହିଲେ ।

ଗୋପାଳ ଚଉକି ପାଖକୁ ଘୁଞ୍ଚେଇ ଆଣି ଏକ ନିଃଶ୍ୱାସରେ କହିଗଲେ, ‘‘କନକ, ସ୍ନେହର କନକ ! ସେ ଜିନିଷଟି ତୁମେ । ତୁମେ ମୋର ଖୁବ ଦୂରରେ । ତୁମେ ବଡ଼ ଘରର ଝିଅ । ତୁମ ବାପା ପେନ୍‌ସନ୍‌ପ୍ରାପ୍ତ ଡ଼େପୁଟି ମାଜିଷ୍ଟ୍ରେଟ୍‌ । ମୁଁ ଜଣେ ନଗଣ୍ୟ ମଫସଲିଆ ଲୋକର ପୁଅ । ମାତ୍ର କନକ, ତୁମେ ମୋର ଖୁବ୍‍ ପାଖରେ-ମୋ ହୃଦୟକୁ ଖୋଲି ଦେଖ, ତୁମେ ସେଥିରେ ଶ୍ରେଷ୍ଠତମ ଆସନରେ ବସିଛ-ତୁମେ ଦିନରାତି ମୋର ଚିନ୍ତାର ସାମଗ୍ରୀ-ତୁମ କଥା ଭାଳି ଭାଳି ମୋର ଅନେକ ଦିନ ହେଲା ନିଦ ନାହିଁ–କନକ, ସ୍ନେହର କନକ ! ତୁମେ ମୋର ହେବ ନାହିଁ ? ତୁମକୁ ମୋର ଚିରସଙ୍ଗିନୀ କରି ପାଇବା ଆଶାଟା କ’ଣ ଧୃଷ୍ଟତା ?’’

କନକ ଏକଥା ଶୁଣି କରିବେ କ’ଣ ? ଏ କଥାର କି ଉତ୍ତର ଦେବେ ? ପ୍ରାଣପ୍ରିୟ ହୃଦୟ ଖୋଲିଦେଇଛନ୍ତି । ମନ ହେଲା ନିଜେ ମଧ୍ୟ ହୃଦୟ ଖୋଲିଦେବେ, କହିବେ, ‘‘ପ୍ରିୟ, ତୁମେ ମଧ୍ୟ ମୋର ଅନେକ ଦୂରରେ ଥିଲ, ଆଜି ପର୍ଯ୍ୟନ୍ତ ମୁଁ ବିଚାରୁଥିଲି ତୁମେ ମୋତେ ଗ୍ରହଣ କରିବାକୁ, ମୋ ପରି ଦୀନା ଅଶିକ୍ଷିତାର ଭାର ବହନ କରିବାକୁ ପ୍ରସ୍ତୁତ ହେବ ନାହିଁ । ଆଜି ତୁମେ ନିଜେ ମୋତେ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛ, ପ୍ରିୟ ! ମୋର ଆଉ ଚିନ୍ତା ନାହିଁ । ମୋତେ ଗ୍ରହଣ କର, ମୁଁ ତୁମର ଉପଯୁକ୍ତା ହେବାର ଚେଷ୍ଟା କରିବି ।’’

କିନ୍ତୁ ମନେ ପଡ଼ିଗଲା ବାପାଙ୍କ କଥା । ଆଶା ଦେଲେ, ହଁ କଲେ, ଫଳ କ’ଣ ? ବାପା ତ ଏକଥା ଶୁଣିବା ମାତ୍ରେ ଅଗ୍ନିଶର୍ମା ହୋଇଯିବେ–କେବେ ହେଲେ ୟା କରେଇ ଦେବେ ନାହିଁ ।

କନକ ଚିନ୍ତିତ ହୋଇ ତଳକୁ ଚାହିଁ ରହିଲେ ।

ଗୋପାଳ ଏହା ଦେଖି କହିଲେ, ‘‘କନକ, ଚିନ୍ତିତ ହେଉଛ କାହିଁକି ? ଯଦି କିଛି ସ୍ଥିର କରିନପାରୁଛ, ମତେ ସମୟ ଦିଅ । ତୁମର କଥାକୁ ଅପେକ୍ଷା କରି ଯୁଗେ ମଧ୍ୟ ରହିପାରିବି ।’’

ଆଉ କନକ ସମ୍ଭାଳିପାରିଲେ ନାହିଁ । ତାଙ୍କ ଆଖିରୁ ଦର ଦର ଲୁହ ଗଡ଼ିବାକୁ ଲାଗିଲା-। ସେ ଖାତାରୁ ଖଣ୍ଡେ କାଗଜ ଚିରି ଲେଖିଦେଲେ, ‘‘ଆପଣଙ୍କ କଥା ଶୁଣି ମୁଁ ବିଚଳିତ ହୋଇଯାଉଛି । ଆପଣ ଗୁରୁ, ମୁଁ ଆପଣଙ୍କ ଶିଷ୍ୟା । ମୋତେ ଏପରି କହିବା ଉଚିତ କି ଅନୁଚିତ, ଆପଣ ମୋ ଠାରୁ ବେଶି ଜାଣଥିବେ ।’’

 

କାଗଜଖଣ୍ଡ ମାଷ୍ଟରଙ୍କ ପାଖକୁ ବଢ଼େଇ ଦେଇ କନକ ସେ ଘରୁ ଉଠି ନିଜ ଶୋଇବା ଘରକୁ ମନ ପୁରେଇ କାନ୍ଦିବାକୁ, ତ୍ୟାଗର ତାପ ଲୋକ ଚକ୍ଷୁ ଅନ୍ତରାଳରେ ଭୋଗିବାକୁ, ଚାଲିଗଲେ-

ଗୋପାଳ କଳ୍ପିତ ସ୍ୱର୍ଗରୁ ରସାତଳରେ ପଡ଼ିଲେ । ତାଙ୍କ ମୁଣ୍ଡ ଭ୍ରମ ହୋଇଗଲା । ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଓଲୁ ପରି ଚିଠି ଖଣ୍ଡକୁ ବାରମ୍ବାର ବକ ବକ ହୋଇ ଚାହିଁ ବାହାରିଯିବାକୁ ଚଉକିରୁ ଉଠୁଛନ୍ତି, ଭିତରୁ ଶବ୍ଦ ହେଲା, ‘‘ମାଷ୍ଟ୍ରେ, ରହ ରହ, ତମ ସାଙ୍ଗେ ଟିକିଏ କାମ ଅଛି ।’’ ଶବ୍ଦ ହେବା ସାଙ୍ଗେ ସାଙ୍ଗେ ପଢ଼ାଘରର ଭିତର ଦୁଆରଟା ଫିଟିଗଲା ଏବଂ ମଦନବାବୁ କନକ ଟିକକ ଆଗରୁ ଯେଉଁ ଚଉକିରେ ବସିଥିଲେ, ସେଥିରେ ଆସି ବସିଲେ ।

ମଦନବାବୁଙ୍କ ଆଖି ନାଲି ଦିଶୁଥାଏ–ସତେ ଅବା ଆଖି ଭିତରେ ନିଆଁ ଜଳୁଛି । ଦାଢ଼ିଗୁଡ଼ାକ ରାଗରେ ଭାରି କରଡ଼ା ହୋଇଯାଇଥାଏ । ଗୋପାଳ ସେ ଆଖି ଓ ସେ ଦାଢ଼ି ଦେଖି ଆଶଙ୍କା କରିଥିଲେ, ମଦନବାବୁ ତାଙ୍କ ଉପରେ ଗରଳ ଝାଡ଼ିବେ । ମାତ୍ର ମଦନବାବୁ ସେପରି କିଛି ନ କରି ଅତି ଧୀରେ ଗମ୍ଭୀର ଭାବରେ ପଚାରିଲେ, ‘‘ମାଷ୍ଟର ବାବୁ, ଆପଣଙ୍କ ଘର କେଉଁଠାରେ-?’’

ଗୋପାଳ ଅନ୍ୟମନସ୍କ ଭାବରେ ଉତ୍ତର ଦେଲେ, ‘‘କଟକ ଜିଲାର ରାଏରଙ୍ଗପୁର ଗ୍ରାମରେ ।’’

ମଦନବାବୁ ପୁଣି ପଚାରିଲେ, ‘‘ଆଚ୍ଛା, ଆପଣଙ୍କ ବାପା କ’ଣ କରନ୍ତି ?’’

ଗୋପାଳ–‘‘ମୋର ବାପା ମା କେହି ନାହାନ୍ତି । ମୋର ଗୋଟିଏ ଛୋଟ ଭାଇ ଥିଲା । ଏବେ କେତେ ଦିନ ହେଲା ତାକୁ ସୁଦ୍ଧା ହରାଇଛି ।’’

ମଦନବାବୁ–‘‘ଆପଣଙ୍କର ସମ୍ପତ୍ତି ବାଡ଼ି କ’ଣ ?’’

ଗୋପାଳ–‘‘ସମ୍ପତି ସେପରି କିଛି ନୁହେଁ । ମୋଟରେ ୪-୫ ହଜାର ଟଙ୍କା ହବ ।’’

ମଦନବାବୁ ନାଲି ଆଖିକି ଟିକିଏ ବିଶେଷ ଭାବରେ ବିଚରା ଗୋପାଳ ଓପରେ ରଖି କହିଲେ, ‘‘ଏକଥା ସବୁବେଳେ ମନେଥାଏ ତ ? ଘର ମଫସଲର କେଉଁ କ’ଣରେ; ବାପ ମା କେହି ନାହାନ୍ତି; ସମ୍ପତ୍ତି ଏଠା ପାନବାଲାଙ୍କ ସଂପତ୍ତି ଅପେକ୍ଷା କମ୍‌ । ବି. ଏ. ଖଣ୍ଡ ପାଶ୍‌ କରିଛି ବୋଲି ମନରେ ଭାରି ଦମ୍ଭ ପରା ! ଆଜିକାଲି ବଜାର ଛକ ମୁଣ୍ଡରେ ବସିଲେ ବି. ଏ ଗୁଡ଼ାକ ପଞ୍ଝା ପଞ୍ଝା ହୋଇ ବଜାରରେ ବୁଲିବାର ଦେଖିବ ।’’

ଗୋପାଳ ଏସବୁ ଶୁଣି ସ୍ଥିର ହୋଇ ବସି ରହିଲେ, କୌଣସି ଉତ୍ତର ଦେଲେ ନାହିଁ । କନକର ଚିଠି ଖଣ୍ଡିକ ହାତରେ ଧରି ମୋଡ଼ୁଥାନ୍ତି ।

ଗୋପାଳ ତୁନି ହୋଇ ରହିବାର ଦେଖି ମଦନବାବୁଙ୍କର ରାଗ ବୋଧହୁଏ ଟିକିଏ ବଢ଼ିଗଲା । ସେ ଗର୍ଜନ କରି କହି ଉଠିଲେ, ‘‘ମୂର୍ଖ, ତୋର ପୁଣି ଏତେ ଆସ୍ପର୍ଦ୍ଧା ! ତୁ ମୋ’ ଝିଅ ସାଙ୍ଗରେ ବସି ଆମୋଦ କରୁଛୁ ? ପାଷଣ୍ଡ, ନିଜର ଅବସ୍ଥା ବୁଝି, ଆମ ତୋ’ ପାର୍ଥକ୍ୟଟା ହୃଦୟଙ୍ଗମ କରି ଚଳିପାରିଥିଲେ, ତୋ’ର କାର୍ଯ୍ୟଟି ଏତେ ଶୀଘ୍ର ଯାଇନଥାନ୍ତା । ଯା, ଅଧମ, ନିଜର ଚପଳତା ନିମନ୍ତେ ବେକାର ହୋଇ ବସି ଅନୁତାପ କରୁଥିବୁ । ଆଉ ଦିନେ ମୋ ଘର ଭିତରେ ବା ଦୁଆର ମୁହଁରେ ତୋ ମୁହଁ ଦେଖିଲେ ସିଧା ସିଧା ପୁଲିସ ଥାନାକୁ ନେଇ ତୋ’ ପ୍ରେମିକପଣ ଛଡ଼େଇଦେବି । ଦେଖ ହେ, ଏ ଛୋଟଲୋକଗୁଡ଼ାଙ୍କର କେଡ଼େ ଅହଙ୍କାର । ଆମ–’’

ଗୋପାଳ ବାଧା ଦେଇ କହିଲେ, ‘‘ଛୋଟଲୋକଙ୍କ ଅହଙ୍କାର ବିଷୟରେ ବକ୍ତୃତା ଶୁଣିବାର ପ୍ରୟୋଜନ ନାହିଁ । ମୁଁ ଆଉ ଏ ଦ୍ୱାରକୁ ଆସିବି ନାହିଁ ବୋଲି ଆଗରୁ ସ୍ଥିର କରିଥିଲି । ଆପଣ ଏତେଗୁଡ଼ାଏ କହି ବୃଥା ସମୟ ନଷ୍ଟ କଲେ ମାତ୍ର ।’’

ଗୋପାଳ ଏହା କହି ଧୀରେ ଧୀରେ ଉଠି କନକଙ୍କ ଘରୁ ବାହାରିଗଲେ ।

Image

 

ଚାରି

 

ଯେତେବେଳେ ସେ ସେରେ ଚୁଡ଼ା ଆଉ ପଇସାଟିକର ଅଖା ଗୁଡ଼ ମଇଳା ଚିରା ଗାମୁଛାରେ ବାନ୍ଧି ଏ ଗାଁରୁ ସେ ଗାଁ ହଉଥିଲେ, ସେତେବେଳେ ତାଙ୍କ ନାଁ ଥିଲା, ବାସୁଆ ହରିଚନ୍ଦନ-। ଯେ ତାଙ୍କୁ ଦେଖି ତାଙ୍କ ଉପରେ ଦୟା କରି ମୁଠିଏ ଖାଇବାକୁ ଡାକୁଥିଲା, ସେ ତାଙ୍କୁ କହୁଥିଲା, ‘‘ବାସୁ’’, ଆଉ ତାଙ୍କର ସେକାଳ ରୂପ ଦେଖି ଆକୃତି ଅନୁସାରେ ପ୍ରକୃତି ହୋଇଥିବ ବୋଲି ଯେ ସନ୍ଦେହ କରୁଥିଲା ସେ ତାଙ୍କୁ କହୁଥିଲା ‘ବାସୁଆ’ ‘ଚୋର ବାସୁଆ’, ‘ହୁଡ଼ୁମ୍ବା ବାସୁଆ’ ଏହିପରି ଆଉ କେତେ ‘ବାସୁଆ’; କିନ୍ତୁ ପିଲାଦିନୁ ସେ ବୁଝିଥିଲେ, ‘‘ଆଲୋ ମଉସା ଜଡ଼ ପଇସା ।’’ ଏହି ପଇସା ରଖିବା ନିମନ୍ତେ ସେ ନିଜର ନିତ୍ୟ ଆବଶ୍ୟକ ଦ୍ରବ୍ୟ ବିଷୟରେ ତ୍ୟାଗ ସ୍ୱୀକାର କରୁଥିଲେ; ଏହି ପଇସା ସେ ପାଇଯିବା ଲୋଭରେ ନିଜର ଏକମାତ୍ର କନ୍ୟାଟିକୁ ହରିଆ ଗୋଲା ପୁଅ ସାଙ୍ଗେ ବାହା ଦେଇଥିଲେ ଏବଂ ବରଜୁ ଦାସ ଗୋବିନ୍ଦ ପଟ୍ଟନାୟକଙ୍କ ନାଁରେ କରିଥିବା ମିଛ ମକଦ୍ଦମାରେ ସାକ୍ଷୀ ହୋଇଯାଇଥିଲେ । କିନ୍ତୁ ଏସବୁ ଅନେକ ପୂର୍ବର କଥା ।

ସତ୍ୟଠାରୁ, ନ୍ୟାୟଠାରୁ, ପିଲା ମାଇପଙ୍କଠାରୁ, ଏପରିକି ଆପଣାଠାରୁ ବେଶି କରି ଯେ ଲକ୍ଷ୍ମୀଙ୍କି ଚିହ୍ନିଲା, ଲକ୍ଷ୍ମୀ ତାକୁ ଭାରି ପସନ୍ଦ କରନ୍ତି । ଦିନକୁ ଦିନ ବାସୁଆ ଘରେ ପୁରୁଣା ଧାନର ପରିମାଣ ବଢ଼ିଲା । ପୁରୁଣା ଧାନ ଟଙ୍କା ରୂପ ଧାରଣ କରିବା ସାଙ୍ଗେ ସାଙ୍ଗେ ବାସୁଆ ହେଲା ବାସୁଦେବ, ‘ତୁ’ ପରିବର୍ତ୍ତରେ ହେଲା ‘ତୁମେ’ ‘ଆପଣ’ । ଆଉ ବର୍ଷେଖଣ୍ଡେ ଗଲା । ଆହୁରି ଧନ ବଢ଼ିଲା ଏବଂ ତା’ ସାଥିରେ ନାଁଟା ବଢ଼ି ହେଲା, ବୀରବର ବାସୁଦେବ ଶ୍ରୀଚନ୍ଦନ ମର୍ଦ୍ଦରାଜ ମହାପାତ୍ର-। ଏ ନାଁଟା ଯେ ଏକବାରେ କଳ୍ପିତ, ନୂତନ ତାହା ନୁହେଁ । ଭୋଇ ବଂଶର ରାଜାମାନେ ଖୋର୍ଦ୍ଧାରେ ରାଜତ୍ୱ କଲାବେଳେ ବାସୁଦେବଙ୍କ ପୂର୍ବପୁରୁଷ ଏ ଉପାଧିରେ ଭୂଷିତ ହେଉଥିଲେ । ପ୍ରତିପତ୍ତି ନାଶ ଏବଂ ଦାରିଦ୍ର୍ୟ ଯୋଗୁଁ ଉପାଧିଗୁଡ଼ିକ ସ୍ମୃତିରେ ମାତ୍ର ଥିଲା ।

ବେଳ ପ୍ରାୟ ଘଡ଼ିଏ ହେବ । ଗାଁ ଦାଣ୍ଡର ଘାସ ଉପରୁ କାକର ଶୁଖିନାହିଁ । ଶୀତ କାଳ । ଲୋକେ ଶୀତ ଯୋଗୁଁ ଦାଣ୍ଡକୁ ବାହାରିନାହାନ୍ତି । ଶ୍ରୀ ବୀରବର ବାସୁଦେବ ଶ୍ରୀଚନ୍ଦନ ମର୍ଦ୍ଦରାଜ ମହାପାତ୍ରଙ୍କ କଚେରି ଘର ଦୁଆର ମୁହଁରେ ଯୋଡ଼ିଏ ପଠାଣ ପିଆଦା ବସିଛନ୍ତି । ଗୋଟିଏ ଗୋଟିଏ ହୋଇ, ଯୋଡ଼ିଏ ପୁଞ୍ଜିଏ ଲୋକ ଆସି ତାଙ୍କ ପାଖେ ଶୀତରେ ଥରି ଥରି ବସିଲେ ।

ପ୍ରାୟ ପହରେ ପାଞ୍ଚଘଡ଼ି ବେଳକୁ ବାସୁଦେବ ଘର ଭିତରୁ ବାହାରିଲେ–ପିନ୍ଧା ଖଣ୍ଡେ ଗାଆଁବୁଣା ଖଦି । ଦାନ୍ତଗୁଡ଼ିକ ପାନ ଖାଇ ଖାଇ ଯେତେ ମଇଳା ଦିଶିବାର କଥା ତହିଁରୁ ବେଶି ମଇଳା ଦିଶୁଛି, ଦାନ୍ତ ଘଷା ନ ହୋଇଥିବା ହେତୁ । ଅଣ୍ଟାରେ ଦାନ୍ତକାଠି ଖଣ୍ଡ ଖୋସା ହୋଇଛି । ଲେଡ଼ିରେ ଲେଡ଼ିଏ ଚୂନପତ୍ର ଚକଟା ଚାଲିଛି । ବାସୁଦେବ ଚୂନପତ୍ର ଚକଟି ଚକଟି ଆସି ଗୋଟାଏ ଆଲମାରୀକୁ ଆଉଜି ଖଣ୍ଡିଏ ମଶିଣା ଓପରେ ବସିପଡ଼ିବା ମାତ୍ରେ ଗୁମାସ୍ତା ଯୋଡ଼ାଏ ପୁଞ୍ଜାଏ, ବସ୍ତାନିମାନ ଥୋଇଦେଇ, ବେଢ଼ିଗଲେ ।

କଚେରୀ ଆରମ୍ଭ ହେଲା । ନିଧି ଗୁମାସ୍ତା କହିଲେ, ‘‘ମହାଜନେ ଏ ଜଗୁଆ ମା କଥାଟା ଟିକିଏ ବୁଝିଦେଲ । ମିଛରେ ସେ ବୁଢ଼ୀ ମାଇପିଟା କାହିଁକି ଫି ଦିନ ଦୁଆରେ ଆସି ଅଧିଆ ପଡ଼ୁଛି-?’’

ବାସୁଦେବ ଟିକିଏ ପଠାଣ ପିଆଦା ଆଡ଼କୁ ଚାହିଁଲେ । ପଠାଣ ପିଆଦା ଡାକିଦେଲା, ‘‘ଏ ବୁଢ଼ୀ, ଶାଳୀ ଆସି ମହାଜନ ପାଖରେ କ’ଣ କହିବୁ କହୁନୋହୁଁ ? ଖାଲି ସିମିତି ବସିଛୁ କାହିଁକି ବେ ?’

ଜଗୁଆ ବାପ ମରିବାର ଚାରି ପାଞ୍ଚବର୍ଷ ଆଗରୁ ବାସୁଦେବଙ୍କଠାରୁ ଟଙ୍କା କୋଡ଼ିଏଟି କରଜ କରିଥିଲା । ବର୍ଷକ ବାଦେ ମୂଳଟଙ୍କାତକ ଆଉ ସୁଧ ବାବଦକୁ ଟଙ୍କା ପାଞ୍ଚୋଟି ଧରି ସେ ଆସିଲା ଟଙ୍କା ଶୁଝିବାକୁ, ମହାଜନେ ଟଙ୍କା ଶୁଝିବା କଥା ଶୁଣି ନିଆ ହୋଇଗଲେ । ‘‘କିରେ, ଇମିତି ତୋର କେତେ ଟଙ୍କା ହୋଇଗଲା ଯେ ଆସିଛୁ ଶୁଝିବୁ ?’’ ଜଗୁଆ ବାପ ଫେରିଗଲା । ତା ପରବର୍ଷ ଠିକ୍‌ ସେଇ କଥା । ତୃତୀୟ ବର୍ଷ ବିଚରା ପୁଣି ଆସିଲା । ମହାଜନେ କଅଁଳେଇ ସଅଁଳେଇ କହିଲେ, ‘‘ଆରେ, ତୁ ଟଙ୍କା ଧରି ମୋ ପାଖକୁ ଶୁଝିବାକୁ ଆସିବାରୁ ମୋତେ କାନ୍ଦ ମାଡ଼ୁଛି । ତୋ’ ଭାଇ ମରି ପଡ଼ିଥିଲା । ତତେ ଟଙ୍କା କୋଡ଼ିଏଟି ଦେଲି । କାହିଁକି ? ତୋ ଅଭାବ ଦେଖି ସମ୍ଭାଳିପାରିଲି ନାହିଁ ବୋଲି । ତୋ ଅଭାବ ତ ଇଲେ ଘୁଞ୍ଚି ନାହିଁ । ପିଲାଯୋଡ଼ିଏ ଅଛନ୍ତି, ବାହା ହେବେ । ବାହା ତୋଳା କର । ଈଶ୍ୱର ତତେ ଟିକିଏ ଚାହାଁନ୍ତୁ । ଆସିବୁ ଟଙ୍କା ହିସାବ କରି ଦେଇଯିବୁ, ଯା ଇଲେ ।’’

ଜଗୁଆ ବାପ ବିଚରା ମହାଜନଙ୍କ କଥା ଶୁଣି କୃତଜ୍ଞତାରେ କାନ୍ଦି ପକେଇ କହିଲା, ‘‘ଆଜ୍ଞା, ଏ ଗାଁରେ ମୋତେ ଆଉ କେହି ଦେଖିପାରନ୍ତି ନାହିଁ । ସୁଧଗୁଡ଼ାକ ବଢ଼ିଯିବ ବୋଲି ସିନା ଆସୁଥିଲି ।’’

ମହାଜନେ ମୁଡ଼ୁକି ହସା ଦେଇ କହିଲେ, ‘‘ସୁଧଗୁଡ଼ାକ କ’ଣ ବଢ଼ିଯିବ ମ ? ସୁଧ କ’ଣ ଗଛ ନା ଜନ୍ତୁ ଯେ ବଢ଼ିଯିବ ? ହଉ, ଯା, ଯା, !’’

ମହାଜନଙ୍କ କଥା ଜଗୁଆ ବାପ ଯାଇ ଯେଉଁଠି କହିଲା, ସିଠେଇଁ ହେଲା ହସ ବୃଷ୍ଟି । ସମସ୍ତେ ତାକୁ ଥଟା କଲେ, ‘‘ଆରେ, ସୁଧ ଗଛ ନୁହେଁ କି ଜନ୍ତୁ ନୁହେଁ । ସୁଧ ହେଉଛି କୁମ୍ଭକର୍ଣ୍ଣ । ହିସାବ ବେଳେ ଯାହା ହାବୁଡ଼େ ପଡ଼ିବ ସବୁ ପେଟ ଭିତରକୁ ଚାଲିଯିବ ।’’

ଜଗୁଆ ବାପ କରେ କ’ଣ ? ପୁଣି ଧାଇଁଲା ମହାଜନ ଦୁଆରକୁ । ମହାଜନ ନାନାପ୍ରକାର କହିଲେ, ମାତ୍ର ସେ ଆଉ ଭୁଲିଲା ନାହିଁ । ମହାଜନେ ବି ହିସାବ କଥାର ଧରା ଛୁଆଁ ଦେଲେ ନାହିଁ । ଜଗୁଆ ବାପ ଗୋଡ଼ରୁ ପାଣି ମଲା । ବିଚରା ଖଟି ଖାଏ । ମହାଜନ ଦୁଆରକୁ ଧାଇଁବା ଫଳରେ ତା’ ଘରେ ଅଧେ ଦିନ ଚୁଲି ଲାଗିଲା ନାହିଁ । ସ୍ତ୍ରୀର ଶୁଖିଲା ମୁହଁ, ପିଲାଙ୍କ ଅଳି ଝଳି ଶୁଣି ତା ଦିହ ଭାଜିଗଲା ବେଳକୁ ହେଲା ହିସାବ । ଜଗୁଆ ବାପ ଉପରେ ମହାଜନେ ଦୁଇଶହ ପଚାଶ ଟଙ୍କା ଡେରିଦେଲେ । ଜଗୁଆ ବାପାର ଭାଜିଲା ଦିହ ଏ କଥାରେ ଭାଙ୍ଗିପଡ଼ିଲା । ‘ଦୁଇଶହ ଟଙ୍କା କିଏ ମୁଁ କିଏ’ ଏହି କଥା କହି କହି ବିଚରା ମାଇପକୁ କନ୍ଦେଇ, ପିଲାଙ୍କୁ ଭସେଇଦେଇ ଚାଲିଗଲା ।

ଜଗୁଆ ବାପାର ଦୁଃଖର ଉତ୍ତରାଧିକାରୀ ହେଲା ଜଗୁଆ ମା; ଜଗୁଆ ମା ଧାଇଁଲା । ମହାଜନେ ମକଦମା କରିବେ କୋଲି ଡରେଇଲେ । ଜଗୁଆ ମା ମକଦମା ଫକଦମା ଜାଣେ କ’ଣ-? ବିଚାରୀ ଡରରେ ମହାଜନଙ୍କ ଗୋଡ଼ତଳେ ପଡ଼ି କହିଲା, ‘‘ତମେ ମୋ ପିଲାଟିମାନଙ୍କର ଧର୍ମବୋପା । ଜମି ବାଡ଼ି କ’ଣ ଦି’ଖଣ୍ଡ ଅଛି ନିଅ, ପିଲାମାନଙ୍କୁ ଏ ଦୁଃଖରୁ ମୁକୁଳେଇ ଦିଅ ।’’

ଜଗୁଆ ଆଉ ତା ସାନ ଭାଇଟି ନାଁରେ ଅସଲ ୩ ମାଣ ଶାରଦ ଜମି । ଯିମିତି ସିମିତି ହେଲେ ଟଙ୍କା ପାଞ୍ଚ ଶହରୁ କମ୍‌ ହେବ ନାହିଁ । ମହାଜନେ ଆଗ ଭାରି ନାହିଁ ନାହିଁ ହେଲେ; ମାତ୍ର ଶେଷକୁ ପିଲାଟିମାନଙ୍କୁ ଦୟାକରି ସେତକ ନେଇ ଛାଡ଼ିଦେବେ ବୋଲି ଆଶା ଦେଲେ । ଜଗୁଆ ମା’ ସବୁ ଗୋଳମାଳରୁ ରକ୍ଷା ପାଇଲା । ଏଥର ପିଲାଟିମାନଙ୍କ କପାଳେ ଯାହା ଥିବ । ମହା ଆନନ୍ଦରେ ବୁଢ଼ୀ ଦଲିଲ ଖଣ୍ଡେ ରେଜେଷ୍ଟ୍ରି କରେଇନେଇ ମହାଜନଙ୍କ ଦୁଆରେ ଯାଇ ଦେଇଆସିଲା ।

ଏଥର ଆହୁରି ଏକ ଗୋଳମାଳ ଜୁଟିଲା । ସେ ସିନା କାଗଜ ଖଣ୍ଡ ଦେଲା । ମହାଜନ ଯେଉଁ ଦଲିଲ ନେଇ ଟଙ୍କା ଦେଇଥିଲେ, ସେ ଖଣ୍ଡ ତ ଫେରସ୍ତ ମିଳିବାର କଥା । ଫେରସ୍ତ ନ ନେଲେ ପିଲାଟିମାନଙ୍କ ଓପରକୁ କଣ୍ଟା ରହିବ ଯେ । ଜଗୁଆ ମା ସେଇଥି ପାଇଁ ଚାରି ମାସ ହେଲା ଧାଇଁଛି ।

ମହାଜନେ ସବୁଦିନ ତାକୁ ଦେଖନ୍ତି, ତା’ କଥା ଶୁଣନ୍ତି; ମାତ୍ର କିଛି ନ କହି ଚାଲିଯା’ନ୍ତି । ଏତେଦିନ ଯାଏଁ ସବୁଥର ଜଗୁଆ ମା’ ଆବୁଡ଼ା ପଡ଼ି ମହାଜନଙ୍କ ଆଗକୁ ଯାଉଥିଲା । ଆଜି ମହାଜନଙ୍କ ଆଡ଼ୁ ତାକୁ ଡାକପଡ଼ିବାର ଦେଖି ଖୁବ୍‌ ଆଶା ଧରି ସେ ଲମ୍ବା ପଣନ୍ତ ପକେଇ ବୈଠକ ଘର କବାଟକଣରେ ଯାଇ ଠିଆ ହେଲା ।

ନିଧି ଗୁମାସ୍ତା ପଚାରିଲେ, ‘‘କିଲୋ ବୁଢ଼ୀ, କ’ଣ କହିବୁ, କହୁନାହୁଁ ? ଠିଆ ହେଲୁ କାହିଁକି-?’’

ଜଗୁଆ ମା–‘‘ସାଆନ୍ତେ, ଆଉ କହିବି କ’ଣ ? ମୁଁ ତ ଯାହା ଥିଲା ସବୁ ଦେଲି, ମତେ କାଗଜ ଖଣ୍ଡି ପକେଇଦିଅ–ମୁଁ ଯାଏଁ । ମୋର କେତେ ଧନ୍ଦା, ତମର ଟିକିଏ ଦୟା ହେଉ ନାହିଁ–ଦିନେ ନୁହେଁ କାଳେ ନୁହେଁ, ଚାରି ଚାରି ମାସ ହେଲା ତମରି ଦୁଆରେ ଆସି ଅଧିଆ ପଡ଼ିଚି । ମୋ’ ଉପରେ ଟିକିଏ ଦୟା କର ଭଲା ।’’

ବାସୁଦେବ ଜଗୁଆ ମା ଆଡ଼କୁ କିଛି ନ ଜାଣିଲା ପରି ଚାହିଁ ପଚାରିଲେ, ‘‘ତୋର କି କାଗଜ ଲୋ ବୁଢ଼ୀ ?’’

ଜଗୁଆ ମା–‘‘ସେ ଯେଉଁ କାଗଜ ଖଣ୍ଡ ଦେଇ ତମଠାରୁ ଟଙ୍କା ନେଇଥିଲେ ସେଇ ଖଣ୍ଡକ, ସାଆନ୍ତ !’’

ନିଧି ଗୁମାସ୍ତା–‘‘ଆଲୋ ବୁଢ଼ୀ ! ତୁ ସେ କାଗଜ ଖଣ୍ଡି ମାଗୁଛୁ ସତ, ତେବେ, ମହାଜନଙ୍କର ପରା ମନ ବୋଧ ହେଲା ନାହିଁ । ମକଦମା କରିଥିଲେ ଆଉ ମିଳିଥାନ୍ତା । ଛାଡ଼ିଦେଲେ ତତେ, ଆଉ କିଛି ଦେ ସେ ଅଳିଆ ନିଷ୍ପତ୍ତି ହୋଇଯାଉ ।’’

ଜଗୁଆ ମା ଖୁବ୍‌ ସହିଥିଲା - ଭାରୀ ବିନୟରେ ଆଗ କଥା କହୁଥିଲା; ଆଜି ଆଉ ପୂର୍ବ ବିନୀତଭାବ ରଖିନପାରି କହିଲା, ‘‘ମନବୋଧ ହେଉନାହିଁ ? ମାଲୋ ମୋର ! ଆଉ କ’ଣ ଆମ ପ୍ରାଣଟିମାନ ନେଲେ ମନବୋଧ ହବ, କହିଲ ଭଲା । ମୋର ତିନିମାଣ ଜମି ନେଲ । ଗାଁରେ କହୁଛନ୍ତି ଆଉ କିଛି ହୋଇଥିଲେ କରଜ ଶୁଝିସାରି ଟଙ୍କା ବଳିଥାନ୍ତା–’’

ବୁଢ଼ୀ କଥାରେ ମହାଜନଙ୍କର ରାଗ ହେଲା ନାହିଁ କି ଦୟା ହେଲା ନାହିଁ । ସେ କାଠପ୍ରତିମା ପରି ଅବିଚଳିତଭାବରେ କହିଲେ, ‘‘ଆଲୋ ବୁଢ଼ୀ, ଇମିତି ହେଲେ କ’ଣ ହବ, କହିଲୁ-? ତୁ ଯଦି ଆଉ କେଉଁଠାରୁ ବେଶୀ ଟଙ୍କା ପାଇଥାନ୍ତୁ ତେବେ ସିଠେଇଁ ନ ଦେଇ ମତେ ଦେଲୁ କାହିଁକି ? ଓହୋ, ଏ ସଂସାରଟା ସତେ କ’ଣ ହେ ? ତୁମେ ଯେତେ ଉପକାର କର କେହି ମାନିବେ ନାହିଁ ।’’

ବୁଢ଼ୀ ମହାଜନଙ୍କ କଥାରେ ଦବିଗଲା । ମହାଜନଙ୍କ ସେ ଜମି ଉପରେ ନଜର ଅଛି ବୋଲି ଅନ୍ୟ କାହାରି ସେଠାରେ ବଳ ପାଇଲା ନାହିଁ । ଫଳରେ ମହାଜନଙ୍କ ହାତକୁ ସୁନା ଜମିତକ ଗଲା । ବୁଢ଼ୀ ବିନୀତଭାବରେ କହିଲା, ‘‘ସାଆନ୍ତେ, ସେ କଥାରେ ଆଉ କ’ଣ ଅଛି ? ମତେ କିମିତି ଉଦ୍ଧାର କରିଦିଅ ।’’

ନିଧି ଗୁମାସ୍ତା ଜଗୁଆ ମା ଘରୁ ଗୋଟିଏ କାଳିଆ ଦାମୁଡ଼ି ବାହାରିବାର ଦେଖି ଭାରି ଲୋଭେଇଥିଲେ । ଅନେକ ଦିନୁ ମହାଜନେ ଦଶପାଞ୍ଚଟଙ୍କା ନେଇ କାଗଜ ଖଣ୍ଡ ଫୋପାଡ଼ିଦିଅନ୍ତେଣି-। ନିଧିଗୁମାସ୍ତାଙ୍କ କାଳିଆ ଦାମୁଡ଼ି ଲୋଭରୁ ଏତେ ଦିନ ଯାଇଥିଲା । ବର୍ତ୍ତମାନ ବୁଢ଼ୀର କାକୁତି ବିନତି ଦେଖି ନିଧିଗୁମାସ୍ତାଙ୍କ ହୃଦୟ ତରଳିଗଲା । ତାଙ୍କ ଆଖିକି ଲୁହ ଆସିଲାଭାରି-। ଦୁଃଖ ଓ କରୁଣାର ଆବେଗରେ ତୋଟିଟାକୁ ଗାଉନ୍ଦା କରି ନିଧିଗୁମାସ୍ତା କହିଲେ, ‘‘ଆଲୋ ଜଗୁଆ ମା, ଦେ ଦେ, ଏ କଥାଟା ତୁଟେଇ ଦେ । ମହାଜନ ତାଙ୍କ ଉଚିତ ପାଉଣାଟା ପାଇଯାଇଥିଲେ ଏତେଦିନକୁ ସବୁ କଥା ଶୋଧ କରିଦେଇଥାଆନ୍ତେଣି । ତୋ କଥା ମୁଁ ତାଙ୍କୁ ସବୁଦିନେ କହେ; ସେ କିଛି ଟାଣ ଧରିବସିବେ ନାହିଁ ଯେ । ଆଛା, ତୋର ଯୁ’ କାଳିଆ ଦାମୁଡ଼ିଟା ଅଛି ସେଇଟା ମହାଜନଙ୍କୁ ଦେ କି’ ମୁଁ ଆଜି ତୋ କାଗଜ ଖଣ୍ଡ ବାହାରକରି ଦେବି ।’’

କାଳିଆଦାମୁଡ଼ିଟି କଥା ଶୁଣି ଜଗୁଆ ମା ମୁଣ୍ଡରେ ହାତ ମାରି ଧପ୍‌କିନି ବସି ପଡ଼ିଲା । ତା ଆଖି ଛଳ ଛଳ ହୋଇଗଲା । ବୁଢ଼ୀର ସାନପୁଅ ନିଧିଆ ମା ସଙ୍ଗରେ ଆସିଥିଲା । ସେ ପ୍ରାୟ ସବୁଦିନ ମା ସାଙ୍ଗରେ ଆସେ । କିନ୍ତୁ କଚେରୀଘରେ ନ ରହି, ବାହାର ପିଣ୍ଡାରେ ବୁଲି ଖେଳୁଥାଏ । ଆଜି ସେ ଦାଣ୍ଡରୁ ବୁଲି ଘର ଭିତରକୁ ଆସିଲା ବେଳକୁ ନିଧିଗୁମାସ୍ତା କାଳିଆ ଦାମୁଡ଼ି କଥା କହୁଛନ୍ତି-। ତାପରେ ମା ଧପ୍‌କିନି ମୁଣ୍ଡରେ ହାତ ଦେଇ ବସିପଡ଼ିବାର ଦେଖି ନିଧିଆ ବୁଝିନେଲା, କାଳିଆ ଦାମୁଡ଼ି ଓପରେ ଗୋଟାଏ କିଛି ନିଷ୍ପତ୍ତି ପଡ଼ିଛି । ସେ ମା ବେକ ଧରିପକେଇ ନିଧିଗୁମାସ୍ତାଙ୍କୁ ଦେଖେଇ ପଚାରିଲା, ‘‘ବୋଉ, ସେ କ’ଣ କହୁଛି କିଲୋ ?’’

ଜଗୁଆ ମା– ଆରେ ପୁଅ, ସେ କହୁଛନ୍ତି ଆମ ଚାନ୍ଦିଆକୁ ନେବେ, ନିଅନ୍ତୁ । ଚାନ୍ଦିଆ ବଡ଼ ହେଇଗଲାଣି । ଆମେ ଆଉ ଗୋଟିଏ ଛୋଟିଆ ବାଛୁରୀ କିଣିବା ।

ନିଧିଆ ଅଣ୍ଟାକୁ ଭିଡ଼ିଦେଇ ତା ଛୋଟ ହାତ ଦୁଇଟିରେ ମାଡ଼ ଉଞ୍ଚେଇ କହିଲା, ‘‘ନା, ଆମେ ଚାନ୍ଦିଆକୁ ଦବୁ ନାହିଁ ।’’ ଏତକ କହିଦେଇ ସାରି ତା ଧୈର୍ଯ୍ୟଚ୍ୟୁତି ହୋଇଗଲା–ବୋଧହୁଏ ମହାଜନ ଆଉ ନିଧି ଗୁମାସ୍ତାଙ୍କ ବିକୃତ ଅଟ୍ଟହାସ୍ୟ ଦେଖି । ସେ ମା’କୁ କୁଣ୍ଡେଇ ପକେଇ କାନ୍ଦି କାନ୍ଦି ଅଡ଼ି ବସିଲା, ‘‘ବୋଉ, ତାକୁ ନାହିଁ କର ଆମେ ଚାନ୍ଦିଆକୁ ଦେବା ନାହିଁ ।’’

ଜଗୁଆ ମା, ‘‘ନାହିଁ ମ ଦବା ନାହିଁ’’ ବୋଲି କହି ନିଧିଆକୁ ବୋଧ କରୁଛି ନିଧିଗୁମାସ୍ତା କହିଲେ, ‘‘ଏ ବୁଢ଼ୀ, ଏଇଟା କ’ଣ ତୋ ଘର କିଲୋ, ପିଲା ଗେଲ କରୁଛୁ ? ଦାମୁଡ଼ିଟା ଯେବେ ଦବୁ କହ, ମୁଁ କାଗଜ ସାଙ୍ଗରେ ନେଇ ଯିବି । ଖୁଣ୍ଟରୁ ଦାମୁଡ଼ି ଫିଟେଇଦେଲେ କାଗଜ ପାଇବୁ ।’’

ଜଗୁଆ ମା କାନ୍ଦ କାନ୍ଦ ହୋଇ କହୁଥାଏ, ‘‘ସାଆନ୍ତ, ଟିକିଏ ରହମ, ପିଲାଟା ବୋଧ ହେଇଯାଉ କି, ବୁଝେଇ କରି ଦାମୁଡ଼ିଟା ଦେବି ପଛେ ।’’

ପିଲା କାନ୍ଦୁଥାଏ, ମହାଜନ ପିଲାର ଅନର୍ଥକ କାନ୍ଦରେ ଅଶବ୍ଦ ବିରକ୍ତ ପ୍ରକାଶ କରୁଥାନ୍ତି, ଗୁମାସ୍ତାମାନେ କଚେରୀଘରେ ପିଲା କାନ୍ଦିବାର ଏ ଅପର୍ବ ଦୃଶ୍ୟଟା ଦେଖି ମଜା ଅନୁଭବ କରୁଥାନ୍ତି, ଏପରି ସମୟରେ ଜଣେ ସହରିଆ ବାବୁ ଯୋତାଗୋଡ଼ରେ ପଶି କଚେରୀ ଘରର ପବିତ୍ରତା ନଷ୍ଟ କରିଦେଲେ ।

ଆଗନ୍ତୁକ ପଚାରିଲେ, ‘‘ବାସୁଦେବ ହରିଚନ୍ଦନ କିଏ ? ଆପଣ ?’’

ବାସୁଦେବ ‘‘ଏ ଏଁ, ଆଜ୍ଞା, ହଁ, ମୋ ନାମ ବାସୁ’’ ବୋଲି କହି ଧଡ଼ପଡ଼ ହୋଇ ଉଠିପଡ଼ି ଅଣ୍ଟାରୁ ଦାନ୍ତକାଠି ଖଣ୍ଡ ଅଜାଣତରେ ଫୋପାଡ଼ିଦେଲେ ।

ଆଗନ୍ତୁକ ବସିବା ପାଇଁ ଘର ଭିତରେ ସବୁଆଡ଼େ ଆଖି ବୁଲୋଉ ବୁଲୋଉ କହିଲେ, ‘‘ମୁଁ ଆପଣଙ୍କ ପାଖକୁ ଗୋଟାଏ ଜିନିଷ ମାଗିବାକୁ ଆସିଛି ।’’

ଏ କଥାର କି ଚମତ୍କାର ଶକ୍ତି ! ବାସୁଦେବ ପୁଣି ପୂର୍ବ ଭାବଭଙ୍ଗୀ ଫେରାଇ ଆଣି, ବସିପଡ଼ି, ଆଗନ୍ତୁକଙ୍କ ପ୍ରଶ୍ନର କିଛି ଉତ୍ତର ଦେଲେ ନାହିଁ ।

ଆଗନ୍ତୁକ ବସିବାକୁ କୌଣସି ଜାଗା ନ ପାଇ, କିମ୍ବା ବସିବାକୁ ଗୃହସ୍ୱାମୀଙ୍କ ପାଖକୁ ନିମନ୍ତ୍ରଣ ନ ପାଇ ଠିଆରେ କହିଲେ–

‘‘ମୁଁ ଶୁଣୁଛି, ଖୋର୍ଦ୍ଧାଠାରୁ ପ୍ରାୟ ସାତ ଆଠ ମାଇଲ ଦୂରରେ ଆପଣଙ୍କର ଗଞ୍ଜାମ ସଡ଼କ ପାଖ ଜଙ୍ଗଲ ଭିତର ଖଣ୍ଡେ ଜାଗା ଅଛି । ସେଖଣ୍ଡ ମୋର ବିଶେଷ ଦରକାର । ଆପଣ ମୋତେ ସେଖଣ୍ଡ ପଚୀଶବର୍ଷ ପାଇଁ ପଟା ଦେଲେ ବଡ଼ ଉପକୃତ ହୁଅନ୍ତି ।’’

ଗୁମାସ୍ତାଙ୍କ ସଙ୍ଗେ ଅନେକ କଥାବାର୍ତ୍ତା ପରେ ଜାଗାଟା ସ୍ଥିର ହେଲା । ସେ ଖଣ୍ଡ ଗୋଟିଏ ଶଅରର ବଂଶ ମାରି ମହାଜନେ ପାଇଥିଲେ । ଦଶବର୍ଷ ହେଲା ସେଖଣ୍ଡ ହାତକୁ ଆସିଥିଲେ ସୁଦ୍ଧା, ପାହାଡ଼ିଆ ଜାଗା ହୋଇଥିବା ହେତୁ ଏବଂ ନିକଟରେ ବାଘ ଥିବାରୁ, ମହାଜନେ ସେଥିରୁ କୌଣସିମତେ ଖଜଣଟା ଆଦାୟ କରିବାର ଉପାୟ ପାଉନଥିଲେ । ବର୍ତ୍ତମାନ ଆଗନ୍ତୁକଙ୍କ ମୁହଁରୁ ବିଶେଷ ଦରକାର ଶବ୍ଦଟା ଶୁଣି ସେ ଲାଭର ଗୋଟାଏ ଜ୍ୱଳନ୍ତ ଚିତ୍ର ଆଖି ଆଗରେ ସାଙ୍ଗେ ସାଙ୍ଗେ ଆଙ୍କିଦେଇ କହିଲେ–

‘‘ଏଁ ଆପଣ ସେଖଣ୍ଡ ନେବେ ବୋଲି କହୁଚନ୍ତି ସତ, ତେବେ ଆଉ ଜଣେ ତ ସେ ବିଷୟରେ କଥାବାର୍ତ୍ତା କରିସାରିଲେଣି, କ’ଣ କରିବା ?’’

ଆଗନ୍ତୁକ–ତେବେ ଆଉ କ’ଣ ହବ ? ମୁଁ ଶୁଣିଥିଲି ସେଖଣ୍ଡ ଖୁବ୍‌ ନିଛାଟିଆ ଜାଗା, ଆଜି ପର୍ଯ୍ୟନ୍ତ କୌଣସି ଲୋକ ତାକୁ ପଟା ନେଇନାହାନ୍ତି ।

ମହାଜନ–ଯେ ନେବେ ବୋଲି ଆସିଥିଲେ ତାଙ୍କ ସାଙ୍ଗେ ଅବଶ୍ୟ ଜବାବ୍‌ କିଛି ହୋଇନାହିଁ, ଆପଣଙ୍କର ଯଦି ବିଶେଷ ଦରକାର ଆପଣ କଥାବାର୍ତ୍ତା କରନ୍ତୁ ।

ଆଗନ୍ତୁକ–ଯଦି ଅନ୍ୟ କାହା ସଙ୍ଗେ ପକା ଜବାବ୍‌ ନ ହୋଇଛି, ସେ ଭାଗ୍ୟର ବିଷୟ । ଆଚ୍ଛା, ଆପଣ କେତେ ଖଜଣା ନେବେ ? ସେଗୁଡ଼ାକ ଜଙ୍ଗଲ ତ !

ମହାଜନ–ଜଙ୍ଗଲ ଜାଗା ହେଲେ କ’ଣ ହେଲା । ସିମିତି ଖଣ୍ଡେ ଜାଗା ଏଠାରୁ ଦଶ କୋଶରେ ମିଳିବ ନାହିଁ । ଏକରକୁ ତିନି ଟଙ୍କା ଲେଖାଏଁ ନ ହେଲେ ଚଳିବ ନାହିଁ–ସେ ଦଶ ଏକର ଅଛି ।

ଆଗନ୍ତୁକ କିଛି ନ କହି ପାକଟିରୁ ଟଙ୍କା ମୁଣିଟି ବାହାର କରି, ୬୦ ଟଙ୍କାର ନୋଟ୍‌ ପକେଇଦେଇ କହିଲେ, ‘‘ଏ ହେଲା ଦୁଇ ବର୍ଷର ଖଜଣା । କାଲି ରେଜିଷ୍ଟ୍ରି କରିଦେବାକୁ ହେବ ।’’

କଥା ତୁଟିଗଲା । ଆଗନ୍ତୁକ ସନ୍ତୋଷରେ ଫେରିଯାଉଥିଲେ–ଆଖି ପଡ଼ିଗଲା ଜଗୁଆ ମା ଆଉ ତା’ ପୁଅ ନିଧିଆ ଓପରେ । ସେମାନଙ୍କ ଶୁଖିଲା ମୁହଁଟିମାନ ଦେଖି ସେ ଅଟକିଗଲେ ଏବଂ ଫେରି ନିଧିଆକୁ ପଚାରିଲେ, ‘‘କିରେ, ତମର ଇଠେଇ କ’ଣ କାମ ?’’ ନିଧିଆ ସମସ୍ତ ସଂକୋଚ ପାସୋରି ଦେଇ ଉତ୍ତର ଦେଲା, ‘‘ୟେ ଆମ ଚାନ୍ଦିଆକୁ ନେଇଯିବେ । ତମେ ତାଙ୍କୁ ଟିକିଏ ମନା କରିବ ଟି !’’ ଆଗନ୍ତୁକ ଚାନ୍ଦିଆ କିଏ ବୁଝିବେ କୁଆଡ଼ୁ ? ସେ ପୁଣି କହିଲେ, ‘‘କିରେ, ଚାନ୍ଦିଆ କିଏ-?’’

ନିଧିଆ ଆଗନ୍ତୁକଙ୍କ ମୂର୍ଖତାରେ ଟିକିଏ ରାଗ କରି ଉତ୍ତର ଦେଲା, ‘‘ଚାନ୍ଦିଆ ପରା ଆମ ଦାମୁଡ଼ି । ସେ ଯେଉଁ କାଳିଆ ଦାମୁଡ଼ିଟା ମ, ଦେଖିନାହ ?’’

ଆଗନ୍ତୁକ ପୁଣି ମହାଜନଙ୍କ ପାଖକୁ ଗଲେ । ଆଗନ୍ତୁକ କାଳିଆ ଦାମୁଡ଼ି କଥାରେ ଗୋଡ଼ ଭର୍ତ୍ତି କରିବାର ଦେଖି ନିଧି ଗୁମାସ୍ତା ମନେ ମନେ ଭାରି ବିରକ୍ତ ହୋଇ ପଚାରିଲେ, ‘‘ଆପଣ ପୁଣି କାହିଁକି ଫେରିଲେ ?’’

ଆଗନ୍ତୁକ ନିଧି ଗୁମାସ୍ତାଙ୍କୁ କିଛି ଉତ୍ତର ନ ଦେଇ ମହାଜନଙ୍କୁ କହିଲେ, ‘‘ଆଜ୍ଞା, ଆପଣଙ୍କର ଏ ପିଲା ଏବଂ ତା’ର ମା ଠାରୁ ଯଦି କିଛି ପାଇବାର ଥାଏ, କହିଲେ ମୁଁ ଦେିଦେବି ।’’

ମହାଜନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ସେ ଆପଣଙ୍କର କିଏ ?’’

ଆଗନ୍ତୁକ–କେହି ନୁହେଁ । ତେବେ ମୁଁ ଯଦି ପାରେ, ସେମାନଙ୍କର ଦୁଃଖ ଦୂର କରିଦିଅନ୍ତି-

ଏ କ’ଣ ? ଅପରିଚିତ ଲୋକ–ଦେଖା ନାହିଁ, ଶୁଣା ନାହିଁ–ଖିଆଲରେ ଟଙ୍କା ଦେଇ ଅନ୍ୟର ଦୁଃଖ ମୋଚନ କରିବା, ବାସୁଦେବଙ୍କ ଭାରି ଅଦ୍ଭୁତ ଜଣାଗଲା । ଆଗନ୍ତୁକ ବିନା ବାକ୍ୟବ୍ୟୟରେ ଖଣ୍ଡେ ଜଙ୍ଗଲ ପାଇଁ ଆଗତୁରା ଦୁଇ ବର୍ଷର ଭଡ଼ା ଫୋପାଡ଼ିଦେଇଥିବାର ସେ ଦେଖି ଲୋକଟା ଖାମଖିଆଲୀ, ଉଡ଼ା ପ୍ରକୃତିର ଲୋକ ବୋଲି ବୁଝିଥିଲେ । ସେ ଦେଖିଲେ, ୟାଙ୍କ ସଙ୍ଗେ କଥାବାର୍ତ୍ତା କଲେ ଲାଭ ଅଛି । ନିଧି ଗୁମାସ୍ତାଙ୍କୁ ଆଶା ଦେଇଥିବା କାଳିଆ ଦାମୁଡ଼ି ବିଷୟ ଭୁଲି ସେ ଟିକିଏ ହସି କହିଲେ ସେ ତ ଆପଣଙ୍କର କେହି ନୁହେଁ ଆପଣ ତା ପାଇଁ କ’ଣ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚ କରିପାରିବେ ?’’

ଆଗନ୍ତୁକ–ଦେଖାଯାଉ, ଆପଣ ହିସାବ କରନ୍ତୁ ।

ମହାଜନ–ହିସାବ ସରିଚି, ତାକୁ ଦୟାକରି ମୁଁ ଅନେକ ଟଙ୍କା ଛାଡ଼ିଦେଇଛି, ଆଉ ଟଙ୍କା କୋଡ଼ିଏ ଦେଲେ ତା ଦସ୍ତାବିଜ ସେ ଓ୍ୟାପସ ପାଇବ ।

ଆଗନ୍ତୁକ କିଛି ନ କହି ପୁଣି ଟଙ୍କାମୁଣି ଫିଟେଇ ଦଶଟଙ୍କିଆ ନୋଟ ଦି’ଖଣ୍ଡ ଫୋପାଡ଼ିଦେଲେ । ମହାଜନେ ନୋଟ ପ୍ରାପ୍ତିରେ ଟିକିଏ ଆତ୍ମପ୍ରସାଦ ଅନୁଭବ କରି ନିଧି ଗୁମାସ୍ତାଙ୍କୁ ହୁକୁମ ଦେଲେ, ଦସ୍ତାବିଜ ଖଣ୍ଡ ବାହାର କରିଦେବାକୁ । ନିଧି ଗୁମାସ୍ତା ବେଳ ବେଶି ହୋଇଯାଇଥିବାରୁ ଅନ୍ୟଦିନ ଦେବାକୁ କହି, ଦସ୍ତାବିଜ କାଗଜପତ୍ର ଭିତରେ ରହିଯାଇଥିବାରୁ ପାଇବାରେ ତାଙ୍କର ଅସାମର୍ଥ୍ୟ ଜ୍ଞାପନ କରି, କୌଣସିମତେ ସେଖଣ୍ଡ ମାଡ଼ି ବସିବାର ଉପାୟ କଲେ । ମାତ୍ର ଆଗନ୍ତୁକ ଜିଦ୍‌ ଧଇଲେ, ମହାଜନ ଯେତେବେଳର କାମ ସେତେବେଳେ କରିଦେବାର ଉପକାରିତା ବିଷୟରେ ଗୋଟିଏ ନାତିଦୀର୍ଘ ବକ୍ତୃତା ଦେବା ପରେ, ବହୁ କଷ୍ଟରେ ଯତ୍ନରେ ଥୁଆ ହୋଇଥିବା ଖଣ୍ଡିଏ ବସ୍ତାନି ଭିତରୁ କାଗଜ ଖଣ୍ଡି ବାହାରି, ମଝିରୁ ଚିରାହୋଇ ଆଗନ୍ତୁକ ଭଦ୍ରଲୋକଙ୍କ ହାତରେ ପଡ଼ିଲା । ଆଗନ୍ତୁକ କାଗଜଖଣ୍ଡି, କୃତଜ୍ଞତାର ଆଧିକ୍ୟରେ କାନ୍ଦ କାନ୍ଦ ହୋଇଯାଇଥିବା ଜଗୁଆ ମାର ହାତରେ ଦେଇ ମହାଜନଙ୍କ ଘରୁ ବାହାରିଲେ ।

Image

 

ପାଞ୍ଚ

 

ଆଗନ୍ତୁକ ଭଦ୍ରଲୋକଟି ଅନ୍ୟ କେହି ନୁହନ୍ତି, ଆମ୍ଭମାନଙ୍କ ପୂର୍ବ ପରିଚିତ ଗୋପାଳ । କନକଙ୍କ ଘରୁ ବାହାରକୁ ଫେରି ଆସି ଘୋର ଶୂନ୍ୟତାରେ ତାଙ୍କ ହୃଦୟ ପୂରିଗଲା । ଫାଟକ ବାହାରେ ଠିଆହୋଇ ସେ ତାଙ୍କ ପ୍ରିୟତମାର ବାସସ୍ଥାନକୁ ଟିକିଏ ଫେରି ଚାହିଁଲେ । ଘଣ୍ଟେ ଖଣ୍ଡେ ପୂର୍ବରୁ ଏ ସ୍ଥାନଟା ତାଙ୍କର ଥିଲା ସ୍ୱର୍ଗ । ଆଜି ଅବଶ୍ୟ ସେ ତାଙ୍କର ସେହି ସ୍ୱର୍ଗ । ତେବେ ଏ ସ୍ୱର୍ଗରେ ବିଚରଣ କରିବାର ଅଧିକାର ଆଉ ତାଙ୍କର ନାହିଁ । ସେ ବିତାଡ଼ିତ, ଶାପଗ୍ରସ୍ତ ।

କନକ କେଡ଼େ ନିର୍ଦ୍ଦୟ । କନକର ଚିନ୍ତାରେ ସେ ଦିନରାତି ଭୁଲିଥିଲେ, ସୁଖ ଦୁଃଖ ପାସୋରିଥିଲେ । କନକ ଚିନ୍ତାରେ ତାଙ୍କ କ୍ଷୁଧା ନିବାରିତ ହେଉଥିଲା । ତାଙ୍କ ନିମନ୍ତେ ସେ ତ୍ୟାଗ ନ କରିଥାନ୍ତେ କ’ଣ ? କନକ ତାଙ୍କ ଜାତିର ନୁହେ ; ତାଙ୍କ ସମାଜର ନୁହେ । କନକ ବ୍ରାହ୍ମଣ, ସେ ହିନ୍ଦୁ; କୁଳୀନ କରଣ । ମାତ୍ର ଏସବୁ ତାଙ୍କର ଅନ୍ତରାୟ ହୋଇ ନଥାନ୍ତା । କନକ ‘ହଁ’ କରିଥିଲେ ସେ ଏସବୁକୁ ଭ୍ରୂକ୍ଷେପ ନ କରି ତାର ପ୍ରେମକୁ ବୋଇତ କରି ସଂସାରସାଗରର ସମସ୍ତ ଝଡ଼ ତୋଫାନର ସମ୍ମୁଖୀନ ହୋଇଥାନ୍ତେ ।

ସେ ତାକୁ ଏତେ ଭଲ ପାନ୍ତି ! କିନ୍ତୁ ତା ମନରେ ଟିକିଏ ହେଲେ ଦୟା ହେଲା ନାହିଁ । ତାଙ୍କ ହୃଦୟର ବେଦନା ତା ହୃଦୟର କୌଣସି ତନ୍ତ୍ରୀକୁ ଆଘାତ କଲା ନାହିଁ ।

ଗୋପାଳଙ୍କ ମନ ଘୋର ବିତୃଷ୍ଣାରେ ପୂରିଗଲା । ସେ ଆଗରୁ କୌଣସି ଯୁବତୀକୁ ପ୍ରେମଚକ୍ଷୁରେ ଦେଖିନଥିଲେ । ତାଙ୍କ ପ୍ରେମର ସାମଗ୍ରୀ ଇତି ପୂର୍ବେ ଥିଲା, ପୁସ୍ତକ ଏବଂ ତହିଁରେ ଲିଖିତ ଭାବସମୂହ । ସେ ବିଚାରିଥିଲେ, ଏହି ପୁସ୍ତକମାନ ଏବଂ ସେମାନଙ୍କର ଭାବକୁ ନେଇ ସେ ଜୀବନ କଟାଇଦେବେ । କୌଣସି ଯୁବତୀ ତାଙ୍କ ହୃଦୟକୁ ଏଥିରୁ ଟାଣି ନେଇପାରିବ ବୋଲି ସେ ଏଥିପୂର୍ବେ ଭାବି ସୁଦ୍ଧା ପାରିନଥିଲେ । ଯାହାହେଉ କନକ ହୃଦୟ କିଣିନେଲା–କିନ୍ତୁ ଦେଲାନାହିଁ ତା’ ମୂଲ୍ୟଟା । ଗୋପାଳ ଗୋଟାଏ ଦୃଷ୍ଟାନ୍ତରୁ ତଥ୍ୟ କରି ଧଇଲେ ଯେ ସ୍ତ୍ରୀ ଜାତିଟା ଏହିପରି । ତମ ଭଣ୍ଡାର ଜୁର କରିବେ ମାତ୍ର ତାଙ୍କରି ଯୋଗୁଁ ଭିକାରୀ ହୋଇ ତୁମେ ଯେତେବେଳେ ତାଙ୍କ ଆଡ଼କୁ ଭିକ୍ଷା ପାତ୍ର ବଢ଼ାଇଦେବ, ସେତେବେଳେ ଭିକ୍ଷାର ଫଳରେ ମିଳିବ ନିଷ୍ଠୁର ଅବଜ୍ଞା, ନିର୍ମମ ଉପେକ୍ଷା-

ମନେପଡ଼ିଗଲା ମଦନବାବୁଙ୍କର ବିଦାୟ ବାଣୀ । ମାତ୍ର ମଦନବାବୁ ତାଙ୍କୁ ଯେଉଁ ସବୁ ବିଶେଷଣରେ ଭୂଷିତ କରି ବିଦାୟ ଦେଇଥିଲେ, ସେଥି ନିମନ୍ତେ ମଦନବାବୁଙ୍କ ଉପରେ ଲେଶମାତ୍ର ରାଗ ନ ହୋଇ ଅଭିମାନ ହେଲା କନକ ଓପରେ । କନକ ବୋଧହୁଏ ତାଙ୍କୁ ମଫସଲିଆ ବୋଲି ତ୍ୟାଗ କରିଛି । କନକ ବୋଧହୁଏ ତାଙ୍କ ସମ୍ପତ୍ତି ପାନବାଲାଙ୍କ ସମ୍ପତ୍ତିଠାରୁ କମ୍‌ ବୋଲି ତାଙ୍କ ପ୍ରତି ଅବଜ୍ଞା ଦେଖାଇଲା । ବୋଧହୁଏ ତାଙ୍କର ଏ ସଂସାରରେ ନିଜର କେହି ନାହାନ୍ତି ବୋଲି କନକ ମଧ୍ୟ ତାଙ୍କର ନିଜର ହେବାକୁ ମଙ୍ଗିଲା ନାହିଁ ।

ଉପେକ୍ଷାର ତାପ ଗୋପାଳ ସହିପାରିଲେ ନାହିଁ । ଅଭିମାନରେ ତାଙ୍କ ଆଖି ଛଳ ଛଳ ହୋଇଗଲା । ସେ ଛଳ ଛଳ ଆଖିରେ କନକଙ୍କ ଗୃହକୁ ଶେଷ ବାର ଥରେ ଦେଖିନେଇ ପ୍ରତିଜ୍ଞା କଲେ, ଆଉ କନକ ନିକଟରେ ରହିବେ ନାହିଁ । ଏପରି କି କୌଣସି ରମଣୀର ମୁଖାବଲୋକନ କରିବେ ନାହିଁ । ସେ ସଂସାରର କୋଳାହଳ ତ୍ୟାଗ କରି, ମନୁଷ୍ୟର ନିର୍ମମତାର ବହୁ ଦୂରରେ, ନିର୍ଜନ ଅରଣ୍ୟ ଭିତରେ, ପଶୁପକ୍ଷୀଙ୍କ ମଧ୍ୟରେ ପୁଣି ତାଙ୍କ ପୂର୍ବ ପରିତ୍ୟକ୍ତ ପୁସ୍ତକ ପ୍ରେମରେ ମଜ୍ଜିବାକୁ ଚେଷ୍ଟା କରିବେ । ରମଣୀର ନିଷ୍ଠୁରତା ଯେତେ କଷ୍ଟ ଦେବ ଦେଉ, ସମଗ୍ର ଜଗତର କନ୍ୟାପିତାମାନଙ୍କର ଅଭଦ୍ର ବାକ୍ୟ କଷାଘାତ ଉପେକ୍ଷିତ ଯୁବକ ହୃଦୟରେ ଯେତେ ଆଘାତ ଦେବ ଦେଉ–ସେ ସବୁ ଗୋପାଳଙ୍କର ଆଉ କିଞ୍ଚନ୍‌ମାତ୍ର କ୍ଷତି ବୃଦ୍ଧି କରିପାରିବ ନାହିଁ । ସେ ପୁଣି ଆଲିଙ୍ଗନ କରିନେବେ ତାଙ୍କ ପୁସ୍ତକଗୁଡ଼ିକୁ । ପୁସ୍ତକର ପ୍ରେମରେ ତ ଆଉ ବିରାମ ନାହିଁ–ଉପେକ୍ଷା ନାହିଁ–ଶ୍ରାନ୍ତି ନାହିଁ ।

ଗୋପାଳ ସେହିଦିନ କଟକ ଛାଡ଼ି, ଭବିଷ୍ୟତ୍‌ ଉପରେ ଜଉମୁଦ ବସେଇଦେଇ ଚାଲିଗଲେ ନିଜ ଗ୍ରାମକୁ । ଘର ବାଡ଼ି ଗୁଣ୍ଠକଠଉଁ ସବୁତକ ଜମି ବିକ୍ରୀ କରିଦେବାକୁ ଖୁବ୍‌ ଅଳ୍ପ ସମୟ ଲାଗିଲା । ପୈତୃକ ସମ୍ପତ୍ତିକୁ ନୋଟ ଆକାରରେ ପାକଟ ଭିତରେ ରଖି ସେ ରହିଲେ ଗୋଟିଏ ଉପଯୁକ୍ତ ସ୍ଥାନର ଅନୁସନ୍ଧାନରେ । ଶେଷକୁ ବାସୁଦେବଙ୍କ ଖୋର୍ଦ୍ଧା ଜଙ୍ଗଲରେ ଥିବା ଜାଗା ଖଣ୍ଡକର ଖବର ମିଳିଲା । ଏ ଖବର ସାଙ୍ଗେ ବି ଖବର ମିଳିଲା ଯେ, ବାସୁଦେବ ଯକ୍ଷ । ଗୋପାଳଙ୍କର ନିର୍ଜନ ଜାଗାଖଣ୍ଡି କିପରି ନିତାନ୍ତ ଆବଶ୍ୟକ ବୁଝିପାରିଲେ ସେ ଗୋପାଳଙ୍କୁ ନିଃସ୍ୱ କରିଦେବେ । କିନ୍ତୁ କାହିଁ-? ବାସୁଦେବ ତ ଖୁବ୍‌ ଅଳ୍ପରେ ତାଙ୍କୁ ତାଙ୍କ ଈପ୍‌ସିତ ଭୂସ୍ୱର୍ଗ ଖଣ୍ଡ ଛାଡ଼ିଦେଲେ ।

ଗୋପାଳ ବାସୁଦେବଙ୍କ କଚେରୀ ଘରୁ, ବଦାନ୍ୟତା ନିମନ୍ତେ ବାସୁଦେବଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ଫେରୁଛନ୍ତି, ନିଧିଆ ପଛଆଡ଼ୁ ଯା ତାଙ୍କ କାମିଜିକି ଧରିପକେଇ କହିଲା, ‘‘ଏ ବାବୁ, ତୁ ଆ, ଆମ ଚାନ୍ଦିଆକୁ ଦେଖିବୁ । ଆମ ଚାନ୍ଦିଆ ଭାରି ସୁଧାର ଦାମୁଡ଼ି । ଟିକିଏ ମୁଣ୍ଡ ହଲେଇ ଦେବ ନାହିଁ କାହିଁକି ହୁରୁଡ଼ିବ ନାହିଁ । ଆ, ଦେଖିବୁ ।’’

ଗୋପାଳ ବୁଝିଲେ, ବାଳକ ବାସୁଦେବଙ୍କ କବଳରୁ ତା’ ପ୍ରିୟ ଦାମୁଡ଼ିଟି ରକ୍ଷା ପାଇବା ହେତୁ କୃତଜ୍ଞତାରେ ନିମନ୍ତ୍ରଣ କରୁଛି । ସେ ଦ୍ୱିପ୍ରହରଟା କେଉଁଠାରେ କଟାଇବେ କିଛି ସ୍ଥିର କରିନଥିଲେ । ତେଣୁ ସରଳ ବାଳକଟିର ଆହ୍ୱାନ ଏଡ଼ି ନଦେଇ ସେ ତା ସଙ୍ଗେ ସଙ୍ଗେ ଚାଲିଲେ ।

ଜଗୁଆ ମା ତଥା ନିଧିଆ ମା ଗୋପାଳ ନିଧିଆ ସାଙ୍ଗରେ ବାହାରିବାର ଦେଖି ମହାଶଶବ୍ୟସ୍ତରେ ଗୋପାଳଙ୍କ ଆଗମନ ନିମନ୍ତେ ଘରଟି ସଜାଡ଼ିବା ପାଇଁ ବାଟ ଭାଙ୍ଗି ଆଗରେ ଚାଲିଗଲା । ନିଧିଆ ଗୋପାଳଙ୍କୁ ସାଙ୍ଗରେ ନେଇଗଲା । କାଳିଆ ଦାମୁଡ଼ି ହରାଇବାର ଆଶଙ୍କାଟା ମୁଣ୍ଡରେ ଚାଲିଯାଇଥିବା ହେତୁ ନିଧିଆର ଫୁର୍ତ୍ତି । ବାଟରେ ଗୋଟିଏ ପଡ଼ିଆ ପଡ଼ିଲା । ପଡ଼ିଆରେ ଗୋଟିଏ ମାତ୍ର ଛୋଟୀ କଇଁଆ ଗଛ । ଛୋଟୀ କଇଁଆ ଗଛ ଓ ପଡ଼ିଆଟି ଦେଖେଇ ନିଧିଆ କହିଲା, ‘‘ଏ ଗଛରେ ଆମେ ଡାଳମାଙ୍କୁଡ଼ି ଖେଳୁ । ତମେ ଡାଳମାଙ୍କୁଡ଼ି ଖେଳ ଜାଣ ?’’ ଗୋପାଳ ହଁ କଲାରୁ ପୁଣି ନିଧିଆ କହିଲା, ‘‘ବରଜୁଆଟା ଡାଳମାଙ୍କୁଡ଼ି ଖେଳ ଜାଣେ ନାହିଁ । ଜାଣିବ କୁଆଡ଼ୁ-? ସେଇଟା ପରା ଛୋଟା । ଆମେ ଖେଳୁଥାଉ କି ସେଇଟା ଆମକୁ ବଲବଲ କରି ଅନେଇଁଥାଏ । ବରଜୁଆ କିମିତି ଚାଲେ ଦେଖିବ ?’’ ଏହା କହି ନିଧିଆ ଛୋଟେଇ ଚାଲିବାକୁ ଆରମ୍ଭ କଲା । ବାଁ ପଟକୁ ଢଳି ଡାହାଣ ଗୋଡ଼କୁ ହଲେଇ ହଲେଇ ଗମ୍ଭୀରଭାବରେ ଚାଲିବାର ଦେଖି ଗୋପାଳ ନିଜର ସମସ୍ତ ଚିନ୍ତାକୁ ଭୁଲିଯାଇ ଠୋ ଠୋ ହସି ପକେଇଲେ । ନିଧିଆକୁ ବୋଧହୁଏ ଟିକିଏ ଅପମାନ ହେଲା । ସେ ରୁଷ୍ଟେ ହୋଇ କହିଲା, ‘‘ହସୁଛ କ’ଣ ମ ? ବରଜୁଆକୁ ଦେଖେଇ ଦେବି ଯେ । ସେ ଠିକ୍‌ ଇମିତି ଚାଲେ ।’’

ଗୋପାଳ ହସ ବନ୍ଦ କରି ଚାଲିଲେ । ଖଣ୍ଡେ ଦୂର ଗଲା ପରେ ନିଧିଆ ପଚାରିଲା, ‘‘ବାବୁ ମ, ଏ ବାବୁ, ତମେ ଭୂତ ଦେଖିଚ ? ଆମ ଗାଁରେ ଯୋଡ଼ାଏ ଭୂତ ଅଛନ୍ତି । ଦେଖିବ ?’’

ଗୋପାଳ ଟିକିଏ ମୁଡ଼ିକି ମୁଡ଼ୁକି ହସି କହିଲେ, ‘‘ଦେଖି ନେଇଁ ଯେ, ଦେଖେଇଦେଲେ ଦେଖନ୍ତି ।’’

ନିଧିଆ ଭାରି ବଡ଼ ମଣିଷ ପରି ଗମ୍ଭୀରଭାବରେ ଉତ୍ତର ଦେଲା, ‘‘ଆଛା ହଉ, ବୋଉକୁ କହିବି । ଦେଖେଇ ଦେବ ।’’

ଆଉ ଖଣ୍ଡେ ଦୂର ଗଲା । ସେମାନେ ସାଇ ଭିତରେ ପଶିଲେ । ନିଧିଆ ଗୋଟାଏ ଘର ଦେଖେଇ କହିଲା, ‘‘ଏ ଘରେ କିଏ ଥାଏ କହିଲ ଦେଖି ?’’ ଗୋପାଳ କହି ନ ପାରିବାରୁ ତାଙ୍କ ମୂର୍ଖତାରେ ଟିକିଏ ଅବଜ୍ଞାରେ ହସିଦେଇ ନିଧିଆ କହିଲା, ‘‘ଏ ପରା ମଧୁ ଗୋସେଇଁଙ୍କ ଘର । ସେ ମୋତେ ଭାରି ସୁଖ ପାନ୍ତି । କଲିକତାରୁ ଆଇଲା ବେଳେ ମୋ ପାଇଁ ଭାରି ଭଲ ଜିନିଷ ଆଣନ୍ତି ।’’ ମଧୁ ଗୋସେଇଁ ଓ ତାଙ୍କ ଆଣୁଥିବା ଭଲ ଜିନିଷ ବିଷୟରେ ଆଉ କେତେ କ’ଣ ଶୁଣିବାକୁ ହୋଇଥାନ୍ତା, ମାତ୍ର ଘର ଆସି ହୋଇଗଲାରୁ ନିଧିଆର ବାକ୍ୟସ୍ରୋତ ରୁଦ୍ଧ ହୋଇଗଲା ।

ଜଗୁଆ ମା ଆଗରୁ ଆସି ଦାଣ୍ଡ ପିଣ୍ଡାରେ ଖଣ୍ଡିଏ ପୁରୁଣା ମଶିଣା ପକେଇଦେଇ, ପାହାଚରେ ଢାଳେ ପାଣି ଥୋଇ, କବାଟ କୋଣରେ ଠିଆ ହୋଇଥାଏ । ଜଗୁଆ ବିଲବାଡ଼ି କାମରୁ ଗାଧୋଇ ଲୁଗାପଟା ଧୋଇ ଫେରି ଅପୂର୍ବ ଧରଣର ଅତିଥିଙ୍କର କି ସେବା କରିବ ବୁଝିନପାରି ତାଙ୍କ ପ୍ରତୀକ୍ଷାରେ ଦାଣ୍ଡଦୁଆରେ ଠିଆ ହୋଇଥାଏ । ନିଧିଆ ଗୋପାଳଙ୍କୁ ସାଙ୍ଗରେ ଧରି ଘରର ଦାଣ୍ଡଦୁଆର ହାତଭିତରେ ପଶିଲେ ।

ଘରକୁ ଦେଖି ଗୋପାଳ ଜାଣିଲେ, ଏ ଘର କେବେ ସ୍ୱଚ୍ଛଳ ଅବସ୍ଥାରେ ରହିନାହିଁ କିମ୍ବା ଏ ଘର ଦାଣ୍ଡଦୁଆର ବାଟେ ଯେଉଁମାନେ ଯିବା ଆସିବା କରନ୍ତି, ସେମାନଙ୍କ ଅଣ୍ଟାରେ କୌଣସି ସମୟରେ ଟଙ୍କାକରୁ ବେଶି ରହିନାହିଁ; କିନ୍ତୁ ଘରଟି ଖୁବ୍‌ ପରିଷ୍କାର; ମାଟି ଗୋବରରେ ଖୁବ୍‌ ଯତ୍ନର ସହିତ ଲିପା ହୋଇଛି । ଦାଣ୍ଡଦୁଆର ଆଗରେ ଗୋଟିଏ ଛୋଟ ବଗିଚା । ବଗିଚାରୁ ଖଣ୍ଡେ ଫଳନ୍ତି ବାଇଗଣ ଗଛରେ ପୂର୍ଣ୍ଣ, ଆଉ ଖଣ୍ଡକରେ ଗୋଟାଏ ଯୋଡ଼ାଏ ପୋଇ ବୁଦା । ବଗିଚାଟି ଖୁବ୍‌ ପରିଷ୍କାର - ଜଗୁଆ ମାର ପରିଶ୍ରମର ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

ଗୋପାଳ ଗୋଡ଼ ଧୋଇସାରି ମଶିଣାରେ ଯାଇ ବସିଛନ୍ତି, ନିଧିଆ ଉପରେ ଦୃଷ୍ଟି ପଡ଼ିଗଲା । ନିଧିଆ ମନଟା ଭାରି ଖରାପ ହୋଇଯାଇଥାଏ । ଚାନ୍ଦିଆକୁ ଦେଖିବା ନିମନ୍ତେ ଆଗ୍ରହ ପ୍ରକାଶ ନ କରି ବସିବାକୁ ବାହାରିବାଦ୍ୱାରା ନିଧିଆ ପ୍ରତି ଅପମାନ ହେବାର ବୁଝି ଗୋପାଳ କହିଲେ, ‘‘କାହିଁ, ଚାନ୍ଦିଆ ଦାମୁଡ଼ି ତ ଦେଖିଲି ନାହିଁ ?’’

ନିଧିଆ ଆନନ୍ଦରେ ‘‘ଆସୁ ନା’’ ବୋଲି କହି ଗୁହାଳ ଘରକୁ ବାଟ କଢ଼େଇନେଲା ।

ଚାନ୍ଦିଆର ନାନା ପ୍ରକାର ପ୍ରଶଂସା ଶୁଣି ଶୁଣି, ଚାନ୍ଦିଆର ବିଭିନ୍ନ ଅଂଶମାନଙ୍କର ଗୁଣ ବର୍ଣ୍ଣନା ମଧ୍ୟରେ ତାକୁ ଦେଖି ଗୋପାଳ ଫେରି ଆସି ବସିଲାରୁ ଜଗୁଆ ମା କହିଲା, ‘‘ତାଙ୍କୁ ଇମିତି କାହିଁକି ଇଠିକି ସେଠିକି କରୁଛୁ କିରେ, ନିଧିଆ ? ବାବୁ ଦୟା ନ କରିଥିଲେ ଏତେବେଳକୁ କାନ୍ଦ ବୋବାଳି ପଡ଼ିଥାନ୍ତା । ବାବୁ ! ମୋ ପିଲା ଯୋଡ଼ିକ ଦାମୁଡ଼ିଟିକୁ ଭାରି ସୁଖ ପାନ୍ତି ।’’

ତା ପରେ ଜଗୁଆ ମା ସେମାନଙ୍କର ପୂର୍ବ ଇତିହାସ ସବୁ ଶୁଣାଇଲା । କଥା ଶୁଣୁ ଶୁଣୁ ଗୋପାଳଙ୍କର ନାନା ପ୍ରକାର ଭାବାନ୍ତର ହେଉଥାଏ । ମହାଜନର କ୍ରୂରତାରେ ତାଙ୍କ ଆଖିକୁ ଲୁହ ଆସୁଥାଏ; ଶଠତାରେ ଆଖିରୁ ନିଆଁ ବାହାରୁଥାଏ । ହାୟ, ଅଶିକ୍ଷିତ ଦରିଦ୍ର କୃଷକ ପରିବାର ଉପରେ ଅର୍ଥପିପାସୁ ଅତ୍ୟାଚାରୀ କି ଦାରୁଣ ଆଘାତ ଦେଉଛି ! ଅର୍ଥ ନିମନ୍ତେ ଲୋକ ନିଜର ସମସ୍ତ ସଦ୍‌ବୃତ୍ତିକୁ କିପରି ଅବହେଳାରେ ତ୍ୟାଗ କରୁଅଛି ! ନିତାନ୍ତ ହୀନ ଜଘନ୍ୟ କାର୍ଯ୍ୟ କରିବାକୁ, ଦୁଃଖୀ ଦରିଦ୍ରଙ୍କ ଲୋତକମୟ ଦୀର୍ଘନିଃଶ୍ୱାସରେ ନିଜର ପାରତ୍ରିକ ଜୀବନକୁ ନରକଯନ୍ତ୍ରଣାମୟ କରିବାକୁ, ତିଳେ ମାତ୍ର କୁଣ୍ଠିତ ହେଉ ନାହିଁ ! ମନୁଷ୍ୟ ପ୍ରତି କେଡ଼େ ନିର୍ଦୟ ହୋଇପାରେ ! ଏହି ଚିନ୍ତା ଗୋପାଳଙ୍କୁ ବଡ଼ ଉଦାସୀନ କରି ପକାଇଲା, ନିର୍ଜନରେ ଜୀବନ କଟାଇଦେବା ନିମନ୍ତେ ତାଙ୍କ ସଙ୍କଳ୍ପ ଦୃଢ଼ତର ହେଲା ।

ନିଜ ଦୁଃଖର କାହାଣୀ ଶେଷକରି ସାରି ଜଗୁଆ ମା ସସଂଭ୍ରମରେ ଗୋପାଳଙ୍କୁ ଜିଜ୍ଞାସା କଲା, ‘‘ବାବୁ, ତୁମର ଏ ଗାଁରେ କ’ଣ କାମ ମ ?’’

ଗୋପାଳ ତାଙ୍କ ଭଡ଼ା ନେଇଥିବା ଜାଗା ଖଣ୍ଡକରେ ବାସ କରିବା ଇଚ୍ଛା ପ୍ରକାଶ କରନ୍ତେ ଜଗୁଆ ମା ଅତି ଆଶ୍ଚର୍ଯ୍ୟରେ, ‘‘ଆଲୋ ମୋ ମାଲୋ ! ସିଠେଇ କ’ଣ ମଣିଷ ରହନ୍ତି ? ହଇ ହେ ପୁଅ, ତମେ କ’ଣ ବାୟା ହେଇଚ’’ । କହିବା ସାଙ୍ଗେ ସାଙ୍ଗେ ଜଗୁଆ କହିଲା, ‘‘ସିଠେଇ ଖାଲି ବାଘଗୁଡ଼ାଏ !’’

ଗୋପାଳ ବହୁ ଚେଷ୍ଟା ପରେ ବୁଝାଇଦେଲେ ଯେ, ସେ ଜାଗାରେ ଯେତେ ବାଘ ଥାଆନ୍ତୁ ପଛେ ସେ ସେହି ସ୍ଥାନରେ ହିଁ ବାସ କରିବେ; ତେବେ ଘର ଖଣ୍ଡେ ତିଆରି ହେଲେ ଗଲା ।

ଜଗୁଆ ମା– ‘‘ସିଠିକି କ’ଣ ଲୋକ ଯିବେ ଘର ତୋଳିବାକୁ ?’’

ଗୋପାଳ ଏ ଦିଗଟା ଦେଖି ନଥିଲେ ; ତେଣୁ ଟିକିଏ ଚିନ୍ତିତ ହେଲେ ; ମାତ୍ର ବେଶି କ୍ଷଣ ଚିନ୍ତା କରିବାକୁ ପଡ଼ିଲା ନାହିଁ । ଜଗୁଆ କୃତଜ୍ଞତା ପ୍ରକାଶ କରିବାର ଉପାୟ ପାଇ ଉତ୍ସାହ ସହିତ କହିଲା, ‘‘ଲୋକ ନମିଳିଲେ ନାହିଁ ବାବୁ ! ତମେ ମୁଁ ମିଶି ଘର ତୋଳି ଦେବା–ମୁଁ କାନ୍ଥ ଦେଇ ପାରିବି ଘର ଛପର କରି ପାରିବି । ଲୋକବାକ ଲୋଡ଼ା କାହିଁକି ?’’

ଗୋପାଳ ଗ୍ରାମ୍ୟ ଯୁବକର ସହୃଦୟତାରେ ମୁଗ୍‌ଧ ହେଲେ । ଜଗୁଆ ମା ଗୋପାଳଙ୍କ ଉପକାର ସ୍ମରଣ କରି ପୁଅକୁ ଜଙ୍ଗଲ ଜାଗାକୁ ଛାଡ଼ିଦେବାରେ କିଛି ଆପତ୍ତି କରିନପାରି ତୁନି ହେଲା-। କେବଳ ନିଧିଆ କହିଲା, ‘‘ବାବୁ, ମତେ ନେବ ନାହିଁ ? ମୁଁ ମାଟି ଚକଟି ଦେବି, ନଡ଼ା ଚାଳକୁ ଫୋପାଡ଼ି ଦେବି ।’’

ଗୋପାଳ ହସି ହସି ଉତ୍ତର ଦେଲେ, ‘‘ତୁ ନହେଲେ ଘର ତ ଆଦୌ ହୋଇ ପାରିବ ନାହିଁ-!’’

Image

 

ଛଅ

 

କନକଙ୍କ ସମସ୍ତ ଆଶା ବିଘ୍ନଶିଳାରେ ବାଜି, ଭାଜି ଚୁରମାର ହୋଇଗଲା । ଯାହାକୁ ହୃଦୟ ଅର୍ପଣ କରିଥିଲେ, ଶରୀର ତା’ ଠାରୁ ଦୂରରେ ରଖିବା କି କଷ୍ଟକର ! ଗୋପାଳ ତାଙ୍କ ଘରୁ ବାହାରିଗଲା ଦିନ ଠାରୁ ଏପରିକି ତାଙ୍କ ଲେଖା ଚିଠି ଖଣ୍ଡେ ଗୋପାଳଙ୍କ ହାତରେ ପଡ଼ିବା ବେଳୁଁ କନକଙ୍କର ହୃଦୟ ଘୋର ହାହାକାରରେ ପୂର୍ଣ୍ଣ ହୋଇଗଲା । ସମସ୍ତ ସରସତା, ସଂଭୋଗର ସମସ୍ତ ପ୍ରବୃତ୍ତି ତ୍ୟାଗ କରି ସେ ନିଶ୍ଚେଷ୍ଟ ହୋଇ ବସି ରହିଲେ ।

ଦୁଃଖୀ ରଙ୍କୀଙ୍କ ଦିନସବୁ ଭାରି ଲମ୍ବା ହୋଇଥାଏ, ବଡ଼ ଉଛୁରରେ ସରେ; ମାତ୍ର ଚିନ୍ତାଦକର ଦିନରାତି ଏକବାରେ ଅସରନ୍ତି !

ସ୍କୁଲକୁ ଯିବା କାର୍ଯ୍ୟଟା କର୍ତ୍ତବ୍ୟରୂପେ ମୁଣ୍ଡରେ ବସିଥିବାରୁ ଯନ୍ତ୍ରଚାଳିତ ହୋଇ କନକ ସେଥିରେ ସାତଘଣ୍ଟା ଖଣ୍ଡେ କଟାଇ ଦେଉଥିଲେ । ସାଙ୍ଗ ପିଲାଙ୍କ ଆନନ୍ଦରେ ନିଜର ଦୁଃଖ ଚାପା ପଡ଼ି ରହିଯାଉଥିଲା । ମାତ୍ର ନିର୍ବାଚନ ପରୀକ୍ଷା ସରିବାରୁ ଏବେ କେତେଦିନ ହେଲା ସ୍କୁଲକୁ ଯିବାକୁ ପଡ଼ୁନାହିଁ । ସାଙ୍ଗ ଝିଅମାନେ ପରୀକ୍ଷାକୁ ତିଆରି ହେବାପାଇଁ ସମୟ ପାଇଛନ୍ତି । କନକଙ୍କର ସର୍ବଗ୍ରାସୀ ଚିନ୍ତାକୁ ଅନବଚ୍ଛିନ୍ନ ସମୟ ମିଳିଛି ।

ବସି ବସି ସମୟ ନ କଟିବାରୁ କନକ ପଢ଼ାସାଥୀ କୁମୁଦିନୀ ଘରକୁ ବାହାରିଥିଲେ । କୁମୁଦିନୀଙ୍କ ଘର ତାଙ୍କ ଘରର ଖୁବ୍‌ ନିକଟରେ । ତାଙ୍କ ପକ୍‌କା କନକଙ୍କ ବଗିଚାକୁ ଦିଶେ । କୁମୁନଦିନୀଙ୍କ ବାପା ଥିଲେ କଟକ କଲେଜରେ ପ୍ରଫେସର । ପ୍ରଫେସର ଚାରୁବାବୁ ଜୀବନଯାକ ସମ୍ପତ୍ତି ସଞ୍ଚୟ କରିବାରେ କଟାଇ ଦେଇଥିଲେ । ପାଠପଢ଼ା ବିଷୟରେ ତାଙ୍କର ଏକାବେଳେ ମନ ନ ଥାଏ । କ୍ଳାସରେ ପାଠପଢ଼ା ବିଷୟ କେହି ଉତ୍‌ଥାପନ କଲେ ସେ ତାଙ୍କ ବିଚିତ୍ର ହସ ଟିକକ ହସି ଦେଇ ଉତ୍ତର ଦିଅନ୍ତି, ‘‘ବୁଝିଲ ନାହିଁ କି ? ଆମେ ତ ତୁମକୁ ପଢ଼ାଇବା ପାଇଁ ଦରମା ପାଇ ଏଠାରେ ବସି ନାହୁଁ । ଆମେ ପିଲାଦିନଯାକ ପରିଶ୍ରମ କରି ପାଠ ହାସଲ କରିଛୁ ବୋଲି ସରକାର ଆମକୁ ଦରମା ଖୁଆଉଛନ୍ତି ।’’ ପିଲାମାନେ ପ୍ରଶ୍ନ କରନ୍ତି, ‘‘ତେବେ ପ୍ରଫେସରମାନେ ଆମ ଆଗକୁ ଆସିବାର ଫଳ କ’ଣ ?’’ ତମେ ଆଉ ଏ ପ୍ରଶ୍ନରେ ତେଜି ଉଠନ୍ତେ, ମାତ୍ର ଚାରୁବାବୁ ହସିଦେଇ ଉତ୍ତର ଦିଅନ୍ତି, ‘‘କେବଳ ପାଠରେ ମନ ଦେଇ ପଢ଼ିଲେ ତୁମର ଅର୍ଥୋପାର୍ଜନ ହେବ–ଏ କଥାର ଆମ୍ଭେମାନେ ଗୋଟିଏ ଗୋଟିଏ ‘ଜୀବନ୍ତ, ମୂର୍ତ୍ତିମନ୍ତ ଉଦାହରଣ ।’ ଆମକୁ ଦେଖି ତୁମେ ପଢ଼ ।’’ ପାଠପଢ଼ାରେ ଯତ୍ନ ନେବା ଦିଗଟି ଏହିପରି ହସରେ ଉଡ଼ାଇ ଦେଇ ଚାରୁବାବୁ ଟଙ୍କା ସଞ୍ଚୟରେ ଏପରି ମନପ୍ରାଣ ଲଗାଇଦେଲେ ଯେ ; ତାଙ୍କ ମଲା ବେଳକୁ ପୁତ୍ର ବୀରେନ୍ଦ୍ର ଏବଂ କନ୍ୟା କୁମୁଦିନୀ ପ୍ରାୟ ଲକ୍ଷାଧିକର ଉତ୍ତରାଧିକାରୀ ହେଲେ ।

କନକ କୁମୁଦିନୀର ପଢ଼ିବା ଘରେ ଯାଇ ବସିଲେ । କୁମୁଦିନୀ ଇଂରେଜୀ ବହି ଧରି ବସିଥାଏ । କୁମୁଦିନୀ ବିଚାରୀ ପଢ଼େ ଖୁବ୍‌, ମାତ୍ର ବୀର ଭାଇ ପରି ତାର ମୁଣ୍ଡଟିରେ ପଢ଼ାପଢ଼ି ବିଷୟ ଟିକିଏ ପଶେ ନାହିଁ । ସାଂସାରିକ ଅନ୍ୟ ସବୁ ବିଷୟରେ ସେ ଦୁହିଙ୍କର ପ୍ରବେଶ ଖୁବ୍‌ ବେଶୀ, ମାତ୍ର ପାଠପଢ଼ା ବେଳକୁ ତାଙ୍କ ବୁଦ୍ଧିର ଦ୍ୱାର ରୁଦ୍ଧ ହୋଇଯାଏ ।

କନକ କୁମୁଦିନୀ ହାତରୁ ବହିଟା ଛଡ଼ାଇ ଆଣି କହିଲେ, ‘‘କିଲୋ କୁମ, ତୋର ତ ସବୁବେଳେ ପଢ଼ାପଢ଼ି ଲାଗିଛି । ମୋର ତ କାହିଁକି ମନ ଲାଗିଲା ନାହିଁ ?’’

କୁମ ନିର୍ବୁଦ୍ଧିଆ ଛାତ୍ରଛାତ୍ରୀମାନଙ୍କର ସ୍ୱାଭାବସିଦ୍ଧ ଦୀର୍ଘ ନିଃଶ୍ୱାସଟି ପକାଇ କହିଲା ‘‘ହଁ ଲୋ କନ ! ତୁ ତ ଘଣ୍ଟେ ବସି ଯୁ’ତକ ପଢ଼ିବୁ, ଆମେ ସବୁ ଚାରି ଚାରି ଘଣ୍ଟାରେ ତା’ କରି ପାରିବୁ ନାହିଁ । ଆମେ ଆଉ ତୁ ! ମନ ଲାଗୁ କି ନ ଲାଗୁ ପଢ଼ି ବସିବାକୁ ହେବ । ଆଛା, ଥାଉ ସେ ପୋଡ଼ା ପାଠ କଥା । ତୋ ମନ କାହିଁକି ପଢ଼ାରେ ଲାଗୁ ନାହିଁ ମ ?’’

କନକ ନିଜର ଚିନ୍ତା ନିଜେ ରଖିବା ସଂକଳ୍ପରେ ଉତ୍ତର ଦେଲେ, ‘‘କେଜାଣି କାହିଁକି, ପଢ଼ି ବସିଲା ବେଳକୁ ତ ସଂସାରଯାକର ସବୁ ଚିନ୍ତା ମୁଣ୍ଡଉପରେ ଆସି ବସିଯାଉଛି ।’’

କୁମ–ଆମ ବୀର ଭାଇ ତ ଠିକ୍‌ ସିମିତି ହଉଛି । ଦିନେ କ୍ଳାସକୁ ଗଲେ ଚାରିଦିନ ପଡ଼ିଆ ରହୁଛି । ଖାଲି ସବୁବେଳେ ବହି ଖଣ୍ଡେ ଆଗରେ ପକେଇ କ’ଣ ବିଚାରୁଛି । ଅଇଲାବେଳେ ତୁ ତାକୁ ଦେଖିଲୁ ନାହିଁକି ?

କନକ–ନା, ମୁଁ ତ ବୀରଭାଇଙ୍କି କେତେଦିନ ହେଲା ଦେଖି ନାହିଁ । ମୁଁ ବିଚାରୁଥିଲି, ସେ ବର୍ତ୍ତମାନ କଟକରେ ନାହାନ୍ତି ବୋଲି ।

କୁମ–ବାଃ, ତୁ’ କ’ଣ ଚିନ୍ତା କରୁଛୁ ଯେ, ଦାଣ୍ଡକୁ ବାହାରୁ ନାହୁଁ ? ସେ ବି କ’ଣ କରୁଛି ଯେ ପଢ଼ା ଘର ଚଉକିରୁ ଉଠୁନାହିଁ ? ଏଣେ ସେ ବିଚାରୁଛି, ତୁ କୁଆଡ଼େ ଯାଇଛୁ, ତୁ ବିଚାରୁଛୁ ସେ କଟକରେ ନାହିଁ । ସେ ପରା କାଲି ମୋତେ ତୋ କଥା ପଚାରୁଥିଲା ଲୋ !

ଏହା କହି କୁମୁଦିନୀ ଖୁବ୍‌ ହସିଲା । ନିଜ ସଙ୍ଗେ ବୀରେନ୍ଦ୍ରଙ୍କୁ ଏପରି ତୁଳନା କରିବା ଚେଷ୍ଟାକୁ ପସନ୍ଦ ନ କରୁଥିଲେ ହେଁ କନକ ବାଧ୍ୟ ହୋଇ ହସରେ ଯୋଗ ଦେଲେ ।

କନକ କଥାବାର୍ତ୍ତାର ଗତି ବଦଳାଇବା ପାଇଁ ଅନ୍ୟ ପ୍ରସଙ୍ଗ କେତେ ଉତ୍‌ଥାପନ କଲେ-। କିନ୍ତୁ କୁମୁଦିନୀ ଥରକୁ ଥର ସେହି ବୀର ଭାଇ କଥା ଉଠାଉଥାଏ । ପ୍ରାୟ ଘଣ୍ଟେ ଖଣ୍ଡେ ପରେ କନକ ଉଠି ବାହାରିଲେ ଘରକୁ । କୁମୁଦିନୀ ଓପର ମହଲା ଶିଡ଼ିମୂଳ ପର୍ଯ୍ୟନ୍ତ ଆସି ବିଦାୟ ନେଇ ଟିକିଏ ହସି ହସି ଓପରକୁ ଚାଲିଗଲେ; ଏ ହସର କାରଣ କ’ଣ ? ଏ ହସ ତ ନିରୀହ ଆନନ୍ଦର ଲକ୍ଷଣ ନୁହେଁ !

କନକ ଦାଣ୍ଡଘର ବାଟ ଦେଇ ଦାଣ୍ଡକୁ ବାହାରି ପଡ଼ୁଛନ୍ତି, ଠିକ୍‌ ଏପରି ସମୟରେ ପାଖ ଘରୁ ବୀରେନ୍ଦ୍ର ସତେ ଅବା ଭାରି କରୁଣ ସ୍ୱରରେ ଡାକିଦେଲେ, ‘‘କନକ, ଟିକିଏ ଇଆଡ଼େ ଆସିବ ନାହିଁ ?

କନକ ଚମକି ପଡ଼ି ଫେରିଲେ ଏବଂ ବୀରେନ୍ଦ୍ର ଥିବା ଘରଭିତରେ ପଶି ବୀରେନ୍ଦ୍ରଙ୍କ ଅନୁରୋଧକ୍ରମେ ଚଉକି ଗ୍ରହଣ କରୁ କରୁ କହିଲେ, ‘‘ଆପଣ ଏଠାରେ ଏପରି ତୁନି ହୋଇ ବସିଛନ୍ତି-? ଆପଣ ଘରେ ନାହାନ୍ତି ବୋଲି ମୁଁ ବିଚାରିଥିଲି ।’’

ବିରେନ୍ଦ୍ର ଦୀର୍ଘ ନିଃଶ୍ୱାସର ଗୋଟିଏ ଚତୁର ଅଭିନୟ କଲେ ।

ବୀରେନ୍ଦ୍ରଙ୍କ ଆଗରେ ଟେବୁଲ ଉପରେ ଥୁଆ ହୋଇଥିବା ଗୋଟିଏ ଫଟୋ ଉପରେ କନକଙ୍କର ଦୃଷ୍ଟିପଡ଼ିଲା । ବୀରେନ୍ଦ୍ର ଦୋଷ କଲା ଭଳିଆ ସଙ୍କୋଚରେ ଫଟୋଟି ଉଠାଇ ନେବାର ଛଳନାକଲେ । ତାଙ୍କ କାର୍ଯ୍ୟରୁ ଜଣାପଡ଼ିଲା, ସତେ ଯେପରି ଫଟୋ କନକ ଦେଖନ୍ତୁ ବୋଲି ତାଙ୍କର ଆଦୌ ଇଚ୍ଛା ନଥିଲା । କନକ ଏହି କଥା ବୁଝିଲେ; କିନ୍ତୁ କନକ ଘର ଭିତରେ ପଶିବାର ଦେଖି ବୀରେନ୍ଦ୍ର ଫଟୋ ଖୋଜି ଟେବୁଲ ଉପରେ ନିଜ ସମ୍ମୁଖରେ ଯତ୍ନରେ ରଖିବାର ଯେ ଦେଖିଛି ଏବଂ କନକଙ୍କୁ ଡାକିବାବେଳେ ଫଟୋ ବୀରେନ୍ଦ୍ରଙ୍କର ବେଶ ମନେଥିଲା ବୋଲି ଯେ ଜାଣିଛି, ତାର ନିସଃନ୍ଦେହ ଧାରଣା ହୋଇଥିବ ଯେ, ଫଟୋଟି କନକଙ୍କୁ ଦେଖାଇବା ଦ୍ୱାରା, ନିଜେ କନକଙ୍କ ବିଷୟରେ ଖୁବ୍‌ ଚିନ୍ତା କରନ୍ତି ବୋଲି କନକଙ୍କ ଆଗରେ ସ୍ପଷ୍ଟ ପ୍ରମାଣ ଦେଇ ତାଙ୍କ ହୃଦୟ ଜୟ କରିବା ଚେଷ୍ଟାରେ ବୀରେନ୍ଦ୍ର ଏସବୁ ଆଗରୁ ସଜାଡ଼ିଥିଲେ ।

ଫଟୋଟି ଆଡ଼େଇ ଥୋଇଦେଇ ବୀରେନ୍ଦ୍ର କହିଲେ–‘‘କନକ, ମାର୍ଜନା କରିବ । ତୁମ ଫଟୋଟି ଟେବୁଲ ଉପରେ ରଖିବାଦ୍ୱାରା ମୁଁ ଅନଧିକାର ଚର୍ଚ୍ଚା କରିଛି ।’’

କନକ ଟିକିଏ ହସିଦେଇ ଅତି ସରଳ ଭାବରେ ଉତ୍ତରଦେଲେ–‘‘ଏଥିରେ ପୁଣି ଗୋଟାଏ ଅନଧିକାର ଚର୍ଚ୍ଚା କ’ଣ, ବୀର ଭାଇ ?’’

ବୀରେନ୍ଦ୍ର ଉତ୍ସାହର ସହିତ ଉତ୍ତର ଦେଲେ, ‘‘ତୁମେ ମୋତେ ଏତେ ଦୟା ଦେଖାଇବା ଦ୍ୱାରା ଅନୁଗୃହୀତ କରିଛ ।’’

କନକ ଟିକିଏ ଲଜ୍ଜିତ ହେଲେ । ଯୁବତୀସୁଲଭ ଚତୁରତା ବଳରେ ସେ ବେଶ୍‌ ବୁଝିନେଲେ, ବୀର ଭାଇ କଥାଟାକୁ ଟିକିଏ ଅନ୍ୟଆଡ଼େ ନେଉଛନ୍ତି । ତାଙ୍କର ଟିକିଏ ରାଗ ହେଲା-। ସେଠାରୁ ତତ୍‌କ୍ଷଣାତ୍‌ ଉଠି ଘରକୁ ଚାଲିଯିବାପାଇଁ ଇଚ୍ଛାହେଲା, କିନ୍ତୁ ରାଗ ଦମନକରି ଭଦ୍ରତା ଅନୁରୋଧରେ ସେ ଉତ୍ତରଦେଲେ, ‘‘ଏଥିରେ ପୁଣି ଅନୁଗ୍ରହ କର ବୀର ଭାଇ ? ଆପଣ ମୋ ଫଟୋଟି ଦେଖୁଥିଲେ ; କିନ୍ତୁ ତାହାର ଅଧିକାରିଣୀ ତ ମୁଁ ନୁହେଁ–କୁମ । ଫଟୋଟି ତାର–ସେ ଯାହାକୁ ଇଚ୍ଛା ତାକୁ ଦେଇପାରେ ଏବଂ ଫଟୋଟି ଯାହା ହାତରେ ପଡ଼ିଲା ସେ ଦେଖିପାରେ ।’’

ବୀରେନ୍ଦ୍ର ଅପ୍ରତିଭ ହେଲେ ଏବଂ ଭାରି ଚିନ୍ତିତ ହେଲାପରି ବସି ରହିଲେ ।

ଏପରି ତୁନିହୋଇ ବସିରହିବା କନକଙ୍କୁ ଆଦୌ ଭଲ ଲାଗୁ ନଥାଏ । କିପରି ଉଠି ଚାଲିଗଲେ ହୁଅନ୍ତା, ମାତ୍ର ବୀର ଭାଇ କ’ଣ ବିଚାରି ପାରନ୍ତି ! ଏଣେ ସେ ତ କିଛି କଥା କହୁ ନାହାନ୍ତି-। ବାଧ୍ୟ ହୋଇ କନକ କହିଲେ–‘‘କୁମ ତ କହୁଥିଲା, ଆପଣଙ୍କ ଦେହ ଆଜିକାଲି ଭଲ ନାହିଁ, ଆପଣ କଲେଜ ଯାଉନାହାନ୍ତି ।’’

ବୀରେନ୍ଦ୍ର ବିରକ୍ତି ଏବଂ ମାନସିକ ଅଶାନ୍ତିବ୍ୟଞ୍ଜକ ସ୍ୱରରେ ଉତ୍ତରଦେଲେ, ‘‘କୁମ କହୁଥିଲା ? କୁମ ତ ଭାରି ଡାକ୍ତର ! (ଟିକିଏ ଫିକା ହସ ହସି) ହଁ, ଦେହ ଭଲ ନାହିଁ । ତେବେ ଦେହ ଭଲ ନାହିଁ କି ମନ ଭଲ ନାହିଁ, ଠିକ୍‌ କହିପାରିବା କଠିନ । ମୋ ବିଷୟ କିପରି ପଡ଼ିଥିଲା କି-?’’

କନକ ହସି ହସି ଉତ୍ତର ଦେଲେ–‘‘କାହିଁକି, ଆପଣଙ୍କ ବିଷୟ କୁମ ଓ ମୋ ଭିତରେ ପଡ଼ିବା କ’ଣ ଏପରି ଗୋଟାଏ ଆଶ୍ଚର୍ଯ୍ୟ କଥା । ଆପଣ କ’ଣ କୁମର ଅପରିଚିତ ନା ମୋର ଅପରିଚିତ ଯେ ଆଶ୍ଚର୍ଯ୍ୟ ଲାଗୁଛି ?’’

ବୀରେନ୍ଦ୍ର–ନା, ମୁଁ ଏତେ କଥା ବିଚାର ପ୍ରଶ୍ନ କରି ନଥିଲି । କେଉଁ ସୂତ୍ରରେ ମୋ କଥା ପଡ଼ିଥିଲା, ତାହାହିଁ ମୋର ପଚାରିବାର ଉଦ୍ଦେଶ୍ୟ ।

କନକ–ସେ କଥା ତ ମୁଁ ଆଗରୁ କହୁଛି–କୁମର ମୋର କଥାବାର୍ତ୍ତା ହେଉ ହେଉ କୁମ କହିଲା–ଆପଣଙ୍କ ଦେହ ଖରାପ ଅଛି । ଡାକ୍ତର ଡକାଇଥିଲେ ?

ବୀରେନ୍ଦ୍ର–ନା, ଡାକ୍ତର ଦେଖିବାର ପ୍ରୟୋଜନ ନାହିଁ । ଦେଖି ବା କ’ଣ କରିବେ ? ଏ ରୋଗ ଭଲ ହେବାର ନୁହେ । ଏଥିରେ ଡାକ୍ତରଙ୍କ ସମସ୍ତ ଚେଷ୍ଟାସତ୍ତ୍ୱେ ଟିକି ଟିକି ହୋଇ ପ୍ରାଣ ଶୋଷି ହୋଇଯିବ ।

ଏଥର କନକ ବୀରେନ୍ଦ୍ରଙ୍କ କଥାରେ ବାସ୍ତବିକ୍‌ ବିଚଳିତ ହୋଇ ପଚାରିଲେ–‘‘କାହିଁକି ? ଆପଣଙ୍କର ଏପରି କ’ଣ ହୋଇଛି କି ? ଆମେ ଏତେ ନିକଟରେ ଅଛୁ, କିଛି ତ ଶୁଣିଲୁ ନାହିଁ ! ଆପଣ ଆମ ଘରକୁ ଯାଇ ବାପାଙ୍କ ପରାମର୍ଶ ନେଉନାହାନ୍ତି ? ବାପାଙ୍କୁ ଏ ବିଷୟ ପଚାରିଥିଲେ-?’’

ବୀରେନ୍ଦ୍ରଙ୍କ ମନରେ ହଠାତ୍‌ ଗୋଟାଏ ନୂଆ କଥା ମନେ ପଡ଼ିଗଲା । ସେ କହିଲେ, ‘‘ହଁ, ବାପାଙ୍କୁ ଏ କଥା କହିବାକୁ ହେବ । ସେ କିଛି କରିପାରନ୍ତି ।’’

ସରଳା କନକ ବୀରେନ୍ଦ୍ରଙ୍କ ଅବସ୍ଥା ଚିନ୍ତା କରିକରି ଫେରିଲେ । ଏପରି କ’ଣ ଗୋଟାଏ ବେମାରି ହୋଇଛି ଯେ, ଡାକ୍ତର ଡାକିଲେ ବି କିଛି ଫଳ ହେବ ନାହିଁ ? ଈଶ୍ୱରଙ୍କ ବିଧାନ କେଡ଼େ ବିଚିତ୍ର, କେଡ଼େ ଅବୋଧ୍ୟ ! କେତେ ବିଚିତ୍ର, କେତେ ସୁନ୍ଦର ସଂସାର ସେ ମନୁଷ୍ୟପାଇଁ ସୃଷ୍ଟି କରିଛନ୍ତି, କେତେ ସ୍ନେହ, କେତେ ଦୟାରେ ସମସ୍ତ ପ୍ରାଣୀଙ୍କ ଉପରେ ସମ୍ରାଟ୍‌ କରି ପରମେଶ୍ୱର ମନୁଷ୍ୟକୁ ଜନ୍ମ ଦେଇଛନ୍ତି ! କିନ୍ତୁ–ମନୁଷ୍ୟ ଯଦି ଈଶ୍ୱରଙ୍କ ପରମପ୍ରିୟ ସନ୍ତାନ, ତେବେ ସେହି ପରମପ୍ରିୟ ସନ୍ତାନକୁ କଷ୍ଟ ଦେବାପାଇଁ ରୋଗ ସୃଷ୍ଟି କରିବାରେ ତାଙ୍କର କେଉଁ ଅଜ୍ଞାତ ଉଦ୍ଦେଶ୍ୟ ଅଛି ? ଯଦି ବା ରୋଗର ସୃଷ୍ଟି, ତେବେ ସବୁ ରୋଗ ପାଇଁ ଆରୋଗ୍ୟ ବିଧାନ ଅଛି ନା ନାହିଁ ? ଯଦି ଅଛି, କାହିଁକି ଅଛି ? ରୋଗ ଦେଇ ଆରୋଗ୍ୟ ବିଧାନ କରିବାରେ ରହସ୍ୟ କ’ଣ ? ଯଦି ନାହିଁ–ତେବେ ନିଜର ସନ୍ତାନ ପ୍ରତି କି କଠୋର ନିର୍ମମତା ! –ଏହିପରି କେତେ କଥା ବିଚାରୁ ବିଚାରୁ କନକ ଆସି ନିଜ ଘରେ ପହଞ୍ଚିଲେ ।

Image

 

ସାତ

 

ଏବେ କେତେ ଦିନ ହେଲା ବୀରେନ୍ଦ୍ର ମଦନବାବୁଙ୍କର ଖୁବ୍‌ ପ୍ରିୟ ସଙ୍ଗୀ ହୋଇଛନ୍ତି । ଦିନର ପ୍ରାୟ ସମସ୍ତ ସମୟ ବୀରେନ୍ଦ୍ର ମଦନବାବୁଙ୍କ ଆରାମଚୌକି ଆଗରେ ଗୋଟିଏ ଚଉକିରେ ବସି ଚାରିଆଡ଼ର ଭିନ୍ନ ଭିନ୍ନ କଥା ବିଷୟରେ ମତ ପଚାରୁଥାନ୍ତି ଏବଂ ମଦନବାବୁ ଯାହା କହନ୍ତି, ସେଥିରେ ନିଜର ପୂର୍ଣ୍ଣ ସମ୍ମତି ଜଣାଇଦେଉଥାନ୍ତି । ବାର୍ଦ୍ଧକ୍ୟସହଜ ଗଳ୍ପପ୍ରିୟତା ମଦନବାବୁଙ୍କ କଠୋର ହୃଦୟକୁ କ୍ରମେ କ୍ରମେ ଆକ୍ରମଣ କରୁଥିଲା । ବୀରେନ୍ଦ୍ରଙ୍କ ପରି ଧୀର ଶ୍ରୋତା ପାଇ ତାଙ୍କର ଗଳ୍ପ କରିବା ପ୍ରବୃତ୍ତି ଦୁଇଗୁଣ ବଢ଼ିଗଲା ଏବଂ ନିଜ କଥାରେ ବିରେନ୍ଦ୍ର ବିନା ଆପତ୍ତିରେ ସମ୍ମତି ଜଣାଇବା ହେତୁ ତାଙ୍କ ପ୍ରତି ବୃଦ୍ଧ ଆକୃଷ୍ଟ ହେବାକୁ ଲାଗିଲେ ।

ଦିନେ ମଦନବାବୁ ଗୁଡ଼ାଖୁ ଖାଉ ଖାଉ ଟିକିଏ କାଶି କହିଲେ, ‘‘ଆଚ୍ଛା, ବୀରେନ୍ଦ୍ର, ଆଜିକାଲିର ଏ ଚାକରଗୁଡ଼ାକ ବଡ଼ ବଢ଼ିଆ ହେଇଯାଉଛନ୍ତି । ନା ? ତୁମର ମତ କ’ଣ ?’’

ଏ ବିଷୟରେ ବୀରେନ୍ଦ୍ରଙ୍କର ବିଶେଷ କୌଣସି ମତ ନ ଥିଲା । ସେ ଏଥିପୂର୍ବରୁ ଚାକରବାକରଙ୍କ ବିଷୟରେ କିଛି ବିଚାରିନଥିଲେ, ଏପରିକି ନିଜ ଘର ଚାକରମାନଙ୍କ ବିଷୟରେ–କେତେଜଣ ଚାକର ଥାନ୍ତି, କେତେ ଦରମା ପା’ନ୍ତି, କ’ଣ କାମ କରନ୍ତି, କେତେ କରନ୍ତି, କିଛି ଖବର ରଖୁନଥିଲେ । ତାଙ୍କର ମା ଏତେ ଦିନଯାଏ ଏସବୁ ବୁଝୁଥିଲେ । ଏବେ ମା ମରିଯିବା ଦିନୁ କୁମୁଦିନୀ ସବୁ ଭାର ନେଇଛି । କୁମୁଦିନୀ ଚାକରମାନଙ୍କର ମାଲିକ, ବୀରେନ୍ଦ୍ର ନିଜ ଘରର ଯେଉଁ ଜଣେ ଅଧେ ଚାକରଙ୍କୁ ଚିହ୍ନିଥିଲେ, ସେମାନଙ୍କୁ ତାଙ୍କର ଚାକର ବୋଲି କହିବା ଠିକ୍‌ ହେବ ନାହିଁ । ସେମାନେ ଥିଲେ ତାଙ୍କର ବନ୍ଧୁ, ଗୁପ୍ତଚର–ନାନା ପ୍ରକାର ଆପତ୍ତିଜନକ କାର୍ଯ୍ୟରେ ସାହାଯ୍ୟକାରୀ । ଏମାନଙ୍କ ଉପରେ ନିଜର କର୍ତ୍ତୃତ୍ୱ ଜାରି କରିବା ତ ଦୂରର କଥା, ଏମାନଙ୍କୁ ସବୁବେଳେ ସେ ନାନାବିଧ ଉପାୟରେ ନିଜ ଉପରେ ଅନୁରକ୍ତ ରଖିବାକୁ ଚେଷ୍ଟା କରୁଥିଲେ ଏବଂ ଏମାନଙ୍କୁ ସବୁବେଳେ ଭୟ କରୁଥିଲେ ।

ସେ ଯାହା ହେଉ, ଚାକରମାନଙ୍କ ବିଷୟରେ ତାଙ୍କର ବିଶେଷ ଅଭିଜ୍ଞତା ଥାଉ ବା ନ ଥାଉ, ଚାକାରମାନଙ୍କ ଦୋଷ ଦେଖିବା ପରିପର୍ତ୍ତେ ସବୁବେଳେ ସେ ଚାକର ଜଣକେତେଙ୍କର ଭୟରେ ଥିଲେ ସୁଦ୍ଧା, ମଦନବାବୁ ପ୍ରଶ୍ନଟି ପଚାରିଦେବା ମାତ୍ରେ, ତାଙ୍କୁ ପ୍ରୀତ କରିବା ଉଦ୍ଦେଶ୍ୟରେ ସେ ତିଳେ ମାତ୍ର ବିଳମ୍ବ ନ କରି ଉତ୍ତର ଦେଲେ, ‘‘ଆଜ୍ଞା ଏ କଥା ପୁଣି ପଚାରୁଛନ୍ତି ? ମୁଁ ତ ପ୍ରାୟ ସବୁବେଳେ ଏହି କଥା ବିଚାରେ । ବାସ୍ତବିକ୍‌ ଆଜିକାଲି ଯୁଗରେ ଛୋଟଲୋକଗୁଡ଼ାକ ଉପରେ ମାଡ଼ିବସିଲେଣି । ଏ ଗାନ୍ଧିଙ୍କ ପ୍ରଭାବରେ ଭଲ ତ ଯାହା ହେବ ଆଗରୁ ଜଣାଯାଉଛି, ଲାଭ ଭିତରେ ଏତିକି ଯେ, ମଣିଷ ଆଉ ଟିକିଏ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିପାରୁନାହିଁ ।’’

ଗୁରୁଙ୍କୁ ଶିଷ୍ୟ ଟପିଗଲେ ! ମଦନବାବୁ ଚାକରଙ୍କ ଦୌରାତ୍ମ୍ୟ ବିଷୟରେ ଅନେକ ଦିନୁଁ ଭାରି ଦୃଢ଼ମତ ପୋଷଣ କରୁଥିଲେ ହେଁ ଏଥି ନିମନ୍ତେ ଗାନ୍ଧିଙ୍କୁ ଦୋଷିସାବ୍ୟସ୍ତ କରିବାକୁ ପ୍ରସ୍ତୁତ ନଥିଲେ । ସେ କହିଲେ, ‘‘ ନା, ଗାନ୍ଧିଙ୍କ ସଙ୍ଗେ ଏଥିରେ ସମ୍ବନ୍ଧ ଅଛି କି ନାହିଁ ସେ ବିଷୟରେ ମୁଣ୍ଡ ଘୁରାଇବାର ବିଶେଷ କିଛି ପ୍ରୟୋଜନ ନାହିଁ । ଆମେ ପଇସା ଖର୍ଚ୍ଚ କରି ଚାକର ରଖିଥାଇଁ, ଆମ ପଇସାର ଉପଯୁକ୍ତ ପ୍ରତିଦାନ ପାଇବା ଆମର ହକ୍‌ ଦାବୀ । ଏଥି ନିମନ୍ତେ କ’ଣ କରାଯାଇପାରେ କହିଲ ଦେଖି ?’’

କୌଣସି ମତରେ ହଁ ଭରିଦେବା ଯେତେ ସହଜ ଏବଂ ଶୀଘ୍ରସାଧ୍ୟ, କୌଣସି କାର୍ଯ୍ୟ ସାଧନ ପାଇଁ ଉପାୟ ଚିନ୍ତା କରିବା ସେତେ ସହଜ ନୁହେଁ; ବିଶେଷତଃ ବୀରେନ୍ଦ୍ରଙ୍କ ପକ୍ଷରେ ଏକାବେଳେ ଅସମ୍ଭବ । ସେ ଅଗତ୍ୟା ତୁନି ହୋଇ ରହିଲେ ।

ବୀରେନ୍ଦ୍ର ତୁନି ହେବାର ଦେଖି ମଦନବାବୁ କହିଲେ, ‘‘ମୁଁ ଗୋଟିଏ ଉପାୟ ସ୍ଥିର କରିଛି-। ଦୁଇ ଚାରି ଜଣ ବନ୍ଧୁଙ୍କ ଆଗେ କହିଲି, ସେମାନେ ହସରେ ଉଡ଼େଇଦେଲେ; ତୁମେ କ’ଣ ବିଚାରୁଛ କହିଲ ଦେଖି ! ଆମେ ଗୋଟିଏ ସମିତି ସ୍ଥାପନ କରିବା । ସେ ସମିତିର ନାମ ଦେବା ‘ଚାକର ଦମନ ସଭା’ । ମଦନବାବୁଙ୍କୁ ଉପହାସ କରିବା ବା ଅନ୍ୟ କୌଣସି ପ୍ରକାରେ ବିରକ୍ତ ନ କରିବା ପାଇଁ ପୂର୍ବରୁ ଦୃଢ଼ସଂକଳ୍ପ କରିଥିଲେ ହେଁ ‘ଚାକର ଦମନ ସଭା’ ନାମଟା ଶୁଣି ବୀରେନ୍ଦ୍ର ଅତର୍କିତ ଭାବରେ ଟିକିଏ ହସିପକାଇଲେ; କିନ୍ତୁ ପର ମୁହୂର୍ତ୍ତରେ ହସକୁ ଚାପିଦେଇ ଭାରି ଜିଜ୍ଞାସୁ ନୟନରେ ଚାହିଁରହିଲେ । ମଦନବାବୁ ଟିକି ଟିକି କରି ସଭାର ମେମ୍ବରମାନଙ୍କର ପ୍ରବେଶିକା ଫିସ୍‌ଠାରୁ ଆରମ୍ଭ କରି ଉଦ୍ଦେଶ୍ୟ ଏବଂ ଉଦ୍ଦେଶ୍ୟ ସାଧନର ପ୍ରଣାଳି ସବୁ ବର୍ଣ୍ଣନା କରିଗଲେ । ତାଙ୍କ କଥା ଶୁଣିଲା ପରେ ହସିବେ ସେମାନେ ବୀରନ୍ଦ୍ର କହିଲେ, ‘‘ଏ କଥା ଶୁଣି ଯେଉଁମାନେ ହସିବେ ସେମାନେ ନିର୍ବୋଧ ଅଥବା କୌଣସି କଥା ତତ୍ତ୍ୱରେ ବିଚାର କରି ଶିଖି ନାହିନ୍ତି । ଆପଣ ଯେଉଁ ପ୍ରସ୍ତାବଟି କରିଛନ୍ତି, ତାହା କାର୍ଯ୍ୟରେ ପରିଣତ ହୋଇଗଲେ ବର୍ଷକ ଭିତରେ ଉପହାସ କରିବା ଲୋକେ ସେମାନଙ୍କର ଭୁଲ୍‌ ବୁଝିପାରିବେ ।’’

ଏପରି ଜଣେ ଅନୁମୋଦକ ପାଇ ପ୍ରସ୍ତାବଟି ସତକୁ ସତ କାର୍ଯ୍ୟରେ ପରିଣତ ହେଲା । ମଦନବାବୁଙ୍କ ସଭାପତିତ୍ୱ ଏବଂ ବୀରେନ୍ଦ୍ରଙ୍କ ସଂପାଦକତ୍ୱରେ ପ୍ରଥମ ଅଧିବେଶନ ମଦନବାବୁଙ୍କର ବୈଠକଖାନାରେ ସୁସମ୍ପନ୍ନ ହେଲା । ଦୁଇ ଚାରି ଜଣ ବୁଢ଼ା ମୁକ୍ତ୍ୟାର ଏବଂ ଚାରି ପାଞ୍ଚ ଜଣ ଟୋକା ଓକୀଲ ପ୍ରଥମ ଅଧିବେଶନରେ ପାଞ୍ଚଟଙ୍କା ଲେଖାଏଁ ପ୍ରବେଶିକା ଫିସ୍ ଦେଇ ମେମ୍ବର ହେଲେ । ଚା ପାନ କରୁ କରୁ ସେହି ଚା ତିଆରି କରିଥିବା ଗରିବ ବିଚରା ଏବଂ ତା’ର ସମବ୍ୟବସାୟୀମାନଙ୍କର ସର୍ବନାଶକଳ୍ପେ ବଜ୍ରଗମ୍ଭୀର ସ୍ୱରରେ ମଦନବାବୁଙ୍କ ଉର୍ବର ମସ୍ତିଷ୍କରୁ ବତ୍କୃତା, ପ୍ରସ୍ତାବ ଏବଂ ନିୟମାବଳୀ ଅନର୍ଗଳ ବିନିର୍ଗତ ହେଲା । ଏ ନିୟମଗୁଡ଼ିକ କାର୍ଯ୍ୟରେ ପ୍ରୟୋଗ କରାହୋଇପାରିଥିଲେ ଅନ୍ତତଃ ଇହକାଳ ଚାକର ବିଚରାଙ୍କର ଗତି ଗୋତ୍ର ରହିନଥାନ୍ତା; କିନ୍ତୁ ଚାକରମାନେ ଆନନ୍ଦିତ ହେବାର କାରଣ ଏହି ଯେ, ପ୍ରସ୍ତାବିତ ବ୍ୟବସ୍ଥାସବୁ ଯେତେ କଠୋର ହେଉ ନା କାହିଁକି, ସେଗୁଡ଼ିକ କାର୍ଯ୍ୟରେ ପରିଣତ କରିବା ଏକାବେଳେ ଅସମ୍ଭବ ।

ପ୍ରଥମ ଅଧିବେଶନ ଶେଷରେ ମଦନବାବୁ ହୁକା ଗୁଡ଼ଗୁଡ଼ି ହାତରେ ଧରି ନିଜେ ଆଜି ଦେଶ ନିମନ୍ତେ ଓ ସମଗ୍ର ମାନବଜାତିର କଲ୍ୟାଣନିମନ୍ତେ ଯେ ମହତ୍‌ କାର୍ଯ୍ୟଟିର ସୂତ୍ରପାତ କରିଛନ୍ତି ପ୍ରଭୁ ଶ୍ରେଣୀର ସ୍ୱାର୍ଥରକ୍ଷା ନିମନ୍ତେ ଯେ ଉତ୍କୃଷ୍ଟ ଉପାୟରେ ସୂଚନା ଦେଇଛନ୍ତି, ସେହି ବିଷୟରେ ଚିନ୍ତା କରୁଛନ୍ତି; ବୀରେନ୍ଦ୍ର ପାଖରେ ବସି ପ୍ରସ୍ତାବ ଗୁଡ଼ିକ ଟାଇପ କରି ଭିନ୍ନ ଭିନ୍ନ ସ୍ଥାନମାନଙ୍କୁ ପଠାଇବାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ମଦନବାବୁ କାର୍ଯ୍ୟବ୍ୟସ୍ତ ବୀରେନ୍ଦ୍ରଙ୍କୁ ଚାହିଁ ମନେ ମନେ ବିଚାରିଲେ, ‘‘ବାସ୍ତବିକ୍‌ ବୀରେନ୍ଦ୍ର ଭାରି ଦେଶସେବୀ ଉତ୍ସାହୀ ଯୁବକ । ବୀରେନ୍ଦ୍ର ମନୋଯୋଗ କରିନଥିଲେ ଏ ପ୍ରସ୍ତାବଟି ପ୍ରସ୍ତାବରେ ହିଁ ରହିଯାଇଥାନ୍ତା ।’’ ବୀରେନ୍ଦ୍ର ‘ଚାକର ଦମନ ସଭା’ର ବୈଠକରେ ସଭାସଦମାନଙ୍କ ଉପହାସକୁ ଭ୍ରୂକ୍ଷେପ ନ କରି କହିଲେ, ‘‘ଏ ଚାକର-ଦମନ-ସଭାର ଭବିଷ୍ୟତ୍‌ ବିଷୟ ଚିନ୍ତାକଲାବେଳେ ବାସ୍ତବିକ୍‌ ମନରେ କି ଆନନ୍ଦ ଜାତ ହେଉଛି । ଯେଉଁ କାର୍ଯ୍ୟର ଭବିଷ୍ୟତ ଫଳ ମହତ୍‌, ତାହାର ଆରମ୍ଭରେ ଆଡ଼ମ୍ବର ନ ଦେଖି ସାଧାରଣ ଲୋକେ ପ୍ରଥମେ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ସୁତରାଂ ଆମ୍ଭମାନଙ୍କ ଏ ସଭାରେ ଆଜି ଏତେ ଅଳ୍ପ ଲୋକ ଉପସ୍ଥିତ; କିନ୍ତୁ ଦିନ ଆସିବ, ଯେତେବଳେ ଆମ୍ଭମାନଙ୍କ ଏ ସଭାର ପ୍ରତିଷ୍ଠାତା ମାନନୀୟ ମଦନବାବୁ, ଏହି ସଭାର ପ୍ରଥମ ସୂତ୍ରପାତ କରିଥିବା ହେତୁ, ଅମର ନାମ ଅର୍ଜନ କରିବେ । ତାଙ୍କର ପୁଣ୍ୟ ନାମ ପୃଥିବୀର ବଡ଼ ଲୋକମାନଙ୍କ ନାମ ସଙ୍ଗେ କୀର୍ତ୍ତିତ ହେବ । ’’

ବୀରେନ୍ଦ୍ରଙ୍କର ଏ କଥାଗୁଡ଼ିକ ମନେପଡ଼ିବାରୁ ମଦନବାବୁଙ୍କ ମନରେ ସମ୍ମୁଖରେ ବସିଥିବା ଯୁବକ ପ୍ରତି ସ୍ନେହର ମାତ୍ରା ବହୁଗୁଣ ବଢ଼ିଗଲା । ବାସ୍ତବିକ ବୀରେନ୍ଦ୍ର ଯେପରି ଲୋକ ଚିହ୍ନିପାରେ, ସେପରି ଆଉ କିଏ ଚିହ୍ନିବ ? ବୀରେନ୍ଦ୍ରଙ୍କର କୌଣସି ପ୍ରକାର ଉପକାର କରିପାରିଲେ ବଡ଼ ଭଲ ହୁଅନ୍ତା-ତାଙ୍କର ଆଜିକାର ଭାବ ଦୃଢ଼ ହୋଇ ସବୁଦିନେ ରହନ୍ତା ।

ତା’ପରେ-ତା’ପରେ ଚାରୁବାବୁଙ୍କ ସମ୍ପତ୍ତିର ବର୍ତ୍ତମାନ ଏକମାତ୍ର ମାଲିକ ବୀରେନ୍ଦ୍ରଙ୍କ ମୂଲ୍ୟ କନ୍ୟାପିତାମାନଙ୍କ ଆଗରେ ବଡ଼ କମ୍‍ ନୁହେ । ବୀରେନ୍ଦ୍ରଙ୍କୁ ଜାମାତା କରି ପାଇଲେ ତାଙ୍କୁ ଅନୁଗତର ଯଥାଯୋଗ୍ୟ ପୁରସ୍କାର ମିଳିବ ଏବଂ ସଙ୍ଗେ ସଙ୍ଗେ କଟକର ଦୁଇଟା ବଡ଼ ସମ୍ପତ୍ତି ଏକତ୍ରିତ ହୋଇଯିବ । ବୀରେନ୍ଦ୍ରଙ୍କ ଶ୍ୱଶୁର ବୋଲି ତାଙ୍କର ଖାତିର ଯେତେ ବଢ଼ିବ, ବୀରେନ୍ଦ୍ର ତାଙ୍କ ଜ୍ୱାଇଁ ରୂପେ ମଧ୍ୟ ସମସ୍ତଙ୍କ ଠାରୁ ସେତିକି ସମ୍ମାନ ପାଇବେ । ଗୋପାଳର ଧୃଷ୍ଟତା ମନେ ପଡ଼ିଗଲା । ମଦନବାବୁ ହସି ହସି କହିଲେ, ‘‘ ବୀରେନ୍ଦ୍ର, ତମେ ଏତେ ପରିଶ୍ରମ କାହିଁକି କରୁଛ, ବାବା ! କନକ ଏକୁଟିଆ କ’ଣ କରୁଛି, ଗଲ ଦେଖିବ !’’

ବୀରେନ୍ଦ୍ର ହର୍ଷୋଲ୍ଲାସରେ ‘ଚାକର ଦନମ ସଭା’ର କାଗଜପତ୍ର ଗୋଟିଆଗୋଟେଇ କରି ଫାଇଲରେ ବାନ୍ଧୁ ବାନ୍ଧୁ କହିଲେ, ‘‘ଆଜ୍ଞା, ପ୍ରଥମାବସ୍ଥାରେ ଟିକିଏ ନ ଖଟିଲେ ସଭାର କାର୍ଯ୍ୟରେ ଶୃଙ୍ଖଳା ହେବ ନାହିଁ । ଥରେ ଚାଲୁ କରିଦେଲା ପରେ ବେଶ୍‌ ଫୁର୍‌ସତ୍‌ ମିଳିବ ଯେ ।’’

ବୀରେନ୍ଦ୍ର ଏତିକି କହି କାଗଜପତ୍ର, ତରବରରେ ଯେପରି ସଜଡ଼ା ହୋଇପାରେ ସେପରି ଥୋଇ କନକ ପାଖକୁ ବାହାରିଲେ । ତାଙ୍କର ତପସ୍ୟା ପୂର୍ଣ୍ଣ ହେଲା । ସେ ଯେଉଁ ଉଦ୍ଦେଶ୍ୟରେ ବୃଦ୍ଧ ଆଡ଼ପାଗଲା ମଦନବାବୁଙ୍କ ଖିଆଲ ଆଗରେ ନତମସ୍ତକ ହୋଇଥିଲେ, ତା’ର ପୁରସ୍କାର ଆଜି ମିଳିଲା । ବୀରେନ୍ଦ୍ର ମନୁଷ୍ୟ ଚରିତ୍ର ଚିହ୍ନିବାରେ ବେଶ୍‌ ଅଭ୍ୟସ୍ତ; କିଏ କେଉଁ ଉପାୟରେ ବଶ ହେବ ସେକଥା ସେ ଜାଣନ୍ତି ଏବଂ ପ୍ରଥମ ଯୌବନରୁ ଆଜିଯାଏଁ ସେ ନାନା ଉପାୟରେ କେତେ ଯେ ନାରୀ ହୃଦୟ ଆକ୍ରମଣ କରି ଜିଣିଛନ୍ତି ତା’ର ସୁମାରି କରିବାର ପ୍ରୟୋଜନ ନାହିଁ । ପୁରୁଷ ହୃଦୟରେ ନିଜର ଶକ୍ତି ପ୍ରୟୋଗ କରିବା ତାଙ୍କର ଏହି ପ୍ରଥମ । କନକ ଉପରେ ମଦନବାବୁଙ୍କର କି ପ୍ରଭାବ ବୁଝିବା ସଙ୍ଗେ ସଙ୍ଗେ ସେ ମଦନବାବୁଙ୍କ ପ୍ରତି ଦୃଷ୍ଟି ପକାଇଲେ ଏବଂ ମଦନବାବୁଙ୍କ ହୃଦୟ-ଦୁର୍ଗର ଦୁର୍ବଳ ଅଂଶ ଚିହ୍ନିଯାଇ ସେ ସେହି ବାଟେ ନିଜର ପ୍ରଭାବ ମଦନବାବୁଙ୍କ ହୃଦୟ ଉପରେ ପକାଇବାକୁ ଲାଗିଲେ । ତାଙ୍କର ନିଜ ଶକ୍ତି ଉପରେ ବିଶ୍ୱାସ ଥିଲା । ସେ ଆଗରୁ ବୁଝିଥିଲେ, ମଦନବାବୁ ଦିନେ ନିଶ୍ଚୟ ଜାଲରେ ପଡ଼ିଯିବେ । କିନ୍ତୁ ଏତେ ଶୀଘ୍ର-? ଏତେ ଶୀଘ୍ର ତାଙ୍କ ଚେଷ୍ଟା ଫଳବତୀ ହେବ ବୋଲି ତାଙ୍କର ଆଶା ନ ଥିଲା । ଭାଗ୍ୟର କଥା, ମଦନବାବୁ କନକ ସଙ୍ଗେ ତାଙ୍କୁ ଆନନ୍ଦରେ ଛାଡ଼ିଦେବାକୁ ତାଙ୍କର ରାଜି ଜଣାଇଦେଲେ । ଏଥର କନକର ହୃଦୟ ଜିଣିବାକୁ ହେବ । ଜିଣି ତ ହେବ ନିଶ୍ଚୟ । ତେବେ ନ ହେଲେ ଚିନ୍ତା ନାହିଁ । ମଦନବାବୁଙ୍କ ଆଗେ କନକ ଯେ ନିଜର ନିଜତ୍ୱ ପ୍ରକାଶ କରିବ, ଏ କଥା ତ ଆଦୌ ସମ୍ଭବ ନୁହେ-

ଉପନ୍ୟାସକାରମାନେ ଯେଉଁ ପବିତ୍ର ପ୍ରେମ-ଆତ୍ମା ସଙ୍ଗେ ଆତ୍ମାର ମିଳନର ଉଲ୍ଲେଖ କରନ୍ତି–ସେ ପ୍ରେମ ବୀରେନ୍ଦ୍ରଙ୍କ ହୃଦୟରେ ବିଶେଷ ଭାବାନ୍ତର ଆଣିପାରେ ନାହିଁ, ତାଙ୍କ ପ୍ରେମରେ ଆଧ୍ୟତ୍ମିକତାର ସ୍ଥାନ ନାହିଁ । ନାରୀ ତାଙ୍କର ସମ୍ଭୋଗର ସାମଗ୍ରୀ । ସବୁ ନାରୀଙ୍କ ପ୍ରତି ତାଙ୍କ ପ୍ରେମର, ରୂପ ଓ ଛଟା ଭେଦରେ ପରିମାଣ ଟିକିଏ ଇତର ବିଶେଷ ହୁଏ; ମାତ୍ର କୌଣସିଠାରେ ସୁନ୍ଦରୀ ଯୁବତୀ ଦେଖିଲେ ସେ ଉତଲା ହୋଇପଡ଼ନ୍ତି ଏବଂ କଳେ ବଳେ କୌଶଳେ ନିଜର ସାଧ୍ୟାନୁସାରେ ତାକୁ ନିଜର ଭୋଗବସ୍ତୁ ରୂପେ ପାଇବାକୁ ଚେଷ୍ଟା କରନ୍ତି । ଏ ଲମ୍ପଟତା ଫଳରେ ତାଙ୍କୁ ଅନେକ ଥର ବିପନ୍ନ ହେବାକୁ ପଡ଼ିଥିଲା ଏବଂ ବିପଦରୁ ଉଦ୍ଧାର ପାଇବାକୁ ଯାଇ ନିଜର ପ୍ରଭୁତ ସମ୍ପତ୍ତି ଦେଖାଇ ପ୍ରଚୁର ଧାର ଉଧାର ନାନା ସ୍ଥାନରୁ କରିବାକୁ ହୋଇଥିଲା । ଲମ୍ପଟତା ବହୁ ବାଧା ବିଘ୍ନ ସତ୍ତ୍ୱେ ବିଢ଼ିଛି ଏବଂ ତହିଁ ସଙ୍ଗେ ସଙ୍ଗେ ଋଣଜାଲ ତାଙ୍କୁ ଘେରାଇ ସାରିଦେବାର ଉପକ୍ରମ କରିବା ଉପରେ ।

ଏହି ସମୟରେ କନକଙ୍କର ନବ ଯୌବନ ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା । ଦୃଷ୍ଟି ପଡ଼ିବା ସଙ୍ଗେ ସଙ୍ଗେ ଲାଳସା ହେଲା ଏବଂ ଲାଳସା ପଛକୁ ମନେ ହେଲା ଏଠାରେ ତ ଦୁଇଟା ଉଦ୍ଦେଶ୍ୟ ସାଧିତ ହୋଇପାରିବ । କନକଙ୍କୁ ଖାଲି ପାଲରେ ପକାଇବାର ଚେଷ୍ଟା ନ କରି ହାତ ଗଣ୍ଠିର ଉଦ୍ୟମରେ ରହିଲେ ସ୍ତ୍ରୀରତ୍ନ ଲାଭ ହେବ ଏବଂ ଯୌତୁକ ସ୍ୱରୂପ ମଦନବାବୁଙ୍କ ରାଜସମ୍ପତ୍ତିଟା ମିଳିଯିବ, କରଜ ଶୁଝିହୋଇଯିବ ଏବଂ ଦରକାର ପଡ଼ିଲେ ନୂଆ କରଜ କରିବାର ବାଟ ମଧ୍ୟ ସଫା ହୋଇଯିବ । ଏହି ଚିନ୍ତାରେ ବୀରେନ୍ଦ୍ର ତାଙ୍କ ଚତୁରତା ଅସ୍ତ୍ରରେ ସଂପୂର୍ଣ୍ଣ ସଜ୍ଜିତ ହୋଇ ଯୁଦ୍ଧରେ ମଦନବାବୁଙ୍କ ହୃଦୟ ଜୟ କରିବାକୁ ବାହାରିଥିଲେ । ଜୟ ବଡ଼ ସହଜରେ ହେଲା-। ଏହି ବିଜୟଗର୍ବରେ ସରସ ଚେହେରା ଧରି ସେ କନକଙ୍କ ପଢ଼ା ଘରେ ଯାଇ ପହଞ୍ଚିଲେ ।

ବୀରେନ୍ଦ୍ରଙ୍କ ଅଜ୍ଞାତ ରୋଗ ହେତୁ କନକଙ୍କ ନାରୀହୃଦୟ ତାଙ୍କ ପ୍ରତି ବଡ଼ ସଦୟ ହୋଇଥିଲା । ସେହି ଦିନୁ ବୀରେନ୍ଦ୍ରଙ୍କ ସଙ୍ଗେ ତାଙ୍କର ଯେତେ ଦେଖା ହୋଇଥିଲା, ସବୁବେଳେ ଦେହ ବିଷୟରେ ପ୍ରଶ୍ନ କରି କରି କନକ ତାଙ୍କୁ ବ୍ୟସ୍ତ କରି ଦେଉଥିଲେ । ଆଜି ମୁହଁରେ ସରସ ଭାବ ଦେଖି ହସି ହସି ସେ ପଚାରିଲେ, ‘‘ବୀରଭାଇ, ଦିହ ଆଜି କ’ଣ ଟିକିଏ ଭଲ ଜଣାଯାଉଛି ?’’

ବୀରେନ୍ଦ୍ର–ହଁ, ଆଜି ରୋଗର ଅନେକ ଉପଶମ ହୋଇଛି । ଆଜି ଜଣେ ଭଲ ଡାକ୍ତରଙ୍କ ପାଖକୁ ଯାଇଥିଲି । ସେ ଗୋଟାଏ ଔଷଧ ଦେଇଛନ୍ତି । ତା’ର ଫଳ ନିଶ୍ଚୟ ଭଲ ହେବ ।

କନକ–ସେ ଡାକ୍ତର କିଏ ? ତାଙ୍କ ପାଖକୁ ଏଥି ପୂର୍ବରୁ ଯାଇଥିଲେ ତ ବଡ଼ ଭଲ ହୋଇଥାନ୍ତା ।

ବୀରେନ୍ଦ୍ର–ଡାକ୍ତରଙ୍କ ଅନୁସରଣରେ ଅନେକ ଦିନୁ ଥିଲି । ଆଜି ସେ ଔଷଧର ବ୍ୟବସ୍ଥା କରିଛନ୍ତି ।

କନକ–ପାନକରେ ଯଦି ଏତେ ଭଲ ଫଳ ଜଣାଯାଉଛି, ନିଶ୍ଚୟ ଏଥିରେ ରୋଗ ଦୂର ହେବ । ଈଶ୍ୱର କରନ୍ତୁ, ତୁମେ କିପରି ରୋଗମୁକ୍ତ ହୁଅ । ମୁଁ ତୁମ ପାଇଁ ବଡ଼ ଚିନ୍ତିତ ଥିଲି ।

ବୀରେନ୍ଦ୍ରଙ୍କ ସରସତା ଆହୁରି ବଢ଼ିଗଲା । ସେ ତୁନି ତୁନି ହୋଇ କହିଲେ, ‘‘ମୋ ପାଇଁ ତମେ ଏତେ ଚିନ୍ତିତ କାହିଁକି କନକ ? ମୁଁ ତ ବିଚାରେ ମୋର କ୍ଷତିବୃଦ୍ଧିରେ କାହାରି କିଛି ଯାଏ ଆସେ ନାହିଁ ।’’ କନକ ହସି ହସି ଥଟ୍ଟାରେ ଉତ୍ତର ଦେଲେ, ‘‘ବାଃ, ତମେ ଆଜିକାଲି ଭାରି ଉଦାସୀନ ହୋଇଯାଉଛ ତ ?’’

ବୀରେନ୍ଦ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ କ୍ଷଣେ ତୁନି ରହିବା ପରେ କହିଲେ, ‘‘ଆଛା କନକ, ମୋ ବିଷୟ ତୁମେ କ’ଣ ବାସ୍ତବିକ୍‌ ବିଚାର ?’’

କନକ–ବା, ତୁମ ସଙ୍ଗେ ପିଲାଦିନୁ ପରିଚିତ । ମୁଁ ଇମିତି କ’ଣ ହୋଇଗଲିଣି ଯେ, ତୁମ ଦୁଃଖରେ ଟିକିଏ ସମବେଦନା ଅନୁଭବ ବି କରିପାରିବି ନାହିଁ ?

‘‘ତେବେ ମୁଁ ଯେତେ ହତଭାଗା ବୋଲି ନିଜକୁ ବିଚାରେ ତେତେ ନୁହେ’’ ବୋଲି କହି ବୀରେନ୍ଦ୍ର ହସି ହସି କନକ ଧରିଥିବା ବହିଖଣ୍ଡି ତାଙ୍କ ହାତରୁ କାଢ଼ିନେଇ ଦେଖିବାକୁ ଲାଗିଲେ । ବୀରେନ୍ଦ୍ର ସେ ବହିର ଗୋଟିଏ ପୃଷ୍ଠାକୁ ଚାହିଁ ଚାହିଁ ଅନେକ ସମୟ କଟାଇଲା ପରେ କନକ କହିଲେ, ‘‘ବୀର ଭାଇ, ଯାଅ, ଗାଧୋଇବ ବହୁତ ଡେରି ହୋଇଗଲାଣି ।’’

ଅନେକ ବେଳୁ ଯିବାକୁ ଇଚ୍ଛା କରୁଥିଲେହେଁ, କେବଳ ଉଦ୍ଦେଶ୍ୟ ସାଧନରେ ବ୍ୟାଘାତ ଘଟିପାରେ ବୋଲି ଆଶଙ୍କା କରି ବୀରେନ୍ଦ୍ର ଏତେ ବେଳେଯାଏ ବସିଥିଲେ । ବର୍ତ୍ତମାନ କହିବାରୁ ଅନିଚ୍ଛାର ବାହାନା କରି ଚୌକିରୁ ଉଠିଲେ ।

Image

 

ଆଠ

 

ବୀରେନ୍ଦ୍ର ଯିବା ପରେ କନକ ନିଜର ଖାଇବା ପିଇବା କାର୍ଯ୍ୟ ସାରି ଟିକିଏ ବିଶ୍ରାମ କରିବାକୁ ଗଲାବେଳକୁ ଉଦୁଉଦିଆ ଦିପହର ସମୟ । ବିଶ୍ରାମ ସମୟ ଟିକକ କେତେଦିନ ହେଲା ଭାରି କଷ୍ଟକର ହୋଇଯାଇଥିଲା । ପଢ଼ାପଢ଼ି ବେଳଟା ଯେକୌଣସିମତେ କଟିଯାଏ । ପଢ଼ାପଢ଼ି ବେଳେ କେତେ ଆଡ଼ୁ କେତେ କଥା ଆସି ମନେ ପଡ଼ିଯାଏ ସତ, ତେବେ ପରୀକ୍ଷାରୂପ ଆସନ୍ନ ବିପଦ ସଦାସର୍ବଦା ମନେଥିବାରୁ କନକ ସେଥି ନିମନ୍ତେ ଆତ୍ମରକ୍ଷାର ବାଟ ପରିଷ୍କାର କରିବା ଉଦ୍ଦେଶ୍ୟରେ ଅନିଚ୍ଛୁକ ମନକୁ ଟାଣି ଓଟାରି ବହିରେ ନେଇ ଲଗାନ୍ତି । କେହି ବନ୍ଧୁ ଆସି ପହଞ୍ଚିଗଲେ କଥା ଲହସରେ ସମୟଟା କଟିଯାଏ; ମାତ୍ର ବିଶ୍ରାମ ସମୟଟା ଚିନ୍ତା କରିବାର ଧରାବନ୍ଧା ଅବସର । ଖଟ ଓପରେ ଓପରକୁ ଚାହିଁ ପଡ଼ିଗଲା ମାତ୍ରେ ଗୋପାଳଙ୍କ କଥା ଆସି ସବୁଦିନ ଭଳି ମନକୁ ଅଧିକାର କରି ବସିଲା । ସେ କୁଆଡ଼େ ଚାଲିଗଲେ ? ତାଙ୍କର ଏଡ଼େ ହତାଦର ! ସେ ପରା ଭାରି ହୃଦୟ ଚିହ୍ନିପାରନ୍ତି ବୋଲି ଗର୍ବ କରନ୍ତି । କନକର ହୃଦୟଟା ଟିକିଏ ଜାଣିପାରିଲେ ନାହିଁ ? କାଗଜରେ ସେ ଯେଉଁ କଥାଟା ସେଦିନ ଲେଖିଦେଇଥିଲେ, ସେତିକିରେ ତାକୁ ଏକାବେଳେକେ ତ୍ୟାଗ କଲେ ! ଟିକିଏ ବୁଝିପାରିଲେ ନାହିଁ, ସେ ଚିଠିଟାଯାକ ସବୁ ମିଛ । ଚିଠି ଲେଖିବାବେଳେ ତା’ର ଥରଥର ହାତରୁ ହୃଦୟର ଭାବଟା ଜାଣିବା ତ ସହଜ ହୋଇଥାନ୍ତା ! ତା’ର ମୁହଁକୁ ଦେଖି ମୁହଁରେ ହୃଦୟର ଭାବ ଅଙ୍କିତ ହେବାର ଜାଣିପାରିଲେ ନାହିଁ ? ଯଦି ବା ଜାଣି ନ ପାରିଲେ, ଆଉ ଥରେ ଆସନ୍ତେ ନାହିଁ ! ଯଦି ସେ ପ୍ରକୃତରେ ସ୍ନେହ କରୁଥାନ୍ତେ, ତାହାହେଲେ ଏପରି ଟିକକ କଥାରେ କେବେ ଛାଡ଼ି ରହିପାରନ୍ତେ ଟି ? ତା’ର ହୃଦୟର ଭାବ ବଦଳାଇବା ନିମନ୍ତେ ଆଉ ଚେଷ୍ଟା କରିନଥାନ୍ତେ କି ? କନକଙ୍କ ହୃଦୟ ଅଭିମାନରେ ପୂର୍ଣ୍ଣ ହୋଇଗଲା । ସେ ପଣନ୍ତକାନିରେ ଆଖି ଦୁଇଟିକୁ ବାରମ୍ବାର ପୋଛିଲେ ।

କାନ୍ଦି କାନ୍ଦି ମନ ଟିକିଏ ସ୍ଥିର ହେଲା । କନକ ମନେ ମନେ କହିଲେ, ‘‘ସେ ଆଉ ଆସିଥିଲେ ବା କି ଫଳ ହୋଇଥାନ୍ତା ? ବାପା ତ କେବେ ତାଙ୍କର ମନୋବାଞ୍ଛା ପୂର୍ଣ୍ଣ କରାଇଦିଅନ୍ତେ ନାହିଁ । ବୃଥାରେ ଅପମାନ ପାଇଥାନ୍ତେ ସିନା !’’ ମୂଢ଼ା କନକ ! ବିଚାରିଛ ସେ ଅପମାନ ପାଇନାହାନ୍ତି ପରା ! ତୁମେ ତାଙ୍କ ହୃଦୟରେ ଯେଉଁ ନିଆଁ ସେ ଚିଠିରେ ଲଗାଇଦେଲେ, ତହିଁରେ ତୁମେ ବାପା ଯେ ଆହୁତି ଦେବାରେ ଅବହେଳା କରିନାହାନ୍ତି, ତାହା ତୁମର ଆଜିପର୍ଯ୍ୟନ୍ତ ଗୋଚରକୁ ଆସିନାହିଁ ପରା !

ବିଚଳିତ ମନର ସାନ୍ତ୍ୱନା ନିମନ୍ତେ କନକ ବଗିଚାକୁ ଆସି ଗୋଲାପଜାମୁଗଛ ଛାଇରେ ଥିବା ଚଉକି ଉପରେ ବସିପଡ଼ିଲେ । ଗଛଛାଇର ଚାରିପାଖେ ପଡ଼ିଥିବା ଉଦୁଉଦିଆ ଦି’ପହର ଖରା ଗଛଛାଇକୁ ଭ୍ରୂକୁଟି ଦେଖାଉଥାଏ । କନକଙ୍କ ଆଡକୁ ଚାରି ଦିଗରୁ ତାପ ରୂପ ହାତ ବଢ଼ାଉଥାଏ, କହୁଥାଏ, ‘‘ତୋର ହୃଦୟର ଅବସ୍ଥା ଯେପରି, ତୁ ମୋରି କୋଡ଼ରେହିଁ ଆଶ୍ରୟ ପାଇବାର ଯୋଗ୍ୟ । ହୃଦୟରେ ଯଦି ଏତେ ତାପ, ଛାର ମାଟିର ଆବରଣଟାକୁ ଥଣ୍ଡା ରଖିବାକୁ ଚେଷ୍ଟା କରୁଛୁ କାହିଁକି ?’’

ଗଛଛାଇରେ ସାନ୍ତ୍ୱନା ପାଇବାର ଚେଷ୍ଟା ବୃଥା ହେବାର ଦେଖି କନକ ପୁଣି ଘର ଭିତରକୁ ଯାଉଛନ୍ତି, ତାଙ୍କ ଦୃଷ୍ଟି ଆଉ ଗୋଟିଏ ଦୃଶ୍ୟ ଆଡ଼କୁ ଆକୃଷ୍ଟ ହୋଇଗଲା–ତାଙ୍କ ହରିଣ ଛୁଆକୁ ତାଙ୍କ କୁକୁର ମୋତି ଗୋଡ଼ୋଉଛି । ଦୌଡ଼ ହୋଇଛି, ଘରକୁ ଘେରି ରହିଥିବା ବଗିଚାର ଛୋଟ ରାସ୍ତାଟି । ଘର ଚାରିପାଖେ ପ୍ରାଣୀ ଦୁଇଟିକୁ ଦୌଡ଼ି ଆସିବାକୁ ପ୍ରାୟ ଦୁଇ ମିନିଟ୍‌ ଲାଗୁଥାଏ-। ଦୁଇ ମିନିଟ୍‌ରେ ଥରେ ଲେଖାଏଁ ତାଙ୍କ ପାଖଦେଇ ଯୋଡ଼ିକଯାକ ଧଇଁଯାଉଥାନ୍ତି, ହରିଣ ଛୁଆଟି ଆଗରେ, ମୋତି ପଛରେ–ମୋତିର ଗୋଜିଆ ମୁହଁଟି ହରିଣ ଛୁଆର ପଛଗୋଡ଼ ଯୋଡ଼ିକର ପ୍ରାୟ ଚାଖଣ୍ଡେ ଦୂରରେ । କନକଙ୍କର ସମସ୍ତ ଚିନ୍ତା ଦୂର ହୋଇଗଲା । ସେ ଏ କୌତୁକ ଦେଖିବାକୁ ଲାଗିଲେ । ଘର ଚାରିପାଖେ ପ୍ରାୟ କୋଡିଏ ଥର ପରିକ୍ରମା ସରିଲାଣି । ଛୁଆ ଯୋଡ଼ିକ ଠିକ୍‌ ଅଦୃଶ୍ୟ ହୋଇଛନ୍ତି, ଆଉ ମିନିଟ୍‌କ ବାଦ୍‌ ପୁଣି ଦେଖାଯିବେ । କନକ ନିର୍ନିମେଷ ଦୃଷ୍ଟିରେ ତାଙ୍କୁ ଅପେକ୍ଷା କରି ରହିଛନ୍ତି । ମିନିଟେ ଗଲା, ଦୁଇ ମିନିଟ୍‌-ତିନି ମିନିଟ୍‌-ପାଞ୍ଚ ମିନିଟ୍‌ ପରେ ଆଉ କନକ ସ୍ଥିର ହୋଇ ରହିପାରିଲେ ନାହିଁ । ଘରର ଚାରିପଟେ ଯାଇ ସେମାନଙ୍କୁ ଖୋଜୁ ଖୋଜୁ ଚାକର ବିନୁଆ କହିଲା, ‘‘ଦିଦି, ମୋର ଫାଟକଟା ବନ୍ଦ କରିବାକୁ ମନେ ହେଲା ନାହିଁ-। ଇଲାଗେ କୁକୁର ଗୋଡ଼ାଇଲା ଯେ ହରିଣଛୁଆଟି ଫାଟକବାଟେ ଦାଣ୍ଡକୁ ପଳେଇଗଲା । ମୁଁ ତା’ ପଛରେ ଖୁବ୍‌ ବାଟ ଗଲି, ଆଉ ଗୋଡ଼େଇପାରିଲି ନାହିଁ,ସେ କଚିରୀ ଆଡ଼େ ଯାଇଚିଭାରି ।’’

କନକ–ମୁଁ ତ ହରିଣଛୁଆ କୁଆଡ଼େ ଗଲା ପଚାରୁଛି, ତୁ ଫାଟକ ଦୁଆର କିମିତି ମେଲା ହେଲା କହୁଛୁ କାହିଁକି ? ବାପା ଏତକ ଶୁଣିଲା ମାତ୍ରେ କାମରୁ ତଡ଼ିଦେବେ ଯେ ।

କଥା ମୁହଁରୁ ନ ସରୁଣୁ ମଦନବାବୁ କୁଆଡ଼ୁ ଆସି ସେହିଠାରେ ପହଞ୍ଚିଲେ । ସେ ବୁଝିଗଲେ, କ’ଣ ଗୋଟାଏ ଘଟିଛି । କନକ ତାଙ୍କ ପ୍ରଶ୍ନକୁ ଅପେକ୍ଷା ନ କରି କହିଲେ, ‘‘ବାପା, ହରିଣଛୁଆଟା କୁଆଡ଼େ ଦାଣ୍ଡକୁ ପଳେଇଛି ।’’

ମଦନବାବୁ ବିରକ୍ତ ହୋଇ ପାଟିକଲେ, ‘‘ହରିଣଛୁଆ ହଜିଲା ବେଳକୁ ‘ବାପା, ହରିଣଛୁଆ ହଜିଛି ।’ ଚାକରବାକରଗୁଡ଼ାକ ଓପରେ ଟିକିଏ ନଜର ଦେବାକୁ ନାହିଁ । କିରେ ବିନୁଆ, ଫାଟକ ଦୁଆର ମେଲା କଲା କିଏ ?’’

ବାବୁଙ୍କ ଗର୍ଜନ ଶୁଣି ବିନୁଆ ନିଜର ଦୋଷ ସ୍ୱୀକାର କରିବା ଉଦ୍ଦେଶ୍ୟରେ ‘‘ବାବୁ, ମୋର ମନେ ପଡ଼ିଲା ନାହିଁ’’ ବୋଲି କହିବାକୁ ଯାଇ ଖାଲି ‘ବାବୁ’ କହୁ କହୁ ମଦନବାବୁ ସମ୍ଭାଳି ନ ପାରି ଗର୍ଜିଉଠିଲେ ‘‘ଏ ଚାକରଗୁଡ଼ାକ ସମସ୍ତେ ସମାନ । ଏହିକ୍ଷଣି ହଜାରେ ଆଳ ବାହାର କରିବ-। ମୁଁ ଇଆଡ଼େ ଯାଇଥିଲି, ସିଆଡ଼େ ଯାଇଥିଲି ଇତ୍ୟାଦି । ରଖ୍‌, ତୋ ବାବୁ ବାବୁ । ଗଲୁ ଯା ବୀରେନ୍ଦ୍ରକୁ ଡାକିଦେଲୁ ।’’

ମଦନବାବୁ ଘର ଭିତରକୁ ଗଲେ । ବିନୁଆ ବାବୁଙ୍କ ଆଖି ଆଗରୁ ଅନ୍ତତଃ ପାଞ୍ଚମିନିଟ୍‌ ବାହାରିଯିବାର ସୁବିଧା ପାଇ ଆନନ୍ଦରେ ବୀରେନ୍ଦଙ୍କ ଘରକୁ ଧାଇଁଲା । କନକ ବାପାଙ୍କ ଅଧୀରତା ଯୋଗୁଁ ବିନୁଆ ରକ୍ଷାପାଇବାରେ ଖୁସିହୋଇ ମୁଡ଼ୁକି ମୁଡ଼ୁକି ହସି ଠିଆ ହୋଇ ରହିଲେ । ହରିଣ ଛୁଆ ବିଷୟରେ ଏସବୁ ଭିତରେ ଟିକିଏ ଚିନ୍ତା ବି ଥାଏ ।

ବୀରେନ୍ଦ୍ର ବିନୁଆ ମୁହଁରୁ ମଦନବାବୁ ଡକେଇ ପଠେଇବାର କାରଣଟା ବୁଝିନେଇ, କନକର ହଜିଯାଇଥିବା ହରିଣଛୁଆଟି ଖୋଜିଆଣିବାର ସୁବିଧା ପାଇବା ଭାଗ୍ୟର କଥା ବୋଲି ବିଚାରି, ତରବରରେ ଖଣ୍ଡେ କାମିଜ ଗଳେଇପକେଇ ଆସିଲେ ।

ଫାଟକ ପାଖରେ କନକଙ୍କୁ ଦେଖି ବୀରେନ୍ଦ୍ର ଆଶା ଦେଇ କହିଲେ, ‘‘ହରିଣଛୁଆ ପାଇଁ ମନ ମାରିଦେଇଛ ପରା ! କିଛି ଚିନ୍ତା ନାହିଁ । କଟକର ଯେଉଁସ୍ଥାନରେ ଥିବ ସେଠାରୁ ଆଜି ବାହାର କରି ଆଣିବି । ମୁଁ ଥାଉଁ ଥାଉଁ ତୁମ ପ୍ରିୟ ଛୁଆଟି ହଜିଯିବ ନାହିଁ ।’’

କନକ ଈଷତ୍‌ ଲଜ୍ଜାରେ, ‘‘ନା, ସେଇଟା ସେପରି କିଛି ପ୍ରିୟ ନୁହେଁ - ତୁମେ କାହିଁକି ଗୁଡ଼ାଏ କଷ୍ଟ ପାଇବ’’ ବୋଲି କହି, ଘରଭିତରୁ ସାଇକଲଟା ଆଣିବାକୁ ଗଲେ, ଏବଂ ବୀରେନ୍ଦ୍ର ମଦନବାବୁଙ୍କୁ ଖାଲି ଦେଖାଟାଏ ଦେଇ ଦେଇ ସାଇକେଲ କନକ ବାହାର କରି ଆଣିବା ପୂର୍ବରୁ ବାହାରିଗଲେ ।

ବୀରେନ୍ଦ୍ର ନିଜ ଘରୁ ସାଇକଲ ନେଇ କଚେରୀ ହତା ଭିତରକୁ ଗଲାବେଳକୁ ହରିଣ ଛୁଆଟି କଚେରୀ ନିକଟସ୍ଥ ପଡ଼ିଆରେ ଠିଆ ହୋଇଛି । ଦି’ ଅଣା ପଇସା ସାହାଯ୍ୟରେ ଛୁଆଟି ଧରାଗଲା ଏବଂ କଚେରୀ ନିକଟରେ ଜଣେ ବନ୍ଧୁ ଘରେ ରଖାଗଲା । ବୀରେନ୍ଦ୍ରବାବୁ ସାଇକେଲ ଚଢ଼ି ମହାନଦୀକୂଳକୁ ଚାଲିଗଲେ । ସେ ସବୁଦିନ କାଠଯୋଡ଼ୀ କୂଳରେ ବୁଲନ୍ତି । ମାତ୍ର କନକ ବି କାଠଯୋଡ଼ୀ କୂଳରେ ବୁଲନ୍ତି । ଆଜି କନକଙ୍କ ଆଖିରେ ପଡ଼ିଲେ ସବୁ ବିଗିଡ଼ିଯିବ, ଏଥିପାଇଁ ସେ ମହାନଦୀ କୂଳକୁ ପଳାଇଲେ ।

ପରଦିନ ସକାଳ ଆଠଟା ବେଳେ, ବୀରେନ୍ଦ୍ର ଗୋଟିଏ ଶିକୁଳିରେ ହରିଣ ଛୁଆଟିକୁ ବାନ୍ଧ ମଦନବାବୁଙ୍କ ଫାଟକ ପାଖେ ଆସି ଡାକିଲେ । କନକ ସନ୍ଧ୍ୟା ତମାମ ଓ ରାତି ନଅଟା ପର୍ଯ୍ୟନ୍ତ ବୀରେନ୍ଦ୍ରଙ୍କ ଅପେକ୍ଷାରେ ଥିଲେ । ବୀରେନ୍ଦ୍ର ନ ଆସିବାକୁ ତାଙ୍କ ମନ ହରିଣଛୁଆ ବିଷୟରେ ବିଶେଷତଃ ବୀରେନ୍ଦ୍ରଙ୍କ ବିଷୟରେ ଚିନ୍ତିତ ଥିଲା । ସକାଳୁ ଉଠି ମଧ୍ୟ ସେ ସେହି ଚିନ୍ତା କରୁଥିଲେ । ହଠାତ୍‌ ବୀରେନ୍ଦ୍ରଙ୍କ କଣ୍ଠସ୍ୱର ଶୁଣି ସେ ଚାକରଙ୍କ ଅପେକ୍ଷା ନ ରଖି ନିଜେ ଯାଇ ଫାଟକ ଦୁଆର ଫିଟାଇଦେଲେ ଏବଂ ବୀରେନ୍ଦ୍ରଙ୍କ ହାତରେ ହରିଣ ଛୁଆଟି ଦେଖି ହସି ହସି ପଚାରିଲେ, ‘‘ଏ ତୁମକୁ ଖୁବ୍‌ କଷ୍ଟ ଦେଲା, ବୀର ଭାଇ !’’

ବୀରେନ୍ଦ୍ର–କଷ୍ଟ କ’ଣ ? ଅବଶ୍ୟ ଟିକିଏ ଖୋଜିବାକୁ ପଡ଼ିଲା, ମାତ୍ର ତୁମ ନିମନ୍ତେ ଆହୁରି ଅଧିକ କଷ୍ଟକୁ ମଧ୍ୟ ମୁଁ କଷ୍ଟ ବୋଲି ଗଣନ୍ତି ନାହିଁ । କାଲି ରାତିରେ ଆଉ ଟିକିଏ ଖୋଜିଥିଲେ ମିଳିଯାଇଥାନ୍ତା; ମାତ୍ର ଦଶଟା ପରେ ଆଉ କେଉଁଠାରେ ସନ୍ଧାନ ନ ପାଇ ଘରକୁ ଫେରିଥିଲି । ଯେଉଁଠାରେ କାଲି ଖୋଜା ବନ୍ଦ କରିଥିଲି, ସେହିଠାରୁ ଆଜି ଆରମ୍ଭ କଲି । ଘଣ୍ଟାକ ଭିତରେ ମିଳିଗଲା । ଛୁଆ ଖଣ୍ଡେ–ଘଣ୍ଟାକ ଭିତରେ ଯାଇ ବକ୍ସିବଜାର !

କନକ–ତେବେ ବିନୁଆ କ’ଣ କହୁଥିଲା କଚେରୀ ଆଡ଼େ ଯାଇଛି ବୋଲି ?

ବୀରେନ୍ଦ୍ର–ବିନୁଆ ଠିକ କହିଛି । ପ୍ରଥମେ ସେ କଚେରୀ ଆଡ଼େ ପଳେଇଥିଲା । ସେଠାରେ ଯୋଡ଼ାଏ ତିନିଟା କୁକୁର ତାକୁ ଗୋଡ଼େଇଲେ ଯେ, ସେ ମହମଦିଆ ବଜାର ବାଟେ କିଲାପଡ଼ିଆ ହୋଇ ବକ୍ସିବଜାର ପର୍ଯ୍ୟନ୍ତ ଚାଲିଗଲା । ସେଠାରେ ଜଣେ ଲୋକ ତାକୁ ଧରି ରଖିଥିଲା ।

କନକଙ୍କ ଆଖିରୁ ବୀରେନ୍ଦ୍ରଙ୍କ ଅଧ୍ୟବସାୟ ନିମନ୍ତେ ପ୍ରଶଂସା ଫୁଟି ଦିଶିଲା । ସେ କହିଲେ, ‘‘ମୁଁ କାଲି ସାଇକଲ ଆଣୁ ଆଣୁ ତୁମେ ଚାଲିଗଲ ।’’

ବୀରେନ୍ଦ୍ର–ସାଇକଲ ପାଇଁ କହିଥିଲି ସତ, ପୁଣି ବିଚାରିଲି ଚାଲିକରି ଯିବି । ଭଲ ହେଇଚି, ସାଇକଲ ଚଢ଼ି ଖୋଜିବା କାମ ହୋଇପାରିନଥାନ୍ତା । ଛାଡ଼ ସେ ସବୁ କଥା, ମାଲ ତ ମିଳିଲାଣି । ସାଇକଲରେ ଗଲି କି ଚାଲି କରି ଗଲି ସେଥିରେ କ’ଣ ଅଛି ? ମୁଁ ଯାଉଛି ଟିକିଏ ବିଶ୍ରାମ କରିବି ।

ବିଶ୍ରାମ କରିବାକୁ ଆଗେ ନ କହି ଏତେ ବେଳଯାଏ କଥାବାର୍ତ୍ତାରେ ତାଙ୍କୁ ଅଟକାଇ ରଖିବା ହେତୁ ଲଜ୍ଜିତ ହୋଇ କନକ ‘‘ହଁ, ଯାଅ, ଯାଅ’’ ବୋଲି କହିଲେ । ବୀରେନ୍ଦ୍ର ତାଙ୍କ କହିବା ଅନୁସାରେ ବିଶ୍ରାମ କରିବାକୁ ଗଲେ ।

ବୀରେନ୍ଦ୍ର ଏହି ଛୋଟ ହରିଣଛୁଆ ବ୍ୟାପାର ନେଇ କନକଙ୍କ ହୃଦୟରେ ଗୋଟାଏ ଖୁବ ବଡ଼ ଆସନ ଅଧିକାର କରି ବସିଲେ । ବୀରେନ୍ଦ୍ର ବାସ୍ତବିକ ତାଙ୍କୁ କେତେ ସ୍ନେହ କରନ୍ତି ! ତାଙ୍କର ଛାର ଗୋଟାଏ ହରିଣଛୁଆ ପାଇଁ ଦୁଇଦିନ ଧରି ସେ କେତେ ପରିଶ୍ରମ କରିଛନ୍ତି ! ତାଙ୍କ ଦୁର୍ବଳ ଦେହରେ ସେ ଦ୍ୱାର ଦ୍ୱାର ବୁଲି ହରିଣ ଛୁଆର ସନ୍ଧାନ ନେବାର ଚିତ୍ର ମନେ ମନେ ଅଙ୍କନ କରି କନକ ବାରମ୍ୱାର ବୀରେନ୍ଦ୍ରଙ୍କ ସ୍ନେହକୁ ଧନ୍ୟଧନ୍ୟ କଲେ । ଏ ସ୍ନେହ କାହିଁକି ? କିଛି ଦିନ ପୂର୍ବରେ ତ ବୀରେନ୍ଦ୍ର ଏପରି ନ ଥିଲେ । କନକଙ୍କ ସୁଗୋଲ ଗୋରା ମୁହଁଟି ଲଜ୍ଜାରେ ନାଲି ପଡ଼ିଗଲା । ଗୋପାଳ ମନେ ପଡ଼ିଗଲେ । କନକଙ୍କର ମନ ଭିତରେ କିଏ ଯେପରି କହିଲା, ‘‘ବୀରେନ୍ଦ୍ର ଓ ଗୋପାଳଙ୍କ ମଧ୍ୟରେ ତୁମକୁ କିଏ ବେଶି ସ୍ନେହ କରନ୍ତି, କନକ ? ଯେ ପଦେ କଥାକେ ତୁମକୁ ଛାଡ଼ି ଚାଲିଗଲା, ସେ ? ନା, ଯେ ତୁମଠାରୁ କିଛି ପ୍ରତ୍ୟାଶା ନ କରି ତୁମ ପାଇଁ ରାତିରେ ଦ୍ୱାରା ଦ୍ୱାରା ବୁଲିଛି ? ଯେ ତୁମକୁ ଗୋଡ଼ରେ ଫୋପାଡ଼ିଦେଲା ତାକୁ ହୃଦୟ ସିଂହାସନରେ ବସାଇଛ, ଆଉ ଯେ ତୁମ ପାଇଁ ଦିନ ନାହିଁ ରାତି ନାହିଁ ଖଟୁଛି, ତୁମର ଦୁଃଖ ଦୂର କରିବା ନିମନ୍ତେ ନିଜ ସୁବିଧା ଅସୁବିଧାକୁ ଭ୍ରୂକ୍ଷେପ କରୁନାହିଁ ତା’ ବିଷୟରେ ଟିକିଏ ସୁଦ୍ଧା ଚିନ୍ତା କରୁନାହିଁ !’’

Image

 

ନଅ

 

ଠିକ୍‌ ଯେଉଁଦିନ ଯେତେବେଳେ ଏହିପରି ଚିନ୍ତାରେ କନକଙ୍କ ହୃଦୟ-ସିଂହାସନରେ ଅଧିକାର ନିମନ୍ତେ ବୀରେନ୍ଦ୍ର ଗୋପାଳଙ୍କର ପ୍ରତୀଦ୍ୱନ୍ଦୀ ହେବାର ସୂତ୍ରପାତ ହେଲା, ସେହିଦିନ ଠିକ୍‌ ସେତିକି ବେଳକୁ ଗୋପାଳ ତାଙ୍କ ନିର୍ଜନ କୋଠରୀରେ ବସି କ’ଣ ବିଚାରୁଛନ୍ତି ।

ବାସ ସ୍ଥାନଟି ଜଗୁଆର ଯତ୍ନରେ ତିଆରି ହୋଇଛି । ଦୁଇଟି ମୁଣ୍ଡିଆ ଦୁଇ ଦିଗରୁ ଆସି ମିଳିତ ହୋଇ ଗୋଟିଏ କୋଣ ଉତ୍ପାଦନ କରିଛି । ସେହି କୋଣରେ, ମାତ୍ର ମୁଣ୍ଡିଆ ଦୁଇଟିର ମିଳନ ସ୍ଥାନରୁ ପ୍ରାୟ ଅଧପାଏ ବାଟ ଦୂରରେ ଗୋପାଳଙ୍କ ଘରଟି । ଘର ବୋଲି ବିଶେଷ କିଛି ନୁହେ–ଗୋଟାଏ ମାତ୍ର କୋଠରୀ ଅତି ବଡ଼ ନୁହେ କି ଅତି ଛୋଟ ନୁହେ । କୋଠରୀଟିର ଗୋଟିଏ କୋଣରେ ଖଣ୍ଡିଏ ଛୋଟ ଚାଳିଆ ହୋଇଛି । ତା’ରି ଭିତରେ ଗୋଟାଏ କିରାସିନି ଷ୍ଟୋଭ ଆଉ ଦୁଇ ଚାରି ଖଣ୍ଡି ଆଲୁମିନିଅମ ବାସନ । କୋଠରୀ ଭିତରେ ଗୋଟିଏ କୋଣରେ ଦୁଇ ଚାରିଟି ବସ୍ତାରେ ଚାଉଳ ଡ଼ାଲି ରଖା ହୋଇଛି । ଅନ୍ୟ ଗୋଟିଏ କୋଣରେ ଖଣ୍ଡିଏ ଟେବୁଲ, ତା ପାଖକୁ ଖଣ୍ଡିଏ ଟିଣ ଚଉକି, ଆଉ କାନ୍ଥକୁ ଲାଗି ଗୋଟିଏ ଖୋଲା ଆଲମାରିରେ ଗୁଡ଼ାଏ ବହିପତ୍ର । ଟେବୁଲଠାରୁ ପ୍ରାୟ ହାତେ ଦୁଇହାତ ଛାଡ଼ି ଖଣ୍ଡିଏ ସାଧା ଖଟ । ଖଟ ଓପରେ ଖଣ୍ଡିଏ ସତରଞ୍ଜି, ଆଉ ଖଣ୍ଡେ ତକିଆ ।

ଘରର ବାହାରେ, ଘର ଠାରୁ ଚାରି ଦିଗରେ ପ୍ରାୟ ଦୁଇଶହ ହାତ ଲେଖାଏଁ ଛାଡ଼ି ଗୋଟିଏ ବଡ଼ ପାଚିରି–ଖାଲି ପଥର ଢିମାରେ ତିଆରି । ଚକଟା ମାଟି ସିମେଣ୍ଟର କାର୍ଯ୍ୟ କରିଛି । ଖୋର୍ଦ୍ଧାର ମାଟି ସ୍ୱଭାବତଃ ଭାରି ଟାଣ । ତହିଁରେ ପୁଣି ଢିମା ପଥରଗୁଡ଼ାକ ଦେଖି ମନେ ହେଉଛି, ପାଚିରି ଓପରେ ନଡ଼ାଛାତ ନ ଥିଲେ ମଧ୍ୟ ବର୍ଷା ତାହାର କିଛି କ୍ଷତି କରି ପାରନ୍ତା ନାହିଁ ।

ବାଡ଼ି ଭିତରେ, ଘରର ଠିକ୍‌ ସମ୍ମୁଖରେ ଗୋଟିଏ ଛୋଟ ପୋଖରୀ । ପୋଖରୀରେ ଭଲ ଝର ପଡ଼ିଛି । ଖୁବ ପରିଷ୍କାର ପାଣି । ଜଗୁଆ ଓ ନିଧିଆଙ୍କ ଯୋଗୁ ପୋଖରୀଟି ଛୋଟ ବଡ଼ ମାଛରେ ପୂର୍ଣ୍ଣ । ଗୋଟିଏ ମାତ୍ର ଶତ୍ରୁ ନ ଥିବାରୁ ମରିବାର ପାଳି ପଡ଼ିବ ନାହିଁ ବୋଲି ଆନନ୍ଦରେ ଖେଳୁଛନ୍ତି ।

ଘରର ଚାରିପଟେ ବାଡ଼ ଭିତରଯାକ ନାନା ପ୍ରକାର ଫସଲ ହୋଇଛି । କେଉଁଠାରେ ବାଇଗଣ କିଆରୀଟାଏ, କେଉଁଠାରେ କୋଶଳା ଶାଗ କିଆରୀ ଗୁଡ଼ାଏ, କେଉଁଠାରେ ଅବା ଗୁଡ଼ାଏ କନ୍ଦମୂଳ ମନ୍ଦା–ଏହିପରି ଆଉ କେତେ । ଦେଖିଲେ ଜଣାଯାଉଛି ଘରର ମାଲିକ ନିଜର ସମସ୍ତ ଆବଶ୍ୟକ ଖାଦ୍ୟଦ୍ରବ୍ୟ ନିଜ ବାଡ଼ି ଭିତରୁ ଆଦାୟ କରି ଖାଇବା ବିଷୟରେ ଅନ୍ତତଃ ପୂର୍ଣ୍ଣ ସ୍ୱାଧୀନ ହେବାର ଚେଷ୍ଟାରେ ଅଛନ୍ତି ।

ଗୋପାଳ ଟେବୁଲ ଓପରେ ଭରା ଦେଇ ଚଉକିରେ ବସିଛନ୍ତି । ଏ ଗୋପାଳ ଆଉ କଟକର ‘ଗୋପାଳ ବାବ’ ନୁହନ୍ତି । ଗୋଟାଏ କିପରି ବଣୁଆ ହାବଭାବ ଦେହର ସମସ୍ତ ଅଂଶରେ ବ୍ୟାପି ରହିଛି । ନିଶଦାଢ଼ି ଗୁଡ଼ାକ ଖୁରର ଅଭାବରୁ ମୁହଁ ଓପରେ ଅନିଧିକାର ଚର୍ଚ୍ଚା କରି ବସିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଖୁବ୍‌ ଭଲ ହୋଇଛି । ବାବୁରି ବାଳ ଓ ଅଯତ୍ନ ରକ୍ଷିତ ଦାଢ଼ି ନିଶ ଭିତରେ ଗୋଟାଏ କିପରି ଶ୍ରୀ ଫୁଟି ଉଠିଛି । ଅନାବୃତି ଛାତି ଓ ବାହୁକୁ ଦେଖିଲେ ଜଣାଯାଉଛି, ଗୋପାଳଙ୍କ ସ୍ୱାଭାବିକ ବଳ ପରିଶ୍ରମ ଓ ମୁକ୍ତବାୟୁ ଯୋଗୁ ଉତ୍ତରୋତ୍ତର ବେଶ୍‌ ବୃଦ୍ଧି ପାଉଛି ।

ଟେବୁଲ ଉପରେ ଖଣ୍ଡିଏ ଖାତା ପଡ଼ିଛି । ସେ ଖଣ୍ଡ ଗୋଟିଏ ଇଂରେଜୀରେ ପ୍ରବନ୍ଧ ଖାତା-ଭିତରେ ଠାଏ ଠାଏ ନାଲି କାଳିରେ ସଂଶୋଧିତ ହୋଇଛି । ଗୋପାଳ ପୃଷ୍ଠା ପରେ ପୃଷ୍ଠା ଓଲଟାଉଥାନ୍ତି । ବେଳେବେଳେ ପୃଷ୍ଠା ଲେଉଟାଇବା ବନ୍ଦ କରିଦେଇ ଓପରକୁ ଚାହିଁ କ’ଣ ବିଚାରନ୍ତି । ତା’ପରେ ପୁଣି ପୂର୍ବପରି ଶୂନ୍ୟ ମନରେ ପୃଷ୍ଠା ଲେଉଟ ପାଲଟ ଚାଲେ । ପ୍ରାୟ ଅଧଘଣ୍ଟା ଗଲା । ଖାତା ବନ୍ଦ କରି, ସଯତ୍ନରେ ତାକୁ ଖଣ୍ଡିଏ କାଗଜଖୋଳ ଭିତରେ ଥୋଇ, ମେଲା ଆଲମାରିର ଥାକରେ ରଖୁ ରଖୁ ଗୁଣୁଗୁଣୁ ସ୍ୱରରେ କହିଲେ, ‘‘କନକ, ସଂଶୋଧନ କରି ସାରି ଫେରାଇଦେବି ବୋଲି କହି, ନ ଫେରାଇବାରୁ ଠକ ବୋଲି ବିଚାରୁଥିବ । ବିଚାର ପଛେ, ମୁଁ ଆଉ ଏଖଣ୍ଡ ଛାଡ଼ି ପାରିଲା ନାହିଁ । ଏ ଖଣ୍ଡ ମୋର ଏ ଅସରନ୍ତି ସମୟ କାଟିବାରେ ଯେ ସହାୟ ହୋଇଛି !’’

ଆଉ କ’ଣ ମନେ ପଡ଼ିଗଲା । ଟେବୁଲ ପାଖୁ ଉଠି ଆସି ବାରନ୍ଦାକୁ ବାହାରି ଗୋପାଳ ପାଚିରୀ ଆଡ଼କୁ ଚାହିଁଲେ । ଦୁଆର ଭିତରୁ ଶିକୁଳି ଦିଆ ହୋଇଛି । ଦୃଢ଼ଗତିରେ ଯାଇ ଶିକୁଳ ଫିଟାଇ ବାହାରକୁ ଚାହିଁଲା ବେଳକୁ ଜଗୁଆ ଗୋଟିଏ ବୁଦାରୁ କୋଳି ତୋଳୁଛି । ପାଖରେ ଜଗୁଆର କୁକୁର ଭୁତି ଠିଆ ହୋଇ ଦୂରର କୌଣସି ଜିନିଷକୁ ଶୁଙ୍ଘି ଜାଣିବାକୁ ଚେଷ୍ଟା କରିବା ଉଦ୍ଦେଶ୍ୟରେ ନାକଟାକୁ ସେହି ଦିଗରେ ଲମ୍ବାଇ ଦେଇଛି ।

ଗୋପାଳ ଦୁଆର ଫିଟାଇବାର ଦେଖି ଭୁତି ଲାଙ୍ଗୁଡ଼ ହଲାଇ ହଲାଇ ଶୁଙ୍ଘିବା କାର୍ଯ୍ୟଟା ଅନାବଶ୍ୟକ ବୋଲି ଛାଡ଼ିଦେଇ ଘର ଭିତରକୁ ପଶି ଆସିଲା । ଜଗୁଆ କୋଳି ତୋଳିବା ବନ୍ଦ କରୁ କରୁ କହିଲା, ‘‘ବାବୁ, ଶୋଇ ପଡ଼ିଥିଲା କି ? ମୁଁ ଆଜି ଯେତେ ଡ଼ାକିଲିଣି ।’’

ଗୋପାଳ ଲଜ୍ଜିତ ହୋଇ, ‘‘ମୋତେ ଶୁଭିଲା ନାହିଁ’’ ବୋଲି ଦୋଷ ସ୍ୱୀକାର କରି ପଚାରିଲେ, ‘‘କିରେ ଜଗୁଆ, ତୋ ବିଭାଘର ସରିଗଲା ?’’

 

ଜଗୁଆ ଲଜ୍ଜା ମିଶ୍ରିତ ଅଭମାନରେ ଉତ୍ତର ଦେଲା, ‘‘ହଁ, ସରିଲାଣି । ତମେ ତ ଗଲ ନାହିଁ ବାବୁ, ବୋଉ ଭାରି ବ୍ୟସ୍ତ ହେଲା । ବାହାଘର ଦିନ ସକାଳୁ ଭାରି ମନ ବ୍ୟସ୍ତରେ କହିଲା, ଯାହା ଯୋଗୁ ବାହାଘର ସେ ଏତେବେଳକୁ ବନସ୍ତ ଭିତରେ ବୁଲୁଥିବେ ।’’

ଗୋପାଳ–ତୁ ତାକୁ ବୁଝେଇ ଦେଲୁ ନାହିଁ, ଜଗୁଆ ! ମୁଁ ପରା କୁଆଡ଼େ ଯିବି ନାହିଁ ବୋଲି ନିୟମ କରିଛି ।

ଜଗୁଆ–ଏ ପୁଣି ଗୋଟାଏ କି ନିୟମ ? ଏଇ ବନସ୍ତଟାରେ ଥିବା ? ବାହା ତୋଳା ହେଲେ କ’ଣ ଇଠେଇଁ ହବ । ଆଉ କୁ ଗାଁକୁ ଯିବ ନାହିଁ ?

ଗୋପାଳ କିଛି ନ କହି ଅଜାଣତରେ ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇଲେ । ଜଗୁଆ ବାହାଘର କଥାଟା ପକାଇବା ଉଚିତ ହେଲା ନାହିଁ ପରା ବୋଲି ବିଚାରି ଦୁଃଖିତ ହେଲେ । ଅନ୍ୟ କଥା ପକାଇବାକୁ ଯାଇ ଜଗୁଆ ପ୍ରାର୍ଥନା କଲାପରି କହିଲା, ‘‘ବାବୁ, ମାସକେ ଥରକରୁ ବେଶି ନ ଆସିବାକୁ ଯୁ’ କଥା କରିଛ, ସେଇଟା ରଖନାହିଁ । ମୁଁ ଖାଲି ମାସକଯାକ କୁ‘ଦିନ ଆସିବି, କୁ‘ଦିନ ଆସିବି ହଉଚି ।’’

ଗୋପାଳ–ନାଇଁ ନାଇଁ, ସେ କଥା ହବ ନାହିଁ । ଜଙ୍ଗଲଟାକୁ ବେଶି ଆସିବା ଭଲ ନୁହେଁ-। ଏ ଜଙ୍ଗଲରେ ବାଘ, ଭାଲୁ ଅଛନ୍ତି । ମୁଁ ପ୍ରତିଦିନ ରାତିରେ ଶଦ୍ଦ ଶୁଣିଛି ।

କଥାଟାକୁ ଅବଜ୍ଞାରେ ଉଡ଼ାଇ ଦେଇ ଜଗୁଆ ହସି ହସି କହିଲା, ‘‘ଆମେ ପରା ଖୋର୍ଦ୍ଧା ମଣିଷ ବାବୁ ! ଆମର ବାଘକୁ ଡ଼ର ନାହିଁ । କଟକ ଲୋକଙ୍କୁ ବିଲୁଆ ମହାବଳ । ତମେ କଟକ ମଣିଷ ହୋଇ ଜଙ୍ଗଲରେ ରହିଚ, ଆଉ ମୁଁ ମାସକେ ତିନିଥର ଆସିପାରିବି ନାହିଁ ।’’

ଗୋପାଳ ପାଚିରିକି ଦେଖାଇ କହିଲେ, ‘‘ୟାକୁ ଡ଼େଇଁ କରି କୁ’ ବାଘ ମୋ’ ପାଖକୁ ଆସିବ, କହିଲୁ ? ବାଟର ଦି’ପାଖେ ତ ପାଚିରି ନାହିଁ । ଥାଉ ଥାଉ ସେ କଥା । ଚାଲ ବଗିଚାଟା ଦେଖିବୁ ଗଛସବୁ କିମିତି ବଢ଼ୁଛନ୍ତି ।’’

‘‘ହଉ ଟିକିଏ ରହ’’ ବୋଲି କହି ଜଗୁଆ ଗୋଟାଏ ଗଛମୂଳରେ ରଖାହୋଇଥିବା ଟୋକେଇଟାକୁ ଧରି ଗୋପାଳଙ୍କ ଘର ଭିତର ଆଡ଼କୁ ଚାଲିଲା । ପୁଣି କ’ଣ ଗୁଡ଼ାଏ ଆଣିଲୁଟି ବୋଲି ମଧୁର ଭର୍ତ୍ସନା ଦେଇ ଗୋପାଳ ତା’ ପଛେ ପଛେ ଗଲେ । ଟୋକେଇଟି ଭିତରୁ ହଳଦିଗୁଣ୍ଡାଠାରୁ ଆରମ୍ଭ କରି ପାଚିଲା କଦଳୀ, ଚିନି ପର୍ଯ୍ୟନ୍ତ କେତେ କ’ଣ ବାହାରିଲା । ଏସବୁ ଜଗୁଆ ମା’ ଗଲା ମାସ ତମାମ୍‌ ମନେ ପକେଇ ପକେଇ ଟୋକେଇ ଭିତରେ ସାଇତି ରଖିଥିଲା, ପଠେଇବାକୁ ।

ଶେଷରେ ଟୋକେଇ ଭିତରୁ ବାହାରିଲା ଗୋଟିଏ ଛୋଟ ଢାଳ । ଢାଳଟି ଦେଖି ଗୋପାଳ ବାସ୍ତବିକ ବିରକ୍ତ ହୋଇ ଚିତ୍କାର କଲେ । ‘‘ଏପରି ଘିଅଫିଅ ପଠେଇଲେ, ମୁଁ ତୋତେ ଆସିବାକୁ ମନାକରିଦେବି । ଆଉ ଯେତେ ଆସି ଡାକିଲେ ପାଚିରି ଦୁଆର ଫିଟିବ ନାହିଁ ।’’

ଜଗୁଆ ସେ କଥାରେ କର୍ଣ୍ଣପାତ ନ କରି ହସି ହସି ଢ଼ାଳ ଧରି ଠିଆ ହୋଇ କହିଲା ‘‘କାହିଁକି ଏପରି ହଉଚ ? କିଏ ଘିଅ ଆଣିଚି ଯେ ଏତେ ବିରକ୍ତ ? ଆସ ମୋ ସାଙ୍ଗରେ ।’’

ଗୋପାଳ ଢ଼ାଳ ଭିତରେ ଜିନିଷଟା କ’ଣ ବୁଝିପାରି ହସି ହସି ତା’ ପଛରେ ଚାଲିଲେ । ଜଗୁଆ ପୋଖରୀ କୂଳରେ ଯାଇ ଢାଳଟି ପାଣି ଭିତରେ ବୁଡ଼ାଉ ବୁଡ଼ାଉ ଫୁଟ୍‌କିନି ତା ଭିତରୁ ଗୋଟାଏ ଖୁବ୍‌ ବଡ଼ ଶେଉଳ ପାଣି ଭିତରକୁ ଚାଲିଗଲା । ପାଣି ଭିତରକୁ ବୁଡ଼ି ଯାଉଥିବା ମାଛଟିକ ଦେଖାଇ ଜଗୁଆ କହିଲା, ‘‘ଆସିଲାବେଳକୁ ନିଧିଆ ଏ ଜିନିଷଟି ମୋତେ ଦେଲା । ମୁଁ ନାହିଁ ନାହିଁ କରୁଥିଲି, ମାତ୍ର ତା କାନ୍ଦରେ ବାଧ୍ୟ ହୋଇ ଆଣିବାକୁ ପଡ଼ିଲା ।’’

ଗୋପାଳ–ସେ ଏତେ ମାଛ ଛାଡ଼ୁଛି କାହିଁକି ? ମୁଁ ଯଦି ଦିନେ ଦୁଇ ଦିନରେ ଗୋଟାଏ ଯୋଡ଼ାଏ ଲେଖାଏଁ ମାରୁନଥାନ୍ତି, ତାହାହେଲେ ପୋଖରୀଟା ଏତେବେଳକୁ ପୂରି ଯାଆନ୍ତାଣି ।

ଜଗୁଆ ଉତ୍ତର ଦେଲା, ‘‘ମାସକେ ତ ଗୋଟାଏ ମାଛ ଆଣିଲି, ପୋଖରୀ ପୂରିବ କିମିତି ମ ?’’

ଗୋପାଳ–ଆଜି ସିନା ଗୋଟାଏ ଆଣିଲୁ, ପ୍ରଥମେ ଯେ ପ୍ରତି ଦିନ ଶହ ଶହ ଆସୁଥିଲା, ସେ କଥା ଆଉ ମନେ ନାହିଁ ପରା ?

ଜଗୁଆ ଏଥିକୁ କିଛି ଉତ୍ତର ନ ଦେଇ ଘର ଆଡ଼କୁ ମୁହାଁଇଲା । ଘରେ ଢ଼ାଳଟି ଥୋଇ ଦେଇ ଦୁଇ ବନ୍ଧୁ ବଗିଚାରେ ବୁଲିଲେ । ଜଗୁଆ ଶାଗ କିଆରୀରୁ ଘାସଟାଏ, ବାଇଗଣ ବାଡ଼ିରୁ ପୋକଖିଆ ପତ୍ରୁଟାଏ, ଏହିପରି ସଂସ୍କାର କରୁ କରୁ ଗାଁର ଖବର, ତା’ ଶୁଣିବା ବାହାର ଖବର ଅନର୍ଗଳ ଗପିଗଲା ।

ସନ୍ଧ୍ୟା ଆଉ ଟିକିଏ ଗଲେ ହେବ । ଗୋପାଳ ଜିଦ୍‌ ଧଇଲେ ଜଗୁଆ ଫେରିଯିବାକୁ । ରାତିଟାଏ ତାଙ୍କ ସଙ୍ଗେ ରହିବାକୁ ଜଗୁଆ କେତେ କାକୁତି ମିନତି କଲା; ମାତ୍ର ଗୋପାଳ ସେଥିରେ ନ ଭୁଲି ତା ମୁଣ୍ଡରେ ବୋଝୁଟି ଦେଇ ଆଗେ ଆଗେ ବାହାରି କହିଲେ, ‘ଆସ’ । ଜଗୁଆ ବାଧ୍ୟ ହୋଇ ବାହାରିଲା । ଗୋପାଳ ମନା ନ ମାନି ଅଧମାଇଲ ଦୂରରେ ଥିବା ସଡ଼କ ପର୍ଯ୍ୟନ୍ତ ତାକୁ ଛାଡ଼ିବାକୁ ଗଲେ । ବିଦାୟ ଦେବା ପରେ ଘରକୁ ଫେରି ଦୀର୍ଘନିଃଶ୍ୱାସ ମଧ୍ୟରେ ପାଚିରୀ ଦୁଆରିଟି ବନ୍ଦ କରି ବାସଗୃହକୁ ଗଲାବେଳକୁ ସନ୍ଧ୍ୟା ହୋଇଯାଇଛି । ଚନ୍ଦ୍ରକିରଣରେ ଦକ୍ଷିଣର ପର୍ବତ ଦୁଇଟିର ଚିକ୍‌କ’ଣ ହରିତ୍‌ଶୋଭାକୁ ଚାହିଁଲେ ସହଜରେ ଆଖି ଫେରନ୍ତା ନାହିଁ; ମାତ୍ର ଏ ସବୁ ଶୋଭା ମଧ୍ୟରେ ଗୋପାଳଙ୍କ ମନରେ କି ଘୋର ଅଭାବ, କି ଶୂନ୍ୟତା ! ସାଙ୍ଗରେ କନକ ଠିଆ ହୋଇଥିଲେ ସିନା ଏ ଶୋଭାଟା ଉପଭୋଗ୍ୟ ହୁଅନ୍ତା ! କନକ ପାଖରେ ଠିଆ ହୋଇଥିଲେ ଏ ନିର୍ଜନତା ତ ଏପରି ଅସହ୍ୟ ହୁଅନ୍ତା ନାହିଁ । ଏ ନିର୍ଜନ ଜଙ୍ଗଲ ଭିତରେ ରହି ସେ ସମାଜ ଛାଡ଼ିଦିଅନ୍ତେ, ଭବିଷ୍ୟତର ଉଜ୍ୱଳ ଚିତ୍ର ଓପରେ କାଳି ବୋଳିଦିଅନ୍ତେ । ପ୍ରକୃତି ସଙ୍ଗେ ମିଶିଯାଇ, ପ୍ରାକୃତିକ ନିର୍ମଳ ଶୋଭା ଅନୁଭବ କରୁ କରୁ ସଂସାରଲୀଳା ସାଙ୍ଗ କରିଦିଅନ୍ତେ । ଚାରିପାଖରେ ଜଙ୍ଗଲରେ ବୁଲି ବୁଲି ବଣ୍ୟ କୋଳି ସଂଗ୍ରହ କରୁ କରୁ ଭିନ୍ନ ଭିନ୍ନ ପଶୁପକ୍ଷୀଙ୍କ ଶବ୍ଦ ଚିହ୍ନୁ ଚିହ୍ନୁ ଦିନ କଟିଯାନ୍ତା । କନକ ରାତିରେ ସାଙ୍ଗରେ ଥିଲେ ରାତି ବାରଘଣ୍ଟା ଯାକ ବାର ମିନିଟ୍‌ ପରି ଲାଗନ୍ତା । କନକ ଅଭାବରେ ଦିନଟା କେଡ଼େ ବଡ଼ ଲାଗୁଛି, ରାତିଟା କେଡ଼େ ଅସରନ୍ତି ! ମାସକେ ଥରେ ଥରେ ଜଗୁଆ ଆସିବାରୁ ବାହାରେ ଲୋକ ଥିବାର ଜଣାଯାଉଚି । ଦିନଟି ଅଚିନ୍ତାରେ କଟି ଯାଉଚି ମାତ୍ର ବାକୀ ଅଣତିରଶ ଦିନଟି ଯାକ ଦିନ ରାତି ସମାନ, ଏକ ଅତି ଦୀର୍ଘ ନିର୍ଜନତା !

Image

 

ଦଶ

 

ବୀରେନ୍ଦ୍ରଙ୍କ ମୁହଁର ହର୍ଷଭାବ ଦେଖି ଜଣାଯାଉଥାଏ, ତାଙ୍କ ଉଦ୍ଦେଶ୍ୟସାଧନ ସୁନିଶ୍ଚିତ ! ମଦନବାବୁଙ୍କଠାରୁ କିଛି ଅଭୟ ବର ମିଳିଛି–ବୀରେନ୍ଦ୍ର ସେହି ବର ଓପରେ ନିର୍ଭର କରି ଭବିଷ୍ୟତ ଜୀବନ କଳ୍ପନାରେ ପୁଲକିତ ହେଉଛନ୍ତି । କଟକରେ ସେ ହେବେ ସବୁଠାରୁ ବେଶି ଭାଗ୍ୟବାନ୍‌–ସମସ୍ତେ ତାଙ୍କରି ଆଡ଼କୁ ଚାହିଁ କହିବେ ‘‘କଟକରେ ଏଇ ଏକା ଲୋକ ।’’ ତାଙ୍କ ପାଖରେ କନକଙ୍କୁ ଦେଖି କଟକର ଯୁବକମଣ୍ଡଳୀ ଈର୍ଷାରେ ପୋଡ଼ି ହୋଇ ମରିବେ । କଟକର ହତଭାଗ୍ୟ ଯୁବକମାନଙ୍କ ଶୋଚନୀୟ ଅବସ୍ଥା କଳ୍ପନାରେ ଦେଖି ସେ ନ ହସି ରହିପାରିଲେ ନାହିଁ ।

ଖାଲି ସେତିକି ନୁହେଁ । ସେ-ଯେ ସେଦିନ କହିଥିଲା–‘‘ଆପଣଙ୍କ ସଙ୍ଗେ ଆଉ ମୁହୂର୍ତ୍ତେ ସୁଦ୍ଧା କଟାଇବାକୁ ମୋର ଘୃଣା ହେଉଛି ।’’ ବିବାହ ଦିନ ସ୍ଥିର ହୋଇଥିଲା । ମାସକ ବାଦ ବାହାଘର । ସେ କୁଆଡ଼େ ତାଙ୍କ ନାଁରେ ଦୁର୍ନାମ ଶୁଣି ଘୃଣାରେ ତାଙ୍କୁ ଛାଡ଼ି ଚାଲିଯାଇଥିଲା । ଗଲାବେଳେ କହିଥିଲା, ‘‘ଯେଉଁମାନଙ୍କର ଯୁବତୀମାନଙ୍କ ସହିତ ଏହି ସମ୍ବନ୍ଧ, ସେମାନେ କିପରି ଯେ ଭଦ୍ରଲୋକ ଘରେ ଏପରି ନିଃସଙ୍କୋଚରେ ପଶିପାରନ୍ତି, ତାହାହିଁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।’’ ତା’ର ସେ କଥା, ସେ ଚାହାଣୀ ଆଜି ପର୍ଯ୍ୟନ୍ତ ପାସୋର ଯାଇନାହିଁ । କେବେ କିମିତି ତାର ମୁହାଁମୁହିଁ ପଡ଼ିଗଲେ ବୀରେନ୍ଦ୍ରଙ୍କ ମୁହଁ ଲାଜରେ ପୋଡ଼ିଗଲାପରି ଲାଗେ । ସେ, ତା’ର ପିତା, ଯେ କି ତା ସହିତ ଏ ଦୃଶ୍ୟ ପରେ ଅଭଦ୍ରତାର ଚରମ ନିଦର୍ଶନ ଚିଠି ଖଣ୍ଡ ଲେଖିଥିଲେ–ସେ ଦୁହେଁ ତାଙ୍କର ଏ ସୌଭାଗ୍ୟ ଦେଖି କ’ଣ ମନେ କରିବେ ? ତାଙ୍କ ଔଦ୍ଧତ୍ୟ ଦି’କଡ଼ାର ହୋଇଯିବ ନାହିଁ କି ? ବୀରେନ୍ଦ୍ର ମନେ ମନେ ସ୍ଥିର କଲେ - କନକ ସହିତ ବିବାହ ପରେ ଦିନେ ତାଙ୍କ ଘରକୁ ଯିବେ ଏବଂ ତାକୁ, ସେଇ ଯେ ସେଦିନ ଗୋଡ଼ରେ ଫିଙ୍ଗିଦେଇ ଚାଲିଯାଇଥିଲା–ତାକୁ କହିବେ, ‘‘ବର୍ତ୍ତମାନ ଦେଖ, ଯାହାର କଳଙ୍କ ସମ୍ବାଦ ଶୁଣି ତୁମେ ଅଯୋଗ୍ୟ ବୋଲି ଘୃଣାରେ ଛାଡ଼ି ଚାଲିଆସିଥିଲ, ସେହି କଳଙ୍କିତ ମୋତେ, ତୁମଠାରୁ ଶହେ ଗୁଣରେ ସୁନ୍ଦରୀ, ବରଣମାଳା ଦେଇଛି । ତୁମ ବାପା ମୋତେ ସେଦନି ଦୂର କରିଦେଇଥିଲେ; କିନ୍ତୁ ତୁମ ବାପାଙ୍କଠାରୁ ଦଶଗୁଣ ଧନୀ ମଦନବାବୁ ମୋତେ ତାଙ୍କ ସମ୍ପତ୍ତିର ଉତ୍ତରାଧକାରୀ କରିଛନ୍ତି ।’’ କଳ୍ପିତ ବିଜୟ ଉଲ୍ଲାସରେ ତାଙ୍କ ମଖମଣ୍ଡଳ ପୁଲକିତ ହୋଇ ଉଠିଲା ।

ପୁଣି ମନେ ପଡ଼ିଗଲା ତାଙ୍କର ସେ ବିସ୍ତର ଋଣର କଥା । ବିବାହ ଦିନ ଶେଷ ହେଉ ନ ହେଉଣୁ ସେ କନକଠାରୁ ତା’ପୋଷ୍ଟ ଅଫିସ ସଞ୍ଚିତ ଟଙ୍କାର ଖାତା ମାଗିବେ । ତାକୁ ବାଧ୍ୟ କରି ଦସ୍ତଖତ କରାଇ ପୋଷ୍ଟ ଅଫିସରୁ ଟଙ୍କା କାଢ଼ି ଋଣଗୁଡ଼ାକ ଶୁଝିନେବେ ଏବଂ ତାଙ୍କ ଗୁପ୍ତ ରହସ୍ୟ ସବୁ ଯେଉଁମାନେ ଜାଣନ୍ତି ତାଙ୍କୁ ପ୍ରଚୁର ପୁରସ୍କାର ଦେଇ କୌଣସିମତେ କଟକରୁ ଅନ୍ତର କରିବେ–ନିଜକୁ ନିରାପଦ ରଖିବେ । ଯେଉଁ ପୁଲିସବାଲାମାନେ ତାଙ୍କ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରିବାକୁ ଖୋଜି ହେଉଛନ୍ତି, ତାଙ୍କୁ ଆହୁରି ଟିକି ଭଲ କରି ବୋକା ବନେଇଦେବେ । ନିଜର ଚତୁରତାରେ ସେ ନିଜେ ବେଶ୍‌ ମଜା ଅନୁଭବ କଲେ ।

ଏହିପରି ନାନା ଚିନ୍ତା ମଧ୍ୟରେ ଯାଇ ମଦନବାବୁଙ୍କ ଫାଟକ ମେଲାଇଦେଲାବେଳକୁ ସେ ଦେଖିଲେ, ବାବୁ ବଗିଚାରେ ପଦାଚାରଣ କରୁଛନ୍ତି । ମଦନବାବୁଙ୍କ ଆଖି ବୀରେନ୍ଦ୍ରଙ୍କ ଉପରେ ପଡ଼ିଲା । ବୀରେନ୍ଦ୍ର ଯାଇ ଭାବୀ ଶ୍ୱଶୁରଙ୍କ ନିକଟରେ ଠିଆ ହେଲେ । ବୃଦ୍ଧ ବୀରେନ୍ଦ୍ରଙ୍କ ହର୍ଷୋତ୍‌ଫୁଲ୍ଲ ମୁଖ ଦେଖି ତାଙ୍କ ସମ୍ପତ୍ତିର କଳ୍ପନା କରି ମନେ ମନେ ସନ୍ତୁଷ୍ଟ ହୋଇ କହିଲେ, ‘‘କନକ ସଙ୍ଗେ କଥାବାର୍ତ୍ତା ହେଇଛ ବାବା ?’’ ବୀରେନ୍ଦ୍ର ଟିକିଏ ଲଜ୍ଜିତ ହୋଇ ଉତ୍ତର ଦେଲେ ‘‘ନା, କାଲି ଆପଣଙ୍କଠାରୁ ଗଲାବେଳକୁ ବହୁତ ରାତି ହୋଇଯାଇଥିଲା ।’’

ମଦନବାବୁ–ଆଚ୍ଛା, ଏଇଲାଗେ କହ । ତରବରରେ ବିଶେଷ କିଛି ପ୍ରୟୋଜନ ନାହିଁ । କନକ କୁମୁଦିନୀ ସାଙ୍ଗେ ବୁଲି ଯାଇଛି ବୋଧହୁଏ ।

ବୀରେନ୍ଦ୍ର କନକର ଆଗମନ ପ୍ରତୀକ୍ଷାରେ ତା’ର ପଢ଼ାଘରକୁ ଅଗ୍ରସର ହୁଅନ୍ତେ, ମଦନବାବୁ ତାଙ୍କୁ ପୁଣି ପାଖକୁ ଡାକି କହିଲେ, ‘‘ବାବା, ମୁଁ ତୁମକୁ କାଲି କହିଛି, ମୋ ମତରେ କନକ ବାଧା ଦେଲେ ସେ ବାଧା ରହିବ ନାହିଁ । ମୋର କନ୍ୟାକୁ ମୁଁ ସତ୍‌ପାତ୍ରରେ ଦେବାର ଅଧିକାର ଈଶ୍ୱରଙ୍କଠାରୁ ପାଇଛି । ତେବେ ବାବା ! ଆମ ସମାଜରେ କନ୍ୟାର ସମ୍ମତି ନେବା ପ୍ରଥାଟି ଚଳି ଆସିଲାଣି । କନକ ଯଦି ତୁମକୁ ନିଜେ ଗ୍ରହଣ କରେ, ତେବେ ସବୁ ଗୋଳ ମେଣ୍ଟିଯିବ-। ଯାଅ ବାବା, କାର୍ଯ୍ୟରେ ସଫଳ ମନୋରଥ ହୁଅ ।’’

ବୀରେନ୍ଦ୍ର କନକର ପଢ଼ାଘର ଚଉକିରେ ଯାଇ ବସିଲେ । ଚଉକି ଆଗରେ ଟେବୁଲ ଓପରେ ଖଣ୍ଡିଏ ବହି ଖୋଲା ହୋଇ ପଡ଼ିଛି । ବୋଧହୁଏ କାଲି ରାତିରେ ଏ ଖଣ୍ଡ ପଢ଼ା ହେଉଥିଲା-। ବସୁ ବସୁ କେତେ ଚିନ୍ତା ଆସି ମନେ ପଡ଼ିଗଲା । କନକ ସତେ କ’ଣ ନାହିଁ କରିଦେବ-? ନାହିଁ କରିବାର କିଛି ଲକ୍ଷଣ ତ ଦେଖାଯାଇନାହିଁ । କନକ ଆଗରେ କୌଶଳରେ ଏ କଥା ଉତ୍‌ଥାପନ କଲେ ତା’ ମୁହଁ ଲାଜରେ ନାଲି ପଡ଼ିଯିବା କଥା, ସେ ଥରେ ଅଧେ ଦେଖିଥିବାର ମନ ପକେଇ ଆଶ୍ୱସ୍ତ ହୋଇ ଗୋଟିଏ ନିଃଶ୍ୱାସ ମାଇଲେ । ପୁଣି ମନେ ପଡ଼ିଗଲା, କନକ ତାଙ୍କ ସଙ୍ଗେ କଥାବାର୍ତ୍ତା ହେଲାବେଳେ ଭାରି ଉଦାସୀନ ଜଣାଯାଏ । ଏ ଉଦାସୀନତା କାହିଁକି ? ଆଉ କ’ଣ କିଏ ତାଙ୍କର ପ୍ରତିଦ୍ୱନ୍ଦୀ ଅଛି ? ଅସମ୍ଭବ ! କନକ କ’ଣ ଏଡ଼େ ମୂର୍ଖ ଯେ ତାଙ୍କ ପ୍ରତିଦ୍ୱନ୍ଦୀ ବୋଲି ଆଉ କାହାକୁ ଗଣିବ ? ନିଶ୍ଚୟ ଏ ଉଦାସୀନତାଟା ତାଙ୍କ ନିଜର ଭ୍ରମ । କନକ ଟିକିଏ ଗମ୍ଭୀର । ଗାମ୍ଭର୍ଯ୍ୟକୁ ସେ ଉଦାସୀନତା ବୋଲି ଭୁଲ କରିଛନ୍ତି ।

କନକ ଫେରିଲେ । ବୁଲି ଯାଉ ଯାଉ କୁମୁଦିନୀଠାରୁ ବୀରେନ୍ଦ୍ରଙ୍କ କଥା ଶୁଣି କନକ ସ୍ଥିର କରିଥିଲେ, ଗୋପାଳ ତାଙ୍କ ହୃଦୟ-ସିଂହାସନ ଅଧିକାର କରିଥିଲେ ହେଁ, ଅନ୍ତତଃ ବୀରେନ୍ଦ୍ରଙ୍କ ନିମନ୍ତେ ତାଙ୍କୁ ସିଂହାସନଚ୍ୟୁତ କରିବାକୁ ହେବ । ତାଙ୍କ ନିମନ୍ତେ ଯେ ଏତେ ଚିନ୍ତିତ, ତାଙ୍କ ଅଭାବରେ ଯାହାଙ୍କର ଏତେ ଦୁଃଖ, ତାଙ୍କୁ ପାଇବା ପାଇଁ ସେହି ବୀରେନ୍ଦ୍ରଙ୍କର ଅଧିକାର ଖୁବ୍‌ ବେଶି ।

କନକ ପଢ଼ାଘରେ ବୀରେନ୍ଦ୍ରଙ୍କୁ ଦେଖି, ଟିକିଏ ଲଜ୍ଜିତ ହୋଇ ବସି ପଡ଼ିଲେ । କନକଙ୍କୁ ଦେଖି ବୀରେନ୍ଦ୍ରଙ୍କୁ ଦେଖି ବୀରେନ୍ଦ୍ରଙ୍କର ଆଶାର ସଞ୍ଚାର ହେଲା । ସେ କନକଙ୍କ ଆଡ଼କୁ ଲୋଲୁପ ଦୃଷ୍ଟି ପକାଇ କହିଲେ, ‘‘କନକ, ମୁଁ ତୁମକୁ ଆଜି ଘଣ୍ଟାଏ ହେଲା ଅପେକ୍ଷା କରି ବସିଛି ।’’

କନକ ବୋଧହୁଏ ଅପେକ୍ଷା କରିବେର କାରଣଟା ବୁଝି ତୁନି ହୋଇ ରହିଲେ ।

ବୀରେନ୍ଦ୍ର ଆହୁରି ଆଶାୟୀ ହୋଇ କହିଗଲେ, ‘‘କନକ, ଆଜି ତୁମକୁ ଏଠାରେ ଅପେକ୍ଷା କରି ବସିଛି, ମାତ୍ର ଏ ଅପେକ୍ଷା କିଛି ନୁହେ । ଛ’ମାସ ହେଲା ପ୍ରତି ମୁହୂର୍ତ୍ତ, ମୋ’ ଶୁଷ୍କପ୍ରାଣ ତୁମରି ଅପେକ୍ଷାରେ ଉତ୍‌କଣ୍ଠିତ ହୋଇଛି । ତୁମରି ଆଶାରେ ଏ ଜୀବନ ଅଛି । ନ ହେଲେ ଅନେକ ଦିନୁ ଏ ସଂସାର ତ୍ୟାଗ କରିସାରନ୍ତିଣି । ମାତ୍ର ଆଜି ପର୍ଯ୍ୟନ୍ତ ତୁଣ୍ଡ ଫିଟାଇ କିଛି କହିବାକୁ ସାହସ କରିନଥିଲି, ତୁମର ଯୋଗ୍ୟ ମୁଁ ନୁହେଁ ବୋଲି । ଆଜି ଯେ ମୁଁ ତୁମର ଯୋଗ୍ୟ ହୋଇଛି, ତା’ ନୁହେଁ; ମାତ୍ର ଆଉ ସ୍ଥିର ହୋଇ ଅପେକ୍ଷା କରିବା ଅସହନୀୟ ହୋଇ ଉଠିଲା ।’’

କନକ କିଛି ନ କହି ନଖରେ ଟେବୁଲ ଉପରେ ଗାରେଇବାକୁ ଲାଗିଲେ ।

ବୀରେନ୍ଦ୍ର–ତେବେ କ’ଣ ମୋର ଆଶା ବୃଥା କନକ ! ତେବେ କ’ଣ ନିରାଶାରେ ଏ ଜୀବନକୁ କଟାଇବାକୁ ପଡ଼ିବ ? ତେବେ କ’ଣ ଦିନ ନାହିଁ ରାତି ନାହିଁ ସବୁବେଳେ ତୁମରି ଚିନ୍ତାରେ ମରିବାକୁ ହେବ ?

ବୀରେନ୍ଦ୍ର କଥାଟାକୁ ଏପରି ନାଟକୀୟ ଛଟାରେ କହିଲେ, ସ୍ୱରକୁ ଥରାଇ ମନର ଆବେଗ ସ୍ୱରରେ ଏପରି କୌଶଳରେ ପ୍ରକାଶ କଲେ ଯେ, କନକ ତାଙ୍କ ମୁହଁକୁ ଆଖି ଟେକି ଉତ୍ତର ଦେଲେ, ‘‘ମାତ୍ର ବାପା–’’

ବୀରେନ୍ଦ୍ରଙ୍କ ସମସ୍ତ ଆବେଗ ଦୂର ହୋଇଗଲା । ସେ ଉତ୍ସାହିତ ହୋଇ କହିଲେ, ‘‘ଖାଲି ବାପା ତ ? ଯଦି ମୋତେ ଗ୍ରହଣ କରିବାରେ ଏତିକି ମାତ୍ର ଅସୁବିଧା, ତେବେ ବାପାଙ୍କ କଥା ମୋତେ ଲାଗିଲା । ଆଗି ବାପା ମୋତେ କହିଛନ୍ତି ‘କନକ ମତ ଦେଲେ ହେଲା ।’’

ବାପା କ’ଣ ତେବେ ସତେ ତାଙ୍କ ମତ ଉପରେ ନିର୍ଭର କରନ୍ତି ? ଅଭିମାନ ଏବଂ ଆନନ୍ଦରେ କନକଙ୍କ ଆଖିକୁ ଲୁହ ଆସିଲା । ସେ ବଗିଚା ଆଡ଼କୁ ମୁହଁ କରି କ’ଣ କେତେ ଚିନ୍ତା କଲେ ।

ଗୋପାଳ ମନେ ପଡ଼ିଗଲେ; ମନେ ପଡ଼ିଗଲା ତାଙ୍କ କଥା । ସେ ତ ଆଜି ବୀରେନ୍ଦ୍ର ଯେପରି କହୁଛନ୍ତି, ସେହିପରି ଦିନେ କହିଥିଲେ । ଏତେ ହବ ନାହିଁ ପରା ? ତେବେ ଏଇଭଳି କେତେ କଥା । ମାତ୍ର ତାଙ୍କ କଥାର ଜୋର, ତାଙ୍କ ପ୍ରେମର ବଳ, ଖଣ୍ଡେ କାଗଜରେ ସେ କ’ଣ ଦି’କଥା ଲେଖିଦେଲେ, ତାକୁ ବଳି ଉଠିପାରିଲା ନାହିଁ ! ଗୋପାଳ ଯଦି ତାଙ୍କୁ ପ୍ରକୃତ ଭଲ ପାଇଥାନ୍ତେ, ତାହାହେଲେ ଏତେ ଅଳ୍ପକେ ଛାଡ଼ି ଚାଲିଯାଇଥାନ୍ତେ କି ? ମନ ହେଲା, ବୀରେନ୍ଦ୍ରକୁ ନାହି କରିଦେବେ ଆଶା ରଖିବାକୁ । ପୁଣି ବିଚାରିଲେ, କାହିଁକି ବା ନାହିଁ କରିବେ ? ଯେଉଁ ଆଶା ଯୋଗୁଁ ନାହିଁ କରିଦେବେ ବୋଲି ମନ ହେଉଛି, ସେ ଆଶା କେଡ଼େ ବୃଥା, ତାହା କ’ଣ ଆଜି ପର୍ଯ୍ୟନ୍ତ ଜଣା ଯାଇନାହିଁ ? ଯାହାର ଆଶାରେ ଆଜି ବୀରେନ୍ଦ୍ରଙ୍କୁ ନାହିଁ କରିଦେବେ ସେ ତ ଏତେବେଳକୁ ଆଉ କାହା ପାଖରେ ବସି ପ୍ରେମାଳାପ କରୁଥିବେ–

କନକ ଚିନ୍ତିତ ରହିବାର ଦେଖି ବୀରେନ୍ଦ୍ର କହିଲେ, ‘‘କନକ, ଆଉ ତେବେ ଆପତ୍ତି କ’ଣ-? ମୁଁ ତୁମ ତୁଳନାରେ କିଛି ନୁହେ ସତ । ତେବେ ମୁଁ ତୁମକୁ ଖୁବ ସୁଖରେ ରଖିବାର ଚେଷ୍ଟା କରନ୍ତି-। ତୁମ ନିମନ୍ତେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ବୁଲି ଆସନ୍ତି । ମୋତେ ଗ୍ରହଣ କରିବ ନାହିଁ, କନକ-? ମୋ’ ଶୁଷ୍କ ପ୍ରାଣରେ ଟକିଏ ଆଶା–ବାରି ସିଞ୍ଚିବ ନାହିଁ, କନକ ?’’

କନକ–ଏ ହତଭାଗିନୀ ପ୍ରତି ଆପଣଙ୍କର କାହିଁକି ଏତେ ଦୟା ? ମୁଁ ତ ଉପେକ୍ଷାର ସାମଗ୍ରୀ, ଅପେକ୍ଷାର ନୁହେଁ ।

ବୀରେନ୍ଦ୍ର–ତୁମେ ନିଜକୁ ଏତେ ହୀନ ବିଚାରୁଛ, କନକ ତୁମ ସ୍ୱଭାବସୁଲଭ ବିନୟ ଯୋଗୁଁ । ମାତ୍ର ବିନିୟର ପୁଣି ତ ଗୋଟାଏ ସୀମା ଅଛି । ତୁମକୁ ଉପେକ୍ଷା କରିପାରିବ ଏପରି ଲୋକ କିଏ ? ଯେ ଉପେକ୍ଷା କରିବ ସେ ହୁଏତ ସନ୍ନ୍ୟାସୀ ନହେଲେ, ମୂର୍ଖ, ପାଷାଣ୍ଡ !

କନକ ତୁନି ହୋଇ ତଳକୁ ମୁହଁ ପୋତି ରହିଲେ । ବୀରେନ୍ଦ୍ର କନକଙ୍କ କଥାରୁ ସମ୍ମତି ବୁଝି ବିବାହର ଦିନ ଜ୍ଞାପନ କଲେ ‘‘ଭାଦ୍ର ଚାଲିଛି, ଆସନ୍ତା ମାର୍ଗଶିର ମାସରେ ବିବାହ ।’’

କନକଙ୍କର ଏ ବିବାହରେ ମତ ନାହିଁ କି ଅମତ ନାହିଁ । ଯାହାକୁ ହୃଦୟ ଦେଇ ଦେଇଥିଲେ, ସେ ଛାଡ଼ି ଚାଲିଗଲାଦିନରୁ ଜୀବନର ସୁଖସ୍ୱାଚ୍ଛନ୍ଦ୍ୟ ଯାଇଛି, ଆଉ ଫେରିବ ନାହିଁ । ଏଥର ସେ ଅରକ୍ଷିତା, ଯେ ଗୋଟେଇ ନେବ ତା’ର । ବୀରେନ୍ଦ୍ର ନିଅନ୍ତୁ, ଯେଉଁଦିନ ଇଚ୍ଛା ସେ ଦିନ ବିବାହ ସମୟ ଧାର୍ଯ୍ୟ ହେଉ । ସେଥିରେ ତାଙ୍କର ଯାଏ ଆସ କ’ଣ ? ତେଣୁ ବୀରେନ୍ଦ୍ରଙ୍କ ସ୍ଥିରୀକୃତ ଦିନରେ କିଛି ଆପତ୍ତି ନ କରି ସେ ମୌନ ସମ୍ମତି ଜଣାଇ ଦେଲେ ।

Image

 

ଏଗାର

 

ନିର୍ଜନ ବାସଗୃହରେ ଖଟ ଖଣ୍ଡିରୁ ଗୋପାଳ ଉଠି ବାହାରକୁ ଚାହିଁଲା ବେଳକୁ ରାତି ଆଉ ଘଡ଼ିଏ ଖଣ୍ଡେ ଅଛି । ପାହାନ୍ତି ତାରାଟି ପୂର୍ବ ଦିଗରେ ଜକ୍‌ଜକ୍‌ ହୋଇ ସୂର୍ଯ୍ୟକୁ ଅପେକ୍ଷା କରୁଛି । ଗୋପାଳ ପୂର୍ବ ଦିଗକୁ ଚାହିଁଲେ । ପାହାନ୍ତି ତାରାଟି ତାଙ୍କର ଚିରସଙ୍ଗୀ ହୋଇଗଲାଣି । ଗଲା ୪ ମାସ ହେଲା ପ୍ରତି ପ୍ରତ୍ୟୁଷରେ ସେ ପ୍ରଥମେ ଦେଖନ୍ତି ସେହି ତାରାଟିକୁ । ତାରାଟି ଆଉ ଗୋଟିଏ ହେତୁରୁ ତାଙ୍କର ପ୍ରିୟ-ସେ ଯେଉଁ ଦିଗରେ ଜକ୍‌ଜକ୍‌ ଦିଶୁଛି, ସେହି ଦିଗରେ ତାଙ୍କ ହୃଦୟର ତାରାଟି ନିଶ୍ଚିନ୍ତ ନିଦ୍ରା କ୍ରୋଡ଼ରେ ଥିବ । ସେହି ହୃଦୟ ତାରାଟିର ତେଜରେ ଏ ତାରାଟି ବେଶି ତେଜୀୟାନ ଦିଶୁଥିଲା ପରି ଗୋପାଳଙ୍କୁ ଜଣାଯାଉଥାଏ ।

କନକ କେଡ଼େ ଆନନ୍ଦରେ ନିଦ୍ରା ଯାଇଥିବେ ! ସେ ତ ଆଉ ପାହାନ୍ତିଆରୁ ଉଠି ପାହାନ୍ତି ତାରାକୁ ଦେଖୁନଥିବେ ! ହୃଦୟକୁ ଚିନ୍ତା ଘାରୁ ନଥିଲେ ତ କେହି ପାହାନ୍ତି ନିଦସୁଖରୁ ବଞ୍ଚିତ ହୁଏ ନାହିଁ । କନକଙ୍କର ଚିନ୍ତା ଗୋଟାଏ କ’ଣ ? ଚିନ୍ତା ଥିବ ଯଦି ଅନ୍ୟ ପାଇଁ ଥିବ-ତାଙ୍କ ପାଇଁ ତ ନୁହେଁ-! ତାଙ୍କ ପାଇଁ ସେ ଯଦି ଚିନ୍ତା କରୁଥାନ୍ତେ, ତେବେ ଏଡ଼େ ନିର୍ମମ ଭବରେ କ’ଣ ଦୂରକୁ ଫିଙ୍ଗିଦେଇଥାନ୍ତେ !

ଆଉ କ୍ଷଣକ ପରେ ଗୋପାଳ ଜୋରରେ ସମସ୍ତ ଚିନ୍ତା ଦୂର କରିବାକୁ ଯାଇ ମନେ ମନେ କହିଲେ, ‘‘ଧିକ ମୋତେ ! ଯେ ମୋତେ ଏତେ ଅବଜ୍ଞା କରି ଦୂରକୁ ଫିଙ୍ଗିଦେଇପାରେ, ତାହାରି ପାଇଁ ମୋର ଦିନରାତି ଏତେ ଚିନ୍ତା କାହିଁକି ?’’ ଏତକ କହି ସେ ହାତଧରା ବଡ଼ ଠେଙ୍ଗା ଖଣ୍ଡକ ଧରି ପାଚିରୀ ଦୂଆରଟି ଖୋଲି ମେଲାକୁ ବାହାରିପଡ଼ିଲେ ।

ବର୍ଷା ଛାଡ଼ିଛି, ଛାଡ଼ି ନାହିଁ । ଶରତକାଳର ଉଜ୍ଜ୍ୱଳ ଚନ୍ଦ୍ରକିରଣ ତଳେ ଜଙ୍ଗଲର ସବୁଜ ଶୋଭା ଏବଂ ପାହାନ୍ତିଆର ମନ୍ଦ ଶୀତଳ ପବନ, ମନରେ ଅପୂର୍ବ ପ୍ରଫୁଲ୍ଲତା ଆଣୁଥାଏ । ମାନସିକ ଅଶାନ୍ତିକୁ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି ଦୁରୀଭୂତ କରୁ କରୁ ଅନ୍ୟମସ୍କ ଗୋପାଳ ବୁଦାମାନଙ୍କ ମଧ୍ୟରେ ଥିବା ସରୁ ରାସ୍ତାରେ ବାସଗୃହଠାରୁ ପ୍ରାୟ ଅଧ ମାଇଲ ଚାଲିଗଲେଣି । ଅଳ୍ପ ଦୂରରେ ଗଞ୍ଜାମ ବଡ଼ ସଡ଼କର ଦୁଇପାଖରେ ଥିବା ଗଛଗୁଡ଼ିକ ଅସ୍ପଷ୍ଟଭାବେ ଦକ୍ଷିଣ ପୂର୍ବରେ ଅବସ୍ଥିତ ମୁଣ୍ଡିଆ ଦେହରେ ଅଙ୍କିତ ହୋଇଯାଇଛି, ମୁଣ୍ଡିଆର ମୁଣ୍ଡ ଓପର ତଳ ଅପେକ୍ଷା ଟିକଏ ବେଶି ପରିଷ୍କାର ଦିଶୁଛି, ସଡ଼କର ଗଛଗୁଡ଼ିକ ଦେଖି ଦେଖି ଗୋପାଳ ଆଗକୁ ଚାଲିଛନ୍ତି, ହଠାତ୍‌ ରାସ୍ତା ପାଖ ବରଗଛ ମୂଳରୁ ଅସ୍ପଷ୍ଟ ଶବ୍ଦ ଶୁଣାଗଲା । ଗୋପାଳ ଚିନ୍ତାରୁ ମନକୁ ମୁକୁଳେଇ, ଆଖି କାନ ଉଭୟକୁ ବରଗଛ ମୂଳ ପ୍ରତି ନିବିଷ୍ଟ କଲେ ।

ଗଛମୂଳରେ କଳା କଳା ହୋଇ ତିନୋଟି ଜନ୍ତୁ ଏଣେ ତେଣେ ବିଚରଣ କରୁଛନ୍ତି । ଗୋପାଳ ଜାଣିପାରିଲେ, ସେଗୁଡ଼ିକ ଭାଲୁ ଗଛ ମୂଳରେ ବୁଲି ବୁଲି ବରଫଳ ଖାଉଛନ୍ତି ଏବଂ ଖାଇବା ସାଙ୍ଗେ ସାଙ୍ଗେ ସନ୍ତୋଷଙ୍କର ଗୋଟିଏ ଗୋଟିଏ ସ୍ପଷ୍ଟ ଶବ୍ଦ କରୁଛନ୍ତି । ଗୋପାଳ ଭାଲୁଗୁଡ଼ିକୁ ଖାଇବା କାର୍ଯ୍ୟରେ ବାଧା ନ ଦେବା ଉଦ୍ଦେଶ୍ୟରେ ବାଟ ଭାଙ୍ଗି ଚାଲିଯିବାକୁ ବାହାରୁଛନ୍ତି, ମା-ଭାଲୁଟିର ଦୃଷ୍ଟି ପଡ଼ିଗଲା ଗୋପାଳଙ୍କ ଉପରେ । ମାତୃଜାତିର ପ୍ରକୃତି–କୌଣସି ଅପରିଚିତ ଜନ୍ତୁ ନିକଟରେ ଦେଖିଲେ ସନ୍ତାନମାନଙ୍କ ଉପରେ ବିପଦର ଆଶଙ୍କା କରିବା । ସେହି ଆଶଙ୍କାରେ ମା-ଭାଲୁ ଗୋଟିଏ ଭୀଷଣ ଚିତ୍କାରରେ ବିପଦର ସୂଚନା ଦେଇ, ଗୋପାଳଙ୍କୁ ଆମ୍ରମଣ କରିବାକୁ ଧାଇଁ ଆସିଲା ।

ଦୀର୍ଘ ଜଙ୍ଗଲବାସ ଫଳରେ ଗୋପାଳଙ୍କ ଦେହ ଯେପରି ସୁସ୍ଥ ସବଳ, ନ ସେହିପରି ସାହସ ଏବଂ ଦମ୍ଭରେ ବଳୀୟାନ ହୋଇଥାଏ । ସେ ଟିକିଏ ମାତ୍ର ବିଚଳିତ ନ ହୋଇ ମାଡ଼ି ଆସୁଥିବା ଭାଲୁକୁ ପ୍ରତୀକ୍ଷା କରି ରହିଲେ । ଭାଲୁ ହୁଁ ହୁଁ ଶବ୍ଦ କରି ମାଡ଼ି ଆସି ପଛ ଗୋଡ଼ରେ ଠିଆ ହୋଇ ଆଗ ଗୋଡ଼ ଦୁଇଟା ଗୋପାଳଙ୍କ ମୁହଁରେ ରଖି ଠିକ ରାମ୍ପୁଡ଼ିବାର ଉଦ୍ୟମ କଲାବେଳକୁ ଗୋପାଳ ବାଁ ହାତରେ ତାକୁ ଏପରି ଗୋଟିଏ ଠେଲା ଦେଲେ ଯେ, ଭାଲୁ ବିଚାରୀ ଯନ୍ତ୍ରଣାରେ ଚିତ୍କାର କରି ଦୁଇ ହାତ ଦୂରରେ ଯାଇ ଗଡ଼ି ଗଡ଼ି ପଡ଼ିଲା ।

ଗୋପାଳ ମନେ କଲେ, ଭାଲୁର ଆକ୍ରମଣ କରିବାର ପ୍ରବୃତ୍ତି ସାଙ୍ଗ ହୋଇଗଲା । ମାତ୍ର ପଡ଼ିବା ମାତ୍ରେ ଝାଡ଼ିଝୁଡ଼ି ହୋଇ ଉଠି ସେ ପୁଣି ଗୋପାଳଙ୍କ ପ୍ରତି ଅଗ୍ରସର ହେଲା । ଆଉ ଦୟା ଦେଖାଇବା ଅନୁଚିତ ମନେକରି ଗୋପଳ ମସ୍ତବଡ଼ ଠେଙ୍ଗା ଖଣ୍ତି ଦୁଇ ହାତରେ ଦୃଢ଼ଭାବରେ ଧରି ଭାଲୁ ଉପରେ ବେଶ ଅସରାଏ ବୃଷ୍ଟି କରିଦେଲେ । ଭାଲୁର ଜ୍ୱର ଆସିଗଲା ଏବଂ ଚାହିଁ ଚାହୁଁ ଜ୍ୱରର ‘ଉହୁ-ଉ’ ‘ଉହୁ-ଉ’ ଚିତ୍କାର ମଧ୍ୟରେ ତା’ର ପ୍ରାଣବାୟୁ ଉଡ଼ି ଚାଲିଗଲା ।

ମା’ ଭାଲୁଟିର ପ୍ରାଣ ଯିବା ପୂର୍ବରୁ ପିଲା ଯୋଡ଼ିକ ମା’ ପାଖେ ଆସି ଲୁଙ୍ଗୁର ପୁଙ୍ଗୁର ହେଲେ ଏବଂ ମା’ର ଦୃଷ୍ଟି ସେମାନଙ୍କ ଆଡ଼କୁ ଫେରାଇବା ନିମନ୍ତେ ନାନା ପ୍ରକାର କରୁଣ ଚିତ୍କାର କଲେ । ମାତ୍ର ମା’ ତ ଯାଇଥିଲା ସେ ଦେଶକୁ, ଯେ ଦେଶରୁ ଆଉ ଫେରନ୍ତି ନାହିଁ । ପିଲାଙ୍କର ସମସ୍ତ ବିକଳ କ୍ରନ୍ଦନ ନିଷ୍ଫଳ ହେଲା ।

ଏ ବିକଳ ଗୋପାଳ ସହିପାରିଲେ ନାହିଁ । ନିଜେ ପିଲାଟିମାନଙ୍କର ଏ ଦୁଃଖ ଅଣାଇଛନ୍ତି, ଏଥିପାଇଁ ପ୍ରାୟଶ୍ଚିତ୍ତ କରିବା ଉଦ୍ଦେଶ୍ୟରେ ଏବଂ କୌତୁକିଆ ପିଲା ଯୋଡ଼ିକ ପ୍ରତି ଆକୃଷ୍ଟ ହୋଇ, ଦୁଇ କାଖରେ ଦୁଇଟିଯାକୁ ଧରି ଫେରିଲେ ବସାକୁ ।

ଚାରିଗୋଡ଼ିଆ ଅତିଥି ଯୋଡ଼ିକର ଭାରି ଚର୍ଚ୍ଚା ହେଲା । ଆଲମୁନିୟମ ବାସନ ଖଣ୍ତିକରେ ଗାଡ଼ିଆରୁ ପାଣି ମୁନ୍ଦିଏ ଆସି ତାଙ୍କ ଆଗରେ ଥୁଆ ହେଲା, ମାତ୍ର ସେମାନେ ପାଣି ପାଖକୁ ଆସିଲେ ନାହିଁ । ବାଡ଼ିରୁ ବାଇଗଣ, ମକା, କଦଳୀ ପ୍ରଭୃତି ସବୁ ପ୍ରକାର ଫଳମୂଳରୁ ଖଣ୍ତେ ଖଣ୍ତେ ଆସି ତାଙ୍କ ଆଗରେ ପଡ଼ିଲା, ମାତ୍ର ତ୍ରସ୍ତ ଅତିଥିମାନେ ଅତିଥିସେବକଙ୍କୁ ଭଲରୂପେ ଚିହ୍ନିବା ପୂର୍ବରୁ ତାଙ୍କ ଆତିଥ୍ୟରେ ଲେଶ ମାତ୍ର ଯୋଗ ଦେବେ ନାହିଁ ବୋଲି ସେମାନଙ୍କର ସଙ୍କୋଚ ଦ୍ୱାରା ସ୍ପଷ୍ଟ ଜଣାଇଦେଲେ ।

ଖାଇବାକୁ ଦେବା ଚେଷ୍ଟା ବିଫଳ ହେବାରୁ ଗୋପାଳ ସେମାନଙ୍କ ରହିବା ଯୋଗାଡ଼ ଆରମ୍ଭ କଲେ । ଘର ଖଣ୍ତିକର ସନ୍ଧି ବିସନ୍ଧି ସବୁ ଖୋଜି କୌଣସିଠାରେ ସେମାନଙ୍କୁ ରଖିବାର ସୁବିଧା ମିଳିଲା ନାହିଁ । ଟିକିଏ ଚିନ୍ତା କରିବା ପରେ ଗୋଟାଏ ଉପାୟ ମିଳିଗଲା । ଯୋଡ଼ାଏ କିରାସିନୀ ପଟା ବାକ୍ସରେ ବହି ଆସିଥିଲା । ସେହି ବାକ୍ସଯୋଡ଼ିକ ଭଙ୍ଗାଯାଇ ଗୋଟିଏ ବଡ଼ ବାକ୍ସ ତିଆରି ହେଲା । ବାକ୍ସଟି ଖଟ ତଳେ ରହିଲା ଏବଂ ସେହି ବାକ୍ସ ଭିତରେ ଅତିଥି ଦୁଇଟିଙ୍କୁ ତାଙ୍କ ପାଇଁ ସଂଗୃହୀତ ପରିବାପତ୍ର ସଙ୍ଗେ ରଖା ହେଲା ।

ଅତିଥିମାନଙ୍କର ଖାଇବା ରହିବା ବନ୍ଦୋବସ୍ତ କରିସାରି ଗୋପାଳଙ୍କ ଆଖି ନିଜ ଉପରେ ପଡ଼ିଲା । ଛାତି ଉପରେ ଦୁଇ ଚାରି ଟୋପା ରକ୍ତ ପଡ଼ିଛି । କେଉଁ ଆଡ଼ୁ ରକ୍ତ ଆସିଲା ? ମୁହଁରେ ହାତ ବୁଲାଇ ଦେଲାବେଳକୁ ହାତ ଯାକ ରକ୍ତ । କପାଳରେ ଦୁଇ ଚାରି ଜାଗାରେ ଟିକିଏ ବ୍ୟଥା ଅନୁଭବ କରି ଗୋପାଳ ଗଲେ ଗଡ଼ିଆ ପାଖକୁ । ଗଡ଼ିଆର ସ୍ଥିର ଜଳର ପ୍ରତିବିମ୍ବରେ ଦେଖିଲେ, ଲଲାଟ ଓପରେ ଚାରି ପାଞ୍ଚ ସ୍ଥାନରେ ଭାଲୁର ନଖ ବାଜି କ୍ଷତ ହୋଇଯାଇଛି । ବିଶେଷ କିଛି ଆଘାତ ନ ହୋଇଥିଲେ ହେଁ କ୍ଷତ ସ୍ଥାନଗୁଡ଼ିକ ଭାରି ଲାଲ ଦିଶୁଥାଏ ଏବଂ ଟିକିଏ ଟିକିଏ ରକ୍ତ ବାହାରି ମୁହଁ ଯାକ ହୋଇଯାଇଥାଏ । ସବୁ ଦେଖି ସାରି ସେ ମୁହଁକୁ ଗାଡ଼ିଆର ଥଣ୍ତା ପାଣିରେ ଭଲ କରି ଦୁଇ ଚାରି ଥର ଧୋଇଦେଲେ । ଟିକିଏ ସୁସ୍ଥ ଲାଗିଲା । ରକ୍ତ ବାହାରିବା ମଧ୍ୟ ବନ୍ଦ ହୋଇଗଲା । ସ୍ନାନାଦି କରି ଖାଇବାର ବନ୍ଦୋବସ୍ତ କରିବାକୁ ଭୁଲି ଯାଇକ୍ଲାନ୍ତ ଗୋପାଳ ବିଶ୍ରାମ ଉଦ୍ଦେଶ୍ୟରେ ଖଟ ଓପରକୁ ଗଲେ । ପାଞ୍ଚମିନିଟ୍‌ ଭିତରେ ଗାଢ଼ ନିଦ୍ରା ଆସି ତା’ର ଆରାମଦାୟକ କ୍ରୋଡ଼ରେ ନିର୍ବାସିତ ଶ୍ରାନ୍ତ ପ୍ରାଣୀଟିକୁ ଆଶ୍ରୟ ଦେଲା ।

Image

 

Unknown

ବାର

 

ସନ୍ଧ୍ୟା ଗଡ଼ିଯାଇଛି, ରାତି ଆସି ନାହିଁ । ମାତ୍ର ଚାରିଆଡ଼େ ଅନ୍ଧକାର ବ୍ୟାପି ଗଲାଣି । ମୁହଁକୁ ମୁହଁ ଦିଶୁ ନାହିଁ । ପୂର୍ଣ୍ଣମୀ ଆଉ ଦିନେ ବାକୀ । ଶରତ୍‌କାଳୀନ ଚନ୍ଦ୍ର କିରଣରେ ଚାରିଆଡ଼ ହସି ଉଠୁଥାନ୍ତା । ଯୌବନ ମଦୋନ୍ମତ୍ତ ପ୍ରେମିକ ପୂର୍ଣ୍ଣଚନ୍ଦ୍ର ପ୍ରକୃତି ଦେବୀଙ୍କୁ କୁଣ୍ତାଇ ପକାଇବାକୁ ତା’ର କରଣ ହାତଗୁଡ଼ିକୁ ବଢ଼ାଇ ଦେଉଥାନ୍ତା । ମାତ୍ର ହିଂସ୍ରକ ମେଘର ଦାଉରେ ପ୍ରେମିକ ପ୍ରେମିକା ବିଚ୍ଛିନ୍ନ ହୋଇଛନ୍ତି ।

ବର୍ଷା ହେବ ହେବ ବୋଲି ଭୟ ଦେଖାଉଛି, ମାତ୍ର ହୋଇ ନାହିଁ । ବର୍ଷା ହୋଇଗଲେ ତ ସୁହା ହୋଇଯାନ୍ତା । ବର୍ଷାର କଠୋରତା ଅନୁପାତରେ ପ୍ରକୃତି ନିଜର ଦେହକୁ କଠୋର କରି ପକାନ୍ତା । ମାତ୍ର ଏ ଭୟ ଦେଖାଇବା ଅବସ୍ଥାଟା ବେଶୀ ଭୟଙ୍କର । ଏହାର ପରିମାପ ନାହିଁ । ଫଳରେ ପ୍ରସ୍ତୁତ ହେବାର ଉପାୟ ନାହିଁ । ପ୍ରକୃତି ତା’ର ସ୍ଥାବର ଜଙ୍ଗମ ସନ୍ତାନମାନଙ୍କୁ ଧରି ମେଘ ଦୃଷ୍ଟିରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଅନ୍ଧକାରରେ ଘୋଡ଼େଇ ହୋଇ ଚକିତ ଭୀତ ଆଖିରେ ଆକାଶ ଆଡ଼କୁ ଚାହିଁ ରହିଛି ।

ଏ ଅବସ୍ଥାରେ ଟିକିଏ ମାତ୍ର ବିଚଳିତ ନ ହୋଇ ଯୋଡ଼ିଏ ଯୁବକ ଜଙ୍ଗଲ ଭିତରେ ସରୁ ରାସ୍ତା ଦେଇ ଗଞ୍ଜାମ ବଡ଼ ସଡ଼କରେ ଚାଲିଛନ୍ତି । ରାସ୍ତାଟି ବହୁ ଦିନରୁ ପରିଚିତ, ତେଣୁ ତାକୁ ଦେଖିବାର ଇଚ୍ଛା ନାହିଁ କି ଆବଶ୍ୟକତା ନାହିଁ । ମନ ଭିତରେ କୃଶ ତନୁ ରାସ୍ତାଟିର ମୁହଁ ଦିନୁ ସବୁ ଆଙ୍କି ହୋଇଯାଇଛି ।

ଆଗେ ଆଗେ ଗୋଟିଏ ଖୁବ୍‌ ମଝବୁତ୍‌ କୁକୁର ଚାଲିଛି । ପ୍ରତି ପାଞ୍ଚ ସାତ ମିନିଟରେ ଥରେ ଥରେ ପଛକୁ ଚାହିଁ, ଆଖି କାନ ସାହାଯ୍ୟରେ ଅନୁଗାମୀ ଦୁଇଟି ପଛେ ପଛେ ଲାଗିଛନ୍ତି ବୋଲି ବୁଝି ପୁଣି ଖଣ୍ତେ ଦୂର ଆଗକୁ ଚାଲିଯାଉଛି । ତା’ର ଚାଞ୍ଚଲ୍ୟରୁ ଜଣାଯାଉଛି ଯେପରି ସ୍ୱାଧୀନ ହୋଇଥିଲେ ସେ ଏକା ଦୌଡ଼ରେ ଯାଇ ଘରେ ପହଞ୍ଚନ୍ତା । ରାତିର ଭୀଷଣତାକୁ ତା’ର ଭୟ ନାହିଁ, ମାତ୍ର ବିନା କାରଣରେ ନିଜର ଚିକ୍‌କ’ଣ ଦେହଟି ବର୍ଷାରେ ଭିଜାଇବାକୁ ଏକାବେଳକେ ଅନିଚ୍ଛା ।

ଯୁବକ ଦୁଇଟି ଆମ ପରିଚିତ ଗୋପଳ ଓ ଜଗୁ । ଆଜି ଜଗୁଆ ଆସିଥିଲା ଗୋପାଳଙ୍କୁ ଦେଖିବାକୁ, ମାସକ ପାଇଁ ତାଙ୍କରହ ଆବଶ୍ୟକ ଜିନିଷପତ୍ର ତାଙ୍କ ବସାରେ ରଖିଦେଇ ଯିବାକୁ । ସନ୍ଧ୍ୟା ନିକଟବର୍ତ୍ତୀ ହେବାର ଦେଖି ଗୋପାଳ ଘରକୁ ଫେରିଯିବା କଥା ତା ମନରେ ଜଗାଇଦେଲେ-। ଆଜି ଘରକୁ ନ ଯାଇ ଗୋପାଳଙ୍କ ସାଙ୍ଗେ ରାତିଟା କଟାଇଦେବା ନିମନ୍ତେ ଜଗୁଆ ଯୁକ୍ତି କରି ବସିଲା । ଯୁକ୍ତିର ଫଳ କିଛି ହେଲା ନାହିଁ, ଗୋପାଳ ଜଗୁଆକୁ ତା’ର ନବ ପରିଣୀତା ସ୍ତ୍ରୀଠାରୁ ଦୂରରେ ରଖିବେ ନାହିଁ ବୋଲି ମନେ ମନେ ସ୍ଥିର ହେଲା । ବଡ଼ ସଡ଼କ ପର୍ଯ୍ୟନ୍ତ ସାଙ୍ଗରେ ଯାଇ ତା’ପରେ ବସାକୁ ଫେରିବେ ବୋଲି ଗୋପାଳ ଅନୁଗତ ଭୃତ୍ୟ ଓ ଏକମାତ୍ର ସଙ୍ଗୀ ଜଗୁଆର ଆଗେ ଆଗେ ଚାଲିଲେ ।

‘‘ଏ ଅନ୍ଧାର ରାତିରେ ଆଉ କାହିଁକି ଆସୁଚ ? ଏଥର ତମେ ଫେର ।’’

‘‘ଅନ୍ଧାର କ’ଣ ଖାଲି ମୋ’ରି ପାଇଁ ? ତୁ ଯେ ଯିବୁ, ଚାଲ, ଏ ତ ମୋର ଘର । ମୋତେ ଡ଼ର କ’ଣ କରିବ, ଅନ୍ଧାର କ’ଣ କରିବ ?’’ କହି ଗୋପାଳ ଗୋଟିଏ ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ଜଗୁଆ କଥା ଶୁଣିଲା, ନିଃଶ୍ୱାସ ଶୁଣିଲା; ମାତ୍ର ଯେଉଁ ହୃଦୟ ଭିତରୁ ଏ କଥା ବାହାରିଲା, ଏ ନିଃଶ୍ୱାସ ବାହାରିଲା, ତାକୁ ଚିହ୍ନିଲା କି ନାହିଁ କେଜାଣି ?

ଗଞ୍ଜାମ ବଡ଼ ସଡ଼କ ଅଳ୍ପଦୂର ଅଛି । ମେଘ ବୋଧହୁଏ ଭୟ ଦେଖାଇବାର ଚେଷ୍ଟା କରି, ଯୁବକ ଦୁହିଙ୍କ ମନରେ କୌଣସି ପ୍ରକାର ଚିନ୍ତା ଆଣିନପାରି ଲଜ୍ଜିତ ହୋଇ କୁଆଡ଼େ ପଳାଇଯିବାକୁ ବାଟ ଖୋଜିଲାଣି । ମେଘରୁ ଏ ଦୁରବସ୍ଥାରେ ଚନ୍ଦ୍ର ଭୟରେ ମେଘଆଡ଼କୁ ଟିକିଏ ଚାହିଁ ଚାହିଁ ମୁଡ଼ୁକି ମୁଡ଼ୁକି ହସିବାକୁ ଆରମ୍ଭ କରୁଛି । ଈଷତ ଚନ୍ଦ୍ର ଆଲୋକରେ ଜଗୁଆ ଦେଖିଲା, ଭୁତି କାନ ଡ଼େରି ଠିଆ ହୋଇ ଯାଇଛି । ବିନା କାରଣରେ ତ ଭୁତି ଏପରି ହୁଏ ନାହିଁ ! କାରଣ କ’ଣ ? ଜଗୁଆ ଠିଆ ହେଲା, ଗୋପାଳ ଠିଆ ହେଲେ । ଦୁହେଁ ନିଜ ଠେଙ୍ଗାଟିମାନ ଧରି ଆତ୍ମରକ୍ଷା ପାଇଁ ପ୍ରସ୍ତୁତ ହେଲେ । ଭୁତି କାନକୁ କେଉଁ ଦୂର ଅଜଣା ପ୍ରାଣୀ,ବା ଅନ୍ୟ କିଛି ଉଦ୍ଦେଶ୍ୟରେ ଲମ୍ବେଇ ଦେଇଥାଏ ।

ଭୁତି କ’ଣ ବୁଝିଲା । କାନକୁ ପୁଣି ପଛକୁ କରି ତରବର ହୋଇ ଚାଲିଲା । ଜଗୁଆ ବୁଝିଲା; ଟିକିଏ ହସି ଦେଇ, ସୁଣି ନିଃଶଙ୍କଚିତ୍ତରେ ବାଟ ଧଇଲା, କହିଲା, ‘‘ସଡ଼କରେ ଶଗଡ଼ୁଟାଏ ଆସୁଛି । ବଳଦଙ୍କ ବେକ ଘଣ୍ଟି ଶବ୍ଦ ଶୁଣି ଭୁତି ଆମକୁ ଡରେଇଦେଲା ।’’

ଘଣ୍ଟି ଶବ୍ଦ ବେଳକୁ ବେଳ ନିକଟବର୍ତ୍ତୀ ହେଲା । ଶବ୍ଦରୁ ଜଣା ଗଲା ସଡ଼କ ଉଠାଣିଟା, ବଳଦ ଦୁଇଟି ଖୁବ୍‌ ଫୁର୍ତ୍ତିରେ ଉଠି ଆସୁଛନ୍ତି । ହଠାତ୍‌ ଘଣ୍ଟି ଶବ୍ଦ ବନ୍ଦ ହୋଇଗଲା ଏବଂ ଜଣେ କିଏ ଯେପରି ଭୟରେ କାତର ହୋଇ କହିଲା,‘‘ଏ-କି-ଇ-ଏ-ଏ-ସେ ।’’

ଗୋପାଳ ଆଉ ଜଗୁଆ ସଡ଼କର ଯେଉଁ ଦିଗରୁ ଘଣ୍ଟି ଶବ୍ଦ ଶୁଣାଯାଇଥିଲା, ସେହି ଦିଗରେ ଧାଇଁଲେ । ଗାଡ଼ି ପାଖେ ପହଞ୍ଚି ଯାହା ଦେଖିଲେ ସେଥିରେ ସେମାନେ ସ୍ତମ୍ଭୀଭୂତ ହୋଇଗଲେ–ଜଣେ ଲୋକ ତରବର ହୋଇ ବଳଦଙ୍କୁ ଗାଡ଼ିକୁ ଫିଟାଇ ପକାଇ ଗାଡ଼ି ଭିତରୁ କାହାକୁ ଜଣକୁ ଅକଥ୍ୟ ଭାଷାରେ ଗାଳି ଦେଇ ଦେଇ ଟାଣି ଆଣୁଛି ଏବଂ ଟାଣିବା ସାଙ୍ଗେ ସାଙ୍ଗେ ନିସ୍ତୁକ ମାଡ଼ ତା’ର ଦେହରେ ଛେଚି ଦେଇଯାଉଛି ।

ଏ ଦୁର୍ବ୍ୟହାରା ପାତ୍ର ବୃଦ୍ଧ କ୍ଷୀଣସ୍ୱରରେ ପ୍ରତିବାଦ କରି କହିଲେ, ‘‘ୟେ-ୟେ-କ-ଅ-ଣ-? ତୁମେ–ମେ କି-ଏ-ଏ ?’’

ଘାତକ ଦ୍ୱିଗୁଣିତ ବିକ୍ରମରେ ଆଉ ଦୁଇଚାରି ଥର ମାରି ରାଗରେ କାନ୍ଦ କାନ୍ଦ ହୋଇ କହୁଛି, ‘‘ମୁଁ କିଏ ? ୟେ କ’ଣ ? ବୁଝିପାରୁ ନାହୁଁ, ମହାଜନ ? କୁଆଡ଼ୁ ବୁଝିବୁ ? ମୋର ସିନା ସ୍ତ୍ରୀ ତୋ ଦାଉରେ ମଲା । ତୋର କ’ଣ ହୋଇଗଲା ଯେ ତୁ ମତେ ଚିହ୍ନିବୁ ? ୟେ କ’ଣ ବୁଝିବୁ ? ହଉ, ରହ ରହ–ସବୁ ବୁଝେଇ ଦେଉଛି । ତୋ ପ୍ରାଣଟା ନେଲେ ମୋ ହୃଦୟରୁ ଘା ଶୁଖିବ, ଆଉ ତୁ ଯମଙ୍କ ଦୁଆରେ ଯାଇ ସିଧା ସିଧା ପହଞ୍ଚି ସବୁ ଜାଣିବୁ । ଠିକ୍‌ ଜାଗାରେ ପାଇଛି, ରହ, ରହ ।’’

ଗୋପାଳ ଓ ଜଗୁଆର କ୍ଷଣିକ ସ୍ତମ୍ଭୀଭୂତ ଭାବ ଅପସରି ଯିବା ମଧ୍ୟରେ ଏ ସମସ୍ତ ଘଟଣା ଘଟିଗଲା । ଘାତକର ଶେଷ ଉକ୍ତିର ମର୍ମ ବୁଝା ପଡ଼ିବା ସାଙ୍ଗେ ସାଙ୍ଗେ ଗୋପାଳ ଧାଇଁ ଯାଇ ଘାତକକୁ ଆଡ଼େଇ ଦେଇ ବୁଢ଼ା ବିଚରାକୁ ଗାଡ଼ି ଭିତରେ ପୁଣି ଶୁଶ୍ରୂଷା କରିବାକୁ ଧାଇଁଗଲେ-। ଜଗୁଆ ଘାତକର ସମ୍ମୁଖୀନ ହୋଇ, ତାକୁ ଏ ନୀଚ ଆତତାୟୀ କାର୍ଯ୍ୟରୁ ନିରସ୍ତ କରି ଅଟକାଇ ରଖିଲା ।

ଗୋପାଳ ବୃଦ୍ଧର ନିକଟବର୍ତ୍ତୀ ହେବା ସାଙ୍ଗେ ସାଙ୍ଗେ ସେ ଚିତ୍କାର କରି ଉଠିଲା, ‘‘ଏ ପୁଣି କିଏ ? ରକ୍ଷାକର, ରକ୍ଷାକର । ମତେ ଆଉ ମାରନା । ମୋ ପ୍ରାଣ ଗଲାଣି ! ଓହୋ ! ଭାରି କଷ୍ଟ ।’’

ଗୋପାଳ ନିଜର ଆଦୌ ମାରିବା ଉଦ୍ଦେଶ୍ୟ ନଥିବା କଥା ଜଣାଇ ବୃଦ୍ଧକୁ ଯତ୍ନରେ ଧରି ଦିହ ମୁଣ୍ତ ଆଉଁସୁ ଆଉଁସୁ ଲୋକକୁ ଚିହ୍ନିପାରି କହିଲା, ‘‘ଓହୋ ! ମହାଜନେ ! ତମେ ଏତେ ରାତିରେ ଏଠାରେ ! ତମକୁ ପୁଣି ମାରିଲା କିଏ ? ଆଚ୍ଛା ହଉ ବୁଝିବା, ସେପରି କିଛି ବିଶେଷ ଆଘାତ ଲାଗି ନାହିଁ ଯେ ?’’

ବୃଦ୍ଧ କିଛି ନ କହି କରୁଣ ଦୃଷ୍ଟିରେ ସହସା ଆବିର୍ଭୂତ ନିଜ ରକ୍ଷକଙ୍କୁ ଚାହିଁ ରହିଲେ ଏବଂ ମାଡ଼ ଜୋରରେ ବିଚଳିତ ବୁଦ୍ଧିବୃତ୍ତିକୁ ଏକତ୍ର କରି ଏକାଗ୍ର ମନରେ ଏ ଚିହ୍ନା ମୁହଁଟା କାହାର, ଚିନ୍ତା କରିବାକୁ ଲାଗିଲେ ।

ବୃଦ୍ଧ ଟିକିଏ ସୁସ୍ଥ ହୋଇ ଗୋପାଳଙ୍କ ସାହାଯ୍ୟରେ ଗାଡ଼ି ଭିତରେ ଯାଇ ଗୋପାଳଙ୍କ କୋଳକୁ ଆଉଜି ବିଶ୍ରାମ କରିବାକୁ ଲାଗିଲେ । ଜଗୁଆର ବନ୍ଦୀ ଜଗୁଆର ଗୋଡ଼ ପାଖେ ବସି କାନ୍ଦି କାନ୍ଦି ନିଜ କାର୍ଯ୍ୟର କାରଣ ତାକୁ ଜଣାଉଥାଏ; ଭୁତି ଜଗୁଆ ପାଖରେ ଠିଆ ହୋଇଥାଏ । ତାର ଭାବଭଙ୍ଗୀରୁ ଜଣା ଯାଉଥାଏ, ପ୍ରଭୁଠାରୁ ଟିକିଏ ସଂକେତ ପାଇଲେ–ସେ ଅପରିଚିତ ଲୋକଟିକୁ ମାଡ଼ି ବସନ୍ତା ।

ଏହି ସମୟରେ ଶଗଡ଼ ତଳୁ ଗୋଟିଏ ମାନବ ପ୍ରାଣୀର ଆବିର୍ଭାବ ହେଲା । ସେ ଗାଡ଼ିର ଶଗଡ଼ିଆ । ହଠାତ୍‌ ତାର ଗାଡ଼ି ଚଳାଇବା କାର୍ଯ୍ୟରେ ଆଗରୁ ଭୀଷଣ ଗୋଟାଏ ଦାଢ଼ିଆ ଲୋକରୂପରେ ବ୍ୟାଘାତ ଆସି ପହଞ୍ଚିବାର ଦେଖି ସେ ବୁଝିଲା, ନିକଟରେ ଗାଡ଼ି ଚାଲିବାର ଆଶା ନାହିଁ । ବରଂ ବର୍ତ୍ତମାନ ଗାଡ଼ି ଚଳାଇବା ବିଷୟରେ ଜିଦ୍‌ କଲେ ବା ସମ୍ମୁଖବର୍ତ୍ତୀ ଭୟଙ୍କର ଲୋକ ଆଗରେ ବାଧା ଦେବାନିମନ୍ତେ ଠିଆ ହେଲେ ନିଜର କ୍ଷୀଣ ପରିଶ୍ରମ ରୁଗ୍‌ଣ ଶରୀରରେ ଆଘାତ ଲାଗିବାର ସମ୍ଭାବନା, ପୁରା ୧୬ଅଣା । ସୁତରାଂ ଅପରିଚିତ ଘାତକ ବଳଦ ଫିଟାଇ ସାରିବା ପୂର୍ବରୁ ଶଗଡ଼ିଆ ଶଗଡ଼ ତଳେ ଆଶ୍ରୟ ନେଲା । ଅପରିଚିତ ଆକ୍ରମଣକାରୀର ଶଗଡ଼ିଆ ପ୍ରତି ଆଦୌ ଦୃଷ୍ଟି ନ ଥିଲା । ଏତେ ଅଜାଣତରେ, ଏତେ ଅଲକ୍ଷିତ ଭାବରେ ଶଗଡ଼ିଆ ନିଜ ଆତ୍ମରକ୍ଷା ସମସ୍ୟାର ସମାଧନ କରିଥିଲା ଯେ, ସେ ଯଦି ଆକ୍ରମଣର ଉଦ୍ଦେଶ୍ୟ ହୋଇଥାନ୍ତା, ତେବେ ସୁଦ୍ଧା ଆକ୍ରମଣକାରୀ ଖୁବ୍‌ ଗୁଡ଼ାଏ ନ ଖୋଜି ତାକୁ ପାଇ ପାରିନଥାନ୍ତା । ପ୍ରଭୁଙ୍କ ଓପରେ ମାଡ଼ ହେଉଥିଲା ବେଳେ ସେ ମହାପ୍ରଭୁଙ୍କ ଡ଼ାକୁଥାଏ-‘‘ମହାପ୍ରଭୁ ! ଲୋକଟିର ସବୁ ରାଗ ମହାଜନଙ୍କ ଓପରେ ଶୁଝିଯାଉ । ମୋ ପାଇଁ କିଛି ବାକି ନ ରହୁ ।’’

ହଠାତ୍‌ ଆଉ ଦୁଇଜଣ ଆଗନ୍ତୁକ ଆସି ପଡ଼ିଲେ, ଶଗଡ଼ିଆର ଭୟ ହେଲା, ବୋଧ ହୁଏ ଏଥର ତା’ ପିଠିକୁ ତଲବ କରାଯିବ । ଭାଗ୍ୟକୁ ସେପରି କିଛି ହେଲା ନାହିଁ । ମହାଜନ ବି ମାଡ଼ରୁ ରକ୍ଷା ପାଇଲେ । ଶଗଡ଼ିଆ ମାଡ଼ର ପୁନରାବିର୍ଭାବ କେଜାଣି ହୋଇପାରେ ବୋଲି ସବୁ ଥିର ଥାର ପଡ଼ିଯିବା ପରେ ସୁଦ୍ଧା ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଶଗଡ଼ ତଳେ ଅପେକ୍ଷା କରି ଶେଷରେ ବାହାରି, ଗୋଳମାଳ ଫଳରେ ଟିକିଏ ଦୂରକୁ ଚାଲି ଯାଇଥିବା ବଳଦ ଦୁଇଟିଙ୍କ ଉଦ୍ଦେଶ୍ୟରେ ଆଖି ବୁଲାଇଲା ଏବଂ ବଳଦ ଯୋଡ଼ିକୁ ହାତ କରି ପଚାରିଲା, ‘‘ସାଆନ୍ତ, ଗାଡ଼ି ଯୋଚିବି ?’’

ଗୋପାଳ ମହାଜନଙ୍କ ପକ୍ଷରୁ ଉତ୍ତର ଦେଲେ, ‘‘ନା, ଏକ୍ଷଣି ଗାଡ଼ି ଯୋଚା ହେବ ନାହିଁ, ରହ । ଜଗୁଆ ! ସେ ଲୋକଟି କିଏ ତାକୁ ଇଆଡ଼େ ଆଣ ।’’

ମହାଜନ ହଠାତ୍‌ ଏ ନାମଟା ଶୁଣି କହିଲେ, ‘‘ଏଁ, ଜଗୁଆ ! କୁ’ ଜଗୁଆ ?’’

ଗୋପାଳ–ଆପଣଙ୍କ ଗ୍ରାମର ଜଗୁଆ । ଆପଣ ତାକୁ ଚିହ୍ନନ୍ତି । ସେ ମୋ ପାଖକୁ ଆସିଥିଲା । ତାରି ଯୋଗୁଁ ହିଁ ଆପଣ ଆଜି ରକ୍ଷା ପାଇଲେ । ସେ ମୋ’ ପାଖକୁ ଆଜି ନ ଆସିଥିଲେ ଏବଂ ଶବ୍ଦ ବାରି ସେ ଏ ଆଡ଼କୁ ଆଗ ନ ଧାଇଁଥିଲେ, ଆଜି କ’ଣ ହୋଇଥାନ୍ତା, କେଜାଣି ?

ଜଗୁଆ ଆସିଲାରୁ ବୁଢ଼ା କ୍ଷୀଣ ଚନ୍ଦ୍ରଲୋକରେ ତାକୁ ସ୍ପଷ୍ଟ ଚିହ୍ନି ପାରିଲେ ଏବଂ ଚିହ୍ନିପାରିବା ସାଙ୍ଗେ ସାଙ୍ଗେ ପୂର୍ବ ସ୍ମୃତି ଜାଗି ଉଠିଲା । ମନେ ପଡ଼ିଗଲା ସେଦିନ, ଯେଉଁ ଦିନ ଜଗୁଆ ବାପଟଙ୍କା ପରିଶୋଧ କରିବା ପାଇଁ ଆସିଥିଲା ଓ ସେ ବିଚରା ଓପରେ ଡ଼େରିଦେଲେ ଦୁଇଶହ ପଚାଶ ଟଙ୍କା । ଆଖି ଆଗରେ ଦିଶିଗଲା ଜଗୁଆ ବାପର ସେଦିନର ‘ହା ହତୋଽସ୍ମି’ ଭାବରେ ପୂର୍ଣ୍ଣ ଚିନ୍ତାଦଗ୍ଧ ମୁଖ । ସେହି ଦିନଠାରୁ ତାଙ୍କର ଜଗୁଆ ମା ଓ ଜଗୁଆ ସାଙ୍ଗେ ଯେ ସବୁ ବ୍ୟବହାର ହୋଇଛି, ସବୁ ମନେ ପଡ଼ିଗଲା । ମହାଜନ ଲଜ୍ଜାରେ, ଆତ୍ମଗ୍ଲାନିରେ ତୁନି ହୋଇ ରହିଲେ ।

ଗୋପାଳ ଆଗରେ ଘାତକକୁ ଦେଖି ପଚାରିଲେ, ‘‘କି ହୋ, ତୁମେ କିଏ ? କାହିଁକି ଏ ପାପ କରୁଥିଲ ? ବିନା କାରଣରେ ଏପରି ପଥିକଙ୍କୁ ଆକ୍ରମଣ କରିବା କିପରି ଈଶ୍ୱର ଏବଂ ସରକାର-ଉଭୟତ୍ର ଦୋଷାବହ, ତାହା କ’ଣ ତୁମେ ଜାଣ ନାହିଁ ?’’

ଘାତକ–ବାବୁ, ହଁ, ମୁଁ ଜାଣିଥିଲି, ବିନା କାରଣରେ କାହା ଦେହରେ ହାତ ଲଗେଇବା ଅନ୍ୟାୟ । ଜାଣିଥିଲି, ବୃଥାରେ କାହାକୁ ସାଧିଲେ, ପରମେଶ୍ୱର ସାଧନ୍ତି, ସରକାର ବି ଦଣ୍ତ ଦିଅନ୍ତି-। କିନ୍ତୁ ମୁଁ ତ ବୃଥାରେ କାହା ଓପରେ ହାତ ଉଠାଇନଥିଲି । ଏ ମହାଜନ ମୋ’ ପ୍ରତି ଯାହା କରିଛି, ସେ ଦୃଷ୍ଟିରେ ବିଚାରିଥିଲି, ସରକାର ମୋ କାର୍ଯ୍ୟ ପାଇଁ ମୋତେ ଦଣ୍ତ ଦିଅନ୍ତୁ ପଛେ ପରମେଶ୍ୱର ମୋତେ ଦୋଷୀ କରିବେ ନାହିଁ । କିନ୍ତୁ ଆଜି ବୁଝିଲି, କାରଣ ଥାଉ ବା ନଥାଉ, ଅନ୍ୟ ଓପରେ ହାତ ଲଗାଇବା ଅନ୍ୟାୟ । ବାବୁ, ତମ ସାଙ୍ଗ ଏଇ ଲୋକଟିଠାରୁ (ଜଗୁଆକୁ ଦେଖାଇ) ଆଜି ଯାହା ଜ୍ଞାନ ପାଇଛି, ସେଥିରେ ମୋ’ର ଆଖି ଫିଟିଛି । ମୁଁ ବୁଝିଛି, ମୋ ଓପରେ ହୋଇଥିବା ଅନ୍ୟାୟର ମୁଁ ଯେ ପ୍ରତିକାର କରୁଥିଲି, ପରମେଶ୍ୱର ସେଥିରେ ରାଜି ନୁହନ୍ତି । ଯଦି ଏହା ପରମେଶ୍ୱରଙ୍କର ଇଚ୍ଛା ହୋଇଥାନ୍ତା ତେବେ ସେ ଆପଣଙ୍କୁ ପଠାଇ ମୋ କାର୍ଯ୍ୟରେ ବାଧା ଦିଆଇଥାନ୍ତେ କାହିଁକି ? ଏହି ଗୋଟିଏ କଥାରୁ ମୁଁ ସବୁ ବୁଝିଛି । ମୋର ମହାଜନ ଓପରେ ଆଉ ଅହନ୍ତା ଭାବ ନାହିଁ ।’’

ଗୋପାଳ ଏକଥା ଶୁଣି ଟିକିଏ ବିସ୍ମିତ ହେଲେ । ଯେଉଁଲୋକ ଏପରି ଭାବରେ କଥାବାର୍ତ୍ତା କରିପାରେ, ସେ ପୁଣି କିପରି ଏଡ଼େ ବଡ଼ ପୈଶାଚିକ କାର୍ଯ୍ୟ କରିବାକୁ ବାହାରିଥିଲା ? ଅବଶ୍ୟ ଯଥେଷ୍ଟ କାରଣ ଥିବାରୁ ସେ ଏପରି କାର୍ଯ୍ୟ କରିବାକୁ ବାହାରିଥିବ । ତେବେ ଏତେ ଅଳ୍ପକ୍ଷଣରେ ତା’ର ଏପରି ଅଦ୍ଭୁତ ପରିବର୍ତ୍ତନ ହେଲା କିପରି ? ମୂର୍ଖ ମଫସଲିଆ ଲୋକେ କେଡ଼େ ବେଗେ କଥା ବୁଝିପାରନ୍ତି, ତାହା ଗୋପାଳ ଜାଣିନଥିଲେ । ତାଙ୍କର ସନ୍ଦେହ ହେଲା, ଏ ଲୋକ ବର୍ତ୍ତମାନ ଯାହା କହୁଛି ତାହା ତା’ର ଛଳନା, ନା ପ୍ରକୃତ ହୃଦୟର ଭାବ । ଦଣ୍ତବିଧି ଆଇନର କବଳରୁ ରକ୍ଷା ପାଇବା ନିମନ୍ତେ ସେ ଏପରି ଉପାୟ ଅବଲମ୍ବନ କରିଛି, ନା ପ୍ରକୃତରେ ତା’ର ମନର ପରିବର୍ତ୍ତନ ହୋଇଛି । ଗୋପାଳ କିଛି ଠିକ୍‌ ନ କରିପାରି ଟିକିଏ ଚିନ୍ତିତ ହେଲେ ।

ଗୋପାଳ ତୁନି ହେବାର କାରଣ ଜଗୁଆ ବୁଝିପାରି କହିଲା, ‘‘ବାବୁ, ସେ ଯାହା କହୁଛି ସତ । ବାସ୍ତବିକ ବିପଦରେ ପଡ଼ି ତା’ ମନ ପିତା ହୋଇଯାଇଥିଲା । ସେ ବହୁତ ସହିଛି । ସେ ଯାହା ସହିଛି, ମୁଁ ସେତେ ସହିପାରନ୍ତି କି ନାହିଁ କେଜାଣି ! ବାବୁ, ପ୍ରକୃତରେ, ତାର ବର୍ତ୍ତମାନ ଆଉ ରାଗ ନାହିଁ, କି ଅହନ୍ତା ଭାବ ନାହିଁ ।’’

ଗୋପାଳ କହିଲେ-‘‘ଯାହାହେଉ ତା’ର ମନର ପରିବର୍ତ୍ତନ ଆସିଛି, ଭଲ କଥା ! ଈଶ୍ୱର ଏ କଥାର ବିବେଚନା କରିବେ । ମନ ଭିତରେ ଯେଉଁ ପ୍ରତିହିଂସାର ନିଆଁ ଜଳୁଥିଲା, ସେଥିପାଇଁ କ୍ଷମା କରିବେ । ଆଜି ସେ ଯାହା କରିବାକୁ ବସିଥିଲା, ସେଥିପାଇଁ ଈଶ୍ୱର ତାକୁ କ୍ଷମା କରିପାରନ୍ତି; ମାତ୍ର ସରକାରଙ୍କ ନ୍ୟାୟ ତ ସେପରି ନୁହେଁ । ମହାଜନେ ଯଦି ନିଜେ ତାକୁ କ୍ଷମା କରି ଏ ବିଷୟର ଉତ୍‌ଥାପନ ନ କରନ୍ତି, ତାହା ହେଲେ ସବୁ ଭଲ, ମାତ୍ର ମହାଜନେ ମକଦ୍ଦମା ପ୍ରଭୃତି କଲେ, କଥା ଅନ୍ୟ ପ୍ରକାର ହେବ ଏବଂ ବହୁ ଦିନରୁ ପ୍ରତିହିଂସା ନେବା ପାଇଁ ମନସ୍ଥ କରି ଆଜି ଏପରି ଅବସ୍ଥାରେ ଆକ୍ରମଣ କରିଥିବା ହେତୁ ମକଦ୍ଦମା ବଡ଼ ଗୁରୁତର ହୋଇ ପଡ଼ିବ । ମହାଜନଙ୍କର ଇଚ୍ଛା । ସେ ମାରି ପାରନ୍ତି, ତାରି ପାରନ୍ତି । ମହାଜନେ, ମୋର ଅନୁରୋଧ, ତା’ର ପ୍ରକୃତ ଅନୁତାପ ଆସିଲାଣି ବୁଝି ଆପଣ ତାକୁ କ୍ଷମାକରିବେ ।’’ ଅପରିଚିତ ଲୋକଟି କହିଲା, ‘‘ମହାଜନେ, ସତେ ମୁଁ ତୁମ ପ୍ରତି ବଡ଼ ଅନ୍ୟାୟ କରୁଥିଲି । ତୁମ ଇଚ୍ଛା–ନା, ମୋତେ ଯେଉଁ ଦଣ୍ତ ଦେବ ଦିଅ, ମୁଁ ଦଣ୍ତ ପାଇ ମୋ ପାପର ପ୍ରାୟଶ୍ଚିତ୍ତ କରିବି ।’’

ବାସୁଦେବ ଏତେ ବେଳଯାଏ ତୁନି ହୋଇ ସବୁ ଶୁଣୁଥିଲେ । ତାଙ୍କୁ ମୁଣ୍ତ ଘୁରି ଯାଉଥାଏ । ଅବଶ୍ୟ ମାଡ଼ର ପ୍ରତାପରେ ନୁହେ, ଏମାନଙ୍କ କଥାବାର୍ତ୍ତାର ରୀତି ଦେଖି । ଏ କ’ଣ ? ତାର ରକ୍ଷକ କିଏ ? ଜଗୁଆ–ଯେଉଁ ଜଗୁଆର ବାପ ମାଙ୍କୁ ସେ ବର୍ଷ ବର୍ଷ ଧରି ହରକତ କରିଛନ୍ତି, ଯେଉଁ ଜଗୁଆଠାରୁ ସେ ନିତାନ୍ତ ଅଳ୍ପ ଟଙ୍କା ପାଇଁ ବିସ୍ତର ସମ୍ପତ୍ତି ଆତ୍ମସାତ୍‌ କରି ଆଜି ତାକୁ ଭୂସମ୍ପତ୍ତିଶୂନ୍ୟ କରିଛନ୍ତି ! ତାପରେ ଗୋପାଳ–ଗୁଡ଼ାଏ ଟଙ୍କା ଦାବୀକରି ତାଙ୍କୁ ଖଣ୍ତେ ଜନମାନବଶୂନ୍ୟ ଜଙ୍ଗଲ ଦେଇଛନ୍ତି, ତାଙ୍କଠାରୁ ତ ବିଶେଷ କିଛି ଉପକାର ଆଶା କରିବାର ନୁହେଁ-। ବାସୁଦେବ ଜାଣନ୍ତି–ଯେ ଯାହାଠାରୁ ଉପକାର ପାଏ, ସେ ତା ପାଇଁ ଉପକାର କରିପାରେ-। ମାତ୍ର ଏ କ’ଣ ? ବାସୁଦେବଙ୍କ ବିଚଳିତ ମସ୍ତିଷ୍କରେ ଏ ଶେଷ କଥାଗୁଡ଼ିକ ପହଞ୍ଚିଲାରୁ ତାଙ୍କର ସମସ୍ତ ପୂର୍ବ ସଂସ୍କାର କୁଆଡ଼େ ଉଭେଇଗଲା । ସେ ପିଲା ପରି ଭୋ ଭୋ ଡ଼କା ଛାଡ଼ି କାନ୍ଦିଲେ । ଓଃ, ସେ କାନ୍ଦ ! ହୃଦୟ ଭିତରର ସତେ ଅବା ଯେପରି ଗୋଟାଏ ଉଷ୍ଣପ୍ରସ୍ରବଣର ଅନେକ ଦିନର ଅବରୁଦ୍ଧ ଦ୍ୱାର ଆଜି ହଠାତ୍‌ ଫାଟିଯିବାରୁ ଭିତରର ସମସ୍ତ ଆବେଗ ଉଷ୍ଣଲୋତକ ଆକାରରେ ବାହାରକୁ ବାହାରି ଆସିଲା । ଏ ବେଗ, ଏ ସ୍ରୋତ ବନ୍ଦ କରିବ କିଏ ? ଗୋପାଳ କୌଣସି ବାଧା ନ ଦେଇ ବୃଦ୍ଧଙ୍କ ଆବେଗର କିଞ୍ଚିତ ଉପଶମ ହେବା ନିମନ୍ତେ ଅପେକ୍ଷା କରି ରହିଲେ ।

କିଛିକ୍ଷଣ ପରେ ବୃଦ୍ଧ ଟିକିଏ ପ୍ରକୃତିସ୍ଥ ହୋଇ କହିଲେ, ‘‘ମତେ କ୍ଷମାକର ଆପଣମାନେ ସମସ୍ତେ । ମଧୁ, ତୁମକୁ ମୁଁ କ’ଣ କ୍ଷମା କରିବ, ତୁମେ ମୋତେ କ୍ଷମାକଲ, ଏଥିରେ ମୁଁ ଆଶ୍ଚର୍ଯ୍ୟ ହେଉଛି ! ମୁଁ ଜାଣେ, ମଧୁ ! ମୋରି ଯୋଗୁଁ ତୁମର ସର୍ବନାଶ ହୋଇଛି । ମୁଁ ତୁମର ସବୁ ସମ୍ପଦ କାଢ଼ି ନେଇଛି । ମୋରିଯୋଗୁଁ ତୁମ ସ୍ତ୍ରୀ ମରିଛି । ମୁଁ ତୁମ ପିଲାଟିମାନଙ୍କୁ ଅଭାବରେ ସଢ଼େଇ ସଢ଼େଇ ମାରିଛି । ଏ ସବୁ ପାସୋରି ପାରୁଛ, ମଧୁ ! ଓହୋ, ମୁଁ କେଡ଼େ ପାପିଷ୍ଠ, ମୁଁ କେଡ଼େ ଅଧମ ।’’

ମହାଜନ ଏତକ କହି ଅନୁତାପ ଲୁହରେ ଦଗ୍ଧହୃଦୟକୁ ଟିକିଏ ଶୀତଳ କରି ଧୀରେ ଧୀରେ ଉଠି ମଧୁର ଗୋଡ଼ ଧରି ପକାଇ ପୁଣି ଆଉ ଥରେ ହୃଦୟର ଆବେଗରେ କାନ୍ଦି ପକାଇଲେ-

ପ୍ରାୟ ଅଧରାତିକୁ ମଧୁ ଗୋପାଳଙ୍କ ସଙ୍ଗେ ତାଙ୍କ ଜଙ୍ଗଲ ଘରେ ରାତିଟି କଟାଇବାର ଅନୁମତି ପାଇ ତାଙ୍କ ସାଥିରେ ଜଙ୍ଗଲ ଭିତରକୁ ବାହାରିଲେ ଏବଂ ବାସୁଦେବଙ୍କ ପାଖେ ଗାଡ଼ିଭିତରେ ବସି ଜଗୁଆ ତାଙ୍କର ପରିଚର୍ଯ୍ୟା କରି ଗାଁକୁ ଗଲା । ବିଚରା ଭୁତି କିନ୍ତୁ କାହାଠାରୁ କିଛି ପୁରସ୍କାର ନ ପାଇ ସଙ୍ଗଶୂନ୍ୟ ହୋଇ ଶଗଡ଼ି ପଛେ ପଛେ ଚାଲିଲା । ତା’ ମନରେ ଏଥିରେ ଦୁଃଖ ନାହିଁ; ସେ ତା କର୍ତ୍ତବ୍ୟ କରିବା ଜାଣେ । କର୍ତ୍ତବ୍ୟ କରି ପ୍ରଭୁକୁ ଖୁସି କରିପାରିଲେ ସବୁ ହେଲା । ତା’ର ପୁରସ୍କାର ପାଇଁ ପ୍ରୟାସ ନାହିଁ, କି ପ୍ରୟୋଜନ ନାହିଁ ।

Image

 

ତେର

 

ଗୋପାଳଙ୍କର ଗୋଟାଏ ପ୍ରତିଜ୍ଞା ଆଜି ଭାଜିଲା । ତାଙ୍କର ନିର୍ଜନ ବାସରେ ଆଉ କାହାରିକୁ ଅଂଶୀଦାର କରିବେ ନାହିଁ ବୋଲି ସ୍ଥିର କରି ସେ ଜଗୁଆକୁ ସନ୍ଧ୍ୟା ଗଡ଼ିଗଲେ ସୁଦ୍ଧା ଆଗ ରଖେଇ ଦେଇ ନ ଥିଲେ । ଆଜି ସେଇ ପ୍ରତିଜ୍ଞାଟା ଏପରିଭାବରେ ମନକୁ ମନ ଭାଙ୍ଗିଯିବ ବୋଲି ସେ ତ ଜାଣି ନ ଥିଲେ ! ପ୍ରଥମେ କଟକ ଛାଡ଼ିଲବେଳେ ସେ ସ୍ଥିର କରିଥିଲେ, କାହାରି ସଙ୍ଗେ କୌଣସି ସମ୍ବନ୍ଧ ରଖିବେ ନାହିଁ । ଜଗୁଆର ପରିବାର କାହୁଁ ଆସି ତାଙ୍କ ସଙ୍ଗେ ସମ୍ବନ୍ଧ ସ୍ଥାପନ କରି ବସିଲେ, ବାଧ୍ୟହୋଇ ପ୍ରତିଜ୍ଞାର କଠୋରତାକୁ ଟିକିଏ ଶିଥିଳ କରିବାକୁ ପଡ଼ିଲା । ଆଜି ସେ ପ୍ରତିଜ୍ଞା ଏକାବେଳେକେ ଉଡ଼ିଗଲା । ମଧୁ ତାଙ୍କ ସଙ୍ଗେ ଜଙ୍ଗଲରେ ରାତିଏ ଆଶ୍ରୟ ପାଇଁ ଯେତେବେଳେ କହିଲା ସେତେବେଳେ ଗୋପାଳଙ୍କ ମନ ହେଲା ନାହିଁ, ନିଜର ପ୍ରତିଜ୍ଞାର ସୂଚନା ଦେଇ ତାକୁ ବହିଷ୍କାର କରିଦେବା ନିମନ୍ତେ । ମଧୁ ବିଚରାର ଆଜି ଯେ ପରିବର୍ତ୍ତନ ହୋଇଛି ତହିଁରେ ବିସ୍ମିତ ଗୋପାଳ ପରିବର୍ତ୍ତନର ଛୋଟ ଚାରାଟିକୁ ନିଜର ସୋହାର୍ଦ୍ୟ ଜଳରେ ଟିକିଏ ବଳୁଆ କରିବା ନିମନ୍ତେ ଇଚ୍ଛାକରି ଆନନ୍ଦରେ ସମ୍ମତ ହେଲେ । ଏ ଇଚ୍ଛା ସଙ୍ଗେ ସଙ୍ଗେ ମଧୁର ଇତିହାସଟି ପୂର୍ଣ୍ଣ ଜାଣିବା ନିମନ୍ତେ କୌତୁହଳ ଟିକିଏ ଯେ ନଥିଲା ତାହା ନୁହେଁ ।

ଅତିଥିଟି ସଙ୍ଗେ ଗେପାଳ ଆସି ଘରେ ପହଞ୍ଚିଲା ବେଳକୁ ଭାଲୁପିଲା ଦୁଇଟି ତାଙ୍କୁ ନ ଦେଖି ଟିକିଏ ବ୍ୟାକୁଳ ହୋଇଯାଇଥାନ୍ତି । ତାଙ୍କର କଥା ଟିକିଏ ବୁଝାବୁଝି କରି, ଗୋପାଳ ଦ୍ୱିପଦ ଅତିଥିଙ୍କର ସତ୍କାରରେ ଲାଗିଗଲେ । ମଧୁ ଯାହା ପାଇଲା, ତାକୁ ଅତି ଆନନ୍ଦ, ଅତି ଆଗ୍ରହରେ ଖାଉ ଖାଉ କହିଲା, ‘‘ବାବୁ, ଆଜି ଅନେକ ଦିନ ପରେ ମୁଠେ ଭଲ ଖାଇବାକୁ ପାଇଲି ।’’

ଗୋପାଳ–ଏ ପୁଣି ଭଲ କ’ଣ ?

ମଧୁ–ନା, ଜିନିଷ ସେପରି ଦୁଷ୍ପ୍ରାପ୍ୟ ବୋଲି କହୁ ନାହିଁ ଯେ । ଜିନିଷ ଦୁଷ୍ପ୍ରାପ୍ୟ ହେବା ସଙ୍ଗେ ଖାଇବା ତୃପ୍ତିର କିଛି ଯାଏ ଆସେ ନାହିଁ । ମନ ଭିତରେ ଆନନ୍ଦ ଥିଲେ ଯେ କୌଣସି ଜିନିଷ ଖାଅ ଭଲ ଲାଗିବ । ମୁଁ ଗଲା କେତେ ବର୍ଷ ହେଲା ପେଟ ପୂରାଇ ପୁଞ୍ଜେ ଖାଇବାକୁ ଅବସର ପାଉନଥିଲି । ମୋର କ୍ଷୁଧା ଏକବାରେ ନଥିଲା–ପେଟଯାକ ଏପରି କି ଶିରା ପ୍ରଶିରା ଭିତରେ ଚିନ୍ତା ପୂରି ରହିଥିଲା; ଭାତ ଯାନ୍ତା କୁ’ଠିକି ? ଆଜି ଆପଣଙ୍କ ଅନୁଗ୍ରହରୁ ସେସବୁ ଚିନ୍ତା ଗଲା, ମୋର ପୁନର୍ଜନ୍ମ ଲାଭ ହେଲା ।

ଗୋପାଳ–ତୁମର ପରିବର୍ତ୍ତନ ଅବଶ୍ୟ ହେଲା, ସୁଖର ବିଷୟ । ତେବେ ମୋ ଯୋଗୁଁ ହେଲା ବୋଲି କହି ମୋତେ ଗୁଡ଼ାଏ ବୃଥା ପ୍ରଶଂସା କରୁଛ ।

ମଧୁ–ବୃଥା ନୁହେଁ ବାବୁ ! ଆପଣଙ୍କର ପଦେ କଥା ଅସଲ ସମୟରେ ଶୁଣି ସବୁ ହେଲା-। ଦୁଇଦିନ ଆଗରୁ ଏହି କଥା କହିଥିଲେ ମୋ ମନରେ ବିଶେଷ କିଛି ଭାବ ଆସିଥାନ୍ତା କି ନାହିଁ କେଜାଣି ? ମାତ୍ର ଠିକ୍‌ ବହୁଦିନର ଅଭିଳାଷ ପୂରିବାବେଳକୁ ଆପଣଙ୍କଠାରୁ ବାଧା ପାଇ ଏବଂ ଉପଦେଶ ଶୁଣି ମୋର ଜୀବନ ସାର୍ଥକ ହୋଇଛି । ବର୍ତ୍ତମାନ ମୁଁ ବୁଝୁଛି ଆପଣଙ୍କ ବାଧା ଯୋଗୁଁ ମୁଁ ମୋର ଅତ୍ୟାଚାରୀ ଓପରେ ଯେ ପ୍ରକାର ପ୍ରତିହିଂସା ନେଇପାରିଛି ଆପଣ ବାଧା ଦେଇନଥିଲେ ତାକୁ ଜୀବନରେ ମାରି ଦେଇଥାନ୍ତି ନିଶ୍ଚୟ; ମାତ୍ର ଏଭଳି ଶ୍ରମ ସାର୍ଥକ ହୋଇ ନ ଥାନ୍ତା । ଅସଲ ପ୍ରତିହିଂସା ନିଆ ହୋଇପାରି ନଥାନ୍ତା ।

ଖିଆ ପିଆ ସରିଲା । ଖଣ୍ତିଏ ବୋଲି ଘର, ଗୋଟିଏ ବୋଲି ଶେଯ, ବାଧ୍ୟହୋଇ ଦୁହେଁ ଏକ ସଙ୍ଗେ ଶୋଇଲେ । ମଧୁର ଜୀବନ ବୃତ୍ତାନ୍ତ ଶୁଣିବା ପାଇଁ ଗୋପାଳ ଖୁବ୍‌ କୁତୂହଳୀ ହୋଇଥାନ୍ତି, କିନ୍ତୁ ପଚାରୁ ନ ଥାନ୍ତି -କେଜାଣି ଜୀବନବୃତ୍ତାନ୍ତ କହିବାରେ ମଧୁର ଆପତ୍ତି ଥିବ, କେଜାଣି ସେ ତା’ ଇତିହାସ ଗୋପନୀୟ ରଖିବା ପାଇଁ ଇଚ୍ଛୁକ ଥିବ । କିଛି ସମୟ ପରେ ମଧୁ ନିଜେ କହିଲା-ବାବୁ, ମୋ କଥା ସବୁ ତୁମେ ଶୁଣି ନାହିଁ ?’’

ଗୋପାଳ–ନା, ଶୁଣିବାକୁ ଇଚ୍ଛା ଅଛି ଯେ, ତୁମେ କହିବ କି ନାହିଁ ବୋଲି ଭରସି ପଚାରୁ ନ ଥିଲି ।

ମଧୁ–କ’ଣ, ଆପଣଙ୍କର ମୋ ପାଖରେ ପୁଣି ସଂକୋଚ କ’ଣ ? ଆପଣଙ୍କଠାରେ ମୋ’ର ବା ଗୋପନୀୟ କ’ଣ ଅଛି ? ଆପଣ ଯେ ମୋର ଗୁରୁ ।

ଏହା କହି ମଧୁ ଆରମ୍ଭ କଲା–

ମୋ ଘର ଏଠାରୁ ଅଳ୍ପଦୂର ଶରଧାପୁରରେ । ମୁଁ ଥିଲି ଶରଧାପୁରର ସବୁଠାରୁ ବଡ଼ ଧନୀ, ଜମି ୧୦ । ୧୫ ବାଟି ଥିଲା । ଟଙ୍କା ପଇସା ବି ଥିଲା । ମୋର ଅଭାବ ନ ଥିଲା କାହାର ଦ୍ୱାରସ୍ଥ ହେବାର କୌଣସି ପ୍ରୟୋଜନ ନ ଥିଲା । ମୁଁ ଅଭାବରେ ସୃଷ୍ଟି କଲି । ମନେକଲି ଗଞ୍ଜେଇ ଅଫିମ ଟିକିଏ ଟିକିଏ ସେବା କଲେ ଯାଇ ମୋର ସମ୍ପତ୍ତିର ଉପଯୁକ୍ତ ବ୍ୟବହାର ହେବ ପାଖରେ ଯାହା ଟଙ୍କା ଥିଲା ସେତକ ସରିଲା । ସେତିକିବେଳେ ବାସୁ ମହାଜନଙ୍କ ସହିତ ମୋର ପରିଚୟ । ମୁଁ ପ୍ରଥମେ ତାଙ୍କ ପାଖେ ଟଙ୍କାର ପ୍ରଶ୍ନ ଉଠାଇଲା ମାତ୍ରେ ସେ ଏତେ ଆଗ୍ରହରେ ମୋତେ ଟଙ୍କା ଦେବାକୁ ମଙ୍ଗିଗଲେ ଯେ ମୋର ବାସ୍ତବିକ୍‌ ମନେ ହେଲା ବାସୁଦେବହିଁ ମୋର ଶ୍ରେଷ୍ଠ ବନ୍ଧୁ । ମୋର ସ୍ତ୍ରୀ ମୋର ଏ ଗତିରେ ଟିକିଏ ବ୍ୟସ୍ତ ହେଉଥିଲେ ସତ, ତେବେ କେଜାଣି ମୁଁ ବିରକ୍ତ ହେବି ବୋଲି ସେ ମୋତେ ପଦେ ସୁଦ୍ଧା କିଛି ପାଟି ଫିଟେଇ କହିଲେ ନାହିଁ । ମୋର ଭ୍ରମ ବାଧା ନ ପାଇ ଦ୍ୱିଗୁଣିତ ବେଗରେ ବଢ଼ିବାକୁ ଲାଗିଲା । ବାସୁଦେବଙ୍କ ସ୍ତ୍ରୀ ହେଲେ ମୋ ସ୍ତ୍ରୀଙ୍କର ସଙ୍ଗାତ । ସଙ୍ଗାତ ମୈତ୍ର ବେଭାର ଚାଲିଲା । ବାସୁଦେବଙ୍କଠାରୁ ଟଙ୍କା କରଜ ଆଣି ତାଙ୍କର ଟଙ୍କାରେ ତାଙ୍କ ପାଖକୁ ବେଭାର ପଠାଉଥାଏଁ । ଟଙ୍କା ପ୍ରାୟ ହଜାରେ ହେବ ହୋଇଗଲା ମୋର କରଜ । ଦିନେ ହଠାତ୍‌ ଘରେ ପଶିଗଲା ବେଳକୁ ଦେଖିଲି, ମୋର ସ୍ତ୍ରୀ ମୋର କ୍ଷୁଦ୍ର ଶିଶୁଟିକୁ ଧରି ଭାରି ଅସମ୍ଭାଳ କାନ୍ଦୁଛନ୍ତି । ମୁଁ ଏହାର କାରଣ କିଛି ବୁଝି ନ ପାରି ବହୁତ ପ୍ରକାର ତାଙ୍କୁ ବୁଝେଇଲି । ଶେଷରେ ନାନା ଅନୁନୟ କରି କାରଣ ପଚାରିଲି । ଭାଗ୍ୟକୁ ସେତେବେଳେ ମଥାରେ ନିଶା ଚଢ଼ି ନ ଥାଏ । ସେ କହିଲେ, ‘‘ମୋର କିଛି ଦୁଃଖ ନାହିଁ । ତୁମେ ସୁଖରେ ଥିଲେ ମୋର ସୁଖ । ତେବେ ତମର ତ ଟିକିଏ ସୁଖ ଦେଖୁ ନାହିଁ । କାହୁଁ ଏ ନିଶା ଆସି ତମକୁ ଶେଷ କରିବାକୁ ବସିଲାଣି । ଏଣେ ମହାଜନର କେତେ ଟଙ୍କା ହୋଇଗଲାଣି, ଶୁଝିବା କିପରି ?’’

ନିଶା ବିଷୟରେ ମୋ ସ୍ତ୍ରୀଙ୍କର ଯେଉଁ ମତ, ଏବେ କେତେଦିନ ହେଲା ମୁଁ ବି ସେହିପରି ବିଚାରୁଥିଲି । ମତେ ବାସ୍ତବିକ୍‌ ଜଣାପଡ଼ିଆସୁଥିଲା ଯେ, ନିଶା ଯୋଗୁ ମୋର ଶୀଘ୍ର ଯମଦ୍ୱାରକୁ ଯିବାର ପଥ ଯେପରି ପରିଷ୍କୃତ ହୋଇଆସୁଛି । ମାତ୍ର ମହାଜନଙ୍କୁ ଟଙ୍କାକଥା ଶୁଣି ମୁଁ ହସି ପକାଇ କହିଲି, ‘ମହାଜନ ଟଙ୍କା ପାଇଁ ଏତେ ବ୍ୟସ୍ତ କାହିଁକି ମ ? ସେ ଆମର ବନ୍ଧୁ । ଅନ୍ୟମାନଙ୍କ ପ୍ରତି ଯାହା କରନ୍ତୁ ମୋଠାରେ ସେ କେବେ ଖରାପ ବ୍ୟବହାର ଦେଖାଇବେ ନାହିଁ । ତାପରେ କେତେ ବା ଟଙ୍କା ! ଜମି ବାଟିକୁ ତ ନିଅଣ୍ଟ । ଯାହା ହେଉ ମୋ କଥାରେ ତାଙ୍କର ମନ ମାନିଲା ପରି ଜଣାଗଲା ନାହିଁ ।

ସ୍ତ୍ରୀ ମୁହଁରେ ଟିକିଏ ଦୁଃଖ ଦେଖିଲେ ମୋର ସୁହା ଯାଉନଥିଲା । ସ୍ତ୍ରୀ ମନରେ ସୁଖ ଆଣିବି ବୋଲି ନିଶାଟା ଛାଡ଼ିଦେଲି ଏବଂ ତାଙ୍କର ମୁହଁରେ ହସ ଦେଖିବି ବୋଲି ଟଙ୍କାଟା ଶୁଝିଦେବା ନିମନ୍ତେ ମହାଜନଙ୍କ ଦ୍ୱାରସ୍ଥ ହେଲି ।

କେତେ ଥର ଧାଇଁଲି, ମାତ୍ର ଟଙ୍କା ଶୁଝା ହୋଇ ପାରିଲା ନାହିଁ । ମୋତେ ଦେଖିଲା ମାତ୍ରେ ମହାଜନେ ନାନା ଆଡ଼ୁ ନାନା ପ୍ରକାର କଥା ଆଣି ପକାନ୍ତି । କିପରି ଟଙ୍କାକଥାଟା ନ ପଡ଼ିବ ସେଥିପାଇଁ ନାନା ପ୍ରକାର ହସ ଖୁସିର ବନ୍ଦୋବସ୍ତ କରନ୍ତି । ନିତାନ୍ତ ଟଙ୍କା ଶୁଝିବା କଥା ପକେଇଲେ କହନ୍ତି, ‘‘ଏ କ’ଣ ମଧୁ ! ତୁମେ ‘ବାୟା’ ହୋଇ ଜମି ବିକିବ–ଟଙ୍କା ଶୁଝିବ ? ୟେ ହବା କଥା ?’’

ମୁଁ–ଜମି ନ ବିକିଲେ ହବ କିପରି ? ଯେବେ ହେଲେ ତ ସେହି ଜମି ବିକି ଟଙ୍କା ଶୁଝିବାକୁ ପଡ଼ିବ । ମୋର କ’ଣ ଆଉ କୌଣସି ଆୟ ପନ୍ଥା ଅଛି ଯେ ‘ବାୟା’ ହେବାକୁ ଡ଼ରିବି ?

ମହାଜନେ–ଓଃ, ମୋର ଏଇ କେତେଟା ଟଙ୍କା ପାଇଁ ତ ? ଦଲିଲ ପତ୍ର ଯାହା କରିଦେଇଛ ସବୁ ନିଅ-ଫେରାଇ ଦେଉଛି । ମୁଁ କ’ଣ ତମର ପର ଯେ, ଟଙ୍କା ଶୁଝିବାକୁ ଏତେ କାଉଳି ?

ଏ ସବୁ କଥା ଶୁଣି ମୁଁ ନିଶ୍ଚିନ୍ତ ହେଲି । ଘରକୁ ଫେରି ସ୍ତ୍ରୀଙ୍କୁ ସବୁ କଥା କହିଲି । ସେ ଆଗ ଟିକିଏ ଦୋଦୋପାଞ୍ଚ ହେଲେ । ପରେ ବୁଝିଲେ ମହାଜନଙ୍କ ଟଙ୍କାକୁ ଭୟ କରିବାର କୌଣସି କାରଣ ନାହିଁ । ମହାଜନଙ୍କ ବନ୍ଧୁତା ଉପରେ ମୋର ଦାବୀ ଆଉ ବଢ଼ାଇବି ନାହିଁ ବୋଲି ସ୍ଥିରକରି ମୁଁ ମୋର ଖର୍ଚ୍ଚ ସୁଅରେ ବିବେଚନାର ଗୋଟିଏ ବନ୍ଧ ପକେଇଦେଲି । ନିଶା ଛାଡ଼ିଦେଲି । ନିଶାଖିଆ ପୂର୍ବ ଶାନ୍ତିଦିନ ପୁଣି ଫେରି ଆସିଲା ।

ହଠାତ୍‌ ଦିନେ ଆସି ସମନ୍‌ ପହଞ୍ଚିଗଲା । ମହାଜନେ ମୋ ନାମରେ ମକଦ୍ଦମା ଦାଏର୍‌ କରିଛନ୍ତି । ଲେଖା ଅଲେଖା କେତେ କାଗଜ ଆସି ମକଦ୍ଦମାରେ ଏକ୍‌ଜିବିଟ୍‌ ହୋଇ ବାହାରି ପଡ଼ିବାର ଦେଖି ମୁଁ ତାଟକା ହୋଇଗଲି । ଜାଣିଶୁଣି କେତେ କାଗଜ ଦେଇଛି, ନିଶା ଜୋର୍‌ରେ କେତେ ଅଜାଣତରେ ଦସ୍ତଖତ ଦେଇଛି । ସବୁ ଉପରେ ମହାଜନେ ଟଙ୍କା କୋଡ଼ିଏ ହଜାର ଡେରିଦେଲେ । ବିଶେଷ କିଛି ପ୍ରମାଣଲୋଡ଼ା ହେଲାନାହିଁ । ହାଇକୋଟ ତାଙ୍କୁ ଡ଼ିଗ୍ରୀ ଦେଲେ । ମୋର ସବୁ ସମ୍ପତ୍ତି ନିଲାମରେ ଉଠିଗଲା । ମୁଁ ହଠାତ୍‌ ମୋର ସମସ୍ତ ସମୃଦ୍ଧି ଭିତରେ ଭିକାରୀ ହୋଇଗଲି ।

ସମ୍ପତ୍ତି ଯିବାରେ ମୁଁ ବିଶେଷ ଦୁଃଖିତ ହୋଇଥିଲାପରି ମନେ ହେଉ ନାହିଁ । ଚେଙ୍କେ ଖାଇଲି–ଲୋକଙ୍କୁ ଚିହ୍ନିଲି । ମୋର ଅଫିମା ବନ୍ଧୁଙ୍କ ସତ୍ୟବାଦିତା ଏବଂ ମହାଜନଙ୍କ ସାଧୁତାରେ ମର୍ମାହତ ନ ହୋଇ ମୁଁ ବରଂ ସେମାନଙ୍କୁ ଏତେଦିନେ ଭଲ ଚିହ୍ନିଲି ବୋଲି ଖୁସି ହେଲି ।

ଏ ସବୁ ମୋ’ ପତ୍ନୀ ଯୋଗୁଁ । ଟଙ୍କା ପଇସାକୁ ସେ ବଡ଼ ବୋଲି କେବେ ମନେକରୁ ନ ଥିଲେ । ତାଙ୍କ ସ୍ୱାମୀ ଭଲ ବାଟକୁ ଚାଲି ଆସିଲେ, ମନ୍ଦ ସଙ୍ଗ ଗଲା, ମନ୍ଦ ଲୋକଙ୍କୁ ମନ୍ଦ ବୋଲି ଚିହ୍ନିଲେ–ଏଥିରେ ତାଙ୍କର ଆନନ୍ଦ !

ମାତ୍ର ଏ ଆନନ୍ଦ ବେଶୀଦିନ ରହି ପାରିଲା ନାହିଁ । ବେଶୀ ଟଙ୍କା ଥିଲେ ବିଶେଷ ଲାଭ ନ ହୋଇପାରେ–ହୁଏତ କ୍ଷତି ହୋଇପାରେ । କିନ୍ତୁ ଏକାବେଳେକେ ଟଙ୍କା ନ ଥିଲେ ଯେ ଗାଁରେ ଘର କରି ରହିହେବ ନାହିଁ । ପିଲାଙ୍କୁ ଦାଣ୍ତକୁ ଛାଡ଼ିବା ପାଇଁ ଜୁ’ ପାଇବ ନାହିଁ । ଏ କଥା କ୍ରମେ କ୍ରମେ ତାଙ୍କ ମନରେ ଆସି ଲାଗିଲା । ସ୍ନେହର ପୁଅଟି ଖାଇବା ପିଇବାକୁ, ଲଗେଇବାକୁ ନ ପାଇ କ୍ରମେ କ୍ରମେ ଶୀର୍ଣ୍ଣ ହୋଇ ଆସିଲା । ଶେଷରେ ତା’ର ବେମାରୀ ହେଲା । ଏ ବେମାରୀର ଉପଯୁକ୍ତ ପ୍ରତିକାର କରିପାରିଥିଲେ ମୋ ମନରେ ଏତେ ଦୁଃଖ ରହି ଯାଇ ନ ଥାନ୍ତା । ମୋର ସ୍ୱାଭାବିକ ଉଦାସୀନତା ସବଳରେ ଦୂରୀଭୂତ ହୋଇ ପ୍ରତିହିଂସାରେ ମୋର ହୃଦୟ ବିଷାକ୍ତ ହୋଇ ନ ଥାନ୍ତା । ପିଲାଦିନୁ ଦରିଦ୍ର ଘରେ ଚଳି ଆସିଥିଲେ, ମାଗିବା ଅଭ୍ୟାସ ହୋଇ ଯାଇଥାନ୍ତା; ମାଗି ହତାଶ ହେଲେ ବିଶେଷ ବାଧା ହେଉ ନ ଥାନ୍ତା । କିନ୍ତୁ ମୁଁ ଯେ ଦେଇ ଶିଖିଥିଲି–ମାଗିବି କିପରି ? ପିଲାଟି ଶେଷରେ ଆମକୁ ଛାଡ଼ି ଚାଲିଗଲା ।

ବୁଡ଼ି ଯାଉଥିବା ମଣିଷ କୁଟା ଖଣ୍ତେ ଧରି ରକ୍ଷା ପାଇଯିବାର ଚେଷ୍ଟା କରେ । ମୁଁ ମୋ ସ୍ତ୍ରୀଙ୍କର ସ୍ନେହରେ ସବୁ ପାସୋରିବାକୁ ବସିଲି । ସେ ଏଣିକି ମୋର ପ୍ରତ୍ୟେକ ଅଭାବ ପ୍ରତ୍ୟେକ ଅସୁବିଧା ଯତ୍ନ ସହକାରେ ଦୂର କରିବାକୁ କେତେ ଲାଗିଲେ ।

ମୋ ଆଗରେ ସେ କଠୋର ଆତ୍ମସଂଯମ ଅବଲମ୍ବନ କରିଥାନ୍ତି, ମୁହଁରେ ଦୁଃଖର କ୍ଷୀଣ ଛାୟା ମଧ୍ୟ ମୁଁ ଦେଖିପାରେ ନାହିଁ । ଏ ଦୁଃଖ କ’ଣ ଇମିତି ସେମିତି ଦୁଃଖ ଯେ ୟାର ଛାୟା ପଡ଼ନ୍ତା ? ଏ ତ ମଧ୍ୟାହ୍ନ ସୂର୍ଯ୍ୟ ପରି । ଛାଇ ନାହିଁ ମାତ୍ର ତାତିରେ ଅନ୍ତର ଦହି ହୋଇ ଯାଉଛି । କ୍ରମେ ମୋ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟଭଙ୍ଗ ହେଲା । ଯମ ରାଜା ହଠାତ୍‌ ମୋ ଦୁଃଖକୁ ବିଦ୍ରୂପ କରି ତାଙ୍କୁ ଜୋରରେ ନେଇ ଚାଲିଗଲେ ।

ତାଙ୍କର ଚିତା ଜଳିବା ସାଙ୍ଗେ ସାଙ୍ଗେ ମୋ ହୃଦୟରେ ପ୍ରତିହିଂସାର ନିଆଁ ଜଳି ଉଠିଲା । ସେ ନିଆଁକୁ ଶାନ୍ତ କରିବାକୁ ବା ଲିଭାଇବାକୁ କେହି ନଥିଲେ । କୌଣସି ବାଧା ନ ପାଇ ତାର ତାତିରେ ମୁଁ ସିଝିଗଲି–ମୋର ସମସ୍ତ ସଦ୍‌ବୃତ୍ତି ନଷ୍ଟ ହେଲା । ପ୍ରତିହିଂସା ନେବାପାଇଁ ମୁଁ ହୋଇଗଲି ପାଗଳ । ବାସୁ ମହାଜନ ଯୋଗୁଁ ମୋ ରାମ ଯାଇଛି, ତାର ମା ଯାଇଛି, ସେହି ମୋର ସର୍ବନାଶର ମୂଳକାରଣ ।

ଦିନେ ପାଗଳ ଭଳିଆ ପ୍ରଳାପ କରି କରି ମୁଁ ଯାଇ ତାଙ୍କ ଦୁଆରେ ପହଞ୍ଚିଲି । ପ୍ରଳାପ କରି କରି ମୋର ସମସ୍ତ କଥା ତାଙ୍କୁ କହିଲି । ସେଦିନ ତାଙ୍କଠାରୁ ଟିକିଏ ଦୟା ପାଇଥିଲେ କ’ଣ ହୋଇଥାନ୍ତା କେଜାଣି ? ତେବେ ମୁଁ ଏତିକି କହିପାରେ ମୋର ହୃଦୟ ଅଧିକ ବିଷାକ୍ତ ହୋଇନଥାନ୍ତା । ତାଙ୍କଠାରୁ ମିଳିଲା କ’ଣ ? ନିର୍ମମ କଠୋରତା । ମତେ ଅତି କଦର୍ଯ୍ୟ ଅସଭ୍ୟ ଭାଷାରେ ଗାଳି ଦେଇ ମୋର ଶାରୀରିକ ମଙ୍ଗଳ ଉଦ୍ଦେଶ୍ୟରେ ଅତିଶୀଘ୍ର ବାହାରିଯିବାକୁ ଉପଦେଶ ଦେଉ ଦେଉ ସେ କହିଲେ, ‘‘ଯା, ତୁ ମୋର କ’ଣ କରି ପକେଇବୁ, କର । ଏଇଟା ବୁଦ୍ଧି ଦେଖ ହେ, ସବୁ ଦୋଷ ମୋରି ମୁଣ୍ତରେ ଲଦି ଦେଉଛି । ତୋର ତ ମାଇପ ମଲା, ପୁଅ ମଲା ମୋର ଦୋଷ କ’ଣ ? ମୁଁ କ’ଣ ଯମ ରଜା ନା ପରମେଶ୍ୱର ?’’ ଖାଲି ଗାଳିରେ ମହାଜନଙ୍କ ମନ ସନ୍ତୁଷ୍ଟ ହେଲା ନାହିଁ । ପଠାଣ ପିଆଦା ହାତରେ ମୋତେ ମାଡ଼ ଖୁଆଇ ଖୁଆଇ ସେ ଗାଁଠାରୁ କୋଶକେ ଆଣି ଛାଡ଼ିଦେଇଗଲେ । ସେହି ଦିନଠାରୁ ମୁଁ ଆଉ ଗାଁକୁ ଫେରି ନାହିଁ । ସ୍ଥିର କରିଥିଲି, ମୋ ରାମ ଓ ତା ମା’ର ଋଣି ପରିଶୋଧ କରି ଗାଁକୁ ଫେରିବି । ଏହି ଜଙ୍ଗଲ ଭିତରେ ଅନେକ ଦିନ କଟାଇଛି ସୁଯୋଗ ଅପେକ୍ଷାରେ । ଆଜି ବେଶ୍‌ ସୁଯୋଗ ମିଳିଥିଲା, କ’ଣ ହେବ–

ନା, ଯାହା ହୋଇଛି, ଠିକ ହୋଇଛି । ମୋ ପୁଅ ଓ ତା ମା’ର ୠଣ ପରିଶୋଧ ହୋଇଛି-। ସେମାନେ ଏଥର ଶାନ୍ତିରେ ରହିବେ । ମହାଜନଙ୍କୁ ଈଶ୍ୱର ଭଲ ବୁଦ୍ଧି ଦିଅନ୍ତୁ । ଈଶ୍ୱର ତାଙ୍କ କଥା ବୁଝନ୍ତୁ । ଈଶ୍ୱରଙ୍କ କାର୍ଯ୍ୟରେ ଆମର ହସ୍ତକ୍ଷେପ କରିବାର କି ଅଧିକାର ?’’

ଗୋପାଳ–ନା, ଆମର ଅଧିକାର ଅଛି ଯେ, ତୁମେ ଯେଉଁ ଉପାୟ ଅବଲମ୍ବନ କରିଥିଲ, ସେ ଉପାୟରେ ନୁହେଁ । ଅତ୍ୟାଚାରୀର ଅତ୍ୟାଚାରକୁ ହସି ହସି ସହିଗଲେ, ତାର ଦପ୍ତ ମନରେ ଯେଉଁ ଆଘାତ ହୁଏ ତୁମର ବିଧାରେ ସେପରି ଆଘାତ ହୁଅନ୍ତା ନାହିଁ । ଦେଖିଲ ନାହିଁ, ଆଜି ମହାଜନର କିପରି ମହାପରିବର୍ତ୍ତନ ହେଲା !

ମଧୁ ରାତିଟି ବେଶ ଶାନ୍ତିରେ ଶୋଇଲା । ମାତ୍ର ଗୋପାଳଙ୍କର ନିଦ ହେଲା ନାହିଁ । ସେ ମନେ ମନେ ମଧୁକୁ ଧନ୍ୟବାଦ ଦେଉଥାନ୍ତି । ଲୋକେ କେତେ ସହି ଏ ସଂସାରରେ ଚଳୁଛନ୍ତି । ଆଉ ସେ ? ପଦେ କଥା ସହିପାରିଲେ ନାହିଁ । ମଧୁକୁ ଦେଇଥିବା ଉପଦେଶ ମନେ ପଡ଼ିଲା–ଆମ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର ଅଛି ସହିବାରେ । ନିଜ ସମ୍ପର୍କରେ ସେ କ’ଣ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ସହିଛନ୍ତି, ନା ଅନ୍ୟାୟରେ ଉତ୍ପୀଡ଼ିତ ହୋଇ ସ୍ଥାନତ୍ୟାଗ କରିବାଦ୍ୱାରା ଦେଖାଇଦେଇଛନ୍ତି ସେ ଭୀରୁ !

ସକାଳୁ ମଧୁ ଉଠି ବାହାରିଲା ଯିବାକୁ । ଗୋପୋଳ ଖଣ୍ତେ ବାଟ ତା’ ସାଙ୍ଗେ ଆସି, ବିଦାୟ ଦେଲାବେଳେ ପଚାରିଲେ, ‘‘ଆଜି ପୁଣି କେଉଁଠାରେ ରହଣି ହେବ ?’’

ମଧୁ–ଆଉ କେଉଁଠାରେ ? ସିଧା ଗାଁକୁ ଯାଉଛି ଯିବି, ଗାଁରେ ରହିବି । ଆଗ ବିଚାରୁଥିଲି ବାଆଜି ହୋଇ ନିର୍ଜନରେ କେଉଁଠାରେ ରହିବି । ମାତ୍ର ଗାଁରେ ରହିବା ଯେ କର୍ତ୍ତବ୍ୟ । ଆପଣଙ୍କଠାରୁ ଯେଉଁ ଶିକ୍ଷା ପାଇଲି ସେ ଶିକ୍ଷା ପାଇଲି ସେ ଶିକ୍ଷା ଲୋକଙ୍କୁ ବୁଝାଇବ କିଏ ? ଲୋକଙ୍କ ସାଙ୍ଗେ ରହି ନିଜ କଥାରେ, କାର୍ଯ୍ୟରେ ଏ ଶିକ୍ଷା ଉଦାହରଣ ନ ଦେଖାଇଲେ, ଶିଖିବାର ଲାଭ କ’ଣ ?

ମଧୁ ଚାଲିଗଲା, ଗୋପାଳ ଏହି ଶେଷ କଥାଟିକ ମନରେ ବାଣ୍ଟି ବାଣ୍ଟି ଫେରିଲେ । ମଧୁ କ’ଣ କହିଲା ? ଲୋକଙ୍କ ମଧ୍ୟରେ ନ ରହିଲେ, ଲୋକଙ୍କ ମଧ୍ୟରେ ରହି ନିଜ ଶିକ୍ଷାବଳରେ ସେମାନଙ୍କର କୌଣସି ପରିବର୍ତ୍ତନ କରି ନ ପାରିଲେ, ନିଜେ ବେଶି ଶିଖିବାର, ବେଶି ଜାଣିବାର ଲାଭ ରହିଲା କେଉଁଠାରେ ? ୟା ଯଦି ସତ୍ୟ, ତେବେ ତାଙ୍କ ନିଜ ଶିକ୍ଷାର ଫଳ କ’ଣ ? ଗୋପାଳ ବହୁ ଚିନ୍ତାରେ କିଛି ସ୍ଥିର କରିପାରିଲେ ନାହିଁ; ତେବେ ସେ ଜଙ୍ଗଲରେ ଆସି ରହିବାଦ୍ୱାରା ନିଜର ସ୍ୱାର୍ଥପରତା ବ୍ୟତୀତ ଅନ୍ୟ କିଛିର ପରିଚୟ ଦେଉଛନ୍ତି ବୋଲି ତାଙ୍କର ମନେ ହେଲା ନାହିଁ ।

Image

 

ଚଉଦ

 

ବୀରେନ୍ଦ୍ର ଆଉ କୁମୁଦିନୀ ତାଙ୍କ ବାସଗୃହର ଓପର ମହଲାରେ ଟେବୁଲ ଖାନାରେ ବସିଛନ୍ତି । ଖାନା ଆସି ଶେଷ ହୋଇଗଲାଣି । ଦୁଇ ଜଣଙ୍କ ଆଗରେ ଥୁଆ ହୋଇଥିବା ଥାଳି ଦୁଇଟିରେ ଖଣ୍ତିଏ ଲେଖାଏଁ ପୁରିରୁ ଟିକିଏ ଟିକିଏ ଟିକିଏ, ଆଉ ଖିରମୋହନର ଶହେ ଭାଗରୁ ଭାଗେ ଲେଖାଏଁ ବଳିଛି । ବୋଧହୁଏ ଠିକ ଏହି ଅବସ୍ଥାରେ ପେଟ ପୂରିଯାଇଛି । ଆଉ ସେ ଅବଶିଷ୍ଟ ପୁରି ଟିକକ ଓ ଖିରମୋହନ ଟିକକ ଭିତରକୁ ଠେଲି ଦେବା ପାଇଁ ଜୁ ନାହିଁ । ରୁମାଲରେ ହାତ ପୋଛା ହୋଇଗଲା । ବିଲାତୀ ସିଗାରେଟ ଖଣ୍ତିଏ ବାହାର କରି ସେଥିରେ ନିଆଁ ଲଗେଇ ଧୁଆଁ ଖାଉ ଖାଉ ଏବଂ ସିଗାରେଟ୍‌ ଧୁଆଁରେ ନିଜର ଖାଇଥିବା ଖାଦ୍ୟକୁ ଜୀର୍ଣ୍ଣ ବା ଅଜୀର୍ଣ୍ଣ କରୁ କରୁ ବୀରେନ୍ଦ୍ର କୁମୁଦିନୀ ଆଡ଼କୁ ଚାହିଁ ଟିକିଏ ହସି ହସି କହିଲେ, ‘‘କୁମ, କହୁଥିଲୁ ପରା ସେ ମଙ୍ଗିବ ନାହିଁ ବୋଲି ? ଏବେ କ’ଣ ହେଲା ?’’

କୁମୁଦିନୀ ‘‘ସେ’ କିଏ ବୁଝିଯାଇ ବ୍ୟଗ୍ର ଭାବରେ କହିଲା, ‘‘କାହିଁକି । କ’ଣ ହେଲା କି ? ସେ କ’ଣ ମଙ୍ଗିଲା ?’’

ବୀରେନ୍ଦ ମୁଡ଼ୁକି ମୁଡ଼ୁକି ହସି କହିଲେ, ‘‘ନାହିଁ, ମଙ୍ଗନ୍ତା କାହିଁକି ? ତୋ ମନେ ମନେ ମୁଁ କିଛି କାମର ନୁହେଁ, ମଣିଷ ନୁହେଁ, ଗୋରୁ, ନା ?’’

କୁମୁଦିନୀ–ଏତେ କଥାରେ କ’ଣ ଅଛି ମ ? ସଫା କଥା କହୁ ନାହିଁ ?

ବୀରେନ୍ଦ୍ର–ଏତେ ବେଳ ଯାଏ ବୁଝି ପାରୁ ନାହୁଁ ? ବୁଢ଼ା ତ ମୋତେ ଜ୍ୱାଇଁ କରିବ ବୋଲି ଏକବାରେ ବାଇ । ଝିଅ ମଙ୍ଗୁ ମଙ୍ଗୁ ଟିକିଏ ଡ଼େରି ହେଲା । ମତେ ବୋଧହୁଏ, ମନେ ମନେ ସେ ଆଉ ଗୋଟାଏ କାହାକୁ ବରଣ କରିଥିଲା । ଜାଲରେ ପଡ଼ିବାକୁ ଟିକିଏ ଡ଼େରି କଲା । ତେବେ ଜାଲିଆ ଟାଣ ହେଲେ ବର୍ତ୍ତୁଛି କେତେକେ ?

ଭାଇର ସବୁଗୁଡ଼ାକ ପ୍ରଶଂସା ଆତ୍ମସାତ୍‌ କରିବାର ଚେଷ୍ଟା କରିବାରେ କୁମୁଦିନୀର ଟିକିଏ ଈର୍ଷା ହେଲା ପରା ! ସେ କହିଲା, ‘‘ତମେ ଇମିତି ପାଞ୍ଚବର୍ଷ ଗୋଡ଼େଇଥିଲେ କ’ଣ ଫଳ ହେଇଥାନ୍ତା ? ମୁଁ ପଛରେ ଥାଇ ସବୁ ଯୋଗାଡ଼ କରିଦେଇଥିଲି ବୋଲି ସିନା ଆଜି ଇମିତି ହଉଛ-? ତୁମେ ଇଠେଇ ସିଠେଇ ବୁଲି ତାସ ପଶାରେ ସମୟ କଟାଉଥାଅ, ଏଣେ ମୁଁ କନକକୁ କହେ, ‘ତୋରି କଥା ଭାଳି ଭାଳି ବୀରଭାଇ ସବୁବେଳେ ଚଉକିଟିରେ ବସିଥାନ୍ତି । ତୋରି ଫଟୋ ଖଣ୍ତିକୁ ସବୁବେଳେ ଚାହିଁଥାନ୍ତି । ଦିନେ ନଈକୂଳରେ ବୁଲିବାକୁ ଯାଇଥିଲୁ, ମୁଁ ବାଟଯାକ ତମକୁ ଗ୍ରହଣ କରିବାକୁ ତାକୁ ଖୋସାମତ କରୁଥାଏ । ବୁଲିକରି ଫେରିଲାବେଳେ ସତେ କାନ୍ଦିଲାପରି ମୁହଁଟା କରି ଛଳଛଳ ଆଖିରେ କୁଣ୍ଢେଇ ପକେଇ ତାକୁ କହିଲି, ‘କନ, ମୋର ଗୋଟିଏ ବୋଲି ଭାଇ । ତୁ ଯଦି ତାକୁ ନିରାଶ କରିଦେବୁ ତାହାହେଲେ ତା’ର ପ୍ରାଣ ଯିବ, ମୁଁ ଅରକ୍ଷିତା ହେବି ।’ ଏପରି ଚେଷ୍ଟା ନ କରିଥିଲେ ତୁମେ କିଏ ସେ କିଏ ?’’

ବୀରେନ୍ଦ୍ର–ତାହାହେଲେ ତୋର ବାଲ୍ୟବନ୍ଧୁ ପ୍ରତି ଖୁବ୍‌ ଭଲ ବ୍ୟବହାର କରିଛୁ !

କୁମୁଦିନୀ ଉତ୍ତେଜିତ ହୋଇ ଭାଇଙ୍କର ଆରୋପିତ ଦୋଷ ଖଣ୍ତନ କରିବାକୁ ଯାଇ କହିଲା, ‘‘କାହିଁ, କ’ଣ ମନ୍ଦ ବ୍ୟବହାରଟେ କଲି କି ? ଆମ ଘରକୁ ବୋହୂ ହୋଇ ଆସିବ । ଏହାଠାରୁ ଆଉ କ’ଣ ବେଶ ଗୋଟାଏ ସୌଭାଗ୍ୟ ତା’ କପାଳରେ ଘଟିଥାଆନ୍ତା କି ?’’

ବାସ୍ତବିକ ଆଉ କ’ଣ ସୌଭାଗ୍ୟ କନକ କପାଳରେ ଘଟିଥାନ୍ତା ? ଘର ଅଛି, ସମ୍ପତ୍ତି ଅଛି–ଘରେ, ସମ୍ପତ୍ତିରେ ମାଲିକ ହେବ, ଆଉ ଚିନ୍ତା କ’ଣ ?

ବୀରେନ୍ଦ୍ର ବୋଧହୁଏ ଭଉଣୀର ମନ୍ତବ୍ୟରେ ସମ୍ମତ ହେଲେ, ସେ କିଛି ନ କହି କନକର ସୌଭାଗ୍ୟ ଓରଫ ନିଜ ସୌଭାଗ୍ୟ ବିଷୟ ଚିନ୍ତା କରୁ କରୁ ପାଟିରୁ ବାହାରିଯାଉଥିବା ସିଗାରେଟ୍‌ ଧୂଆଁକୁ ନିର୍ନିମେଷ ନୟନରେ ଚାହିଁ ରହିଥିଲେ ।

କୁମୁଦିନୀ ଆଉ କ’ଣ ଗୋଟାଏ କହିବ ବୋଲି ଚିନ୍ତା କରୁଛି, ଏପରି ସମୟରେ ବାହାରୁ ‘ବାବୁ’ ବୋଲି ଡାକ ଶୁଭିଲା । ବୀରେନ୍ଦ୍ର ସ୍ୱରଟା ବାରି ଉତ୍‌କଣ୍ଠିତ ହୋଇ ଦୁଆର ଫିଟାଇବାକୁ ଧାଇଁଲେ । କୁମୁଦିନୀ, ‘‘ନାଇଁ ମ ଭାଇ, ଜାଲରୁ କୁଆଡ଼େ ଖସୁ ନାହିଁ ମ, ଏଡ଼େ ଉତ୍କଣ୍ଠା କାହିଁକି ?’’ ବୋଲି କହି ହସି ହସି ସ୍ୱକାର୍ଯ୍ୟରେ ଅନ୍ୟତ୍ର ଗଲା ।

ବୀରେନ୍ଦ୍ର ଦୁଆର ଖୋଲୁ ଖୋଲୁ ପଚାରିଲେ, ‘‘କିରେ ବିନୁଆ, କ’ଣ ?’’

ବିନୁଆ ବୀରେନ୍ଦ୍ରଙ୍କୁ ନମସ୍କାର କରି କହିଲା, ‘‘ବାବୁ ! ବାବୁ ଡ଼ାକୁଛନ୍ତି, ଟିକିଏ ଆସ ।’’

‘‘ହଉ, ତୁ ଯା, ମୁଁ ଆସୁଛି’’ ବୋଲି କହି ବୀରେନ୍ଦ୍ର ଯିବାକୁ ପ୍ରସ୍ତୁତ ହେବା ନିମନ୍ତେ ଭିତରକୁ ଗଲେ ।

ଦୁଇ ତିନି ମିନିଟ୍‌ ପରେ ବୀରେନ୍ଦ୍ର ବାଳଟା ଟିକିଏ ଛାଟି ଦେଇ, ଭଲ ସରୁ ଲୁଗା ଖଣ୍ତିଏ ପିନ୍ଧି, ମଠା କାମିଜ ଖଣ୍ତିଏ ଗଳେଇ ପକେଇ ଚଟିଯୋତା ପାଦରେ ଦେଇ ଭାବୀ ଶ୍ୱଶୁରାଳୟକୁ ବାହାରିଲେ ।

ମଦନବାବୁ ତାଙ୍କ ଆରାମ ଚଉକିରେ ବସି ହୁକା ଘୁଡ଼ୁ ଘୁଡ଼ୁ କରୁଥାନ୍ତି । କନକ ପାଖରେ ଗୋଟିଏ ଚଉକିରେ ବସି ଖଣ୍ତିଏ ଖବରକାଗଜକୁ ଚାହିଁଥାନ୍ତି । ବୀରେନ୍ଦ୍ର ଯାଇ ଖାଲି ଥିବା ଖଣ୍ତେ ଚଉକିରେ ବସିଲେ ।

ବୀରେନ୍ଦ୍ରଙ୍କୁ ଦେଖି ମଦନବାବୁ କହିଲେ, ‘‘ବାବା, ତମରି ଅପେକ୍ଷାରେ ଥିଲି । କାଲିଠାରୁ ଦଶହରା ଛୁଟି ଆରମ୍ଭ ହେଉଛି । ମୁଁ ବିଚାରିଛି ଏ ଛୁଟିରେ ଓଡ଼ିଶାର ଭିନ୍ନ ଭିନ୍ନ ଅଞ୍ଚଳରେ ଘେରାଏ ବୁଲିବା ପାଇଁ । ତୁମେ ଓ କନକ ସାଙ୍ଗରେ ଯିବ । କ’ଣ–ଯିବ ?

ବୀରେନ୍ଦ୍ର ଟିକିଏ, ଲଜ୍ଜିତ ହୋଇ ଉତ୍ତର ଦେଲେ, ‘‘ହଁ, ମୋ’ର ତ କଲେଜ ଛୁଟି, ଗଲେ ହୁଅନ୍ତା ।’’

ମଦନବାବୁ–ମୁଁ ଖଣ୍ତେ ମଟର ଓ ଆଉ ଖଣ୍ତେ ମଟର ଲରିର ବନ୍ଦୋବସ୍ତ କରୁଚି । ମଟରରେ ଆମେମାନେ ଯିବା । ଲରିରେ ଗୋଟିଏ ଚାକର ଓ ଅନ୍ୟାନ୍ୟ ଜିନିଷ ପତ୍ର ରହିବ । କାହାରି ଦ୍ୱାରସ୍ଥ ହେବାକୁ ପଡ଼ିବ ନାହି–ସବୁ ପାଖରେ ଥିବ । ବାଟରେ କୌଣସିଠାରେ ରହିଲେ ମଧ୍ୟ କିଛି ଭୟ ନ ଥିବ । ଆମେ ସର୍ବମୋଟ ଛ’ଜଣ ହେବା ।

ବୀରେନ୍ଦ୍ର ପ୍ରସ୍ତାବରେ ପୁଲକିତ ହୋଇ କହିଲେ, ‘‘କେଉଁ କେଉଁ ସ୍ଥାନ ଦେଇ ଯିବାକୁ ହେବ ?’’

ମଦନବାବୁ–ସମୁଦାୟ ସ୍ଥିର କରି ନାହିଁ; ତେବେ ଗଡ଼ଜାତମାନଙ୍କ ମଧ୍ୟ ଦେଇ ଗଞ୍ଜାମ ଯିବା ଏବଂ ସେଠାରୁ ଗଞ୍ଜାମ ବଡ଼ ସଡ଼କରେ ଫେରି ଆସିବା । ମାନଚିତ୍ରଟା ଆଣିଲ, ସଡ଼କଗୁଡ଼ାକ ଦେଖି ବାଟ ସ୍ଥିର କରିଦେବା । ଗଲେ ତ ଦୁଇ ଚାରିଦିନ ଭିତରେ ବାହାରିବାକୁ ହେବ-

ମାନଚିତ୍ର ଆସିଲା । ମଦନବାବୁ ବୀରେନ୍ଦ୍ରଙ୍କ ସହିତ ବିଚାର କରି ମାନଚିତ୍ରରେ ନିଜର ବାଟଟା ଗୋଟିଏ ନାଲି ପେନ୍‌ସିଲରେ ଚିହ୍ନିତ କରିଦେଲେ ।

ବାଟ ସ୍ଥିର କରିଦେବା କାମ ସରିବା ପରେ ଭଡ଼ାମଟର ଲରି ଖୋଜା ଲାଗିଲା । ମଟର ତ ମଦନବାବୁଙ୍କର ଗୋଟାଏ ଥାଏ । ବୀରେନ୍ଦ୍ର ସୂଚନା ଦେଲେ, ‘ଆଛା, ବାଖରାବାଦ ଯଜ୍ଞେଶ୍ୱର ବାବୁଙ୍କ ଲରିଟା ନେବା ।’’

ମଦନବାବୁ–ନା, ସେ କମ୍ପାନୀବାଲାଟା ଭାରି କୃପଣ । ତା ଲରି ଚକଗୁଡ଼ାକ ସବୁ ଦଦରା ହୋଇଥିବ । ବାଟରେ ଦଗା ଦେବ ଯେ ।

ବୀରେନ୍ଦ୍ର–ତେବେ ଗଙ୍ଗାମନ୍ଦିର କମ୍ପାନୀରୁ ?

ମଦନବାବୁ–ରାମ, ରାମ, ସେ ଲରିରେ ଆମ ଜିନିଷପତ୍ର ଥିଲେ ଲୋକେ ଆମକୁ କହିବେ କ’ଣ ? ସେ ମଟର ଲରିଗୁଡ଼ାକରେ କଂଗ୍ରେସ ପତାକାର ଚିତ୍ର ହୋଇଛି । ପରିଚାଳକଟା ଗାନ୍ଧିବାଲା । ଡ୍ରାଇଭରମାନେ ନିଶ୍ଚିୟ ଖଦଡ଼ ପିନ୍ଧିଥିବେ । ମୋ ପେନ୍‌ସନ ଟଙ୍କାଟା ଶୂନ୍ୟେ ଶୂନ୍ୟେ ଉଡ଼ିଯିବ ଯେ !

ବୀରେନ୍ଦ୍ର–ବାସ୍ତବିକ ସେ କଥାଟା ମୋର ମନେ ହେଲା ନାହିଁ । ତେବେ ତେଲଙ୍ଗାବଜାରରୁ ବନମାଳୀଠାରୁ ନେବା ।

ମଦନବାବୁ–ହଁ, ନେବା ଯେ, ତା ଲରିଗୁଡ଼ାକ ଦେଖିବାକୁ ଭାରି କୁତ୍ସିତ । ତେବେ ସେଥିରେ କ୍ଷତି କ’ଣ ? ଟାୟାରଗୁଡ଼ାକ ଟିକିଏ ଦେଖିନେବ । ଇଞ୍ଜିନଟା ଭଲ ଥିଲେ ହେଲା । ଆଛା, କନକ ! ଚାକର କିଏ ଯିବ ସାଙ୍ଗରେ ?

 

କନକଙ୍କର ଏ ବୁଲିଯିବା ପ୍ରସ୍ତାବରେ ଆଦୌ ମନ ନ ଥିଲା । ବିବାହ ବିଷୟଟା ନେଇ ତାଙ୍କ ମନରେ ଶାନ୍ତି ନ ଥାଏ । ବୀରେନ୍ଦ୍ରଙ୍କ କଥା ଚିନ୍ତାକଲାବେଳକୁ ବଳେ ବଳେ ଗୋପାଳ ଆସି ମନେ ପଡ଼ିଯାଉଥାନ୍ତି । ଏଣେ ପୁଣି ବୀରେନ୍ଦ୍ରଙ୍କ ଆଗେ କିଛି କହିବାକୁ ଲାଜ ମାଡ଼ୁଥାଏ ।

ତେବେ ବାପାଙ୍କ ପ୍ରଶ୍ନର ଉତ୍ତର ନ ଦେଲେ ଅଡ଼ୁଆ । ସେ ଅସ୍ପଷ୍ଟ ସ୍ୱରରେ କହିଲେ, ‘‘କାହିଁକି, ବିନୁଆ !’’

ମଦନବାବୁ ବଡ଼ ଜୋରରେ କହିଲେ, ‘‘ନା, ନା, ବିନୁଆ କଥା ପଟିବ ନାହିଁ । ଜଙ୍ଗଲ ବାଟରେ ପିଲାଟାଏ କରିବ କ’ଣ ? ମାଧିଆ ଯିବ ସାଙ୍ଗରେ । ବିନୁଆ ତ ଗାଁକୁ ଯିବ ବୋଲି କହୁଥିଲା । ତାଙ୍କୁ ଘରକୁ ଛାଡ଼ିଦିଅ ।’’

ସ୍ଥିର ହେଲା–ଦୁଇଦିନ ପରେ ତୃତୀୟ ଦିନ ଯାତ୍ରା ଆରମ୍ଭ ହେବ । ନିଜ ମଟର ବାଦ୍‌ ତେଲଙ୍ଗାବଜାର ମଟର କମ୍ପାନୀରୁ ମଝବୁତ୍‌ ଟାୟାର ଏବଂ ଭଲ ଇଞ୍ଜିନ୍‌ ବାଲା ଖଣ୍ତେ ଭଡ଼ା ଲରି ଯିବ ଏବଂ ମଟରଚାଳକ ଦୁଇ ଜଣକ ସଙ୍ଗେ ମାଧିଆ ଚାକର ରହିବ ।

Image

 

ପନ୍ଦର

 

କୁମାର ପର୍ଣ୍ଣିମା–ବାଳକ ବାଳିକାମାନଙ୍କ ମନରେ କି ନୂଆ ଫୁର୍ତ୍ତି, କି ଅପୂର୍ବ ଆନନ୍ଦ ! ବର୍ଷକୁ ବର୍ଷ କୁମାର ପୂର୍ଣ୍ଣିମା ଆସୁଛି ଯାଉଛି; ମାତ୍ର ତାର ଆକର୍ଷଣ କମୁ ନାହିଁ, ‘‘ହ, ଆରବର୍ଷ ତ ହୋଇଥିଲା’’ ବୋଲି କୌଣସି ବାଳକ କହୁନାହିଁ । ସେହି ମାମୁଲି ନୂଆ ଲୁଗାଖଣ୍ତ ପିନ୍ଧି, ସେହି ମାମୁଲି ନଡ଼ିଆ ତେଲ ତିଆରି ପିଠାରୁ ପୁଞ୍ଜାଏ ଓ ଉଖୁଡ଼ା ମୁଠାଏ ନୂଆଲୁଗାର ଅଣ୍ଟିରେ ପୁରାଇ ପିଲାଏ କୁମାର-ପୂର୍ଣ୍ଣିମା-ସୁଲଭ ଆନନ୍ଦ ଆରମ୍ଭ କରିଦେଲେଣି । ଆରବର୍ଷ ଏହିପରି ନୂଆ ଲୁଗା ପିନ୍ଧିଥିଲେ, ଆରବର୍ଷ ଏହିପରି ଆରିଷା ପିଠା ଓ ଉଖୁଡ଼ାରେ ଅଣ୍ଟି ଭର୍ତ୍ତି ହୋଇଯାଇଥିଲା ବୋଲି କାହିଁ କାହାର ତ ମନେ ନାହିଁ ।

ନିଧିଆ ଅଣ୍ଟିରେ ଉଖୁଡ଼ା ମୁଠାଏ ଧରି ଅନ୍ୟ ପିଲାମାନଙ୍କ ପରି ବୁଲୁଛି । ତା’ସଙ୍ଗରେ ଗୋଟିଏ ସାଥୀ-ମଦନବାବୁ ଘରେ ଆମ୍ଭମାନଙ୍କ ପରିଚିତ ବିନୁଆ । ବିନୁଆ ନିଧିଆର ମାଉସୀପୁଅ ଭାଇ । ତାର ଘର କୋଶେ ଖଣ୍ଡେ ଦୂରରେ ଗୋଟିଏ ଗାଁରେ । ବାପ ମା ଅନେକ ଦିନ ଆଗରୁ ମରିଗଲା ପରେ ଜଗୁଆ ମା ତା’ର ଏକମାତ୍ର ଆତ୍ମୀୟା ହୋଇଛି । ବାପ ମା ମଲା ପରେ ବିନୁଆ ଆସି ମାଉସୀ ଘରେ ଅଶ୍ରୟ ପାଇଲା । ଜଗୁଆର ମୂଲରେ ଏବଂ ଜଗୁଆ ମାର କୁଟା ମଜୁରୀ ଚାଉଳରେ ଗୋଟିଏ ଅଧିକା ଅଂଶୀଦାର ହେଲା । ଏବେ ଦୁଇବର୍ଷ ହେଲା କଟକରେ ଯାଇ ଚାକିରି କଲା ଦିନୁ ସେ ପିଲାଦିନର ଋଣ ଶୁଝିବାକୁ ଆରମ୍ଭ କଲାଣି । ମାସକ ଦରମା ଟଙ୍କାଯୋଡ଼ିକ ଜଗୁଆ ମା ହାତକୁ ଆସେ ।

ମାତ୍ର ଜଗୁଆ ମା ସେ ଟଙ୍କାକୁ ସାଇତି ସାଇତି ବିନୁଆ ପାଇଁ ରଖିଛି । ବିନୁଆକୁ ସେ ନିଜ ପୁଅଙ୍କ ସାଙ୍ଗେ ସମାନ କରି ଦେଖେ । ସାଇ ମାଇପେ ‘ବନୁଆଟାକୁ ଏତେ ଆଦର କାହିଁକି ?’ ବୋଲି ଆକଟ କଲେ ସେ କହେ, ‘‘ବିନୁଆଟି ପରା ମୋ ମଝିଆଁ ପୁଅ ନିଧିଆର ବଡ଼ ଭାଇ । ମୋ ଭଉଣୀପୁଅ କିଏ, ମୋ ପୁଅ କିଏ ମ !’’ କିନ୍ତୁ ବିନୁଆକୁ ନିଜର ବୋଲି ମନେ କଲେ ମଧ୍ୟ ସେ ତା ପଇସାକୁ କେଭେ ନିଜର କରିପକାଏ ନାହିଁ । ସବୁବେଳେ ଭୟ ‘କଳିକାଳୁଟା, ପିଲାଏ ପାରିଗଲେ ବିନୁଆକୁ ପର କରିଦେବେ ପରା !’’

ବିନୁଆ ବର୍ଷକେ ଥରେ ଛୁଟି ପାଏ ଦଶହରାକୁ-ଦଶହରାରେ ଆସି ମାଉସୀଠାରୁ ପାଏ ମାତୃସ୍ନେହ–ନିଧିଆଠାରୁ ସେ ତିନି ଚାରି ବର୍ଷ ବଡ଼ ହେଲେହେଁ ତାରି ସାଙ୍ଗେ ଖେଳି, ତାକୁ ଖେଳେଇ ଛୁଟିଟା କଟେଇ ପୁଣି ବୈଚିତ୍ର୍ୟହୀନ କଟକ କାମକୁ ଚାଲିଯାଏ ।

ଦାଣ୍ତରେ ଘଡ଼ିଏ ଖଣ୍ତେ ବୁଲାବୁଲି କରି ପ୍ରାୟ ରାତି ଘଡ଼ିକି ଦି’ଜଣ ଯାକ ଘରକୁ ଆସି ବସିଗଲେ ତାସ ଖେଳରେ । ତାସକୁ ଦେଖିଲେ ତା’ର ଜରା ସମ୍ପୂର୍ଣ୍ଣ ଜଣାଯାଉଅଛି । କୌଣସି ପଟର ଚାରିପାଖ ଅଛିଣ୍ତା ନାହିଁ । ଖଣ୍ତେ ଦୁଇଖଣ୍ତ ଖେଳର ଦାଉରେ ନିଜର ଅର୍ଦ୍ଧାଧିକ ଶରୀର ତ୍ୟାଗ କରିଛନ୍ତି । ବିନୁଆ କଟକରୁ ନୂଆ ମୁଠାଏ ଘିନି ଆସନ୍ତା, ମାତ୍ର ମାଉସୀ ହେଉଛି କାଳ । ଅଗତ୍ୟା ପୁରୁଣା ମୁଠାରେ ଓରମାନ ମେଣ୍ଟାଇବାକୁ ହେଉଛି । କ୍ରମେ ଖେଳ ଖୁବ୍‌ ଘନେଇ ଆସିଲା-। ଭାରି ଜୋରରେ ତାସ ପଡ଼ିଲା । ବେଳେ ବେଳେ କେଜାଣି କିମିତି ଖେଳ ଭିତରୁ କଳି ବାହାରୁଥାଏ । ମାତ୍ର ଜଗୁଆ ମା ପିଣ୍ତାରେ ବସି ଘୁମୋଉଥିବାରୁ କଳି ସେପରି ଭୀଷଣ ଆକାର ଧାରଣ କରିପାରେ ନାହିଁ ।

ଜଗୁଆ ବାସୁ ମହାଜନଙ୍କ ଘରକୁ ଯାଇଛି । ସେଦିନ ରାତି ଘଟଣା ପରେ ବାସୁଦେବଙ୍କ ଆଖି ବେଶ୍‌ ଟିକିଏ ଖୋଲିଛି । ତାଙ୍କର ଏବେ ଅଦ୍ଭୁତ ପରିବର୍ତ୍ତନ ! ଆଉ ସେ ଆମ ପରିଚିତ ଯକ୍ଷ ନୁହନ୍ତି । ପୋଲା କାଗଜ କଥା ଦୂରେ ଥାଉ ରେଜିଷ୍ଟ୍ରି କବଲାଗୁଡ଼ାକ ମୂଳେ ମୂଳେ ଏପରି କି ସମୟ ସମୟରେ ମୂଳରୁ ଦଶ ପଚିଶ କମ୍‌ରେ ଫେରସ୍ତ ହୋଇଯାଉଛି । ମହାଜନି କାରବାର ଅନେକ କମିଯାଇଛି । ଟଙ୍କା ପଇସା ଦିଆନିଆ ଯେ ନ ହଉଛି ଏପରି ନୁହେଁ । ତେବେ ହାତ ଉଧାରି ଓ ଦାନ ମହାଜନି କାରବାର ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଆରମ୍ଭ କଲାଣି ।

ସେହିଦିନଠାରୁ ବାସୁଦେବଙ୍କର ଜଗୁଆ ଉପରେ ଭାରି ନଜର । ଥରେ ଅଧେ ମହାଜନେ କହିଲେଣି, ‘‘ଜଗୁଆ ଭଳିଆ ପିଲା ପିଲାଦିନୁ ମୋ ପାଖରେ ଥିଲେ ମୁଁ ଏପରି ନରରାକ୍ଷସ ହୋଇ ନ ଥାନ୍ତି ।’’ ବେଳ ଅବେଳରେ ଜଗୁଆକୁ ଡ଼କେଇ ମହାଜନେ ପରାମର୍ଶ ନେବାକୁ ଆରମ୍ଭ କଲେଣି । ଫଳରେ ଜଗୁଆ ବିଲବାଡ଼ି କାମ ଛାଡ଼ି ବର୍ତ୍ତମାନ ଗୁମାସ୍ତା ଭଳିଆ ମହାଜନଙ୍କର କାମ କରୁଛି । ବିରାଡ଼ି ବୈଷ୍ଣବ ପାଲଟିଯିବାରେ ଅନ୍ୟାନ୍ୟ ଗୁମାସ୍ତାଙ୍କର ଦାନାପାଣିରେ ଭାରି ଅସୁବିଧା ହେବାରୁ ସେମାନେ ସବୁ ନିଜ ନିଜ ବାଟ ଦେଖିନେବାରୁ ଜଗୁଆ ଉପରେ କାମର ଭାର ଏବେ କେତେ ଦିନ ହେଲା ଟିକିଏ ଗୁରୁ ହୋଇପଡ଼ିଛି ।

ଅନ୍ୟ ସବୁଦିନ ଫେରୁ ଫେରୁ ଭାରି ଉଛୁର ହୋଇଯାଏ । ମାତ୍ର ଆଜି ବୋଧହୁଏ କୁମାର ପୂର୍ଣ୍ଣିମା ଯୋଗୁଁ ଜଗୁଆ ଅପେକ୍ଷାକୃତ ବେଗାବେଗି ରାତି ପହରକ ସରିକି ଫେରି ଆସିଲା । ନିଦ ବିନୁଆ ନିଧିଆଙ୍କ କୁମାର ପୂର୍ଣ୍ଣିମା ଆନନ୍ଦକୁ ମଝିରୁ ଭାଙ୍ଗିଦେଇଛି । ସେମାନେ ଭିତର ଅଡ଼ଙ୍ଗରେ ଗୋଟିଏ ମଶୁଣି ଉପରେ ନିଘୋଡ଼ ନିଦ ଶୋଇଲେଣି । ଜଗୁଆ ମା ତାଙ୍କରି ମୁଣ୍ତ ଓପରକୁ ବସି ଘୁମାଉଥିଲା । ଦାଣ୍ତଦୁଆରେ ପାଦଶବ୍ଦ ଶୁଣି ‘ହଁ, ରେ ଜଗୁ ! ଯାଉଛି’ ବୋଲି କହି ଦାଣ୍ତଦୁଆର ଫିଟାଇବାକୁ ବାହାରିଲା ।

ଦାଣ୍ତ ଦୁଆର ଫିଟିବା ସାଙ୍ଗେ ଜଗୁଆ କହିଲା, ‘‘ବୋଉ, କ’ଣ କରିବା କହିଲୁ ?’’

ଏ ପ୍ରଶ୍ନର ଅର୍ଥ ବୁଝି ନ ପାରି ତର୍ଚ୍ଛ ହୋଇ ଜଗୁଆ ମା କହିଲା, ‘‘କ’ଣ କିରେ ପୁଅ, କ’ଣ ହେଲା କି ?’’

ଜଗୁଆ–‘‘ଆଲୋ, ମହାଜନେ କହୁଛନ୍ତି, ନିଧିଆକୁ ପୁଅ କରିବେ ।’’

ଜଗୁଆ ମା ଏଥିରେ ଏକପ୍ରକାର ସ୍ତମ୍ଭୀଭୂତ ହୋଇ କହିଲା, ‘‘ଏଁ, କାହିଁକି ରେ ?’’

ଜଗୁଆ–କାହିଁକି କ’ଣ ମ ? ଲୋକେ କାହିଁକି ପୁଅ କରନ୍ତି ? ତାଙ୍କର ତ ପୁଅ ନାହିଁ । ଗୋଟିଏ ପୋଷିଆ ପୁଅ କରିବେ ।’’

ଜଗୁଆ ମା–ଆରେ ଜଗୁ, ହଁ ଯେ, ତାଙ୍କର ନିଧିଆ ଉପରେ କାହିଁକି ଦୃଷ୍ଟି ପଡ଼ିଲା ? ତାଙ୍କ ଘରେ ତ ଧନ ଅଛି । ପୁଅ ଦେବାକୁ ଲୋକେ ଆବୁଡ଼ା ପଡ଼ିବେ । ମୋ ନିଧିଆଟି ଓପରେ ତାଙ୍କର କାହିଁକି ଲୟ ଲାଗିଲା ? ମୁଁ ତ ନିଧିଆକୁ ପାଖରୁ ଛାଡ଼ିପାରିବି ନାହିଁ । ମୋ ପରି ମହାଜନ କ’ଣ ତାକୁ ପାଳିବ ?

ଜଗୁଆ–ମୁଁ ବି ତାଙ୍କୁ ସେହି କଥା କହିଲି । ମତେ ସେ ଆଜି ପଚାରିଲେ ଯେ, ମୁଁ କହିଲି, ‘‘ବୋଉ ନିଧିଆକୁ ଛାଡ଼ିବ ନାହିଁ । ଆଉ କୁ’ଠେଇ ଗୋଟିଏ ଦେଖିଲେ ହେବ ।’’

ଜଗୁଆ ମା–ମହାଜନେ କହିଲେ କ’ଣ ?

 

ଜଗୁଆ–ସେ ମୋ କଥା ଶୁଣି ତୁନି ହୋଇ ରହିଲେ, କିଛି କହିଲେ ନାହିଁ । ନିଧିଆ ଉପରେ ତାଙ୍କର ଭାରି ମନ ଅଛି ।

ଜଗୁଆ ମା ବୁକୁ ଗର୍ବରେ ଫୁଲିଗଲା । ମହଜନେ ବିଚାରିଲେ ହଜାରେ ପୁଅ ଆଣିପାରନ୍ତେ, ମାତ୍ର ମହାଜନେ ହଜାର ହଜାର ପୁଅ ଭିତରେ ତା’ରି ପୁଅଟିକି ପସନ୍ଦ କରିଛନ୍ତି । କରନ୍ତେ ନାହିଁ ବା କିମିତି ? ତା ପୁଅ ଭଳିଆ ପୁଅଟିଏ ଗାଁ ଭିତରେ ମିଳିବ ନାହିଁ । ଦେଖିବାକୁ ଯିମିତି, ଗୁଣ ବି ସିମିତି ! ପିଲାଦିନେ ବସନ୍ତ ହୋଇଥିଲା ଯେ, ସେ ଚିହ୍ନ ଗୁଡ଼ାକ ତା ସୌନ୍ଦର୍ଯ୍ୟକୁ ଟିକିଏ ହେଲେ ଊଣା କରି ପାରି ନାହିଁ, ଏପରିକି ସୌନ୍ଦର୍ଯ୍ୟ ବଢ଼େଇଛି ।

ଜଗୁଆ ମା ପଚାରିଲା, ‘‘ଜଗୁ ତେବେ କ’ଣ କରିବା କହିଲୁ ।’’

ଜଗୁଆ–ତୁ ତ ଇମିତି କହୁଛୁ । ଆଉ ପଚାରିଲେ ମୁଁ ସଫାକରି ନାହିଁ କରିଦେବି ।

ଜଗୁଆ ମା–ଆରେ, ଏକଥା ଟିକିଏ ବାବୁଙ୍କ ପଚାରିଲେ ହନ୍ତା ନାହିଁ ? ସେ ପଢ଼ାବାଲା, ଭଲ ହବ ନା ମନ୍ଦ ହବ, କହନ୍ତେ ।

ଜଗୁଆ–ସେ ପାଠ ପଢ଼ିଲେ କ’ଣ ହେଲା, ତାଙ୍କ ମନ ଏସବୁ କଥାରେ ପଶେ ନାହିଁ । ହଉ ପଚାରିବା, ମୁଁ ତ କାଲି ସକାଳୁ ଯିବି ।

ଜଗୁଆ ମା–ଆରେ ପୁଅ, ଇଲେ ବିନୁଆ ନିଧିଆ ସେଠିକି ଟିକିଏ ଯିବାକୁ କହୁଥିଲେ । ମତେ ନିୟମ କରେଇଛନ୍ତି, ତତେ କହିବାକୁ । ତାଙ୍କୁ ଟିକିଏ ସାଙ୍ଗରେ ନେ । ତୋ ସାଙ୍ଗରେ ତ ଯିବେ, ଭୟ କ’ଣ ?

ଜଗୁଆ ହିଁ କଲା । କଥାବାର୍ତ୍ତା ମଧ୍ୟରେ ଜଗୁଆ ପାଇଁ ଠା ସଜଡ଼ା ହୋଇ ଗୋଟିଏ ଥାଲିରେ ପୁଞ୍ଜିଏ ଛଅଟି ପିଠା, ମୁଠିଏ ଉଖୁଡ଼ା ଥୁଆ ହୋଇଥିଲା । ଜଗୁଆ ଖାଇବାକୁ ଆରମ୍ଭ କଲାରୁ ମା ପଚାରିଲା, ‘‘ଆରେ ପୁଅ, ତୁ ତ ସେ ବାବୁ ପାଖକୁ ଏତେଥର ଯାଉଛୁ, ତାଙ୍କୁ ଟିକିଏ ପଚାରୁନାହୁଁ ସେ କାହିଁକି ଏକୁଟିଆ ଜଙ୍ଗଲ ଭିତରେ ପଡ଼ିଛନ୍ତି ?

ଜଗୁଆ–ମତେ ପଚାରିବାକୁ ଡ଼ର ମାଡ଼ିଲାଣି । ତାଙ୍କ କଥା ପକେଇଲେ ସେ ଭାରି ରାଗ ହନ୍ତି । ସେ ସବୁ କଥା ପକାଇଲେ ଯିବା ଆସିବାକୁ ମନା କରିଦେବେ ବୋଲି ଡ଼ରାନ୍ତି । ଥରେ ବାହାଘର କଥା ପକେଇଲି ଯେ, ସେ ଭାରି ଗୋଟାଏ ଦୀର୍ଘନିଃଶ୍ୱାସ ପକେଇଲେ । ମତେ ଭାରି ଦୁଃଖ ଲାଗିଲା ।

ଜଗୁଆ ମା ଶେଷ କଥାଟା ଶୁଣି ଭାରି ଆବେଗରେ ପଚାରିଲା, ‘‘କହିବୁଟି, କ’ଣ କହିଲୁ ତୁ ବାହାଘର ବିଷୟରେ ?’’

ଜଗୁଆ–ମୁଁ କହିଲି, ବାହା ତୋଳା ହେଲେ କ’ଣ ଇଠେଇ ହେବ, ଆଉ କୁ’ଗାକୁ ଯିବ ନାହିଁ ?

ଜଗୁଆ ମା ଏଥିରୁ ସବୁ ବୁଝିଲା । ମୁଣ୍ତକୁ, ଭାରି ଚିନ୍ତିତ ଥିଲା ପରି, ଦୁଇ ତିନିଥର ହଲେଇ କହିଲା, ‘‘ବୁଝିଲିରେ ପୁଅ, ବୁଝିଲି । ମୁଁ ଆଗ ବିଚାରିଥିଲି, ସେ ଗୋଟେ ଭାରି ଖିଆଲି ମଣିଷ ବୋଲି । ସେ କାହିଁକି ଖିଆଲି ହୁଅନ୍ତେ ? ତାଙ୍କୁ ଭାରି ବାଧିଛି ବୋଲି ସେ ଘରଦ୍ୱାରା ଛାଡ଼ି ଜଙ୍ଗଲରେ ରହିଛନ୍ତି । ହଉ ଥାଉ, ଆଉ ତୁ ତାଙ୍କୁ କିଛି କହିବୁ ନାହିଁ ।’’

ଏତିକି କହି ସାରି ବୁଢ଼ୀ ବସିଲା ଠେଇ ଭୁଇଁରେ ଦୁଇ ଚାରି ଥର ମୁଣ୍ତ ଲଗେଇ କହିଲା, ‘‘ମହାପ୍ରଭୁ, ବାବୁଙ୍କର ଦୁଖ ଦୂର କର, ମହାପ୍ରଭୁ ! ଏଡ଼େ ଗୁଣର ଲୋକଟାକୁ କାହିଁକି ଇମିତି ସାଧୁଛ ଭଲା ?’’

Image

 

ଷୋହଳ

 

ସକାଳୁ ପୁଅ ପୁତୁରା ହୋଇ ତିନୋଟି ଯାକ ଗୋପାଳଙ୍କ ଜଙ୍ଗଲ ଘରକୁ ବାହାରି ଯାଇଛନ୍ତି । ଜଗୁଆ ମା ତାଙ୍କରି ଅପେକ୍ଷାରେ ବସିଛି । ବୋହୁ ଭାତ ତିଅଣ ରନ୍ଧାରନ୍ଧି କରୁଛି । ବେଳେ ବେଳେ କେତେ ଭାତ ରନ୍ଧାହେବ, କେତୋଟା ସାରୁମୁଣ୍ତା ତିଅଣ ପାଇଁ କଟା ହେବ, ତିଅଣରେ ଶୁଖୁଆ ପଡ଼ିବ କି ନାହିଁ, ଯଦି ପଡ଼ିବ କେତେ ଅନ୍ଦାଜ ପଡ଼ିବ–ଏସବୁ ବିଷୟରେ ଶାଶୁଠାରୁ ନିର୍ଦ୍ଦେଶ ଗ୍ରହଣ କରୁଛି ।

ସନ୍ଧ୍ୟା ପ୍ରାୟ ଗଡ଼ି ଗଲାଣି । ଜଗୁଆ ମା’ର ଉତ୍କଣ୍ଠା ବେଳକୁ ବେଳ ବଢ଼ୁଛି । ସବୁଥର ଗୋପାଳଙ୍କ ପାଖରୁ ଫେରିଲା ବେଳକୁ ଜଗୁଆ ଭାରି ଉଛୁର କରେ । ତଥାପି ଦୃଷ୍ଟାନ୍ତରେ ବୁଢ଼ୀର ଶିକ୍ଷାଲାଭ ହୋଇନାହିଁ । କେତେ ପ୍ରକାର ପାପଚିନ୍ତା ବୁଢ଼ୀ ମନକୁ ଅତର୍କିତରେ ଆକ୍ରମଣ କରୁଛି । ବାଟରେ ଆସୁ ଆସୁ କିଏ ଝୁଣ୍ଟି ପଡ଼ିଲା କି ? ଜଙ୍ଗଲରେ ବିଲୁଆ ଫିଲୁଆ ଦେଖି କିଏ ଡ଼ରିଲା କି ?

ଘଡ଼ିଏ ଦିଘଡ଼ି ରାତି ହୋଇଗଲା । ବୁଢ଼ୀର ଚିନ୍ତା ଭାଷାରେ ପ୍ରକାଶିତ ହେଲା, ‘‘ଆଲୋ, ଆଜି ଆଉ କେହି ଆସିବେ ନାହିଁ । ବାବୁର ଦିହ କ’ଣ ଅସୁଖ ହୋଇଛି ପରା ?’’

ତୁଣ୍ତର କଥା ନ ସରୁଣୁ ନିଧିଆର ପାଟି ଶୁଣି ବୁଢ଼ୀ ଧଡ଼ ପଡ଼ ହୋଇ ଊଠ ଡ଼ିବିଟାଏ ଧରି ଦାଣ୍ତ ଦୁଆର ଫିଟାଇବାକୁ ଧାଇଁଲା ।

ଘରେ ପଶିଲା ମାତ୍ରେ ନିଧିଆ ଫେରାଦ କଲା, ‘‘ବୋଉ ମ ! ଏ ବାବୁଟା କିମିତି ମଣିଷଟାଏ କହିଲୁ ? ତା ଦିହ ଭାରି ଖରାପ ହେଇଚି । ଭାଇ ଯେତେ କହିଲା ଆଜି ରାତିକି ସିଠେଇ ରହିବାକୁ, ଟିକିଏ ଶୁଣିଲା ନାହିଁ । ଖାଲି କହୁଥାଏ ‘‘ତମେ କାହିଁକି ରାତିଟା ଘରୁ ଏତେ ଦୂରରେ ଜଙ୍ଗଲରେ କଟେଇବ ?’ ବିନୁଆ କହିଲା, ‘ବାବୁ, ଛୁଟି ଯାକ ମୁଁ ତମ ସାଙ୍ଗରେ ରହିବି ।’ ତା କଥା ବି ଶୁଣିଲା ନାହିଁ । ମୁଁ କହିଲି ଯେ, କହିଲା, ବୋଉ ତତେ ନ ଦେଖିଲେ ମନ ଦୁଃଖ କରିବ, ଯା ଭାରି’ । ଭାରି ଖରାପ ଲୋକଟାଏ ସିଏ ।’’

ଏ ମନ୍ତବ୍ୟରେ ବିନୁଆର ମତଭେଦ ହେଲା । ସେ କହିଲା, ‘‘ନାଇଁ ମ, ସେ କାହିଁକି ଖରାପ ଲୋକ ହ’ନ୍ତେ ? ମୁଁ କଟକରେ ଦେଖିଛି ପରା, ମତେ ଯେତେବେଳେ ଦେଖନ୍ତି, ସେତେବେଳେ ହସନ୍ତି ରବିବାରଦିନ ତାଙ୍କ ବସାରେ ପିଲାଙ୍କର ମେଳା ହୁଏ । ସମସ୍ତଙ୍କ ସାଥିରେ ମିଶନ୍ତି, କାହାକୁ ପଦେ ସୁଦ୍ଧା ଟାଣ କରି କହନ୍ତି ନାହିଁ ।’

ବୁଢ଼ୀ ପଚାରିଲା, ‘‘କିରେ, ତୁ ତାଙ୍କୁ କଟକରେ ଦେଖିଥିଲୁ କି ?’’

ପ୍ରଶ୍ନର ଉତ୍ତର ଦେଲା, ‘‘ଜଗୁଆ ଦେଖନ୍ତା କ’ଣ ମ ? ଯୁ’ ବାବୁ ଘରେ ବିନୁଆ ଚାକିରି କରୁଛି, ତାଙ୍କରି ଝିଅକୁ ପରା ଆମ ବାବୁ ପଢ଼ାଉଥିଲେ । ତାଙ୍କର ସିଠଉ ଛାଡ଼ିକରି ଆସିଛନ୍ତି । ଗଲାମାତ୍ରେ ସେ ବିନୁଆକୁ ଚିହ୍ନିଲେ । ବିନୁଆକୁ ବାବୁଘର କଥା ସବୁ ପଚାରିଲେ । ହେଲେ କ’ଣ ହେବ, ବିନୁଆ ନ ଯାଇଥିଲେ ଏକା ଭଲ ହୋଇଥାନ୍ତା ।’’

ବୁଢ଼ୀ ଅଧୀର ହୋଇ ପ୍ରଶ୍ନ କଲା, ‘‘କାହିଁକି ରେ ?’’

ଜଗୁଆ–ସେ ବିନୁଆକୁ ତା’ ବାବୁଘର କଥା ପଚାରିଲାରୁ ବିନୁଆ ଘଣ୍ଟେ ଖଣ୍ତେ ଲାଗି କେତେ କ’ଣ ଗପିଲା । ଆଉ କେତେ କ’ଣ କହିଥାନ୍ତା । ମଝିରେ ବାବୁଙ୍କ ଦିହ କ’ଣ ହୋଇଗଲା । ମୁଣ୍ତ ବଥଉଛି ବୋଲି କହି ସେ ଯାଇ ମୁହଁ ମାଡ଼ି ଶୋଇଲେ । ମତେ ଜଣାପଡ଼ିଲା, ଯିମିତି ସେ ଭାରି ରାଗିଗଲେ । ତାଙ୍କ ଆଖି ନାଲି ଦିଶୁଥାଏ, ପୁଣି ଛଳ ଛଳ ହେଉଥାଏ ।

ବୁଢ଼ୀ ବୁଝିଲା, ପୁଅକୁ ଯାହା ରାଗପରି ଜଣାଗଲା ସେ ଆଉ କିଛି–ରାଗ ନୁହେଁ । ପୂର୍ବ ରାତି କଥାରେ ତା ମନରେ ଯେଉଁ ସନ୍ଦେହ ହୋଇଥିଲା, ତାହା ଟିକିଏ ଘନେଇଗଲା । ସେ ବିନୁଆ କ’ଣ କହିଛି, ଜେରା କରିବାକୁ ଲାଗିଲା ।

ବିନୁଆ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ମନେପକେଇ ପକେଇ ଯାହା ସବୁ କହିଲା, ସେ ସବୁଥିରେ ବୁଢ଼ୀର ମନବୋଧ ହେଲା ନାହିଁ । ସେ ବାରମ୍ବାର ପ୍ରଶ୍ନ କରୁଥାଏ । ବିନୁଆ ମନେ ପକେଇ ପକେଇ ମଦନବାବୁଙ୍କ ଘର ବିଷୟରେ ଯାହା ଗୋପାଳଙ୍କୁ କହିଥିଲା, ଯାହା ନ କହିଥିଲା, ଏପରି ଛୋଟ ବଡ଼ ଅନେକ ଦୈନନ୍ଦିନ ଘଟଣା ଆବୃତ୍ତି କରୁଥାଏ ।

ଶେଷକୁ ଜଗୁଆ କହିଲା, ‘‘କିରେ, ତୁ କହିଲୁ ପରା ତମ ଦିଦିଙ୍କ ବିଭାଘର କଥା । ସେତିକି ବେଳକୁ ତ ଠିକ୍‌ ବାବୁ ଦିହ ଖରାପ ବୋଲି କହି ବାହାରିଗଲେ ।’’

ବିନୁଆ–ଆରେ ହଁ ତ ! ହଁ ମାଉସୀ, ସେକଥା ବି କହିଥିଲି ।

ଜଗୁଆ ମା–କ’ଣ କହିଥିଲୁ ମନେ ପକେଇଲୁ ଦେଖି !

ବିନୁଆ–ଆଉ କ’ଣ କହିଥିଲି କି ? ମୁଁ କହିଲି, ବାବୁ, ଆମ ଦିଦିଙ୍କ ବାହାଘର ମାର୍ଗଶିର ମାସରେ ହେବ । ବୀରବାବୁ ବର । ବୀରବାବୁ ବେଳ ଅବେଳ ସବୁବେଳେ ବାବୁଙ୍କ ଘରକୁ ଆସୁଛନ୍ତି । ଏଥର ଯୁ’ ବୁଲି ଯାଇଛନ୍ତି, ଫେରିଲେ ତ ବାହାଘର ଆୟୋଜନ ହେବ । ମୁଁ ଗଲେ କହିବି, ଦିଦି ତମ ପାଖକୁ ନିମନ୍ତ୍ରଣ ପଠାଇବେ ।

ଜଗୁଆ ମା ଭାରି ଚିନ୍ତିତ ହୋଇ ଘଡ଼ିଏ ଖଣ୍ତେ ବସି ରହିଲା । ପିଲାମାନେ ଗୋଡ଼ ହାତ ଧୁଆ ଧୋଇ କରି ଖାଇବା ଜାଗାରେ ବସିଗଲେଣି । ବୁଢ଼ୀ ଆଜି ପରିବେଷଣ କାର୍ଯ୍ୟର ତତ୍ତ୍ୱ ନେବାକୁ ନାହିଁ, ଖାଲି ଗୁଣୁରୁ ଗୁଣୁର ହୋଇ କହୁଥାଏ, ବାଃ ରେ, ପୁଅ, ସବୁ ପୁରୁଷ ଯଦି ଏପରି ସ୍ନେହ କରି ଶିଖିଥାନ୍ତେ, ତାହାହେଲେ ଏ ସଂସାରରୁ କେତେ ପାପ କମିଯାନ୍ତା । ଝିଅଟା ହୃଦୟ ଚିହ୍ନି ପାରିଲା ନାହିଁ । ଏଡ଼େ ସୁନ୍ଦର ମଣିଷଟାକୁ ଜୀବନଟା ଜଙ୍ଗଲରେ ବାଘ ଭାଲୁଙ୍କ ସାଙ୍ଗରେ କଟାଇବାକୁ ଛାଡ଼ିଦେଲା । ମଲା ମୋର !’’

ବୁଢ଼ୀ ମନରେ ଟିକିଏ କ’ଣ ସନ୍ଦେହ ହେଲା, ସେ ପିଲାଙ୍କ ଖାଇବା ଜାଗାକୁ ଆସି ପଚାରିଲା, ‘‘ହଇରେ ବିନ ! ଗୋପାଳ ବାବୁ ତମ ଦିଦିଙ୍କି ପଢ଼େଇବା କାହିଁକି ବନ୍ଦ କରିଦେଲେ ତୁ ଜାଣୁ ?’’

ବିନୁଆ–କେଜାଣି କାହିଁକି ? ଥରେ ମୁଁ ତାଙ୍କୁ ବଜାରରେ ଦେଖିଥିଲି । ଆମ ବାବୁଙ୍କ ଘରକୁ କାହିଁକି ଯାଉ ନାହିଁ ବୋଲି ପଚାରିବାରୁ ସେ କହିଲେ, ‘ହଁ, ଯାଉନାହିଁ ତ’ । ମୁଁ କିଛି ବୁଝିପାରିଲି ନାହିଁ । ଆଉ ପଚାରିଥାନ୍ତି । ତାଙ୍କ ଶୁଖିଲା ମୁହଁ ଦେଖି ଏବଂ ସେ ସବୁବେଳେ ଯିମିତି ହସନ୍ତି ସିମିତି ନ ହସିବାରୁ ମୁଁ ଡ଼ରି କରି ଆଉ କିଛି ପଚାରିଲି ନାହିଁ । ସେଇ ଦିନଠାରୁ ଆଜିପର୍ଯ୍ୟନ୍ତ ଆଉ କ’ଣ ମୁଁ ତାଙ୍କୁ ଦେଖିଥିଲି କି ?

ଜଗୁଆ ମା କହିଲା, ‘‘ବିନ, ତୁ ଏଥର ଗଲେ ତମ ଦିଦିଙ୍କୁ କହିବୁ, ମୋ ମାଉସୀ କହିଛି, ତାକୁ ଯଦି ତମେ ଚାକିରି ରଖନ୍ତି, ସେ କଟକରେ ଆସି କିଛି ଦିନ ରହନ୍ତା ।’’

ଜଗୁଆ କିଛି ବୁଝି ନପାରି କହିଲା, ‘‘କାହିଁକି ମ ବୋଉ, ତୁ କାହିଁକି ଚାକିରି କରିବୁ ? ତୋ’ର ଇଠେଇ କ’ଣ ଅସୁବିଧା ହଉଛି କହିଲୁ ? ଯେତେବେଳେ ଆମେ ପିଲା ଥିଲୁ ସେତେବେଳେ ତୁ ଚାକିରି କରିନାହୁଁ, ଏଇଲେ ତ ଆମେ ଯା ବିଚାରିବା ତା’ କରିପାରିବା । ବିନୁଆ ଚାକିରି କଲାଣି, ମୁଁ ମହାଜନ ଘରେ ରହିଲିଣି । ମହାଜନ ତ କେତେ ଥର ଟଙ୍କା ଯାଚେ । ମୁଁ ଦରକାର ନାହିଁ ବୋଲି ଆଣେ ନାହିଁ । ତୋର କ’ଣ ଅଭାବ କହିଲୁ ଦେଖି ? ଏ ବୟସରେ ତୁ ଯିବୁ ଚାକିରି କରି ।’’

ଜଗୁଆ ମା–ନାହିଁରେ ପୁଅ, ମୁଁ ଅଭାବ ପାଇଁ ଚାକିରି କରି ଯାଉ ନାହିଁ ମ । ମୋର ଗୋଟାଏ କ’ଣ ଅଭାବ ଅଛି ? ମୋର ତ ତମେ ସବୁ ଅଛ । ତମ ଦିହ ମୁଣ୍ତ ଭଲ ରହିଲେ, ତମେ ଭାତ ଶାଗ କରି ଗୁଣ୍ତିଏ ଖାଇଲେ ମୋର ସବୁ ଭଲ । ମୁଁ ଯାଉଛି ଆମ ବାବୁ ପାଇଁ । ମୁଁ ଗଲେ ତାଙ୍କର ଯଦି କିଛି ଉପକାର ହୋଇପାରନ୍ତା, ଭାରି ଭଲ ହନ୍ତା ।

ଜଗୁଆ–ତୁ ଗଲେ ବାବୁଙ୍କର କିମିତି ଉପକାର ହେବ ମ ?

ଜଗୁଆ ମା ଉତ୍ତର ଦେଲା, ‘‘ମୁଁ ଠିକ୍‌ କରି କହିପାରୁ ନାହିଁ । ତେବେ ତମମାନଙ୍କଠାରୁ ଯାହା ଶୁଣୁଛି, ସେଥିରେ ମୁଁ ଜାଣୁଛି ଯେ, ଆମ ବାବୁ ଯୁ ଝିଅଟିକୁ ପଢ଼ାଉଥିଲେ ତାକୁ ବାହା ହେବାର ମନ କରିଥିଲେ । ସେ କଥା ଭାଙ୍ଗିଯାଇଛି । ମୁଁ ବିଚାରୁଛି, କଟକ ଗଲେ ଏ କଥାର ଗୋଟିଏ କିଛି କିନାରା କରିଦେବି ।

ଜଗୁଆ ଭାରି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଆଛା ଲୋକ ତ ! ଗୋଟିଏ ଜାଗାରେ ଭାଜିଗଲେ ଆଉ ଠାଏ କ’ଣ ହନ୍ତା ନାହିଁ ? ଇଥିପେଇଁ ଏକବାରେ ବାଆଜି !’’

ଜଗୁଆ ମା ଟିକିଏ ହସି ହସି କହିଲା,‘‘ଆରେ ପୁଅ, ସେ କଥା ତୁ ବୁଝିବୁ ନାହିଁ । ଆମେ ସବୁ ଗାଈ ବଳଦ କିଣିଲା ଭଳିଆ ଆମ ପିଲାଙ୍କ ପାଇଁ କନ୍ୟା ତିନିଜାଗା ବାଛିକରି ଆଣୁ । ସେମାନେ ସବୁ ପରା ନିଜେ ବାଛନ୍ତି, ଯେଉଁଠାରେ ମନ ପାଇଲା ସିଠେଇ ବାହା ହୁଅନ୍ତି । ସିମିତି ମନ ପାଇଲା ଜାଗାରେ ଯଦି ଭାଙ୍ଗିଯାଏ, ମନଦୁଃଖ ହେବ ନାହିଁ ?’’

ଜଗୁଆ–ଆମ ପ୍ରକାରଟି ଏକା ତାଙ୍କ ଅପେକ୍ଷା ଭଲ ।

ଜଗୁଆ ମା–ଭଲ ମନ୍ଦରେ ଆମର କ’ଣ ଅଛି ରେ ପୁଅ ? ତାଙ୍କର ଗୋଟିଏ ପ୍ରକାର, ଆମର ଗୋଟିଏ ପ୍ରକାର । ଦୁଇ ପ୍ରକାରଯାକ ଅଛନ୍ତି । ମୁଁ ଏତିକି ଜାଣେ, କିଏ ଭଲ, କିଏ ମନ୍ଦ ଠିକ୍‌ କରିବାରେ କିଛି ଲାଭ ନାହିଁ ।

ବିନୁଆ ମାଉସୀ କଥା ଅନୁସାରେ ‘ଦିଦି’ଙ୍କି କହିବ ବୋଲି ଭାରି ଆନନ୍ଦରେ ସମ୍ମତ ହେଲା ।

Image

 

ସତର

 

ମଦନବାବୁଙ୍କ ମଟରଭ୍ରମଣ ଶେଷ ହୋଇଛି । ନାନା ସ୍ଥାନରେ ବୁଲି ପ୍ରାୟ ପନ୍ଦର ଦିନ କଟାଇ ସେ ଆଜି ଫେରୁଛନ୍ତି ଘରକୁ । ଆଜିପର୍ଯ୍ୟନ୍ତ ସେ କଟକରୁ ମେଲାକୁ ବେଶି ବାହାରିନଥିଲେ-। ତେଣୁ ଦେଖିବାର ଇଚ୍ଛା ତୃପ୍ତ ହୋଇ ନାହିଁ । କିନ୍ତୁ କଲେଜ ଯେ ଖୋଲିଯିବ ! ବୀରେନ୍ଦ୍ର ଅଛନ୍ତି, ସେ କଲେଜରେ ଯୋଗଦାନ କରିବେ-ନ ଗଲେ ନ ଚଳେ ।

ବାଣପୁରଠାରେ ଆଜି ସକାଳୁ ମଟର ଛାଡ଼ିଛି । ଆଉ ଦୁଇଘଣ୍ଟା ଚାଲିଲେ କଟକ ହୋଇଯିବ । ମଦନବାବୁ ମଟର ଅଟକାଇବାକୁ ଡ୍ରାଇଭରକୁ ହୁକୁମ ଦେଲେ । ଡ୍ରାଇଭର ପଛରେ ଆସୁଥିବା ଲରିବାଲାକୁ ସଙ୍କେତ ଦେଇ ମଟର ଅଟକାଇ କହିଲା, ‘‘ବାବୁ, ଆଉ କଟକ ମୋଟେ ଛତିଶ ମାଇଲ ଅଛି ।’’

ମଦନବାବୁ–ଥାଉ । ନଈପାର ହେବାକୁ ଢ଼େର ଉଛୁର ଲାଗିବ । ଏହିପରି ଚାରି ପାଞ୍ଚ ଘଣ୍ଟା ରହିଯିବା । ବର୍ତ୍ତମାନ ଘଣ୍ଟା କେତେ ବାଜିଛି ?

ବୀରେନ୍ଦ୍ର କହିଲେ, ‘‘ସାଢ଼େ ଆଠଟା ।’’

ମଦନବାବୁ–ବେଶ୍‌ ! ଗୋଟାଏ ବେଳକୁ ଗଲେ ଠିକ୍‌ ସନ୍ଧ୍ୟାକୁ ନଈପାର ହୋଇ ସାରିଥିବା । ମାଧିଆ ! ରୋଷେଇର ସବୁ ବନ୍ଦୋବସ୍ତ କର । ପାଖରେ ବେଶ୍‌ ଭଲ ପୋଖରୀଟାଏ ଅଛି । ଏପରି ଜଙ୍ଗଲ ଭିତରେ ଏଡ଼େ ସୁନ୍ଦର ପୋଖରୀଟାଏ ଅଇଲା କୁଆଡ଼ୁ ?

ମଦନବାବୁ ଜାଣନ୍ତି ନାହିଁ, ସେ ପୋଖରୀଟି ବେବର୍ତ୍ତା ପୋଖରୀ । ଓଡ଼ିଶା ରାଜାଙ୍କ ବେବର୍ତ୍ତା । ପୋଖରୀର ଅଳ୍ପଦୂରରେ ଯେଉଁ ସ୍ତୂପ କାଳ ସଙ୍ଗେ ଯୁଦ୍ଧ କରି କରି ହାରିପଡ଼ିଛି, ତାହା ବେବର୍ତ୍ତାଙ୍କ ବାସଗୃହର ଭଗ୍ନାବଶେଷ । ଭୋଇ ରାଜାମାନଙ୍କ ଅମଳରେ ଏ ଜଙ୍ଗଲ ଜାଗା ଖଣ୍ତ ଭାରି ପ୍ରସିଦ୍ଧି ଲାଭ କରିଥିଲା । ଦେବାନ ଥିଲେ କୁରାଢ଼ମଲ୍ଲର । ବେବର୍ତ୍ତା ଦୁଇ ପାହାଡ଼ର ମଧ୍ୟବର୍ତ୍ତୀ ଜାଗାଖଣ୍ତ ବାଛି ନେଇ ରାଜକୋଷକୁ ନିରାପଦରେ ରକ୍ଷାକରୁଥିଲେ । ଅଳ୍ପ ଦୂରରେ ଯେଉଁ ବୁଢ଼ା ବରଗଛଟି ଦିଶୁଛି, ଯାହାର ଗଣ୍ତି ତିନିଭାଗରେ ବିଦୀର୍ଣ୍ଣ ହୋଇଛି, ସେହି ଗଛଟି ଗୋଟିଏ ଐତିହାସିକ ଗଛ । ତା’ର ନାମ ‘ମସୁଧା ବର’ । ଏହି ବରଗଛ ମୂଳରେ ବାଙ୍କୀ ବିଜୟ ବେଳେ ମନ୍ତ୍ରଣାସଭା ବସିଥିଲା । ସେ ଦିନ ଯାଇଛି । ସେ ସ୍ମୃତି ମଧ୍ୟ ଯାଇଛି । ଏବକାଳ ଲୋକେ ଇଂଲଣ୍ତର ଯୁଦ୍ଧରେ କେଉଁ ପକ୍ଷ କେଉଁ ରଙ୍ଗର ଗୋଲାପଫୁଲ ମୁଣ୍ତରେ ଖୋସି ଯୁଦ୍ଧ କରୁଥିଲେ ତାହା ଜାଣନ୍ତି; ମାତ୍ର ଏହି ଉତ୍କଳ ବକ୍ଷରେ ଯେଉଁ ସବୁ ଯୁଦ୍ଧଲୀଳା ଘଟିଯାଇଛି, ତା’ର କିଛି ବିବରଣ ଜାଣନ୍ତି ନାହିଁ କିମ୍ବା ଜାଣିବା ନିମନ୍ତେ ଥରେ ବି କୌତୁହଳ ପ୍ରକାଶ କରି ନାହାନ୍ତି । ମଦନବାବୁ ଇଂଲଣ୍ତର ଇତିହାସ ଘୋଷି ଘୋଷି ପେନ୍‌ସନ୍‌ ମୁଠାକ ମୁଠେଇ ତା’ର ଯଶଗାନ କରୁଛନ୍ତି, ସେ ଏ ସ୍ଥାନକୁ ବୁଝନ୍ତେ କୁଆଡ଼ୁ ? ଏ ସ୍ଥାନ ବିଷୟ ପଢ଼ିଲେ ପେନ୍‌ସନ୍‌ ତ ମିଳିବ ନାହିଁ । ଏ ସ୍ଥାନର ମହିମା ଗାନ କଲେ ପ୍ରଶଂସା ତ ମିଳିବ ନାହିଁ । ମିଳିବ, ବେତମାଡ଼ ବା କାରାବାସ !

ମଟର ରହିଲା । ମଦନବାବୁଙ୍କୁ ହୁକା ତିଆରି କରି ଦେଇ ମାଧିଆ ରୋଷେଇର ଯେ ଗାଡ଼ ଆରମ୍ଭ କଲାଣି । ମଟର ଡ୍ରାଇଭର ଦୁଇଟା ପେଟ୍ରୋଲ ଟିଣ ଭିତରେ ଲୁଚାଇ ରଖିଥିବା ନାଲିପାଣି ଟିକିଏ ଧରି ଗୋଟାଏ ଗଛମୂଳକୁ ବାହାରି ଯାଇଛନ୍ତି । ବୀରେନ୍ଦ୍ର କ୍ୟାନ୍‌ଭାସ୍‌ ଖୋଳ ଭିତରୁ ବନ୍ଧୁକ ବାହାର କରି କାନ୍ଧରେ ପକାଇ ଯିବାକୁ ଉଦ୍ୟତ ହେଲେ ।

କନକଙ୍କୁ ଏ ସ୍ଥାନରେ କିପରି ଗୋଟାଏ ବିଷାଦ ଭାବ ହଠାତ୍‌ ଆସି ଆକ୍ରମଣ କରିଥାଏ-। କାହା ସଙ୍ଗେ କଥାବାର୍ତ୍ତା ହେବାକୁ ତାଙ୍କ ମନ ହେଉନଥାଏ । ସୁତରାଂ ସେ ବୀରେନ୍ଦ୍ରଙ୍କୁ କିଛି କହିଲେ ନାହିଁ । ବୀରେନ୍ଦ୍ର କନକ ଆଗରେ ନିଜର କୀର୍ତ୍ତୀକଳାପ ବିଷୟରେ ଦି’ ଚାରିପଦ କଥାବାର୍ତ୍ତା ହେବା ଉଦ୍ଦେଶ୍ୟରେ କହିଲେ, ‘‘କନକ, ମୁଁ ଯାଉଛି ଶୀକାରକୁ ।’’ କନକ ଟିକିଏ ହସିଦେଇ ତୁନି ରହିଲେ । କନକଙ୍କ ସଙ୍ଗେ କଥାବାର୍ତ୍ତାର ଯୋଗାଡ଼ ନ କରିପାରି ବୀରେନ୍ଦ୍ର ମଦନବାବୁଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ମାଧିଆକୁ ପାଟିକରି କହିଲେ, ‘‘ମାଧିଆ, ମୁଁ ଘଣ୍ଟେ ଖଣ୍ତେ ପରେ ଆସିବି । ମୋତେ ଅପେକ୍ଷା କରିବ ନାହିଁ ।’’

ମଦନବାବୁ ଏ କଥା ଶୁଣି ପଚାରିଲେ, ‘‘କାହିଁକି, କୁଆଡ଼େ ଯାଉଛ କି ବୀରେନ୍ଦ୍ର ?’’

ବୀରେନ୍ଦ୍ର–ଆଜ୍ଞା, ଯାଉଛି ଟିକିଏ ବୁଲି ।

ମଦନବାବୁ ବୀରେନ୍ଦ୍ରଙ୍କ କାନ୍ଧରେ ବନ୍ଧୁକ ଦେଖି କହିଲେ, ‘‘କିଓ ଏ କ’ଣ ! ଶୀକାରକୁ ବାହାରିଲ କି ? ତୁମେ କ’ଣ ଶୀକାର କର ବାବା ?’’

ବୀରେନ୍ଦ୍ର–ଆଜ୍ଞା ହଁ, ମୁଁ ନୀଳଗିରି ରାଜାଙ୍କ ସଙ୍ଗେ ସେଠା ଜଙ୍ଗଲକୁ ଅନେକ ଥର ଯାଇଛି ।

ମଦନବାବୁ–ଓଃ, ତେବେ ତ ତୁମେ ବେଶ୍‌ ଜାଣ । ଯେ ନୀଳଗିରି ଜଙ୍ଗଲ ଭିତରେ ପଶିଛି, ତା’ର ଏ ଛାର ବୁଦୁବୁଦିଆ ଲଟାକୁ ଭୟ କ’ଣ ? ମୋ’ ପିଲାଦିନେ ମୁଁ ଥରେ ଅଧେ ଯାଇଥିଲି । ଏଇ ଯେଉଁ ବନ୍ଧୁକ ତୁମେ ଧରିଛ, ସେଇ ବନ୍ଧୁକରେ ଯୋଡ଼ାଏ ବାଘ ମରିଛନ୍ତି । ସମୟ ତ ଗଲା । ମୁଁ ଏଥର କଟକ ଗଲେ ବନ୍ଧୁକଟା ତମ ନାଁରେ ଲାଇସେନ୍‌ସ କରେଇଦେବି । ଏ ଜଙ୍ଗଲରେ କିଛି ନ ଥିବେ, ଯିବ ଯେବେ ଯାଅ ଟିକିଏ ଶୀଘ୍ର ଫେରି ଆସିବ ।

ବୀରେନ୍ଦ୍ର ଶୀକାରକୁ ବାହାରିଲେ । ଜଙ୍ଗଲରେ ଆଉ ଟିକିଏ ବଡ଼ ଗଛ ଥିଲେ ତାଙ୍କର ସାହସ ହୋଇନଥାନ୍ତା । ଏ ଜଙ୍ଗଲରେ ଭୟର କୌଣସି ଆଶଙ୍କା ନାହିଁ ବୋଲି ବିଚାରି ତାଙ୍କର ସାହସ ହୋଇଥିଲା । ସେ ବନ୍ଧୁକ ମାରି ଶିଖିଥାନ୍ତି, ଥରେ ନିଳଗିରି ରାଜାଙ୍କ ସଙ୍ଗେ ଜଙ୍ଗଲଭିତରେ ପଶିଥିଲେ । ମାତ୍ର କୌଣସି ବନ୍ୟଜନ୍ତୁ ଆଜିପର୍ଯ୍ୟନ୍ତ ତାଙ୍କ ନୟନଗୋଚର ହୋଇ ନାହିଁ । ନୀଳଗିରି ଜଙ୍ଗଲରେ ସେ ମଞ୍ଚାରେ ବସିଥିଲେ; ତାଙ୍କ ସାଥିରେ ଥିବା ବାଣୁଆ କୌଣସି ସଙ୍କେତରୁ ଜାଣି ଧୀରେ ଧୀରେ କହିଲା, ‘‘ବାବୁ, କିଛି ଶବ୍ଦ କରନାହିଁ, ଜନ୍ତୁ ଆସୁଛି ।’’ ବୀରେନ୍ଦ୍ର ବାଣୁଆ କଥା ଅନୁସାରେ ଶବ୍ଦ ନ କରିଥିବାରୁ ଅନେକ ଥର ଗର୍ବ କରନ୍ତି; ମାତ୍ର ବାଣୁଆ କଥାରେ ତାଙ୍କ ଲୁଗା ଖଣ୍ତ ଯାକ ଭିଜି ମଞ୍ଚା ତଳେ ଥିବା ଶୁଖିଲା ପତ୍ରଉପରେ ଯେ ବର୍ଷା ହେଲା, ସେ କଥା କହନ୍ତି ନାହିଁ-। ବୀରେନ୍ଦ୍ରଙ୍କ ଅବସ୍ଥା ବୁଝି ବାଘମାମୁଁ ଦୟାକରି ସେଦିନ ସ୍ୱରୂପ ଦେଖାଇଲା ନାହିଁ । ଦେଖାଇଥିଲେ ଖୁବ୍‌ ସମ୍ଭବ ଶୀକାରୀ ବୀରେନ୍ଦ୍ର ବାବୁ ମଞ୍ଚାରୁ ତଳକୁ ବୁହାହୋଇ ଆସିଥାନ୍ତେ ।

ଯାହାହେଉ ମଦନବାବୁଙ୍କ ଉତ୍ସାହ ବାଣୀରେ ଉତ୍‌ଫୁଲ୍ଲ ହୋଇ ତାଙ୍କୁ ସାହସ ଦେଖାଇବା ଉଦ୍ଦେଶ୍ୟରେ ତାଙ୍କ ଦୃଷ୍ଟିରୁ ଅଗୋଚର ହେବା ପର୍ଯ୍ୟନ୍ତ ବୀରେନ୍ଦ୍ର ଖୁବ୍‌ ବୀରଦର୍ପରେ ଜଙ୍ଗଲ ଭିତରେ ପଶିଲେ । ପ୍ରାୟ ମାଇଲିଏ ଯିବା ପରେ ପଛକୁ ଚାହିଁ ଦେଖିଲେ, ମଟର ଆଉ ଦିଶୁ ନାହିଁ ।

 

ଏଥର କ’ଣ କରାଯାଏ ? ନିକଟରେ ଗୋଟାଏ କିଛି ପକ୍ଷୀ ଯଦି ମିଳିଯାନ୍ତା, ତାହାହେଲେ ଶୀକାରୀ ନାମଟା ସାର୍ଥକ ହୁଅନ୍ତା ଏବଂ ସେ ବୃଥାରେ ଅନ୍ୟ କୌଣସି ବିପଦର ସମ୍ମୁଖୀନ ନ ହୋଇ ଫେରିଯାନ୍ତେ ।

କିନ୍ତୁ ତାଙ୍କୁ ଶୀକାର-ଯଶରେ ଯଶସ୍ୱୀ କରିବା ନିମନ୍ତେ ନିକଟରେ କାହିଁ କେହି ତ ମିଳିଲେ ନାହିଁ ! ବୀରେନ୍ଦ୍ର ଚାରି ଦିଗକୁ ଖୁବ୍‌ ନିରୀକ୍ଷଣ କଲେ । ପ୍ରାୟ ଦୁଇ ଫର୍ଲଙ୍ଗ ଦୂରରେ ଗୋଟିଏ ଗଛରେ ଦୁଇ ଚାରିଟା ପକ୍ଷୀ ବସିଥିଲା ପରି ଜଣା ଯାଉଥିଏ । ବୀରେନ୍ଦ୍ର ଖୁବ୍‌ ଦମ୍ଭଧରି ସେହି ଗଛ ଉଦ୍ଦେଶ୍ୟରେ ଚାଲିଲେ ।

ଗଛମୂଳରେ ଯାହା ଦେଖିଲେ, ସେଥିରେ ତାଙ୍କ ମନ ଖୁସ୍‌ ହୋଇଗଲା । ଗଛରେ ପ୍ରାୟ ଶହେ ଖଣ୍ତେ ହରଡ଼ ଚଢ଼େଇ ବସିଛନ୍ତି । ଗଛ ଆଡ଼କୁ ବନ୍ଧୁକ ଦେଖାଇ ଯେକୌଣସିମତେ ଥରେ ଫୁଟେଇ ଦେଲେ ନିଶ୍ଚୟ ଦୁଇ ଚାରିଟା ପକ୍ଷୀ ତଳକୁ ଖସି ପଡ଼ିବେ ।

ବୀରେନ୍ଦ୍ର ବନ୍ଧୁକ ସଜାଡ଼ି ଧରିଛନ୍ତି । ଟୋଟା ଭର୍ତ୍ତି ହୋଇଛି, ଘୋଡ଼ା ଉପରେ ବୀରେନ୍ଦ୍ରଙ୍କ ହାତ ପଡ଼ିଛି, ଆଉ ମୁହୂର୍ତ୍ତକରେ ଗୁଳି ଫଏର ହୋଇଯିବ, ଏପରି ସମୟରେ ହଠାତ୍‌ ପଛ ଆଡ଼େ ଭାରି ଖସ୍‌ ଖସ୍‌ ଶବ୍ଦ ଶୁଭିଲା, ସତେ ଯେପରି ଗୋଟାଏ କିଛି ବନ୍ୟ ଜନ୍ତୁ ତାଙ୍କ ଆଡ଼କୁ ଧାଇଁ ଆସୁଛି । ବୀରେନ୍ଦ୍ରଙ୍କ ବୁଦ୍ଧି ହଜିଗଲା । ସେ ‘ଆଲୋ ବୋଉଲୋ’ କହି ଦୁଲ କିନି ପଛ ଆଡ଼କୁ ପଡ଼ିଗଲେ ।

ବନ୍ଧୁକର ଆବାଜ୍‌ ପ୍ରତିଧ୍ୱନିତ ହୋଇ ଆକାଶରେ ମିଶି ନ ଯାଉଣୁ ଗୋଟିଏ ଲୋକ କାଖରେ ଭାଲୁ ଗୋଟିଏ ଧରି ଛୋଟେଇ ଛୋଟେଇ ଧାଇଁ ଆସି ବୀରେନ୍ଦ୍ରଙ୍କ ପାଖରେ ପହଞ୍ଚିଲେ । ସେ ଗୋପାଳ । ତାଙ୍କ ଭାଲୁଛୁଆ ଭିତରୁ ଗୋଟିଏ ଦୈବାତ୍‌ ଘରୁ ଖସିଯାଇ ଜଙ୍ଗଲରେ ପଶିଲା । ସେ ବଡ଼ି ସକାଳୁ, ତା’ରି ପଛେ ଗୋଡ଼ାଇ ଗୋଡ଼ାଇ ଶେଷରେ ତାକୁ ଧଇଲାବେଳକୁ ଭୟତ୍ରସ୍ତ ସ୍ୱରରେ ‘ଆଲୋ ବୋଉଲୋ’ ଡ଼ାକ ତାଙ୍କୁ ଶୁଭିଲା । ଶବ୍ଦ ପଛେ ପଛେ ବନ୍ଧୁକର ଆବାଜ ହେଲା ଏବଂ ବନ୍ଧୁକ ଗୁଳିଟେ ତାଙ୍କ ନଳି ଗୋଡ଼ରେ ଘଷିହୋଇ ଯାଇ ନିକଟରେ ଥିବା ଗୋଟାଏ ପଥରରେ ବାଜିଲା । ଗୋପାଳ ଯନ୍ତ୍ରଣାରେ ଗୋଟିଏ ଅସ୍ପଷ୍ଟ ଚିତ୍କାର କରି ଭାଲୁ ଛୁଆଟିକୁ ହାତରେ ଧରି ବନ୍ଧୁକଗୁଳି ଯେଉଁ ଦିଗରୁ ଆସିଥିଲା, ସେହି ଦିଗରେ ଧାଇଁଲେ ।

ଏ ନିର୍ଜନତା ଭଗ୍ନ କଲା କିଏ ? ବନ୍ଧୁକ ଧରି କିଏ କାହା ଉପରେ ପ୍ରତିହିଂସା ନେବାକୁ ଏ ଜଙ୍ଗଲର ନିର୍ଜନତା ଭଗ୍ନକରିଛି । ଯେ କରୁଣ କଣ୍ଠରେ ‘ଆଲୋ ବୋଉଲୋ’ ବୋଲି ଚିତ୍କାର କରିଛି, ସେ କେଉଁଠାରେ ? ସେହି ବିଚରା ପ୍ରତି ନିଶ୍ଚୟ ବନ୍ଧୁକ ଗୁଳି ଫାଏର ହୋଇଥିଲା । ଭାଗ୍ୟକୁ ଲକ୍ଷ୍ୟଭ୍ରଷ୍ଟ ହୋଇଛି । ନ ହେଲେ କାହାର ପ୍ରାଣବାୟୁ ଉଡ଼ିଯାଇ ବନ୍ଧୁକ ଶବ୍ଦ ପଛେ ପଛେ ଆକାଶରେ ମିଶିଯାଇଥାନ୍ତା । ଏହିପରି କେତେପ୍ରକାର ଚିନ୍ତା କରି କରି ଗୋପାଳ ଯାଇ ଦେଖିଲେ, ବୀରେନ୍ଦ୍ର ପଡ଼ିଛନ୍ତି, ତାଙ୍‌କ ଛାତି ଉପରେ ବନ୍ଧୁକଟା ପଡ଼ିଛି-ବନ୍ଧୁକନଳିରୁ ଧୂଆଁ ବାହାରିବା ବନ୍ଦ ହୋଇନାହିଁ ।

ବୀରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚିହ୍ନିପାରିଲେ । ଗତ କେତେଦିନ ହେଲା ଏହି ବୀରେନ୍ଦ୍ରଙ୍କର ସୌଭାଗ୍ୟ ହିଁ ତାଙ୍କର ଚିନ୍ତାର ସାମଗ୍ରୀ ଥିଲା । ବିନୁଆ ଆସି ତାଙ୍କୁ ବୀରେନ୍ଦ୍ରଙ୍କ ସଙ୍ଗେ କନକର ବିବାହ ସ୍ଥିର ହୋଇଥିବା କଥା କହିବା ବେଳୁ ସେ ଦିନରାତି ଭାବୀ ଦମ୍ପତିଙ୍କର ଭାବୀ ସୁଖ ଚିନ୍ତା କରୁଥାନ୍ତି । ଦୁହିଙ୍କୁ ପ୍ରେମର ଆସନରେ ବସାଇ ନିଜର ନିର୍ଜନ କାରାବାସରୁ ମନେ ମନେ ତାଙ୍କ ସୁଖ ଦେଖୁଥାନ୍ତି- କେତେବେଳେ ଈର୍ଷାରେ ପ୍ରାଣ ଜଳି ଯାଉଥାଏ, ଆଉ କେତେବେଳେ ଅଭିମାନରେ ଆଖିରୁ ଲୁହ ଗଡ଼ି ପଡ଼ୁଥାଏ, କେତେବେଳେ ବିନୁଆ ଆସି ବୀରେନ୍ଦ୍ର କନକଙ୍କ କଥା ତାଙ୍କ ଆଗେ ପକାଇଥିବା ହେତୁ ତା’ର ଦୋଷ ସାବ୍ୟସ୍ତ କରୁଥାନ୍ତି, ଆଉ କେତେବେଳେ ନିଜର ଦୁର୍ବଳତା ନିମନ୍ତେ ଥରକୁ ଥର ଆପଣାକୁ ଧିକ୍‌କାରୁଥାନ୍ତି । ଥରେ ଅଧେ ମନେ କରନ୍ତି, ଲେଖିବେ ବୀରେନ୍ଦ୍ର ପାଖକୁ, ‘‘ଭାଇ, ତୁ ଯେଉଁ ରତ୍ନ ଅବଲୀଳାକ୍ରମେ ହାତରେ ପାଇଛୁ ତା’ର ଅଭାବରେ ଆଉ ଜଣେ କେତେ ସହୁଛି ଜାଣିଲେ, ତାହା କିପରି ଅମୂଲ୍ୟ ବୁଝନ୍ତୁ ଏବଂ ବୁଝି, ହଜିଯିବା ଭୟରେ ତାକୁ ମୁହୂର୍ତ୍ତେ ହେଲେ ହୃଦୟର କାରାଗାରରୁ ମେଲାକୁ ଛାଡ଼ନ୍ତୁ ନାହିଁ ।’’

ସେହି ରତ୍ନର ଅଧିକାରୀ ଭାଗ୍ୟବାନ୍‌ ବୀରେନ୍ଦ୍ର ଏଠାକୁ କିପରି ଆସିଲେ, ଏ ଅବସ୍ଥାରେ କିପରି ପଡ଼ିଲା ? ଗୋପାଳ ବିସ୍ମିତ ହେଲେ । ମାତ୍ର ଏ ତ ବିସ୍ମୟର ସମୟ ନୁହେଁ । ବୀରେନ୍ଦ୍ର ଯେ ଅଚେତନ ।

ଗୋପାଳ ଭାଲୁ ଛୁଆଟାକୁ ତରରତରେ ଖଣ୍ତେ ଦଉଡ଼ିଦ୍ୱାରା ଗୋଟାଏ ବୁଦାରେ ବାନ୍ଧିଦେଇ ବୀରେନ୍ଦ୍ରଙ୍କ ପାଖକୁ ଗଲେ ଏବଂ ତାଙ୍କ ନାକ ପାଖରେ ଧୀରେ ଧୀରେ ହାତ ରଖିଲେ । ନିଃଶ୍ୱାସ ଆସ୍ତେ ଆସ୍ତେ ଚାଲିଛି ।

ମୁହୂର୍ତ୍ତକ ଭିତରେ ନିକଟରେ ଥିବା ତାଙ୍କର ପରିଚିତ ଗୋଟିଏ ଝରଣାରେ ନିଜର ପିନ୍ଧା ଲୁଗାରୁ ଖଣ୍ତେ ଭିଜାଇ ଆଣି ଆସି ବୀରେନ୍ଦ୍ରଙ୍କ ମୁହଁରେ ରଖିଲେ । ବୀରେନ୍ଦ୍ରଙ୍କ ଚେତନା ଫେରିଆସିବା ସାଙ୍ଗେ ସାଙ୍ଗେ ସେ ଭୟରେ ‘‘ବା-ଘ, ବା-ଆ-ଘ-ଅ’’ ବୋଲି ପାଟିକରି ଆଉ ଥରେ ଅଚେତନ ହୋଇଗଲେ । ଆଉ ଟିକିଏ ଗଲା, ବୀରେନ୍ଦ୍ର ଆଖି ଖୋଲି କିଛି ବୁଝିନପାରି ଗୋପାଳଙ୍କ ଦାଢ଼ିଆ ମୁହଁକୁ ଭୟରେ ଚାହିଁରହିଲେ ।

‘‘କିଛି ଭୟ ନାହିଁ, ତୁମେ ପଡ଼ିଗଲ । ଦେହରେ କେଉଁଠାରେ କିଛି କଷ୍ଟ ଜଣାଯାଉଛି ?’’

‘‘ଉ, ଭାରି କଷ୍ଟ-ମଟର କାହିଁ-ମଟର-ମଟର ?’’

ଗୋପାଳ କିଛି ନ କହି ଖୁବ୍‌ ଧୀରେ ଧୀରେ ବୀରେନ୍ଦ୍ରଙ୍କୁ ଟେକି ଧରି ନିଜର ଘର ଆଡ଼କୁ ଗଲେ ଏବଂ ଘରେ ପହଞ୍ଚି ନିଜର ଖଟରେ ଲୁଗାପଟା ସବୁ ପକାଇ ଯେତେଦୂର ସମ୍ଭବ କୋମଳ ଶେଯଟିଏ କରି ତହିଁରେ ତାଙ୍କୁ ଶୁଆଇଲେ ।

ସମସ୍ତ କଷ୍ଟ ସତ୍ତ୍ୱେ ବୀରେନ୍ଦ୍ରଙ୍କର ବେଶ୍‌ ନିଦ ହେଲା । ଗୋପାଳ ବୁଝିଲେ, ଅବସ୍ଥା ଆଦୌ ଶୋଚନୀୟ ନୁହେ । ବିଶେଷ କିଛି ଆଘାତ ହୋଇଥିଲେ ଏତେ ସହଜରେ ନିଦ ହୁଅନ୍ତା ନାହିଁ । ତେବେ ଡାକ୍ତର ଦେଖାଇବାର କଥା । ଗୋପାଳଙ୍କର ନିଜର ଏ ଭିତରେ ଯେତେ ରୋଗ ବୈରାଗ ହୋଇଛି, କୌଣସିଥିରେ କୌଣସି ଡ଼ାକ୍ତର ବା ଡ଼ାକ୍ତର ଔଷଧ ଦରକାର ହୋଇନାହିଁ । ପ୍ରକୃତି ତା’ର ବିଚିତ୍ର ଶକ୍ତିରେ ତାଙ୍କୁ ରୋଗମୁକ୍ତ କରିଛି । ପାଣି ତାଙ୍କର ଘା ସବୁ ପୂରେଇ ଦେଇଛି-। କିନ୍ତୁ ଏ ତ ସେ ନୁହଁ । ଏ ତ ସହରର ଲୋକ । ୟାଙ୍କ ଦେହକୁ ଡ଼ାକ୍ତର ନ ହେଲେ ନ ଚଳେ । ଡ଼ାକ୍ତର ଡ଼ାକିବାକୁ ହେବ ।

ବୀରେନ୍ଦ୍ର ଦ୍ୱିତୀୟଥର ଚେତନା ଲାଭ କଲାବେଳେ ‘ମଟର-ମଟର’ ବୋଲି କହିଥିବା ତାଙ୍କର ମନେପଡ଼ିଲା । ତା’ ହେଲେ ମଟର ତ ନିଶ୍ଚୟ ନିକଟରେ ଥିବ । ମଟରରେ ଆଉ କିଏ ଆସିଛି ? ଯେ ଆସିଥାଉ, ସେ ନିଶ୍ଚୟ ବୀରେନ୍ଦ୍ରଙ୍କ ଲୋକ ହୋଇଥିବ । ସେହିଠାକୁ ଗଲେ ଡାକ୍ତର ଆଣିବାର ବ୍ୟବସ୍ଥା ନିଶ୍ଚୟ ଶୀଘ୍ର ହୋଇଯିବ ।

ଗୋପାଳ ମଟର ଖୋଜିବା ଉଦ୍ଦେଶ୍ୟରେ ସଡ଼କ ଆଡ଼କୁ ବାହାରିଲେ; ମାତ୍ର ଟିକିଏ ଚାଲି ଦେଖିଲେ ତାଙ୍କ ଗୋଡ଼ ଆଉ ଚଳୁନାହିଁ । ମନେ ପଡ଼ିଗଲା ବନ୍ଧୁକ ଗୁଳି । ସେ ଆଶ୍ଚର୍ଯ୍ୟ ହେଲା ପରି ଗୋଡ଼କୁ ଚାହିଁ ଦେଖିଲେ ନଳିଗୋଡ଼ରେ ବଳାଗଣ୍ତିର ପ୍ରାପ୍ତ ଚାରିଆଙ୍ଗୁଳ ଓପରକୁ ଦୁଇଆଙ୍ଗୁଳ ହବ ଛାଞ୍ଚି ହୋଇଯାଇଅଛି । ରକ୍ତ ବାହାରି ଏବଂ ବାହାରୁଥିବା ରକ୍ତ ଶୁଖିଯାଇ କିପରି ଗୋଟେ କାଳିଆ ଦିଶୁଛି । କ’ଣ କରିବେ ? ମଟରର ସନ୍ଧାନ ନ ନେଲେ ନ ଚଳେ ।

ପୋଖରୀ କୂଳକୁ ଯାଇ ସ୍ଥାନଟା ଭଲ କରି ଧୁଆ ଧୋଇ କରି ଖଣ୍ତେ ପରିଷ୍କାର କନା ଗୋଡ଼ିରେ ଗୁଡ଼େଇ ସେ ସଡ଼କ ଆଡ଼କୁ ଚାଲିଲେ ।

ବାଟରେ ଗୋଟିଏ ନାଳ; ନାଳଟିରେ କେବଳ ବର୍ଷାଦିନେ ଭଲକରି ମୁନ୍ଦିଏ ପାଣି ଚାଲେ । ସେଦିନକୁ ପ୍ରାୟ ଶୁଖିଗଲାଣି । ସେହି ଶୁଖିଲା ନାଳରୁ ବାହାରର ଆଉ କିଛି ଦେଖାଯାଏ ନାହିଁ । ନାଳର ଦୁଇ ପାଖେ ମାଳଭୂମି ଖୁବ୍‌ ଉଚ୍ଚ ହୋଇ ଉପରକୁ ଉଠିଛି । ଓପରୁ ନାଳ ମଧ୍ୟ ପରିଷ୍କାର ଦିଶେ ନାହିଁ-ତହିଁରେ ଥିବା ଗଛମାନଙ୍କ ଯୋଗୁଁ । ଗୋପାଳ ସେହି ନାଳ ପାରି ହେଉଛନ୍ତି, ସଡ଼କ ଦିଗରୁ ଶୁଭିଲା କିଏ ଜଣେ କହୁଛି, ‘‘ମୁଁ ଆଉ ଆଗକୁ କେଭେଁ ଯିବି ନାହିଁ । ଆରେ, ୟା ଭିତରେ ନିଶ୍ଚୟ ଭୁତ ଅଛି ବେ । ବୀରବାବୁକୁ ତ ଖାଇଛି, ଆମେ ଗଲେ ଆଉ ଫେରିବା ନାହିଁ ।’’

ଆର ଜଣକ କହୁଛି, ‘‘ଆରେ ନାଇଁ ମ । ଭୁତ ଆସିବ କୁଆଡ଼ୁ ? ଚାଲ ଯିବା, ବୀରବାବୁ କୁଆଡ଼େ ଗଲେ, ଖୋଜିବା । ସେ କୁଠେଇ ପଡ଼ିଯାଇଥିବେ କି ......’’

ପୂର୍ବଜଣକ ଉତ୍ତର କଲା, ‘‘ଆଉ କି କ’ଣ ? ଭୁତ ନ ଥିଲେ ତ ବାଘ ଖାଇଥିବ । ତୋର ମରିବାକୁ ମନ ଥିଲେ ତୁ’ ଯା ।’’

ଏ ଜଣକ ମଦନବାବୁଙ୍କ ମଟର ଡ୍ରାଇଭର । ମାଧିଆ ସାଙ୍ଗରେ ବୀରବାବୁଙ୍କ ଖୋଜିବାକୁ ଆସିଛି । ବୀରେନ୍ଦ୍ର ଦୁଇଘଣ୍ଟା ପର୍ଯ୍ୟନ୍ତ ନ ଫେରିବାରୁ ମଦନବାବୁ ଉତ୍କଣ୍ଠିତ ହୋଇ ଏ ଦୁହିଁଙ୍କୁ ପଠାଇଥିଲେ । ମଟର ଡ୍ରାଇଭର ବିଚରା ମଟରରେ ବସିଥିଲାଯାକ ଇନ୍ଦ୍ରଚନ୍ଦ୍ରଙ୍କୁ ଭୟ କରେନାହିଁ; ମାତ୍ର ମଟରରୁ ବାହାରେ ଥିଲେ ତା’ର ସମସ୍ତ ସାହସ କୁଆଡ଼େ ଚାଲିଯାଏ । ଅନ୍ୟର ମଟର ସଙ୍ଗେ ଦୌଡ଼ କଲାବେଳେ, କଟେଇ ନିଜ ମଟରକୁ ଆଗକୁ ନେଲାବେଳେ, ତୁମେ ଯଦି ତାକୁ ଦେଖନ୍ତି, ମନେ କରନ୍ତ ତା’ର ପ୍ରାଣକୁ ଟିକିଏ ମାତ୍ର ଭୟ ନାହିଁ । ମାତ୍ର ଏ ତ ମଟର ନୁହେଁ । ମଟର ଦିହରେ ଧକା ଖାଇଗଲେ ଗୋଟାଏ କିଛି ଜଖମ୍‌ ହୋଇଯିବ କିମ୍ବା ଖୁବ୍‌ ବେଶି ହେଲେ ଲୋକ ମରିଯିବ । ମାତ୍ର ଭୂତ ! ଭୂତଠାରୁ ତ ଆଉ ରକ୍ଷା ନାହିଁ । ପ୍ରାଣଟା, ଶୂନ୍ୟେ ଶୂନ୍ୟେ କଆଡ଼େ ଚାଲିଯିବ । ଭୂତ ଜୀଅନ୍ତାରେ ମୋଡ଼ି ମଣିଷଟାକୁ ଖାଇଯିବ ।

ଏହିପରି ଭୂତଭୟରେ ତ୍ରସ୍ତ ହୋଇ ଡ୍ରାଇଭର ମାଧିଆକୁ କହୁଛି, ଗୋପାଳଙ୍କ ମୁଣ୍ଡ ବଣ ବୁଦାଭିତରୁ ତାଙ୍କ ଆଡ଼କୁ ଧୀରେ ଧୀରେ ଆସୁଥୁବାର ଦିଶିଲା । ଗୋପାଳ ମଧ୍ୟ ସେମାନଙ୍କୁ ଦେଖିପାରି କହିଲେ, ‘‘ଆରେ ରହ, ରହ । ମୁଁ ଯାଇ ପାରୁନାହିଁ ।’’

ଏତକ ଶୁଣି ଡ୍ରାଇଭର୍‌ର ଭୟ ବଦ୍ଧମୂଳ ହୋଇଗଲା । ‘‘ଯା ବେ, ମାନୁ ନ ଥିଲୁ ପରା । ଶୁଣ୍‌ ଶୁଣ୍‌ କିଏ ଡାକୁଚି । ସେ ଆସିପାରୁ ନାହିଁ । ପାଖକୁ ଯା ମୁଣ୍ଡକୁ ଦେଖେଇଦେବୁ । ଆଲୋ ମୋ ମା'ଲୋ ! ଉସ୍‌ମାନ୍‌ରେ ପ୍ରାଣଟା ଗଲା ଲୋ" ବୋଲି ଚିକ୍ତାର କରି କରି ଡ୍ରାଇଭର ବାବୁ ମରିପଡ଼ି ସଡ଼କ ଆଡ଼କୁ ଧାଇଁଲେ ।

ଏ କାଣ୍ଡ ଦେଖି ମାଧିଆର ବି ପୂର୍ଣ୍ଣ ଭୟ ହେଲା । ‘‘ଆରେ, ପଳଉଛୁ କୁଆଡ଼େ ରେ । ସେ ଭୂତ ନୁହେଁ ରେ’’ ବୋଲି ପାଟିକରି କରି ଡ୍ରାଇଭରକୁ ଗୋଡ଼େଇବା ବାହାନାରେ ତା ପଛରେ ଚମ୍ପଟ ଦେଲା ।

ଲୋକ ଦୁଇଟିଙ୍କ କାର୍ଯ୍ୟରେ ଗୋଡ଼ର ଯନ୍ତ୍ରଣା ଭୁଲିଯାଇ ଗୋପାଳ ମଟର ପାଖେ ଆସି ହସି ହସ ପହଞ୍ଚିଲା ବେଳକୁ ଡ୍ରାଇଭର ମଦନବାବୁଙ୍କୁ କୁହିଛି, ‘‘ଆଜ୍ଞା, ଭୂତଟା କେଡ଼େ ଚଲାକ୍‌ ଦେଖିଲେଣି ? କୁହୁଛି, ମୁଁ ଚାଲିପାରୁ ନାହିଁ, ମୋ ପାଖକୁ ଆସ । ଆମେ ତା ପାଖକୁ ଯାନ୍ତୁ-! ଯିମିତି ତା ମୁଣ୍ଡକୁ ମୁଁ ଦେଖିଛି ସିମିତି ଦେଲି ଚମ୍ପଟ୍‌ ।’’

ସମସ୍ତଙ୍କ ଆଖି ଗୋପାଳଙ୍କ ଉପରେ ପଡ଼ିଲା । ପଳାତକ ଦି' ଜଣଯାକ ଲୋକଟା ପ୍ରକୃତ ଭୂତ ନହେଁ ବୋଲି ଟିକିଏ ଆଶ୍ୱସ୍ତ ହୋଇ ଠିଆ ହେଲେ । କନକ ନିଶଦାଢ଼ି ମଧ୍ୟରେ ସେ କିଏ ଚିହ୍ନିଲେ । ତାଙ୍କ ଛାତି ଖାଲି ପଡ଼ିଲା ଉଠିଲା । ମଦନବାବୁ ଚିହ୍ନି ନ ପାରି କହିଲେ, ‘‘ତୁମେ କିଏ ?’’

ଗୋପାଳ ନିଜର ପରିଚୟ ସଙ୍ଗେ ସଙ୍ଗେ ସଂକ୍ଷେପରେ ବୀରିନ୍ଦ୍ରଙ୍କ ଅବସ୍ଥା ଜାଣାଇଲେ ଏବଂ ଖୋର୍ଦ୍ଧାରୁ ଡାକ୍ତର ଆଣିଲେ ଭଲ ହୁଅନ୍ତା ବୋଲି ମତ ଦେଲେ । ସାଙ୍ଗେ ସାଙ୍ଗେ ମଦନବାବୁଙ୍କୁ ଧରି ମଟର ଖୋର୍ଦ୍ଧା ଆଡ଼କୁ ଦ୍ରୁତଗତିରେ ଚାଲିଲା ।

ମଦନବାବୁ ଗଲାପରେ ଗୋପାଳ କନକଙ୍କୁ ଚାହିଁଲେ-କନକ ଗୋପାଳଙ୍କୁ ଚାହିଁଲେ । ଦୁହିଙ୍କ ହୃଦୟରେ କ’ଣ ଭାବ ହେଉଥାଏ, କିଏ କହିବ ? କିଛି ସମୟ ପର୍ଯ୍ୟନ୍ତ କାହା ମୁହଁରୁ କିଛି କଥା ବାହାରିଲା ନାହିଁ । ଶେଷରେ ଗୋପାଳ କହିଲେ, ‘‘ଆସନ୍ତୁ, ଆପଣଙ୍କ ବନ୍ଧୁଙ୍କ ପାଖକୁ ଯାବେ-। ଖୁବ୍‌ ଅଳ୍ପ ବାଟ । ଗୋଟିଏ ରାସ୍ତା ପଡ଼ିଛି ।’’

କନକ କିଛି ନ କହି ପଛେ ପଛେ ଚାଲିଲେ । ଅଧେ ବାଟ ଆସି ସାରିଲେଣି, କନକ ପଚାରିଲେ, ‘‘ମାଷ୍ଟର ବାବୁ, ଆପଣ ଏଠାରେ ?’’

ଗୋପାଳଙ୍କର ମନ ହେଲା ହୃଦୟର ରୁଦ୍ଧଦ୍ୱାର ଖୋଲିଦେବେ । ସେ ଏଠାରେ କାହିଁକି ଅଛନ୍ତି ପରିଷ୍କାରୂପେ ବୁଝାଇଦେବେ । ପୁଣି ବିଚାରିଲେ, ‘ଫଳ କ’ଣ ? ନିଜର ଦୁର୍ବଳତା ପ୍ରକାଶ କରିବା ସାର ହେବ ସିନା ।’ ସଂକ୍ଷେପରେ ଉତ୍ତର ଦେଲେ, ‘‘ହଁ, ଯାହାର ଯେଉଁଠାରେ ସୁବିଧା, ସେ ସେଠାରେ ରହିବ । ସେଥିରେ କ’ଣ ଅଛି ?’’

କନକ ନିରାଶ ହେଲେ । ଏପରି ଉତ୍ତର ଦେଲେ ତ କଥା ମିଳିବ ନାହିଁ । ଆଉ ଖଣ୍ଡେ ବାଟ ଗଲା, ସେ ପଚାରିଲେ–କାହିଁକି ଛୋଟୋଉଛନ୍ତି ?

ଗୋପାଳ-ଆପଣଙ୍କ ସ୍ୱାମୀ ପଡ଼ିଗଲାବେଳେ ତାଙ୍କ ବନ୍ଧୁକର ଗୁଳିଟେ ମୋ ଗୋଡ଼ରେ ଘଷିହୋଇ ଚାଲିଗଲା । ବିଶେଷ କିଛି କ୍ଷତି ହୋଇନାହିଁ । ଆମେ ଜଙ୍ଗଲି ଲୋକ । ଆମର ଏଥିପାଇଁ ଶୋଚନା ନ ଥାଏ ।

ବୀରେନ୍ଦ୍ର ତାଙ୍କ ସ୍ୱାମୀ–ଏ ଖବରଟା ଦେଲା କିଏ ? ବୋଧହୁଏ ନିଜେ ବୀରେନ୍ଦ୍ର । ଗୋପାଳଙ୍କ କହିବା ଭଙ୍ଗୀରୁ ଜଣାଯାଉଥିଲା, ଅନ୍ୟ କେହି ତାଙ୍କର ସ୍ୱାମୀ ହେବ, ଏ କଥାଟା ତାଙ୍କୁ ଖରାପ ଲାଗୁଛି । ଖରାପ ପୁଣି ଲାଗୁଛି କାହିଁକି । କନକ ଗୋପାଳଙ୍କ ମୁହଁକୁ ଚାହିଁଲେ–ମୁହଁଟି ବିଷାଦରେ ଭରି ଯାଇଛି । କପାଳ ଓପରେ ଗୁଡ଼ାଏ କ୍ଷତ ଆଖିରେ ପଡ଼ିଲା । ‘ଏଗୁଡ଼ାକ କ’ଣ ?’ କନକ ସମବେଦନାରେ ପଚାରିଲେ ।

‘‘ଗୋଟିଏ ଭାଲୁ ସଙ୍ଗେ ଲଢ଼େଇ କରି ସେତକ ଅର୍ଜିଛି’’ ବୋଲି କହି ଗୋପାଳ କଥାଟାକୁ ଉଡ଼େଇବାର ଚେଷ୍ଟାକଲେ ।

‘‘ଏଁ, ଭାଲୁ ଭାଲୁ କ’ଣ ଏ ଜଙ୍ଗଲରେ ଅଛନ୍ତି ?’’

‘‘ଜଙ୍ଗଲରେ କାହିଁକି ? ମୋ ସାଙ୍ଗେ ଏଇ ଘରେ ତ ଅଛନ୍ତି ?’’

କନକ ଭୀତ ହେଲେ ।

‘‘ଭୟ କରିବାର କିଛି କାରଣ ନାହିଁ । ଚାଲନ୍ତୁ ଯିବା । ମୋର ଗୋଟିଏ ଭାଲୁପିଲା ଜଙ୍ଗଲରେ ପଡ଼ିଛି । ତା’ ପାଖରେ ଆପଣଙ୍କ ବନ୍ଧୁକ ମଧ୍ୟ ପଡ଼ିଛି । ତାକୁ ଆଣିବା । ମୋର ସେ କଥା ଏପର୍ଯ୍ୟନ୍ତ ମନେ ପଡ଼ିନଥିଲା । ଆପଣ ମନେ ପକେଇଦେଲେ । ଧନ୍ୟବାଦ ।’’

କେତେ ପାଖର ସେ, କେତେ ଦୂରର ଭଳିଆ କଥାବାର୍ତ୍ତା କରୁଥାନ୍ତି ! ଗୋପାଳଙ୍କ କଥାବାର୍ତ୍ତାର ଢଙ୍ଗ ତାଙ୍କୁ ଭଲ ଲାଗୁ ନ ଥାଏ ।

ଗୋପାଳ ଆଗେ ଆଗେ ଜଙ୍ଗଲ ଭିତରକୁ ବାହାରିଲେ । କନକ ପଛେ ପଛେ ଯାଉଥାନ୍ତି । ଗୋପାଳଙ୍କୁ ଦୃଢ଼ ପଦକ୍ଷେପ ତାଙ୍କୁ ଭାରି ଭଲ ଲାଗୁଥାଏ । ଜଙ୍ଗଲ ଭିତରେ ବାଘଭାଲୁଙ୍କ ସଙ୍ଗେ ଖେଳା କରୁଛନ୍ତି–ଗୋପାଳ । ଆଉ ପୋଷା ଭାଲୁଛୁଆର ଖସ୍‌ ଖସ୍‌ ଶବ୍ଦରେ ଧୈର୍ଯ୍ୟଚ୍ୟୁତ ହୋଇ ଅଚେତନ ଅବସ୍ଥାରେ ପଡ଼ିଛନ୍ତି–ବୀରେନ୍ଦ୍ର । ବୀରେନ୍ଦ୍ର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଉ ଗୋପାଳ ଅସ୍ତ୍ରଶସ୍ତ୍ରହୀନ ନିଜର ବଲିଷ୍ଠ ବାହୁଦୁଇଟିକୁ ଏକମାତ୍ର ଅସ୍ତ୍ର କରିଛନ୍ତି ।

ଦୁହେଁ ଯାଇ ଘଟଣାସ୍ଥଳରେ ପହଞ୍ଚିଲେ । ଭାଲୁଛୁଆଟି ପ୍ରଭୁଙ୍କୁ ଦେଖି ଆନନ୍ଦ ପ୍ରକାଶ କଲା ଏବଂ ବୋଧହୁଏ ଭାଲୁ ଭାଷାରେ ଓ ସଙ୍କେତରେ ତାକୁ ତା' ଭାଇଠାରୁ ଦୂରରେ ରଖିଥିବା ହେତୁ ଅଭିଯୋଗ କଲା । ଗୋପାଳ ଭାଲୁଛୁଆଟିକୁ କୋଳରେ ଧରି ବନ୍ଧୁକଟିକୁ କୁଟାଖଣ୍ଡେ ଭଳିଆ ତଳୁ ଗୋଟାଇ ଫେରିବାକୁ ଉଦ୍ୟତ ହେଲେ ।

ଏ ଦୃଶ୍ୟରେ କନକ ମୁଗ୍ଧ ହୋଇ ପଚାରିଲେ, ‘‘ସେ କାମୁଡ଼ିବ ନାହିଁ ? ମୁଁ ଟିକିଏ ଧରନ୍ତି-।’’

‘‘କେଜାଣି, ନା, ବୋଧହୁଏ କାମୁଡ଼ିବ ନାହିଁ–ନିଅନ୍ତୁ ।’’

କନକଙ୍କ ହାତରେ ଗୋପାଳଙ୍କ ହାତ ବାଜିଲା । ସେ ସ୍ପର୍ଶର କି ବୈଦ୍ୟୁତିକ ଶକ୍ତି ! କନକଙ୍କ ମନରୁ ସମସ୍ତ ଚିନ୍ତା ଦୂର ହୋଇଗଲା । ଗୋପାଳଙ୍କ ହୃଦୟ ମଧ୍ୟ ଟିକିଏ ହାଲୁକା ହୋଇଗଲା । ସେହି ସ୍ପର୍ଶ ସୁଖ ଅନୁଭବ କରି କରି ସେ ଘରକୁ ଫେରିଲେ ।

ମାତ୍ର ଘରେ ପଶିବା ମାତ୍ରେ ଦୁହିଙ୍କ ମଧ୍ୟରେ କେତେ ବଡ଼ ପ୍ରାଚୀର, ଉଭୟେ ବୁଝିଲେ । କନକ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଅନ୍ୟକୁ ବରଣ କରିଛନ୍ତି । ସେହି ‘ଅନ୍ୟ’ ବର୍ତ୍ତମାନ ରୋଗଶଯ୍ୟାରେ ଶାୟିତ । ଗୋପାଳ ନିଜେ ଦୋଷକରିଥିବାର ବୁଝି କହିଲେ, ‘‘ଆପଣଙ୍କ ପ୍ରିୟତମଙ୍କ ସଙ୍ଗେ ଆପଣଙ୍କୁ ଛାଡ଼ି ନ ଦେଇ ମୁଁ ଏଣେ ତେଣେ ଆପଣଙ୍କୁ ବୁଲାଉଛି–ପୂର୍ବ ସ୍ମୃତି ସ୍ମରଣରେ କ୍ଷମା ଦେବେ । ସେ ଯେ ପୀଡ଼ିତ, ଯାଆନ୍ତୁ ତାଙ୍କର ପରିଚର୍ଯ୍ୟା କରିବେ ।’’

କନକ ମନେ ମନେ କହିଲେ, ‘‘ମୁଁ ତ ମୋ ପ୍ରିୟତମ ସଙ୍ଗେ ବୁଲୁଥିଲି, ତମର ଦୋଷ କ’ଣ ?’’ କିନ୍ତୁ ପ୍ରକାଶ୍ୟରେ କିଛି ନ କହି ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ବୀରେନ୍ଦ୍ରଙ୍କ ଖଟ ପାଖରେ ଚଉକିଟିରେ ବସି ଚଉକି ଉପରେ ନଖରେ ଗାରେଇବାକୁ ଲାଗିଲେ ।

ବୀରେନ୍ଦ୍ର ଘୋର ନିଦ୍ରାରେ ଅଭିଭୂତ ହୋଇଥାନ୍ତି ।

ଡାକ୍ତର ଆସିଲେ । ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରି ଦେଖିଲେ, ଛାତିରେ ବନ୍ଧୁକର ଗୋବାଟା ବାଜି ଛାତି ଟିକିଏ ଜଖମ ହୋଇଛି; ମାତ୍ର ରକ୍ତବାନ୍ତି ନ ହୋଇଥିବାରୁ ବିଶେଷ କିଛି ଆଶଙ୍କା ନାହିଁ ।

ମଦନବାବୁ–ଆଚ୍ଛା, ବର୍ତ୍ତମାନ ରୋଗୀକୁ ମଟରରେ କଟକ ନେଇଗଲେ କ୍ଷତି ନାହିଁ ତ-?

ଡାକ୍ତର–ନା, କିଛି ବିଶେଷ କ୍ଷତି ନାହିଁ । ତେବେ ଏଠାରୁ ମଟର ପର୍ଯ୍ୟନ୍ତ କିପରି ସେ ଯିବେ, ସେହି କଥା ପଡ଼ିଛି । ଖଣ୍ଡେ ଷ୍ଟ୍ରେଚର୍‌ ଥିଲେ ବଡ଼ ଭଲ ହୋଇଥାନ୍ତା ।

ଗୋପାଳ–କିଛି ପ୍ରୟୋଜନ ନାହିଁ । ମୁଁ ତାଙ୍କୁ ପଡ଼ି ଯାଇଥିବା ଜାଗାରୁ ଏଠାକୁ ଯେପରି ଆଣିଥିଲି, ସେହିପରି ନେଇଯିବ ।

ସେଇ କଥା ହେଲା । ହାତ ଯୋଡ଼ିକ ଆଗକୁ ପ୍ରସାରିତ ହୋଇ ଗୋଟିଏ ଆରାମ ଚଉକି ଭଳିଆ ହେଲା ଏବଂ ତହିଁରେ ବୀରେନ୍ଦ୍ରଙ୍କୁ ଅବଲୀଳାକ୍ରମେ ଧରି ଗୋପାଳ ଆଗେ ଆଗେ ବାଟ କଢ଼ାଇ ଚାଲିଲେ ।

ବୀରେନ୍ଦ୍ର ମଟରଭତରେ ଆରାମରେ ଶୋଇଲେ । ମଟର ଛାଡ଼ିବାର ସମସ୍ତ ଆୟୋଜନ ହୋଇଗଲା । ଡାକ୍ତର ବାବୁ ଗୋପାଳଙ୍କ ସଙ୍ଗେ କଥାବାର୍ତ୍ତା ହୋଇସାରି ଶେଷରେ କହିଲେ, ‘‘ଯାହା ହେଉ ଆପଣଙ୍କ ଭଳି ଯୋଗ୍ୟ ଲୋକ ଜୀବନଟା ବାଘଭାଲୁ ସଙ୍ଗେ କଟେଇଦେବା ମତେ ଭଲ ଲାଗୁ ନାହିଁ ।’’

ଗୋପାଳ କିଛି ଉତ୍ତର ନ ଦେଇ ହସି ହସି ଡାକ୍ତରଙ୍କଠାରୁ ବିଦାୟ ନେଲେ ।

ମଦନବାବୁ ପାଞ୍ଚଟଙ୍କାର ନୋଟ୍‌ଖଣ୍ଡ ଗୋପାଳଙ୍କ ଆଡ଼କୁ ବଢ଼ାଇ କହିଲେ, ‘‘ଗୋପାଳବାବୁ, ମୁଁ ଆପଣଙ୍କୁ ପ୍ରତି ଯେଉଁ ବ୍ୟବହାର କରିଥିଲି, ତାହା କର୍ତ୍ତବ୍ୟ ଅନୁରୋଧରେ କରିଥିଲି । ମନରେ ଧରିବେ ନାହିଁ । ଆଜି ଆପଣ ନ ଥିଲେ ବୀରେନ୍ଦ୍ରଙ୍କର ଜୀବନସଂଶୟ ହୋଇଥାନ୍ତା ଏବଂ ମୋର ଏକମାତ୍ର କନ୍ୟାର ହୃଦୟ ଭାଙ୍ଗିଯାଇଥାନ୍ତା । ଏ ପୁରସ୍କାର ଗ୍ରହଣ କରନ୍ତୁ ।’’

ଗୋପାଳ ଉଦ୍‌ବେଳ ଭାବରାଶିକୁ ଯଥେଷ୍ଟ ସଂଯତ କରି କହିଲେ, ‘‘ମୋର କାର୍ଯ୍ୟଦ୍ୱାରା ଯଦି ଜଣେ ବନ୍ଧୁର ପ୍ରାଣରକ୍ଷା ହୋଇଅଛି ଏବଂ ଆପଣଙ୍କ କନ୍ୟାଙ୍କର ସୁଖ ବଢ଼ିଛି, ତାହାହେଲେ ତାହାହିଁ ମୋର ଯଥେଷ୍ଟ ପ୍ରତିଦାନ । ମୁଁ ପୁରସ୍କାର ପ୍ରତ୍ୟାଶାରେ କିଛି କରିନଥିଲି । ଯେ ପୁରସ୍କାର ଲାଭ ପାଇଁ ଆପଣଙ୍କର ଉପକାର କରିବ, ତା ନିମନ୍ତେ ଟଙ୍କାଟା ଗଚ୍ଛିତ କରି ରଖନ୍ତୁ ।’’

ମଟର ଛାଡ଼ିଦେଲା । ଗୋପାଳ ନିଜ ବାସସ୍ଥାନକୁ ଫେରିଲେ । ବାପାଙ୍କ କାର୍ଯ୍ୟରେ କନକଙ୍କ ଆଖିରୁ ଲୁହ ବାଧା ନ ମାନି ଅଜସ୍ର ଗଡ଼ି ଯାଉଥାଏ ।

Image

 

ଅଠର

 

ପନ୍ଦର ଦିନ ହୋଇଗଲାଣି । ମଦନବାବୁ ପୁଣି ତାଙ୍କ ଚିର ଅଭ୍ୟସ୍ତ କଟକଜୀବନ ଯାପନ କରିବାକୁ ଆରମ୍ଭ କଲେଣି । ତାଙ୍କର ସେହି ପୂର୍ବ ପରିଚିତ ଆରାମ ଚଉକି ହୁକା ବୈଠିଟିକୁ ପାଖରେ ରଖି ମଦନବାବୁଙ୍କ କୃଷ୍ଣ ଦୀର୍ଘକାୟ ବପୁ ଧାରଣ କରି ବୈଠକ-ଖାନାରେ ଶୋଭାପାଇଲାଣି । ମଦନବାବୁଙ୍କ ପାଟିରେ ବୈଠକଖାନାର ଛାତ ପ୍ରତିଧ୍ୱନିତ ହେଲାଣି । ମଝିରେ ତାଙ୍କ ମାମୁଲି ଜୀବନରେ ଗୋଟିଏ କିଛି ପରିବର୍ତ୍ତନ ଘଟିଥିଲା ବୋଲି ସେ, ଚାକର ବାକର, ଘରଦ୍ୱାର, ସମସ୍ତେ ପାସୋରି ସାରିଲେଣି ।

ମାତ୍ର କନକ ପାସୋରି ପାରୁ ନାହାନ୍ତି । ଜଙ୍ଗଲର ସେହି ପ୍ରେମସନ୍ନ୍ୟାସୀଟି ତାଙ୍କ ଆଖି ଆଗରେ ସବୁବେଳେ ଉଭା ହୋଇ ରହିଛନ୍ତି । ତାଙ୍କ ମୁଣ୍ଡରେ ଭାଲୁ ନଖ-ଘା' ଗୁଡ଼ିକ ତାଙ୍କରି ନିଜ ଯୋଗୁଁ ହୋଇଛି ବୋଲି ସେ ସବୁବେଳେ ନିଜକୁ ଧିକାରୁଛନ୍ତି । ତାଙ୍କ ପ୍ରତି ସେ କେତେ ଅନ୍ୟାୟ କରିଛନ୍ତି ବୁଝିପାରି ହୃଦୟକୁ ଚିନ୍ତାରେ ପୋଡ଼ି ପକାଉଛନ୍ତି । ଛୁଟି ପରେ ଜଗୁଆ ମା ଅଣାହୋଇ ତାଙ୍କର ଚାକରାଣୀ ରୂପେ ନିଯୁକ୍ତ ହେଲାଦିନୁ ସେ ଭଲରୂପେ ହୃଦୟଙ୍ଗମ କରିଛନ୍ତି–ପ୍ରିୟତମ ମାଷ୍ଟର ବାବୁ, ତାଙ୍କର ନିଜ ଆଦେଶରେ ତାଙ୍କୁ ତ୍ୟାଗକରି ଏବଂ ସେଥି ସଙ୍ଗେ ସଙ୍ଗେ ନିଜର ସମସ୍ତ ଭବିଷ୍ୟତ୍‌ ଜୀବନରେ ନିଆଁଦେଇ, ଲୋକଚକ୍ଷୁର ଅନ୍ତରାଳରେ, ନିରାଶା ନିଆଁରେ ପୋଡ଼ିହୋଇ ମରିବା ନିମନ୍ତେ ଜଙ୍ଗଲ ଆଶ୍ରୟ କରିଛନ୍ତି । ତାଙ୍କ ପ୍ରେମ କେଡ଼େ ପ୍ରଚୁର–ହାୟ ! ତାକୁ କେତେ ଅଳ୍ପ ବୋଲି ସେ ବିଚାରିଥିଲେ । ସେ ବିଚାରିଥିଲେ, ଗୋପାଳ ତାଙ୍କୁ ଅବଜ୍ଞାରେ ଛାଡ଼ି ଚାଲିଯାଇଛନ୍ତି । ସେ ନିଜକୁ ଉପେକ୍ଷିତା ବୋଲି ମନେ କରିଥିଲେ, କିନ୍ତୁ ପ୍ରକୃତରେ କ’ଣ ? ସେ ତ ଅନ୍ୟ ପତି ଗ୍ରହଣ କରିବାକୁ ପ୍ରସ୍ତୁତ ! ଉପେକ୍ଷିତ ପ୍ରାଣପ୍ରିୟ ତ ତାଙ୍କରି ଉପେକ୍ଷାରେ ମର୍ମାହତ ହୋଇ ସମୁଦାୟ ମାନବ ଜାତିକୁ ତ୍ୟାଗ କରିଛନ୍ତି ।

ଜଗୁଆ ମା ନିଜର ବ୍ୟବହାରଦ୍ୱାରା କନକଙ୍କର ବଡ଼ ପ୍ରିୟ ହୋଇଛି । କନକଙ୍କର ସେ ଚାକରାଣୀ, କନକଙ୍କର ସେ ମା । ବିଶେଷତ୍ୱ ଏତିକି ମା'ଙ୍କ ଆଗରେ ଯାହା ସବୁ କୁହାଯାଇପାରନ୍ତା ନାହିଁ, ସେ ସମସ୍ତ ଜଗୁଆ ମା ଆଗରେ କହିବାରେ ବିଶେଷ ସଙ୍କୋଚ ବା ଲଜ୍ଜା ହେଉନାହିଁ । ଜଗୁଆ ମାର ସହାନୁଭୂତି–ସ୍ୱଚ୍ଛ ହୃଦୟରେ ତାଙ୍କ ନିଜ ହୃଦୟ ପ୍ରତିବିମ୍ବିତ ହୋଇଅଛି । ଜଗୁଆ ମା ବୁଝିଛି, କାହା ଯୋଗୁଁ ଏ କଅଁଳ ଫୁଟନ୍ତା କଢ଼ଟି ମଉଳି ପଡ଼ିଛି । ସେ ବୁଝିଛି, ଏ ବ୍ୟାପାରର ସମାଧାନ କେଡ଼େ ସହଜ, କେଡ଼େ କଷ୍ଟ ।

ସେ ଦେଖୁଛି କେଡ଼େ ବେଗେ କନକଲତାର ଦେହ-ଲତାଟି ଶୁଖି ଯାଉଛି । ବାଚାରୁଛି, ସେ ନିଜେ ଯଦି ତାର ମା ହୋଇଥାନ୍ତା ଏକଥା ଶୁଣି ତୁନି ହୋଇ ରହନ୍ତା କିପରି ? କନକର ନିଜ ମା ଥିଲେ ତ ମଦନବାବୁଙ୍କ ରାଗକୁ ଡରିଯାଇ ତୁନିହୋଇ ରହନ୍ତା ନାହିଁ । ଜଗୁଆ ମା ମନକୁମନ କହୁଛି, ‘‘ମୁଁ ପରା ଏବେ ତାର ମା,’ ହେଲି । ମୋର ତେବେ ଏତେ ଡର କାହିଁକି ? ଝିଅପାଇଁ ଛାର ବିରକ୍ତିର ସମ୍ମଖୀନ ହେବାକୁ ଏତେ ସଙ୍କୋଚ କାହିଁକି ?’’

ବୁଢ଼ୀ ଏହିପରି ବାଚାରୁଛି, ବିନୁଆ ଆସି ତା ହାତରେ ତୁନି କରି ଖଣ୍ଡିଏ କାଗଜ ଦେଇ କହିଲା, "ମାଉସୀ, ଗୋଟାଏ ଭୂତୁର୍‌ମୁଣ୍ଡି ମାଇକିନିଆ ଆସି ମତେ ଏ ଚଠିଖଣ୍ଡ ଦେଇଗଲା । କହିଲା, 'ଚିଠି ପଢ଼ିସାରି ଦିଦି ତା' ସାଙ୍ଗେ ଦେଖା କରିବାକୁ ମନକଲେ ଆଜି ରାତି ଦି' ଘଡ଼ିଠାରେ ସେ କାଠଯୋଡ଼ି କୂଳରେ ଦେଖାକରିବ ।"

ବୁଢ଼ୀ–ସେ ଇଲେ କୁଆଡ଼େ ଗଲା ?

ବିନୁଆ–କେଜାଣି ? ଚିଠିଖଣ୍ଡ ମୋ ହାତରେ ଦେଇ ତୁନି ତୁନି ମତେ ଏତକ କହି କୁଆଡ଼େ ପଳେଇଲା ।

କନକ ଚିଠିଖଣ୍ଡ ପଢ଼ିଲେ–

ପ୍ରିୟ ଭଉଣୀ,

ମୁଁ ତୁମ ନା’ ଜାଣେ, ତୁମକୁ ଭଲକରି ଚିହ୍ନେ; ମୁଁ କିଏ ତୁମେ ମଧ୍ୟ ଜାଣ । ତେବେ ବର୍ତ୍ତମାନ ପରିଚୟ ଦେଇ ତୁମ ସ୍ମୃତିକୁ କଳଙ୍କିତ କରିବା ମୋର ମନ ହେଉ ନାହିଁ । ତୁମେ ମୋତେ ଭଲ ବୋଲି ଜାଣ, ହଠାତ୍‌ ମୋ’ର କଳଙ୍କର ଇତିହାସ ତୁମ ଆଗେ ଖୋଲି ଦେବାକୁ ସାହସ ହେଉନାହିଁ । ଯଦି ମୋ’ ବିଷୟରେ ବିଶେଷ କିଛି ଜାଣିବାର ଇଚ୍ଛା ହୁଏ, ତେବେ ଆଜି ରାତି ଦୁଇ-ଘଡ଼ିଠାରେ ମୋ’ ସଙ୍ଗେ ଦେଖା ହେବ ।

ଭଉଣୀ, ମୁଁ ତୁମର ବିବାହ ପ୍ରସ୍ତାବ ଶୁଣି ଏ ଚିଠିଖଣ୍ଡି ଲେଖୁଛି । ତୁମେ ଯାହାକୁ ବିବାହ କରିବ ସ୍ଥିର କରିଛ, ତାଙ୍କୁ ମୁଁ ବି ବରଣ କରିଥିଲି । ସେ ମୋତେ ଅନେକ ଆଶା, ପ୍ରଲୋଭନ ଦେଖାଇଥିଲେ । ମୋ'ର ଅବସ୍ଥା ଭଲ ନ ଥିଲା, ତୁମେ ଜାଣ । ତୁମ୍ଭମାନଙ୍କୁ ଏବଂ ଆମ ସ୍କୁଲର ଅନ୍ୟ ସଙ୍ଗିନୀମାନଙ୍କୁ ଦେଖି ସୁଖସମୃଦ୍ଧି ପାଇଁ, ପଇସାପତ୍ରର ସ୍ୱଚ୍ଛଳତା ପାଇଁ, ବିଳାସ ପାଇଁ ମୋ ହୃଦୟରେ ଗୋଟାଏ କିପରି ପିପାସା ଜାତ ହୋଇଥିଲା । ସେ ତାଙ୍କ ବହୁମୂଲ୍ୟ ଉପହାରମାନଙ୍କଦ୍ୱାରା ମୋତେ ଜଣାଇଦେଲେ, ତାଙ୍କରି-ଦ୍ୱାରା ମୋର ପିପାସା ଶାନ୍ତ ହେବ । ମୁଁ ତାଙ୍କ ପ୍ରତି ଆକୃଷ୍ଟ ହେଲି ।

ସେ ଯାହାହେଉ, ମୁଁ ବର୍ତ୍ତମାନ ତାଙ୍କର ଆଶ୍ରିତା-ପତ୍ନୀ ନୁହେ । ତୁମେ ତାଙ୍କର ପତ୍ନୀ ହୋଇ ରହିବ, ସେଥିରେ ମୋ'ର ଆଦୌ ଦୁଃଖ ନାହିଁ । ତେବେ ମୋ'ର ଏତିକି ଅନୁରୋଧ, ସେ ଯାହା କହିଛନ୍ତି, ଯେପରି ଭାବରେ ପ୍ରେମ କରିଛନ୍ତି, ତୁମକୁ ହାତମୁଠାରେ ପାଇଲାମାତ୍ର ସେ ଭାବ ବଦଳିଯିବ । ତୁମ ହୃଦୟ-ପଞ୍ଜୁରୀରୁ ସେ ଉଡ଼ି ଅନ୍ୟତ୍ର ଚାଲିଯିବେ । ମୁଁ ଆଗରୁ ଏକଥା ଜଣାଇ ଦେଉଛି–ସେତେବେଳେ ତୁମ ମନରେ ଆଘାତ ନ ଲାଗିବ ବୋଲି, ନିଜର ପବିତ୍ର ପ୍ରେମ ଅପାତ୍ରରେ ଦେଇଦେଲେ ବୋଲି ସେତେବେଳେ ଯେପରି ଅନୁତାପରେ ଦଗ୍ଧ ନ ହୁଅ ।

ଅବଶ୍ୟ, ମୋ ଅବସ୍ଥା ତୁମର ହେବ ନାହିଁ । ମୋର ଅଭିଭାବକ ଥିଲେ, ଅନ୍ତତଃ ବିବାହ ବେଦୀରେ ତାଙ୍କ ସଙ୍ଗେ ବସିଥାନ୍ତି । ସେ ଏକାନ୍ତରେ ମୋତେ ଯେ ପ୍ରତିଜ୍ଞା କରିଥିଲେ ଅନ୍ତତଃ ସେହି ପ୍ରତିଜ୍ଞା ସମସ୍ତଙ୍କ ଆଗରେ ଈଶ୍ୱରଙ୍କୁ ସାକ୍ଷୀ କରି ଆଉ ଥରେ ଶୁଣାଇଥାନ୍ତେ । + + + । ଆଉ ସେଗୁଡ଼ାକ କହି କିଛି ଲାଭ ନାହିଁ । ବର୍ତ୍ତମାନ ଆଉ ବିଶେଷ କିଛି କହିପାରୁ ନାହିଁ । ଅତ୍ୟାଚାର ଓ ଭୟରେ ମୁଁ ପାଗଳ ହୋଇଗଲିଣି । ମୋ’ କଥା ତୁମେ ଭଲକକରି ବୁଝି ପାରୁଥିବ କି ନାହିଁ କେଜାଣି । ଦେଖା ହେଲେ ସବୁକଥା କହିବି ।

ତୁମର

ଅପରିଚିତା ଭଉଣୀ

କନକ ଚିଠିଖଣ୍ଡି ପଢ଼ିଲେ । ଜଗୁଆ ମା’କୁ ଆଉ ଥରେ ପଢ଼ି ଶୁଣାଇଲେ । ବୀରେନ୍ଦ୍ରଙ୍କଠାରୁ କନକଙ୍କର ମନ ବର୍ତ୍ତମାନ ବହୁ ଦୂରରେ ଥିଲା । ଏ ଚିଠିଖଣ୍ଡି ପଢ଼ିସାରି ଆହୁରି ଦୂରତର ହୋଇଗଲା । କିନ୍ତୁ ଏ ଚିଠି ତାଙ୍କର କି କ୍ଷତି ବୃଦ୍ଧି କରିପାରିବ ? ଚିଠିରେ ଯାହା ଲେଖା ଅଛି ସବୁ ସତ୍ୟ ହେଉ, ଭୟ କ’ଣ ? ସେ ଯେଉଁ ତ୍ୟାଗ କରିବାକୁ ବାହାରିଛନ୍ତି ସେ ତ୍ୟାଗର ଗୁରତ୍ୱ, ଏ ଚିଠିକଥା ସତ୍ୟ ହେଲେ ଟିକିଏ ବଢ଼ିଯିବ ମାତ୍ର ।

ପତ୍ର ଲେଖିଛି କିଏ ? ପରିଚିତ ବୋଲି କହୁଛି, ଶେଷରେ ପୁଣି ଲେଖିଛଇ ‘ଅପରିଚିତା ଭଣଣୀ’ । ସେ କିଏ ? କେଡ଼େ ଦୁଃଖିନୀ ସିଏ ! କେତେ ଦୁଃଖ ଧରି ବୁଲୁଛି ? ଅପରିଚିତା ଆଡ଼କୁ ତାଙ୍କ ହୃଦୟ ଆକୃଷ୍ଟ ହେଲା ଏବଂ ସଙ୍ଗେ ସଙ୍ଗେ ବୀରେନ୍ଦ୍ରଙ୍କଠାରୁ ମୁକ୍ତି ପାଇବାପାଇଁ ଅଜଣାରେ ଟିକିଏ ମନ ହେଲା । ବାପାଙ୍କ କଥାରେ ମୁଣ୍ଡ ପୋତି ଦେବାପାଇଁ ସେ ଆଗରୁ ସଂକଳ୍ପ କରିଥିଲେ । ବର୍ତ୍ତମାନ ହୃଦୟ ଭିତରେ ଯେପରିକି କେହି ଅତି ଅସ୍ପଷ୍ଟ ଭାଷାରେ ବାପାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଟିକିଏ ସଙ୍କେତ ଦେଲା । କିନ୍ତୁ କନକ ଏ ଉପଦେଶ ଶୁଣି ନ ଶୁଣିଲା ପରି ପୂର୍ବ ସଂକଳ୍ପରେ ଦୃଢ଼ ରହିବାକୁ ଚେଷ୍ଟା କଲେ ।

ଜଗୁଆ ମା ଚିଠିଟା ଶୁଣି ଆଶାରେ ଉତ୍‌ଫୁଲ୍ଲ ହେଲା । ସେ ମନେ ମନେ ଆଗରୁ ସ୍ଥିର କରିଥିଲା, ମଦନବାବୁଙ୍କୁ ପାଇ ସବୁ କଥା କହିବ । ବର୍ତ୍ତମାନ ସେ ଇଚ୍ଛା ଆହୁରି ବଳବତୀ ହେଲା । ସେ ଚିଠିଖଣ୍ଡି ଧରି ବାହାରିଲା, ମଦନବାବୁଙ୍କ ପାଖକୁ । ପୁଣି କ’ଣ ବିଚାରି କହିଲା–ଆଚ୍ଛା, ଥାଉ, ଆଗ ତା’ସଙ୍ଗେ ଦେଖା ହେଉ, ତା’ପରେ ଯାହେ ହେବ । (କନକଙ୍କ ଉଦ୍ଦେଶ୍ୟରେ) ମା, ତମେ ନଈକୂଳକୁ ଯିବା କଥା ହେବ ନାହିଁ । ମୁଁ ଯାଉଛି ।

ରାତି ଦିଘଡ଼ି ହେବ । ବାବୁମାନେ ହାଉଆ ଖାଇ ଖାଇ ଘରକୁ ଫେରିଗଲେଣି । କାଠଯୋଡ଼ୀ କୂଳ ସଡ଼କ ଇଲେକ୍‌ଟ୍ରିକ୍‌ ଲ୍ୟାମ୍ପଗୁଡ଼ାକ ଯେଉଁ ପର୍ଯ୍ୟନ୍ତ ନିଜର ଆଲୋକ ବିଞ୍ଚି ପାରୁଛନ୍ତି, ସେ ଖଣ୍ଡ ଖୁବ୍‌ ଆଲୋକିତ କରୁଛନ୍ତି । ଯେଉଁଠାରେ ତାଙ୍କ ଆଲୋକର ଗତି ବନ୍ଦ ହୋଇଛି, ସେଗୁଡ଼ାକୁ ଅଧିକ ଅନ୍ଧାର କରି ପକେଇଛନ୍ତି । ଜଗୁଆ ମା ଏହି ଅନ୍ଧାର ଭିତରକୁ ତନ୍ନ ତନ୍ନ କରି ଖୋଜି ଇତସ୍ତତଃ ବୁଲୁଛି - କାହିଁ ଚିଠି ଦେଇଥିବା ଅପରିଚିତା ସ୍ତ୍ରୀଲୋକଟି ? ହଠାତ୍‌ ଗୋଟିଏ ଗଛମୂଳେ ଜଣେ କିଏ ଦିଶିଲା । ଜଗୁଆ ମା ତା’ରି ଆଡ଼କୁ ବାହାରିଲା । ଗଛମୂଳରେ ଧଳାଲୁ୍ଗା ପିନ୍ଧା ସ୍ତ୍ରୀ ଲୋକଠି ଆଉ ୨୦ ହାତ ଦୂରରେ । ହଠାତ୍‌ କେଜାଣି କୁଆଡ଼ୁ ଦୁଇଜଣ ଲୋକ ଧାଇଁ ଆସି ତାକୁ ଧରି ପକେଇଲେ ଏବଂ ଅସ୍ପଷ୍ଟ ସ୍ୱରରେ ଦୁଇ ଚାରିପଦ କଥାବର୍ତ୍ତା କରି ଗୋଟିଏ ଶିଶିରି ବଜେଇଲେ । ଶିଶିର ବାଜିବା ସାଙ୍ଗେ ସାଙ୍ଗେ ଗୋଟାଏ ମଟର ଗାଡ଼ି ଆସି ପହଞ୍ଚିଗଲା । ସ୍ତ୍ରୀଲୋକଟି ଏବଂ ତା’ର ଦୁଇ ବନ୍ଦିକର୍ତ୍ତା ମଟରରେ ବସି କୁଆଡ଼େ ଚାଲିଗଲେ । ଜଗୁଆ ମା ଚିତ୍ରପ୍ରତିମା ପରି ଏସବୁ ଦେଖି ଘରକୁ ଫେରିଲା । ସେ ଭୟକରିବା ସ୍ତ୍ରୀଲୋକ ନୁହେଁ, କିନ୍ତୁ ଘଟଣା ସ୍ରୋତ ଏଡ଼େ ତୀରବେଗରେ ଚାଲିଗଲା ଯେ, ବାଧା ଦେବାପାଇଁ ତାକୁ ସମୟ ମିଳିଲା ନାହିଁ । କ’ଣ ବା ସେ ବାଧା ଦେଇଥାନ୍ତା ! ବିସ୍ମୟରୁ ମନକୁ ମୁକ୍ତ କରୁ କରୁ ମଟରର ଘୁ ଘୁ ଶବ୍ଦ କୁଆଡ଼େ ଦୂରରେ ଲୀନ ହୋଇଗଲା ।

ଜଗୁଆ ମା ନଈକୂଳରୁ ଫେରି କନକଙ୍କୁ ସବୁକଥା କହିଲା । କନକ ହସିଦେଇ ଉତ୍ତର କଲେ, ‘‘ତୋ’ର ସବୁ ପ୍ରକାର ସନ୍ଦେହ । କେହି ଜଣେ ସାଙ୍ଗରେ ସ୍ତୀକୁ ଧରି ବୁଲି ଆସିଥିଲେ, ବୁଲି ସାରି ମଟରରେ ଗଲେ । ତତେ ଜଣାଗଲା, କିଏ ଯୋଡ଼େ ମାଇପିଟାକୁ ଧରି ପଳେଇଲେ । ୟେ ଯେ କଟକ । କଟକରେ ଇମିତି କଥା ଘଟିବା ଅସମ୍ଭବ ।’’

ଜଗୁଆ ମା କନକଙ୍କ କଥାରେ କୌଣସି ଆପତ୍ତି ନ କରି କହିଲା, ‘‘କେଜାଣି ଦିଦି, ହେଇଥିବ । ମୋ ମନ ଏକା ମାନୁ ନାହିଁ । ସେ ସବୁ ବୁଲିଯିବା ଲୋକ ନୁହେଁ । ସେ ଯାହାହେଉ ଆମର କ’ଣ ଅଛି । ମୁଁ ଯାଉଛି ବାବୁଙ୍କ ପାଖକୁ ।’’

କନକ ବାବୁଙ୍କ ପାଖକୁ ଯିବା କଥାଟାକୁ ନାପସନ୍ଦ କରି ବାବୁଙ୍କ ପାଖକୁ ଯିବାର କୌଣସି କାରଣ ନାହିଁ ବୋଲି ବହୁତ କହିଲେ । ମାତ୍ର ଜଗୁଆ ମା କ’ଣ ଶୁଣିବା ମଣିଷ ? ସେ କନକଙ୍କ କଥାର କୌଣସି ଯୁକ୍ତିଯୁକ୍ତ କାରଣ ନ ଦେଖି ବାବୁଙ୍କ ପାଖକୁ ବାହାରିଲା ।

ନିଯୁକ୍ତି ଦିନଠାରୁ ବୁଢ଼ାସଙ୍ଗେ ଥରେ ହେଲେ ବାବୁଙ୍କର କଥାବାର୍ତ୍ତା ହୋଇନଥିଲା । ଆଜି ବିନା ଡାକରରେ ବୁଢ଼ୀ ତାଙ୍କ ପାଖକୁ କି ପ୍ରୟୋଜନରେ ଆସିଛି ବୁଝିନପାରି ଟିକିଏ ଆଶ୍ଚର୍ଯ୍ୟରେ ହୁକନଳରୁ ମୁହଁ ବାହାର କରି ପଚାରିଲେ, ‘‘କ’ଣ କହୁଛୁ ଲୋ ବୁଢ଼ୀ ?’’

ଜଗୁଆ ମା ସ୍ୱାଭାବିକ ଲଜ୍ଜାରେ ଟିକିଏ ସଙ୍କୁଚିତ ହୋଇ କହିଲା, ‘‘ଆଉ କିଛି ନୁହେଁ ଯେ ବାବୁ, ଝିଅକଥା ଟିକିଏ ବୁଝୁନାହିଁ ?’’

ଚାକରାଣୀଟା ଏଭଳି ଘରମଣିଷ ପରି କଥାବାର୍ତ୍ତା ହେବାର ଦେଖି ମଦନବାବୁ ବିରକ୍ତ ହୋଇ କହିଲେ, ‘‘କାହାକଥା ବୁଝିଲ ନାହିଁ ବୋଲି କହୁଛୁ, ବୁଢ଼ୀ–ମୋ ଝିଅ କଥା ? କ’ଣ ହୋଇଛି ତାର ଡାକ୍ତର ତ ଆସୁଛି, କ’ଣ ହୋଇଛି ଡାକ୍ତର ଆଗେ କହୁନାହିଁ । ହଉ ଯା, ମୁଁ ଯାଇ ଦେଖିବି ।’’

‘‘ତମେ କ’ଣ ଦେଖିବ, ବାବୁ । ତମେ କ’ଣ ଜାଣିବ ? ସେ କଥା ଯେ ଜାଣନ୍ତେ ସେ ନାହାନ୍ତି । ମୁଁ ତମଠାରୁ ବେଶୀ ଜାଣିଛି । ମୋଠାରୁ ଶୁଣ–’’

ସ୍ତ୍ରୀ କଥା ମନେପଡ଼ିଯିବାରୁ ମଦନବାବୁ ଆସ୍ତେ ଆସ୍ତେ ଗୋଟିଏ ଦୀର୍ଘନିଃଶ୍ୱାସ ଛାଡ଼ିଲେ । ବଞ୍ଚିଥିବା ବେଳେ ତାଙ୍କର ସ୍ତ୍ରୀ ସଙ୍ଗେ ଭଲ ହୋଇ ପଦେ କଥାବାର୍ତ୍ତା ନଥିଲା । ଆଜି ତା’ର ସ୍ମୃତିଟା କେଡ଼େ ମଧୁର ଜଣାଯାଉଛି । ବୁଢ଼ାଙ୍କ ହୃଦୟ ଟିକିଏ ନରମା ହୋଇଗଲା । ସେ କହିଲେ, ‘‘କ’ଣ ତୁ ଜାଣୁ, ବୁଢ଼ୀ, କହିଲୁ ।’’

ଜଗୁଆ ମା ସଜୋରେ ସମସ୍ତ ସଙ୍କୋଚ ଏଡ଼ି ଦେଇ ଆରମ୍ଭ କଲା–‘‘ବାବୁ, ଇମିତିକା ବିଷୟରେ ହେବ ଭାରି କଡ଼ା, ନ ହେଲେ ଭାରି ନରମା । ଆମେ ବାହା ବେଳେ ପୁଅଝିଅଙ୍କୁ ଆଦୌ ପଚାରୁ ନାହିଁ । ଅଜଣା ଅଚିହ୍ନା ପୁଅଝିଅ ଯୋଡ଼ିଏ ଅନ୍ୟଦ୍ୱାରା ଟଣା ହୋଇ ଆସି ଏକ ହୁଅନ୍ତି ଏବଂ ଏକାଠି ରହି ରହି ପରସ୍ପରକୁ ପରସ୍ପର ପ୍ରେମ କରିବାକୁ ଶିଖନ୍ତି । ତମ ପୁଅଝିଅ ତାଙ୍କ ମନ ଇଚ୍ଛାରେ ବଛା ବଛା ହୁଅନ୍ତି, ତାଙ୍କ ମନ ଇଚ୍ଛାରେ ବାହାହେବା ଉଚିତ । ତମେ କାହିଁକି ତାଙ୍କ ଇଚ୍ଛାରେ ବାଧା ଦେଉଛ ? ଟିକିଏ ଛାଡ଼ିଦେଇ ଅଟକେଇ ଦେଲେ ଫଳ ଖରାପ ହୁଏ ବାବୁ !’’

ମଦନବାବୁ ଭାରି ବିରକ୍ତ ହୋଇ କହିଲେ, ‘‘କ’ଣ କହୁଛୁ, ପରିଷ୍କାର କରି କହୁ ନାହୁଁ, ବକ୍ତୃତା କାହିଁକି ଦେଉଛୁ ? ତୋ ଠାରୁ ବକ୍ତୃତା ଶୁଣିବାକୁ ମୋର ବେଳ ନହିଁ ।’’

‘‘ପରିଷ୍କାର କରି କ’ଣ କହିବି, ବାବୁ ! ତମେ ତ ସବୁ ବୁଝୁଛ । ତମ ଝିଅ ଦେଢ଼ବର୍ଷ ହେଲା ଯାହାକୁ ବର ବୋଲି ମାନିଛି, ତାରି ସଙ୍ଗେ ତାକୁ ବାହା ଦିଅ । ଗୋପାଳ ବାବୁ ଆମ କନକକୁ ଭାରି ସୁଖ ଦେବ । ସେ ତାକୁ ଭାରି ସୁଖପାଏ । ଦେଖିଲ ନାହଁ, କନକ ନାହିଁ କରିଦେଲା ବୋଲି, ଗାଁ ନାହିଁ, ଗଣ୍ଡା ନାହିଁ, ନିଛାଟିଆ ବଣଭିତରେ କେତେ କଷ୍ଟ ପାଉଛି ?’’

ମଦନବାବୁ ରାଗରେ ଗର୍ଜିଉଠି କହିଲା, ‘‘ଏ ବୁଢ଼ି ! ମୋ ଝିଅକୁ ମୁଁ କୁ’ଠେଇ ବିଭାଦେବି ସେ କଥା ମୋତେ ଲାଗେ । ତୋ ମୁଣ୍ଡ କାହିଁକି ଘୂରୋଉଚି ? ଛୋଟଲୋକ–ଆପଣା କାମ ଆପେ କରି ଦରମା ପୁଞ୍ଜାକ ହାତ କରିବା କୁଆଡ଼େ ଗଲା, କେତେ ମୁରବିପଣ ବାହାର କରୁଛି ?’’

ଜଗୁଆ ମା–ଗାଳି ଦିଅ ପଛେ, ମୁଁ ଯାହା କହୁଛି ସିମିତି କର, ପିଲାଟିର ମନ ମାରିଦିଅ ନାହିଁ । ବାବୁ, ଗୋପାଳ ବାବୁର ପଇସା ନାହିଁ ବୋଲି କହୁଛ । ନ ଥାଉ । ମନ ମାନିବା ଜାଗାରେ ପଇସା କ’ଣ କରିବ ? ଗୋପାଳ ବାବୁର ପଇସା ନାହିଁ ବୋଲି କ’ଣ ତମ ଝିଅ ଦୁଃଖ ପାଇବ ? ତମକୁ ଈଶ୍ୱର ଯାହା ଦେଇଛନ୍ତି ସେଥିରେ ପନ୍ଦରଟି ଘର ସୁଖରେ ଚଳିବ, ଟଙ୍କା ପଇସା କ’ଣ ହେବ ବାବୁ ?’’

ମଦନବାବୁଙ୍କ ରାଗ ଚୁଟି ପର୍ଯ୍ୟନ୍ତ ଉଠିଗଲା । ସେ ଉଠିପଡ଼ି ହାତରେ ବାହାରି ଯିବାର ବାଟ ଦେଖାଇ କହିଲେ, ‘ଚୁପ୍‌ ବୁଢ଼ି, ମୋ ଘରେ ରହି ମୋତେ ରଗେଇବାକୁ ମାସକୁ ମାସ ଦରମା ମୁଠା କରୁଛୁ ପରା ? ଯା, ଇଲେ ଯା । ମୁଁ ଜାଣେ ପରା, ମଫସଲିଆ ମାଇକିନିଆଗୁଡ଼ାକ ଆମ କାମକୁ ପାଇବେ ନାହିଁ !’’

ଜଗୁଆ ମା–ମୁଁ କାହିଁକି ଯିବି ମ ? ମୋ ଝିଅ ଯୁ’ଠେଇ ମୁଁ ସିଠେଇ । ତମେ କିଏ ମୋତେ ବାହାର କରିବାକୁ ? ମୁଁ ଦରମା ଲୋଭରେ ତମ ଘରକୁ ଆସି ନାହିଁ ଯେ ‘ଦରମା’ ‘ଦରମା’ ଉଘୋଉଚ ?

‘‘ଆଉ କ’ଣ ଆସିଛୁ ମତେ ରଗେଇ ପାଗଳ କରିବାକୁ ? ଯା, ଯା, ନ ଗଲେ ପୁଲିସ ଆସି ଇଲେ ତଣ୍ଟିଆ ଦେଇ ତଡ଼ିବ । ବୁଢ଼ୀଟାର ଗୁମର ଦେଖ । ଚାକରାଣୀଟାଏ ! କେଡ଼େ ଆପଣାର ଲୋକପରି କଥାବାର୍ତ୍ତା କରୁଛି ?’’

ଜଗୁଆ ମା–ଗାଳିଦିଅ, କେତେ ଗାଳିଦେବ । ଡାକ କାହାକୁ ଡାକିବ । ତମ ପୁଲିସ ଫୁଲିସ ମୁଁ ଜାଣେ ନାହିଁ । ପୁଲିସ ମୋର କ’ଣ କରିବେ ? ମୋ ଝିଅପାଖେ ମୁଁ ରହିବି । ଦେଖିବା ଭଲା କିଏ ତଡ଼ିଦେବ ?

ବୁଢ଼ୀ ଉଠି ଚାଲିଯାଉଥିଲା, ହଠାତ୍‌ ଦୁଆର ପାଖୁ ଫେରି ମୁଠାରୁ ଚିଠି ଖଣ୍ଡକ ମଦନବାବୁଙ୍କ ଆଗକୁ ଫିଙ୍ଗିଦେଇ ଟିକଏ କଠୋର ଭାବରେ କହିଲା, ‘‘ଯେଉଁ ବୀରବାବୁଙ୍କ ସଙ୍ଗେ ଝିଅକୁ ବାହାଦେବ ବୋଲି ଏପରି ବାଇବିଛୁ ହୋଇଛ, ସେ କିପରି ଲୋକ ଜାଣ ? ଏହି ଚିଠିରେ ତାଙ୍କ ଗୁଣବର୍ଣ୍ଣନା ଅଛି ।’’

ବୁଢ଼ୀ ଏତକ କହି ତମ ତମ ହୋଇ ବାହାରକୁ ଚାଲିଗଲା । ସତେ ଅବା ଘରର ମଣିଷୁଟାଏ ! ଅଭିମାନରେ ଚାଲି ଯାଉଛି । ମଦନବାବୁ ତା’ ଭାବଭଙ୍ଗୀ ଦେଖି ଭାରି ଚିଡ଼ିଗଲେ । ଯନ୍ତ୍ରଚାଳିତ ଭଳି ହୁକାନଳିଟା ପାଟିକୁ ନେଲେ; କିନ୍ତୁ ଧୁଆଁ ଆଉ ବହାରିଲା ନାହିଁ । ମନ ଖୁବ୍‌ ଚିନ୍ତିତ ଥିଲା । ପାଟି ସହାନଭୂତିରେ ଧୁଆଁ ଟାଣିବା ବନ୍ଦ କରିଦେଲା । ଏ କ’ଣ ? କୁଆଡ଼ୁ ଅଇଲା ଏ ବୁଢ଼ୀଟା ? ଚାରିଦିନ ଭିତରେ କନକ ହୋଇଗଲା ତା’ ଝିଅ ? ଆଉ ସେ ନିଜେ ? ଘରର ମାଲିକ ହୋଇ ସୁଦ୍ଧା କିଛି ନୁହନ୍ତି ! ସେ ନିଜଘରେ ଏପରି ଅପ୍ରଧାନ, ଏପରି କୁତା ହୋଇଗଲେଣି ଯେ ବୁଢ଼ୀଟେ ତାଙ୍କ ମୁହଁ ଉପରେ ନିର୍ଭୟରେ କଥା ବତେଇ ଦେଇ ଯାଉଛି ।

‘‘ଏ ବୁଢ଼ୀଟା କିଏ ? କନକପାଇଁ ତା ମୁଣ୍ଡ ଏତେ ବଥଉଚି କାହିଁକି ? କନକପାଇଁ ସେ ଏତେ ଗାଳି ନିର୍ବିକାର ମନରେ ସହି ଯାଉଛି ବା କିପରି ? ଏ ତ ନିଃଶ୍ୱାର୍ଥ ପ୍ରେମ ନୁହେଁ । ନିଶ୍ଚୟ ଭିତିରି ରହସ୍ୟ ଅଛି । ଧୂର୍ତ୍ତ ଗୋପାଳର ଏ ଯଦି । ମୋ ସମ୍ପତ୍ତିଟା ପାଇଗଲେ ବୁଢ଼ୀକି କିଛି ଗୋଟାଏ ଭାଗ ଦେବ ବୋଲି ସେ ନିଶ୍ଚୟ ଚୁକ୍ତକରି ଏ ଫିକର ଲଗେଇଛି । ହୁଁ, ମତେ ଠକେଇ ଦେବ ! ମୋ ନା ବଦନବାବୁ, ମତେ ଠକି ଦେବା ଏଡ଼େ ସହଜ ହେବ ନାହିଁ, ପୁଅ ।’’ ଯେ କୌଣସିମତେ ବୀରେନ୍ଦ୍ର ସଙ୍ଗେ ଝିଅର ବିବାହ ଦେଇ ସେ ଗୋପାଳକୁ ଗୋଟାଏ ଶିକ୍ଷାଦେବେ । ମଦନବାବୁ ଦୃଢ଼ସଂକଳ୍ପ ବ୍ୟଞ୍ଜକ ଗୋଟାଏ ଗଭୀର ନିଃଶ୍ୱାସ ଛାଡ଼ିଲେ ।

ଦୁଷ୍ଟି ପଡ଼ିଗଲା ବୁଢ଼ୀ ପକେଇ ଦେଇ ଯାଇଥିବା କାଗଜ ଖଣ୍ଡକ ଓପରେ । ମଦନବାବୁ ସେ ଖଣ୍ଡ ଉଠାଇ ଆଣି, କଷ୍ଟେ ମଷ୍ଟେ ଚଷମା ସାହାଯ୍ୟରେ ପଢ଼ିଗଲେ । ଏ କ’ଣ ବୃଦ୍ଧ ଏ ରହସ୍ୟ ବୁଝି ପାରିଲେ ନାହିଁ ।

ପାଟିକରି ଡାକିଦେଲେ–‘‘ମାଧିଆ, ବୀର ବାବୁଙ୍କୁ ଡାକି ଆଣ ତ ?’’

Image

 

Unknown

ଉଣେଇଶ

 

ବୀରେନ୍ଦ୍ର ତାଙ୍କ ଘରର ଗୋଟିଏ ନିଭୃତ କୋଠରୀରେ ବସିଛନ୍ତି । ପାଖରେ ଆଉ ଜଣେ କିଏ ବସିଛି । ବୀରେନ୍ଦ୍ର ଭାରି ଚିନ୍ତିତ ହୋଇ କହୁଛନ୍ତି–‘‘କଥାଟା ଟିକିଏ ବିଗିଡ଼ି ଗଲା । ଆଗରୁ ସେ ମାଇକିନିଆଟାକୁ ପଗଡ଼ି ଦେଇ ପାରିଲି ନାହିଁ ? ତମେ ସବୁ କିଛି କାମର ନୁହଁ । ଆଉ କିଛିଦିନ ତାକୁ ଜଗି ଦେଇଥିଲେ ସବୁ ଯାଇଥାନ୍ତା ।’’ ଲୋକଟି ଟିକଏ ବିରକ୍ତ ହେଲା ଭଳିଆ ସ୍ୱରରେ ଉତ୍ତରଦେଲା–ଆପଣଙ୍କର ତ ସବୁବେଳେ ସେହି କଥା, ବାବୁ ! ଦୁଇ ବରଷ କାଳ ଦିନରାତି ତାକୁ ଜଗି ରଖିଲି, ଦିନେ କିପରି ଖସିଗଲା ଯେ, ଆମେ ହେଲୁ ଅକାମିକା ଲୋକ ! ଦିନରାତି ଖଟିବୁ, ପୁରସ୍କାର କାହିଁ ଗଲା ଖାଲି ଗାଳି ଶୁଣିବା ସାର ! ହଁ, ଆମ କପାଳ, ନ ହେଲେ କ’ଣ ଆମେ ଏଠାରେ ଆସି ପଡ଼ିଥାନ୍ତୁ ?

ବୀରେନ୍ଦ୍ର ଦେଖିଲେ ବିରକ୍ତ ହେଲେ ନିଜର କ୍ଷତି । ଲୋକଟି ରାଗହୋଇ ଛାଡ଼ି ଗଲେ ସର୍ବନାଶ । ଖୁବ୍‌ ମଧୁର ଭାବରେ କହିଲେ–‘‘ରାଗିଗଲ କି, ସଦାନନ୍ଦ ! ମୁଁ ମନଦୁଃଖରେ କହୁଥିଲି ସିନା । ଏଇଥର ମାଇକିନିଆଟା ଖସି ନ ଥିଲେ କିଛି ଗୋଳମାଳ ହୋଇନଥାନ୍ତା । ହାତଗଣ୍ଠି ପଡ଼ିସାରିଲା ମାତ୍ରେ ଯେ ଯାଇ ଯେତେ ଯାହା କରିଥିଲେ, କାହାର କ’ଣ ହେଇଯାଉଥିଲା ? କନକ ପାଖକୁ ଚିଠି ଖଣ୍ଡେ ଦେଇଛି ବୋଲି ପରା କହୁଛି ? ସେହି ଚିଠି ଖଣ୍ଡକ ବଡ଼ ଅଡ଼ୁଆ କରିବ ।’’

ସଦାନନ୍ଦ–କ’ଣ ବେଶୀ ସିମିତି କିଛି ଅସୁବିଧା ହେବ ? ବାବୁ ଜାଣିଲେ ଟିକିଏ ଗୋଳମାଳ ହୋଇପାରେ ।

ବୀରେନ୍ଦ୍ର–କିଛି ଗୋଳମାଳ ନାହିଁ । ବାବୁକୁ ଠିକ୍‌ ବୁଝେଇଦେବି । ତାକୁ ମନେଇବାର ଉପାୟ ମୁଁ ଜାଣେ । (ପୁଣି ଟିକିଏ ଚିନ୍ତିତ ହୋଇ) ଉଃ, ବୁଢ଼ାଟା ବାଟକୁ ଆସିବ କି ନାହିଁ କେଜାଣି-? ସେ ବଦାମାସ୍‌ ମାଇକିନିଆଟାକୁ ଠିକ୍‌ କରିଦେବାକୁ ହେବ । ସେ ଇେ କୁ’ଠି ?

ସଦାନନ୍ଦ–(ହସି ହସି) ଯୁ’ଠି ସି’ଠି, ଆପଣ ତାକୁ ବୁଝେଇ ସୁଝେଇ ତା’ଠାରୁ କଥା ଆଦାୟ କରି ଆଣିଲା ବେଳୁ, ସେ ଯୁ’ଠି ଯିମିତି ପଡ଼ିଥିଲା, ସିମିତି ପଡ଼ିଛି । ତା ଗୋଡ଼ହାତ ସବୁ ବାନ୍ଧି ଦେଇଛି ।

ବୁଝେଇ ସୁଝେଇ ବୋଲି ସଦାନନ୍ଦ ଯେଉଁ କାର୍ଯ୍ୟ କଥା ଉଲ୍ଲେଖ କଲା ସେ କଥା ମନେ ପଡ଼ିବାରୁ ବୀରେନ୍ଦ୍ର ଟିକିଏ ହସିଲେ–‘‘ହଁ, ହଁ, ଖୁବ୍‌ ବୁଝେଇବାକୁ ପଡ଼ିଲା । କିନ୍ତୁ ଚାରା କ’ଣ ? ସେ ତ ହାତେ ହାତେ ଅର୍ଜିଲା !’’

ବୀରେନ୍ଦ୍ର ପଚାରିଲେ, ‘‘ଆଛା, ତା’ର କ’ଣ ବେଶୀ ସେପରି କିଛି ଜଖମ ହୋଇଛି ? ଆଶଙ୍କା ତ କିଛି ନାହିଁ ?’’

ସଦାନନ୍ଦ–ତା’ର ପୁଣି ଆଶଙ୍କା କ’ଣ ? ଏକା ରାହାକେ ଦିନେ ଲାଗି ପିଟୁଥିଲେ ତା’ର କିଛି ହେବ ନାହିଁ । ମାଡ଼ ସହି ନ ପାରୁଥିଲେ, ସେ ଏପରି ଆମ ଦାନାରେ ଧୂଳି ପକେଇବାକୁ ବସନ୍ତା ?

ବୀରେନ୍ଦ୍ର କ’ଣ କହିବାକୁ ଯାଉଥିଲେ । ଦାଣ୍ଡଦୁଆରେ ଶବ୍ଦ ହେଲା, ମଦନବାବୁ ଚାକର ଡାକୁଛି ।

 

ସଦାନନ୍ଦ ପଚାରିଲେ–‘‘ବାବୁ, କିଏ ଡାକୁଛି ?’’

ବୀରେନ୍ଦ୍ର–ମଦନବାବୁ ।

ସଦାନନ୍ଦ ତୁନି ତୁନି କହିଲା–‘‘ବାବୁ, ସେଇକଥା ଉଠିଲାଣି ପରା ?’’

ଗୋପାଳ–ଆଚ୍ଛା, ହଉ ଉଠୁ । ଦେଖାଯିବ । ଫେରିଲେ ଶୁଣିବ, ତମ ବାବୁ କିମିତି ଲୋକ ।

ବୀରେନ୍ଦ୍ର ମଦନବାବୁଙ୍କ ଗମ୍ଭୀର ମୂର୍ତ୍ତି ଦେଖି ମୁହୂର୍ତ୍ତକେ ଜାଣିଗଲେ, ମଦନବାବୁଙ୍କ ହାତରେ ସେ ଚିଠି ପଡ଼ିଛି । ମୁହୂର୍ତ୍ତକେ ସେ ଆତ୍ମରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇ ଯାଇ, ନିତାନ୍ତ ନ ଜାଣିଲା ପରି କହିଲେ, ମୁଁ ଠିକ୍‌ ଏଇଲାଗେ ଆପଣଙ୍କ ପାଖକୁ ଆସୁଥିଲି ।

ମଦନବାବୁ ଗମ୍ଭୀର ଭାବରେ ‘ହୁଁ’ ବୋଲି କହିଲେ । ଏ ‘ହୁଁ’ ଶୁଣି ବୀରେନ୍ଦ୍ର ଆହୁରି ସତର୍କ ହେଲେ ।

ମଦନବାବୁ କହିଲେ–‘‘ତମକୁ ଖଣ୍ଡେ ଚିଠି ଦେଖାଇବାକୁ ମୁଁ ଡକେଇଲି ।’’

ବୀରେନ୍ଦ୍ର ନିରୀହ କୌତୂହଳରେ ପଚାରିଲେ–‘‘କି ଚିଠି ?’’

ମଦନବାବୁ ଚିଠି ଖଣ୍ଡି ବୀରେନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଲେ । ବୀରେନ୍ଦ୍ର ପଢ଼ିଲେ । ମଦନବାବୁ ନିର୍ମିମେଷ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁଥାନ୍ତି । ମଦନବାବୁଙ୍କର ଚିରକାଳ ଅହଂକାର, ଲୋକର ମୁହଁକୁ ଦେଖି ସେ ହୃଦୟର ଅତି ଗୁପ୍ତ ପ୍ରକ୍ରିୟା ସବୁ ଜାଣି ପାରନ୍ତି । ଏ କ୍ଷେତ୍ରରେ ସେ ବୀରେନ୍ଦ୍ରଙ୍କ ମୁହଁକୁ ପର୍ଯ୍ୟବେକ୍ଷଣ କରି ସ୍ଥିର ଜାଣିଲେ, ଚିଠିଟା ମିଛରେ ବୀରେନ୍ଦ୍ରଙ୍କ ମୁଣ୍ଡରେ ଦୋଷ ବୋଲିବା ପାଇଁ ଜାଲ ହୋଇଛି ।

ବୀରେନ୍ଦ୍ର ଚିଠି ପଢ଼ି ସାରିଲେ । ମଦନବାବୁ ପଚାରିଲେ–‘‘କ’ଣ ଦେଖିଲ ?’’

ବୀରେନ୍ଦ୍ର–ଏ କଥା ତ ମୁଁ ଆଗରୁ ଜାଣିଥିଲି । ମୁଁ ଏଥିପୂର୍ବରୁ ଗୋଟିଏ ଘଟଣାରୁ ଅନୁମାନ କରୁଥିଲି–ମୋର ଏ ସୌଭାଗ୍ୟରେ କେହି ଈର୍ଷାକରି ଷଡ଼ଯନ୍ତ୍ର କରୁଛି । ସେ ଅନୁମାନ ସତ୍ୟ ବୋଲି ବର୍ତ୍ତମାନ ଚିଠି ପଢ଼ି ବୁଝୁଛି ।

ଠିକ୍‌ କଥା । ମଦନବାବୁଙ୍କର ନିଜେ ଯେଉଁ ସନ୍ଦେହ ହୋଇଥିଲା, ବୀରେନ୍ଦ୍ରଙ୍କର ବି ସେହି ସନ୍ଦେହ । ନିଶ୍ଚୟ ଷଡ଼ଯନ୍ତ୍ର ଚାଲିଛି । ମଦନବାବୁ ଏ ଷଡ଼ଯନ୍ତ୍ରକୁ ବ୍ୟର୍ଥ କରିବା ନିମନ୍ତେ ମନେ ମନେ ସଂକଳ୍ପକୁ ଦୃଢ଼, ଦୃଢ଼ତର କଲେ । ବୀରେନ୍ଦ୍ର ବିଚରା ପ୍ରତି ମଦନବାବୁଙ୍କର ସହାନୁଭୂତି ହେଲା ।

ମଦନବାବୁଙ୍କର କିପରି ସନ୍ଦେହ ହୋଇଥିଲା, ସେ କହିଲେ, ବୀରେନ୍ଦ୍ର ବି ସୁଚତୁର ଭାବରେ ଗଢ଼ା ଗଢ଼ା କରି ପାଞ୍ଚ କଥା କହିଲେ । ସବୁକଥା ପରିଷ୍କାର ଜଣାପଡ଼ିଗଲା । ମଦନବାବୁ ବୀରେନ୍ଦ୍ରଙ୍କ ମନରୁ ସମସ୍ତ ଆଶଙ୍କା ଦୂର କରିବା ପାଇଁ କହିଲେ–‘‘ବାବା, ଏ ସବୁଥିରେ ବିଚଳିତ ହେବନାହିଁ । ଯଡ଼ଯନ୍ତ୍ର ବା ଫେଚକାମି କରି ମୋତେ କେହି ଠକେଇ ଦେଇ ପାରିବେ ନାହିଁ । ଭୟର କୌଣସି କାରଣ ନାହିଁ ।’’

ତା’ ପରେ ଆହୁରି କେତେ କଥା ପଡ଼ିଲା । ବିବାହ ପରେ ‘ଚାକର ଦମନ ସଭା’ର ଉନ୍ନତି ନିମନ୍ତେ କି କି କାର୍ଯ୍ୟ ପନ୍ଥା ଅବଲମ୍ବନ କରିବାକୁ ହେବ, ସାବ୍ୟସ୍ତ ହେଲା । ବୀରେନ୍ଦ୍ର ନିଶ୍ଚିନ୍ତ ମନରେ ଘରକୁ ଫେରିଲେ । ମଦନବାବୁଙ୍କ ମୁଣ୍ଡରୁ ମଧ୍ୟ ଚିଠି ପଢ଼ି ହଠାତ୍‌ ଉଦୟ ହୋଇଥିବା ସନ୍ଦେହ ଦୂରହେଲା ।

Image

 

କୋଡ଼ିଏ

 

ସେ ଦିନ ସନ୍ଧ୍ୟାବେଳେ କନକଙ୍କୁ ବିଦାୟ ଦେଲାବେଳୁ ଗୋପଳଙ୍କ ମନରେ ଆଉ ଶାନ୍ତି ନାହିଁ । ଏଥି ପୂର୍ବରୁ ଠିକ୍‌ ଶାନ୍ତି ଥିଲା ବୋଲି ଅବଶ୍ୟ କୁହାଯାଇ ପାରିବ ନାହିଁ । ତେବେ ଶାନ୍ତି ପାଇବା ନିମନ୍ତେ ସେ ଯଥେଷ୍ଟ ଚେଷ୍ଟା କରୁଥିଲେ । ଶାନ୍ତି ପାଇବେ ବୋଲି ଘର ଦ୍ୱାର ଛାଡ଼ି ଜଙ୍ଗଲ ଆଶ୍ରୟ କରିଥିଲେ । ଶାନ୍ତି ପାଇବା ବୋଲି ବନ୍ୟଜନ୍ତୁଙ୍କ ଭିତରେ କାହିଁକି ସାଙ୍ଗରେ ରହିଥିଲେ, ମାତ୍ର ଫଳ କ’ଣ ହେଲା ? ଜଙ୍ଗଲ ତ ତାଙ୍କୁ ସଂସାର କୋଳାହଳରୁ ଦୂରରେ ରଖିପାରିଲା ନାହିଁ । ବନ୍ୟଜନ୍ତୁ ତ ତାଙ୍କୁ କିଛି ସାହାଯ୍ୟ କଲେ ନାହିଁ, ବରଂ ଏହି ବନ୍ୟଜନ୍ତୁ ମାନେହିଁ, ସେ ଯାହାଙ୍କଠାରୁ ଦୂରରେ ରହିବାକୁ ବିଶେଷ ବ୍ୟସ୍ତ, ତାଙ୍କୁ ଆଣି ଜୁଟାଇବାର ଯୋଗାଡ଼ କଲେ ।

ଭାଲୁଛୁଆମାନଙ୍କ ପ୍ରତି ବିରକ୍ତି ଆସିଲା । ସେ ବିଚାରିଲେ, ସେମାନଙ୍କୁ ଛାଡ଼ିଦେବେ । ଛାଡ଼ିଦେବା ଉଦ୍ଦେଶ୍ୟରେ ତାଙ୍କୁ ନେଇ ନିଜ ବାହାର ଦୁଆରରେ ବାହାରେ ରଖି ଆସିଲେ ; ମାତ୍ର ଛୁଆ ଦୁଇଟି ତାଙ୍କ ଭାଲୁ ଭାଷାରେ ଏ କଠୋର ବ୍ୟବହାରରେ ଏପରି ସଶବ୍ଦ ପ୍ରତିବାଦ ଆରମ୍ଭ କରିଦେଲେ ଯେ, ବାଧ୍ୟହୋଇ ସେମାନଙ୍କୁ ପୁନର୍ଗହଣ କରିବାକୁ ପଡ଼ିଲା ।

ଗୋପାଳ ବିଚାରିଲେ–ଏ ସ୍ଥାନ ଖଣ୍ଡକ ଛାଡ଼ି ଅନ୍ୟତ୍ର ଚାଲିଯିବେ; ହୁଏତ ଯାଇ ପୁଣି କଟକ ବ୍ୟତୀତ ଅନ୍ୟ କୌଣସି ସହରରେ ଆଶ୍ରୟ ନେବେ ବା ଜଙ୍ଗଲରେ ଏ ସ୍ଥାନଟା ଛାଡ଼ି ଅନ୍ୟତ୍ର ଆଶ୍ରୟ ଖୋଜିବେ ! ଏ ଖଣ୍ଡ ତ ଆଉ ଅଜଣା ଜାଗା ହୋଇ ରହିଲା ନାହିଁ । ମଦନବାବୁ, ତାଙ୍କ ଚାକର ବାକର, ବୀରେନ୍ଦ୍ର, ଖୋର୍ଦ୍ଧା ଡାକ୍ତରବାବୁ, ବାସୁ ମହାଜନ ଓ ମଧୁ ଏମାନଙ୍କଠାରୁ ତାଙ୍କ ବିଷୟ ଶୁଣି କେତେ ଅପରିଚିତ କୌତୁହଳରେ ଏ ସ୍ଥାନଟା ଦେଖିବାକୁ ଆସିବେ ଏବଂ ଅପରିଚିତ ବନ୍ଧୁମାନେ ତାଙ୍କୁ ଏ ଅଦ୍ଭୁତ ବେଷ୍ଟନୀରେ ଦେଖି ଉପହାସ କରିବା ପାଇଁ ସୁଯୋଗ ଛାଡ଼ିବେ ନାହିଁ । ସୁତରାଂ ଏ ସ୍ଥାନ ଛାଡ଼ିବା ଦରକାର ।

ମାତ୍ର ମାତ୍ର ଏ ସ୍ଥାନ ଛାଡ଼ିବା ତ ଅତି ସହଜ ନୁହେଁ । କନକ ଏ ଖଣ୍ଡକରେ ପାଦ ପକାଇଦେଇ ଯେ ୟାକୁ ତୀର୍ଥ କରିଦେଇ ଯାଇଛନ୍ତି ! ଏ ଚଉକିରେ କନକ ବସିଥିଲେ; ଏ ଗାଡ଼ିଆରେ ସେ ମୁହଁ ଧୋଇଥିଲେ; ବଗିଚାରେ ସେ ବୁଲିଥିଲେ । ତାଙ୍କ ବ୍ୟବହାରରେ ଲାଗି ଚଉକି, ଗାଡ଼ିଆ, ବଗିଚା ତଥା ଏ ସ୍ଥାନ ଖଣ୍ଡକ ଯେ ପବିତ୍ର ହୋଇଛି । ଏ ତୀର୍ଥର ସେ ଯେ ଉପଯୁକ୍ତ ପଣ୍ଡା, ସ୍ମୃତି–ପୂଜାର ଏ ସେ ଏକମାତ୍ର କ୍ଷେତ୍ର । ଏ ସ୍ଥାନ ଛାଡ଼ିବାର ନୁହଁ ।

ଏ କି ଦୁର୍ବଳତର ! ସେ ଦିନ କନକଙ୍କୁ ଭୁଲିବା ପାଇଁ, କନକ ପାଖରୁ ଦୂରେଇ ରହିବା ପାଇଁ ଏତେ ବ୍ୟାକୁଳ ହୋଇ, ଏତେ ଦୂରରେ ଆସି ନିର୍ଜନ ଜାଗାରେ ଆଶ୍ରୟ ନେଲେ । ଆଜି ତା’ର ସ୍ମୃତି ପୂଜା କରିବା ନିମନ୍ତେ ଏତେ ପ୍ରୟାସ କାହିଁକି ? ଯେତିକି ଯେତିକି ବେଶୀ ଦିନ ଯାଉଛି ସେତିକି ସେତିକି ବେଶୀ ଜୋରରେ ଯେ କନକ ତାଙ୍କୁ ବାନ୍ଧି ରଖିବାକୁ ବସୁଚି ! କନକ-କନକ ! ଏ କି ନିର୍ମମ କଠୋରତା ! ଅବଜ୍ଞାରେ ତଡ଼ିଦେଲେ । ମୋ ଆଖି ଆଗରେ ମୋ ଅପେକ୍ଷା ଆଉ ଜଣକୁ ଉପଯୁକ୍ତ ମନେକରି ଗ୍ରହଣ କଲ । ତେବ ସୁଦ୍ଧା ବନ୍ଦୀକରି ରଖିବାର କାରଣ କ’ଣ ? ଏହିପରି ବିଚାରି ବିଚାରି ଗୋପାଳ ନିରାଶ ଓ ଆତ୍ମଗ୍ଳାନିରେ ନିଶ୍ଚେଷ୍ଟ ହୋଇ ରହି ବିଚାରୁଛନ୍ତି–ଦାଣ୍ଡ ଦୁଆରେ ବେଶ୍‌ ଜୋରରେ କିଏ ଡାକିଲା, ‘‘ବାବୁ, ବାବୁ, ଶୋଇ ପଡ଼ିଛି କି ?’’

ଗୋପାଳ ତରତର ହୋଇ ଯାଇ ଦୁଆର ଫିଟାଇ ଦେଲେ । ଦେଖିଲେ, ଅଦିନରେ ଅସମୟରେ ଜଗୁଆ ଆସିଛି । ତା’ ସଙ୍ଗେ ତା’ର ମା । ମହାଜନଙ୍କ ଦୁଆରେ ତାଙ୍କୁ ଦେଖିଲା ବେଳେ ତାଙ୍କର ଯେପରି ଲଜ୍ଜା ନ ଥିଲା, ସଙ୍କୋଚ ନ ଥିଲା, ଆଜି ସେହିପରି ଲଜ୍ଜାକୁ ଦୂରରେ ରଖି ନିଃସଂକୋଚର ସେ ତାଙ୍କ ଦୁଆରେ ଆସି ହାଜର ।

ଜଗୁଆ ମା ଗୋପାଳଙ୍କ ବିସ୍ମୟ ଦେଖି କହିଲା, ‘‘ବାବୁ ଆଜି ଆସିଛି, ତୁମକୁ ଗୋଟାଏ କଥା ପଚାରିବାକୁ ।’’

ଗୋପାଳ ଉତ୍କଣ୍ଠାର ସହିତ ପଚାରିଲେ, ‘‘କି କଥା ! ଜଗୁଆ ହାତର ପଚାରି ପଠେଇଥିଲେ ତ ହୋଇଥାନ୍ତା । ନ ହେଲେ ମୁଁ ଯାଇଥାନ୍ତି ପଛେ । ତମେ କାହିଁକି ଏତେ ବାଟ ଆସିଲ ?’’

ଜଗୁଆ ମା–ଚାଲିବାକୁ ମୁଁ ହଦେଇଯାଏ ନାହିଁ ମ ପୁଅ ! ତମମାନଙ୍କପାଇଁ ମୁଁ ବାଟ ଚାଲିବାକୁ ହଦେଇଲେ ହବ କିପରି ?

ଗୋପାଳ ମନେ ମନେ ବୁଢ଼ୀକି ନମସ୍କାର କଲେ । ମାଙ୍କ ଚିହ୍ନିବା ପୂର୍ବରୁ ମା’ତାଙ୍କୁ ଛାଡ଼ି ଚାଲଲି ଯାଇଥିଲେ । ଆଜି ମନେ ହେଲା, ସତେ ଯେପରି ତାଙ୍କରି ମା’ ଏ ବୁଢ଼ୀର ରୂପ ଧରି ତାଙ୍କୁ ଆଶୀର୍ବାଦ କରିବା ନିମନ୍ତେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଛନ୍ତି ।

ଜଗୁଆ ମା ପଶ୍ନ କଲା, ‘‘ଆଛା, ପୁଅ ! ତୁମେ ଇମିତି ଏକୁଟିଆ ହୋଇ ଜଙ୍ଗଲଟାରେ କାହିଁକି ଅଛ କହିଲ ?’’

ଗୋପାଳ ତୁନି ହୋଇ ରହିଲେ ।

ଜଗୁଆ ମା ପୁଣି କହିଲା–ପୁଅ, ଏଇ କଥା ମୁଁ ତୁମକୁ ପଚାରିଥିଲି ସେଦିନ, ଯେଉଁଦିନ ତମେ ଦୟା କରି ମୋ’ ଅରକ୍ଷିତ ପିଲାଯୋଡ଼ିଙ୍କୁ ରକ୍ଷାରକ୍ଷଣ କଲ । ସେଦିନ ଯାହା କହିଥିଲ, ସେଥିରୁ ବୁଝିଥିଲି ତମେ ଖାମଖିଆଲି ଲୋକ, ଗୋଟାଏ କିଛି ଖିଆଲ ଧରିଛ । ଏତେ ଦିନକେ ଅସଲକଥା ବୁଝିଛି । କିନ୍ତୁ ତମେ ଯାହା କରିଛି, ସେ କଥା ଭଲ ହେଲା ନାହିଁ ଏକା । ଯେଉଁ କଥାପଦକେ ତମେ ତାକୁ ଛାଡ଼ି ନିରାଶାରେ ଜଙ୍ଗଲକୁ ପଳାଇ ଆସିଲ, ସେଥିରେ ଅନ୍ୟ ଲୋକ ଆଶା ପାଇ ଆନନ୍ଦିତ ହୋଇଥାନ୍ତା ।

ଗୋପଳ ତୁନି ହୋଇ ରହିଲେ ।

ଜଗୁଆ ମା ପୁଣି କହିଲା, ‘‘ତୁମେ ଭୁଲ କରିଛ, ପୁଅ ! ତେବେ ତମର କିଛି ଦୋଷ ନାହିଁ-। ପିଲାଲୋକ; ତିରିଲା ମନ ଜାଣିବ କୁଆଡ଼ୁ ? ମାଇକିନିଆ ହୃଦୟ ଜିଣିବାକୁ ହେଲେ ତରବର ହେବାର ନୁହେଁ ; ଟିକକ କଥାରେ ନିରାଶ ହେବାର ନୁହେ । ମାଇକିନିଆ ଝିଅଙ୍କ ମନ କିଣିନେବାର ଯେବେ ଇଚ୍ଛା, ତେବେ ଅଧୀର ନ ହୋଇ ଲାଗିଥିଲେ ସିନା ହେବ । ତମେ ତାକୁ ଥରକୁ ଦି’ଥର ପଚାରିଲ ନାହିଁ ? ପଦେ କଥାରେ ନିରାଶ ନ ହୋଇ ଆଉ କିଛିଦିନ ଚେଷ୍ଟା କଲ ନାହିଁ ? ଏଡ଼େ ବେଗେ ଏତେ ବଡ଼ କଥାଟାଏ କରି ପକାଇଲ, କାହିଁକି ?’’

ଗୋପାଳ ତଥାପି କିଛି କହିଲେ ନାହିଁ । ଏ କଅଣ ? ବୁଢ଼ୀ ଏତେ କଥା ଜାଣିଲା କୁଆଡ଼ୁ ? ଯାହା ତାଙ୍କ ହୃଦୟ ଛଡ଼ା ପାଟି ପର୍ଯ୍ୟନ୍ତ ଜାଣେ ନାହିଁ, ତାହା ଆମୂଳଚୂଳ ବୁଢ଼ୀ ଗୋଚରକୁ ଆସିଲା କୁଆଡ଼ୁ ? ଗୋପଳ କିଛି ବୁଝିପାରିଲେ ନାହିଁ ।

 

ଜଗୁଆ ମା କହିବାକୁ ଲାଗିଲା, ‘‘ଗୋଟିଏ କାମ କର ପୁଅ । ଯାଅ କଟକକୁ, ଚେଷ୍ଟାକର, ଫଳ ଫଳିବ । ସିଂହ ଶୋଇ ପଡ଼ିଥିଲେ ମିରିଗ କ’ଣ ମନକୁ ତା ପାଟିରେ ଆସି ପଶିଯିବ ?’’

ଗୋପାଳ ଗୁଣୁଗୁଣୁ ହୋଇ କହିଲେ, ‘‘ନା, କଟକ ଯିବାରେ କିଛି ଫଳ ନାହିଁ ।’’

ବୁଢ଼ୀ–ଫଳ ନାହିଁ ? ସେ ପରା ଏଠିକି ଆସିଥିଲା ? ତାକୁ ଦେଖି କ’ଣ ଠଉରେଇଲ ?

ଏଥର ଗୋପଳ ଉତ୍ତେଜିତ ହୋଇ କହିଲେ, ‘‘କ’ଣ ଠଉରେଇଲି ! ବୁଝିଲି, ମୁଁ ଆଗରୁ ଯାହା ବିଚାରିଥିଲି, କଥା ସେଇଆ । ଆଖିରେ ଦେଖିଲେ, ମୋଠାରୁ ଅଧିକ ଉପଯୁକ୍ତ ପାତ୍ରରେ ବର୍ତ୍ତମାନ ସେ ରସିଛି । ମୁଁ ତା’ର ହୃଦୟରେ ଯେଉଁ ଆସନ ଅଧିକାର କରିବା ନିମନ୍ତେ ଏତେ ଉତ୍କଣ୍ଠିତ ଥିଲି, ତାହା ବର୍ତ୍ତମାନ ବୀରେନ୍ଦ୍ରର ହୋଇଛି ।’’

ଜଗୁଆ ମା ଏକଥା ଶୁଣି ଖୁବ୍‌ ଗୁଡ଼ାଏ ହସି କହିଲା, ‘‘ଠିକ୍‌ ଠଉରେଇଛ ଏକା ! ନାହିଁ ହେ ପୁଅ ! ଯାହା ବିଚାରୁଛ, ସେପରି କିଛି ହୋଇନାହିଁ । ନ ହୋଇଛି, ତମ ଭାଗ୍ୟଯୋଗୁଁ । ତମେ ଦାମି ଜିନିଷଟାଏ ମେଲାରେ ଫୋପାଡ଼ିଦେଇ ଆସିଲ, ଯେ ଦେଖନ୍ତା ସେ ଗୋଟେଇ ନିଅନ୍ତା; ମାତ୍ର ତମ ଭାଗ୍ୟଯୋଗୁଁ ସେପରି କିଛି ହୋଇନାହିଁ । ଭଗବାନ୍‌ ତାକୁ ତୁମପାଇଁ ରଖିଛନ୍ତି । ଗଲେ ତାକୁ ପାଇବ ।’’

ଗୋପାଳ–ନା, ମୁଁ ଆଉ ଯିବି ନାହିଁ । ତମେ ମା ଯାହା କହୁଛ, ସେ କଥାରେ ସତ୍ୟ ଥାଇପାରେ । କିନ୍ତୁ କନକଙ୍କ ଘରେ ପଶିବାର ଅଧିକାର ଯେ ମୋର ନାହିଁ ! ତାଙ୍କ ବାପା ମୋତେ ଦୁଆର ମନା କରିଛନ୍ତି । ମୁଁ ବି ପ୍ରତିଜ୍ଞା କରିଛି, ଆଉ କନକଠାରୁ କୌଣସି ପ୍ରତ୍ୟାଶା ରଖିବିନାହିଁ । ସେ ଏବଂ ମୁଁ–ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ଯେତେ ଦୂର ରହିପାରେ ସେତେ ବ୍ୟବଧାନ ରଖିବା ନିମନ୍ତେ ମୁଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବି ।

ଜଗୁଆ ମା ଏକଥା ହସି ଉଡ଼େଇ ଦେଇ କହିଲା–ଓଃ ! ଏ ପୁଣି ଗୋଟାଏ କଥାର କଥା-। ପ୍ରତିଜ୍ଞା ଅବଶ୍ୟ ପାଳିବାକୁ ହୁଏ । ନ୍ୟାୟ କଥାରେ ପ୍ରତିଜ୍ଞା ଅବଶ୍ୟ ପାଳିବାକୁ ହୁଏ । ସେପରି ପ୍ରତିଜ୍ଞା ନ ପାଳିଲେ ଅଧର୍ମ । କିନ୍ତୁ ତମେ ଯେଉଁଟା କରିଛ, ସେ ପୁଣି ଗୋଟାଏ କି ପ୍ରତିଜ୍ଞା ? ଏ ତ ଅଭିମାନ । ଆଉ ତାଙ୍କ ବାପାଙ୍କ କଥା ଯାହା କହିଲ, ସେଥିରେ କ’ଣ ଅଛି ? ସେ ତା ଆମ ହିନ୍ଦୁ ଘର ନୁହେ ଯେ ବାପା କଥା ଅନୁସାରେ ଝିଅ ଚଳିବାକୁ ବାଧ୍ୟ ହେବ । ଝିଅର ମନ ଥିଲେ ସେ ତୁମକୁ ବାହା ହେବ । ବାପ ମଙ୍ଗିଲ ଆଛା, ନ ମଙ୍ଗିଲେ ଆଛା ।

ଗୋପାଳ ମନେ ମନେ ବୁଢ଼ୀର ଏ ବୁଦ୍ଧିକୁ ଭାରି ପ୍ରଶଂସା କଲେ । ବାସ୍ତବିକ ଏ ଦିଗଟା ତ ତାଙ୍କୁ ଦିଶି ନ ଥିଲା । କନକ ସଙ୍ଗେ ଏ ଜଙ୍ଗଲରେ ଦେଖାହେବା ଦିନଠାରୁ ତାଙ୍କର ବହୁବାର ମନ ହୋଇଛି, ଆଉ ଥରେ ଯାଇ କନକର ପ୍ରେମଭିକାରୀ ହୁଅନ୍ତେ । ସେତେବେଳେ ଏହି ପ୍ରତିଜ୍ଞାଟା ହିଁ ତାଙ୍କୁ ଅଟକାଉଥିଲା । ଆଜି ମଫସଲର ତଥାକଥିତ କୁସଂସ୍କାରଚ୍ଛନ୍ନ ପଲ୍ଲିରମଣୀର ଏ ଚତୁର ଯୁକ୍ତି ଆଗରେ ସେ ଆନନ୍ଦର ସହିତ ହାର ମାନିଲେ ଏବଂ ମୌନ ରହି ଜଣାଇଦେଲେ, ତାଙ୍କର ଇଚ୍ଛା ଜଗୁଆ ମା ଇଚ୍ଛାର ବିରୋଧୀ ନୁହେ । ଜଗୁଆ ମା ଏକଥା ବୁଝି ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଉ କିଛି ନ କହି ଅଳ୍ପ ସମୟ ପରେ ନିଜ ଘରକୁ ଫେରିଲା ।

Image

 

ଏକୋଇଶ

 

ଆଉ ପନ୍ଦର ଦିନ ପରର କଥା । ଦୁଇ ଚାରିଦିନ ଭାରି ବର୍ଷା ହୋଇ ମେଘ ଠିକ୍‍ ଛାଡ଼ି ଯାଇଥାଏ । ଆକାଶ ନିର୍ମଳ । ବୃଦ୍ଧ ସୂର୍ଯ୍ୟଙ୍କ ଆଶୀର୍ବାଦ ପଶ୍ଚିମ ଆକାଶରୁ ଆସି ପୃଥିବୀ ଉପରେ ପଡ଼ି ତାର ମୁହଁକୁ ହସହସ କରୁଥାଏ । ମେଘ ଅକାଳରେ ଆସି ଗଛପତ୍ରଗୁଡ଼ିକୁ ବଡ଼ ଭୀତ କରିଦେଇଥିଲା । ସେମାନେ ସ୍ଥିର ନିଶ୍ଚଳ ହୋଇ ସତେ ଏ ଅକାଳ ଉପଦ୍ରବ ଗଲାଣି କି ନାହିଁ ବୋଲି ଚାରିଆଡ଼କୁ ଛଳଛଳ ଆଖିରେ ଚାହିଁଛନ୍ତି ।

କନକଙ୍କର ହୃଦୟ-ଆକାଶ ଆଜି ନିର୍ମଳ । ମେଘ ଅନ୍ଧାର, ବର୍ଷା, ବଜ୍ରପାତ ସବୁ ଯାଇଛି । ଆଉ ଫେରିବ ନାହିଁ । ବୁଢ଼ୀ ଜଗୁଆ ମା ସୂର୍ଯ୍ୟକିରଣ ପରି ଶେଷରେ କୁଆଡ଼ୁ ଆସି ସବୁ ପରିଷ୍କାର କରିଦେଇଛି । ଅଗସ୍ତୀ ତାରାପରି ତାଙ୍କ ହୃଦୟରୁ ସବୁ କାଦୁଅ ଦୂର କରିଛି । କ’ଣ କର୍ତ୍ତବ୍ୟ, କ’ଣ ଅକର୍ତ୍ତବ୍ୟ, ସେ ବୁଝିଛନ୍ତି । ଆଜି ଆଉ ତାଙ୍କର ସଙ୍କୋଚ ନାହିଁ, ଇତସ୍ତତଃ ଭାବ ନାହିଁ । କ’ଣ କରିବେ ଏବଂ କ’ଣ କରିବା ଉଚିତ, ସ୍ଥିର କରିସାରି ସେ ବାପାଙ୍କୁ ଖଣ୍ଡିଏ ଚିଠି ଲେଖୁଛନ୍ତି–

ବାପା,

ଅଭାଗିନୀ ଝିଅ ଆଜି ତୁମର ଆଶୀର୍ବାଦରୁ ବଞ୍ଚିତ ହୋଇ ଘର ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ । ବାପା, ଏ ଘରେ ମୁଁ କେତେ ଆନନ୍ଦ ଭୋଗିଛି, ତୁମରି ହାତରୁ କେତେ ଲାଳନପାଳନ, କେତେ ସ୍ନେହ ପାଇଛି । ହଠାତ୍‌ ଅବାଧ୍ୟ ହୋଇ ତୁମକୁ ଦେଖା ସୁଦ୍ଧା ନ ଦେଇ ଚାଲିଗଲି ବୋଲି ଶୁଣିଲେ ତୁମ ହୃଦୟରେ ନିଶ୍ଚେ ଆଘାତ ହେବ–ମୋର କୃତଘ୍ନତା ତୁମକୁ ନିଶ୍ଚୟ ମର୍ମାହତ କରିବ-

କିନ୍ତୁ ଅଗତ୍ୟା ମୁଁ ତୁମକୁ ଏ ଆଘାତ ଦେବା ନିମନ୍ତେ ବାହାରିଛି ! ତୁମକୁ ଦେଖାଦେଇ ସବୁ ହାଲ ପରିଷ୍କାର କରି କହି ବିଦାୟ ଏବଂ ତହିଁ ସଙ୍ଗେ ସମ୍ଭବ ହେଲେ ଆଶୀର୍ବାଦ ନେଇ ଯିବାକୁ ମୋର ସାହସ ହେଉନାହିଁ । କାରଣ ମୁଁ ଅବଳା, ମୋର କଥା ନ ଶୁଣି ମୋ ପ୍ରତି ଜୋର ଜବରଦସ୍ତି ଆରମ୍ଭ କଲେ ଆତ୍ମରକ୍ଷା କରିବାର କ୍ଷମତା ଯେ ମୋର ରହିବ ନାହିଁ !

ବାପା, ମୁଁ ଚାଲିଯିବାଦ୍ୱାରା ଅପରାଧ କରୁଛି ବୋଲି ନିଜେ ଜାଣିପାରୁ ନାହିଁ । ତୁମରି ଦୟାରେ ମୁଁ ଏ ପର୍ଯ୍ୟନ୍ତ ବହି ପଢ଼ି ଶିକ୍ଷିତ ଉନ୍ନତ ଲୋକଙ୍କ ସମ୍ପର୍କରେ ଆସି ଯେଉଁ ଶିକ୍ଷା ପାଇଛି, ବିଶେଷତଃ କଲ୍ୟାଣମୟୀ ଜଗୁଆ ମା ମୋର ହୃଦୟରେ ଯେଉଁ ଜ୍ଞାନର ମଞ୍ଜି ପୋତିଛି, ତହିଁର ଫଳରେ ବୁଝୁଛି ମୁଁ ଯାହା କରୁଛି ତାହା ନ୍ୟାୟସଙ୍ଗତ । ଏଥିରେ କୌଣସି ଅନ୍ୟାୟ ନାହିଁ । ଅପରାଧ ନାହିଁ । ତଥାପି ମୋ କାର୍ଯ୍ୟରେ ଯଦି ତୁମେ ଅପରାଧ ଦେଖିବ, ମୋ କାର୍ଯ୍ୟରେ ଯେବେ ତୁମେ ମର୍ମାହତ ହେବ ତାହା ହେଲେ ଅନୁମତି ଦେଲେ ଭବିଷ୍ୟତରେ ମୁଁ ଆସି ଉପଯୁକ୍ତ ପ୍ରାୟଶ୍ଚିତ କରିବି । ଯଥାସାଧ୍ୟ ଚେଷ୍ଟା କରି ତୁମ ହୃଦୟରୁ ଆଘାତ ଦୂର କରିବି ।

ବାପା, ଯେଉଁଦିନ ତୁମରି ଆଦେଶରେ ଗୋପାଳ ଆସି ମୋତେ ପାଠ ପଢ଼ାଇବା ଭାର ନେଲେ, ସେହି ଦିନୁ ବା ତହିଁର ଅଳ୍ପଦିନ ପରେ ମୁଁ ମୋ ଜୀବନ ତାଙ୍କୁ ବିକି ଦେଇଥିଲି । ମନେ ମନେ ମୋର ଭବିଷ୍ୟତ ଜୀବନକୁ ଅଚ୍ଛେଦ୍ୟ ବନ୍ଧନରେ ତାଙ୍କ ଜୀବନ ସାଙ୍ଗେ ବାନ୍ଧି ଦେଇଥିଲି ।

ହଠାତ୍‌ ଦିନେ ବୁଝିଲି, ଏ ବନ୍ଧନ ତୁମର ଈପ୍‌ସିତ ନୁହେ । ସେ ଦିନ ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ତୁମ ପ୍ରତି କର୍ତ୍ତବ୍ୟ ଦୃଷ୍ଟିରେ ପ୍ରତିଜ୍ଞା କରି ତାଙ୍କୁ ଅନିଚ୍ଛା ସତ୍ତ୍ୱେ ଜୋର କରି ହୃଦୟରୁ ତଡ଼ିଦେଲି । ତୁମରି ଆଦେଶମତେ ତୁମରି ଆଦେଶମତେ ତୁମରି ମନୋନୀତ ପାତ୍ରରେ ମୋର ହୃଦୟର ସମସ୍ତ ସମ୍ପଦ ଢାଳିଦେବାକୁ ପ୍ରସ୍ତୁତ ହୋଇଥିଲି । ମାତ୍ର ବାପା, କନ୍ୟାର ପିତୃଭକ୍ତି ଏବଂ ଯୁବତୀର ପ୍ରେମ ଏକତ୍ର ଯାଇପାରିଲା ନାହିଁ । ମୁଁ କ’ଣ କରିବି ? ତୁମର ଆଦେଶ ଓପର ମନରେ ପାଳୁଥିଲେ ସୁଦ୍ଧା ଭିତର ମନରେ ମୁଁ କ୍ରମେ କ୍ରମେ ତୁମର ଶାସନ-ଆତିଶଯ୍ୟ ବିରୁଦ୍ଧରେ ବିଦ୍ରୋହୀ ହୋଇଉଠିଲି । କାଳକ୍ରମେ ଏ ଆନ୍ତରିକ ବିଦ୍ରୋହର ଦମନ ସମ୍ଭବପର ହୋଇଥାନ୍ତା କି ନାହିଁ କେଜାଣି ? ଯାହାହେଉ, ମୁଁ ଏ ଦୋଫାଙ୍କିଆ ମନୋଭାବର ଆଜି ସମୂଳ ଲୋପ କରି ଯାହା ମନେ ମନେ ବିଚାରୁଛି ତାହା କରିବା ନିମନ୍ତେ ସାହସ ବାନ୍ଧିଛି । ତୁମପାଖେ ହୃଦୟର କଥା ନ ଲୁଚାଇ ଆଜି ସବୁ ଫିଟାଇ କହିପାରିଲି ବୋଲି ମୋର ଅସୀମ ଆନନ୍ଦ । ତୁମଭଳି ବାପାର ଝିଅ ନ ହୋଇଥିଲେ ଏହା କରିପାରିଥାନ୍ତି କି ନାହିଁ ସନ୍ଦେହ ।

ଯାଉଛି, ବାପା; ବିଦାୟ ଦିଅ ଏବଂ ମୋର ପୂର୍ବ ବାଧ୍ୟତା ସ୍ମରଣ କରି ବର୍ତ୍ତମାନର ଏ ଅବାଧ୍ୟତାକୁ କ୍ଷମା କର । ଏତିକିମାତ୍ର ମୋର ପ୍ରାର୍ଥନା ।

ତୁମର

ସ୍ନେହପାଳିତା କନ୍ୟା

କନକ

ଚିଠି ଖଣ୍ଡି ଶେଷକରି ଲଫାପା ଭିତରେ ମୁଦି କନକ ଧୀରେ ଧୀରେ ବାପାଙ୍କ ବୈଠକଖାନାକୁ ଗଲେ । ମଦନବାବୁ ବିବାହ ସମ୍ପର୍କୀୟ କାର୍ଯ୍ୟରେ ବାହାର ହୋଇଥିଲେ । କନକ ଚିଠି ଖଣ୍ଡି ଆରାମଚୌକି ହାତ ଉପରେ ରଖି ପଡ଼ିଯିବ ନାହିଁ ବୋଲି ତା ଉପରେ ଚାପାଦେଇ ଟିକିଏ ବଇଠକଖାନାଟିର ଚାରିପାଖ ଚାହିଁ ଦେଖିଲେ ଏବଂ ଶେଷରେ ଛଳଛଳ ଆଖିକରି ଆରାମଚୌକି ପାଖେ ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରି ନିଜ ଶୋଇବା ଘରକୁ ଫେରିଲେ-

ସେଠାରେ ସମସ୍ତେ ଜିନିଷ ଯଥାସ୍ଥାନରେ ରଖି ମା’ଙ୍କର ଖଣ୍ଡିଏ ଫଟୋମାତ୍ର ଧରି ପାଞ୍ଚ ମିନିଟ ମଧ୍ୟରେ କନକ ଛାଡ଼ିଯାଉଥିବା ଘରକୁ ଥରକୁ ଥର ଫେରି ଚାହୁଁ ଚାହୁଁ ବାହାର ହୋଇ ବଜାରର ଲୋକଗହଳିରେ କୁଆଡ଼େ ମିଶିଗଲେ ।

Image

 

ବାଇଶ

 

ମଦନବାବୁ ଯାଇଥିଲେ ତାଙ୍କ ବନ୍ଧୁ ବ୍ରାହ୍ମସମାଜର ଆଚାର୍ଯ୍ୟଙ୍କ ଘରକୁ ବିବାହର ମୁହୂର୍ତ୍ତ ପ୍ରଭୃତି ସ୍ଥିରକରି ଆସିବା ନିମନ୍ତେ । କାଲି ସନ୍ଧ୍ୟା ୬ଟା ସମୟରେ ବିବାହ । ଆଚାର୍ଯ୍ୟ ମହାଶୟ ଅତି ଆନନ୍ଦର ସହିତ ସାଢ଼େ ୫ଟା ବା ତହିଁ ପୂର୍ବରୁ ବିବାହ ରେଜଷ୍ଟରି ବହି ଏବଂ ତାଙ୍କର ଆଶୀର୍ବାଦ ସହ ଯାଇ ବିବାହକାର୍ଯ୍ୟ ସମ୍ପନ୍ନ କରିବେ ବୋଲଇ ବାରମ୍ବାର ପ୍ରତିଶ୍ରୁତ ହେଲେ । ଅବିବାହିତା ଉତ୍ତୀର୍ଣ୍ଣବୟସ୍କା ଆଚାର୍ଯ୍ୟକନ୍ୟାଗଣ ନିଜର ବିବାହ ଆଶା ନ ଥିବାରୁ ଅନ୍ୟର ବିବାହକୁ ନିଜର ପରି ମନେକରି ଅତି ସଲଜ୍ଜ ଉଲ୍ଲାସରେ ମଦନବାବୁଙ୍କର ଖୁବ୍ ସତ୍କାର କଲେ । ଏ ସତ୍କାରରେ ଆପ୍ୟାୟିତ ହୋଇ ଆଚାର୍ଯ୍ୟ ତାଙ୍କ ପରି ନିଜ କନ୍ୟାମାନଙ୍କର ଭବିଷ୍ୟତ୍‍ ସୁଖଦୁଃଖ ନିମନ୍ତେ ତାଙ୍କ ଜାଣିବାରେ ବିଶେଷ ଯତ୍ନ ନେଇନଥିବାରୁ ତାଙ୍କୁ ମନେମନେ ନାପସନ୍ଦ କରି ମଦନବାବୁ ଘରକୁ ଫେରିଲେ । ଫେରିଲା ବେଳକୁ ରାତି ପ୍ରାୟ ୧୦ ଟା । ତାଙ୍କର ଖାଇବା କାର୍ଯ୍ୟ ସନ୍ଧ୍ୟା ପୂର୍ବରୁ ଶେଷ ହୋଇଯାଏ । ସୁତରାଂ କାହାକୁ କିଛି ନ କହି କନକର ଖୋଜଖବର ନେବା ଅନାବଶ୍ୟକ ମନେକରି ସିଧା ସିଧା ଖଟରେ ଯାଇ ଶୋଇ ପଡ଼ିଲେ ।

ଦିନଯାକ ପରିଶ୍ରମ ବହୁତ ହୋଇଥିବାରୁ ଅଳ୍ପକେ ନିଦ ହୋଇଗଲା; ମାତ୍ର ନିଦ୍ରାସୁଖ ବେଶୀକ୍ଷଣ ସ୍ଥାୟୀ ହେଲାନାହିଁ । ଘଡ଼ିଏ ଖଣ୍ଡେ ଶୋଇଛନ୍ତି କି ନାହିଁ-ପ୍ରାୟ ବାରଟା ବେଳେ ହଠାତ୍ ମାଧିଆ ଆସି ବାବୁଙ୍କୁ ଭଲକରି ହଲାଇ ଦେଇ ଚିତ୍କାର କଲା, ‘‘ବାବୁ, ବାବୁ, ଉଠ ।’’

ମଦନବାବୁ ଧଡ଼କିନି ବିଛଣାରୁ ଉଠି ବସିଲେ ଏବଂ ବିରକ୍ତିରେ ମାଧିଆ ଆଡ଼କୁ ଆଖି ମିଳିମିଳି ଚାହିଁଲେ । ମାଧିଆ କହିଲା, ‘‘ବାବୁ, ଦିଦି ରାତି ୮ଟା ବେଳୁ କୁଆଡ଼େ ଯାଇଛନ୍ତି ଯେ ଏତେ ବେଳଯାଏ ଫେରି ନାହାନ୍ତି ।’’

ମଦାନବାବୁଙ୍କ ବିରକ୍ତି ବଢ଼ିଲା ନା କମିଲା କେଜାଣି ? ସେ ବ୍ୟସ୍ତସମସ୍ତ ହୋଇ କହିଲେ–‘‘ଏଁ ମୁଁ ଆସିଲାବେଳେ ମତେ କହିଲୁ ନାହିଁ, ବେ ।’’

ମାଧିଆ–ମୁଁ କିମିତି ଜାଣନ୍ତି ? ମୁଁ ବିଚାରିଲି ସେ ଫେରି ଆସିବେ । ଏତେ ବେଳଯାଏ ଫେରିଲେ ନାହିଁ ।

ବାବୁ–ଏଁ, ଏତେବେଳଯାଏ ଫେରିଲା ନାହିଁ ! ତମରି ସବୁ ଫିସାଦ । ରହ ଆଉ ଯୋଡ଼ାଏ ପୁଞ୍ଜାଏ ଦିନ ଯାଉ ତମ ଚାକର ଦଫାଙ୍କୁ ସାଧ୍ୟ କରିଦେବି ଯେ ।

ମହାବ୍ୟସ୍ତରେ ବୃଦ୍ଧ ଧାଇଁ ଯାଇ କନକଙ୍କର ଶୋଇବା ଘର ଖଟକୁ ଚାହିଁଲେ । ଲଇଁପଡ଼ି ଖଟତଳକୁ ଭଲକରି ଦେଖିଲେ–କାହିଁ ନାହିଁ ! କୁଆଡ଼େ ଗଲା ? ଖଟ ଉପରେ ନାହିଁ..... ଖଟ ତଳେ ବି ନାହିଁ । ତା ହେଲେ ?

ଓଃ, ବୀରନ୍ଦ୍ରଙ୍କ ଘରେ ଯାଇ ଗପ କରୁ କରୁ ବୋଧହୁଏ ଟିକିଏ ଉଛୁର ହୋଇଯାଇଛି । ଏ ଓଲା ଚାକରଗୁଡ଼ାକ ବୁଝୁଛନ୍ତି କ’ଣ ? ତୁଚ୍ଛାଟାକୁ କେତେ ଭୟ ଦେଖିଲ ! ବୀରେନ୍ଦ୍ର ଘରକୁ ତ ଝିଅ ଯାଇଛି, କ୍ଷତିଟାଏ କ’ଣ ? ଆଜି ରାତିଟା ପାଇଲେ ତ ବୀରେନ୍ଦ୍ର ଘର ତା’ର ହୋଇଯିବ ।

ମଦନବାବୁ ଏହିପରି ବିଚାରି ବିଚାରି ଶୋଇବା ଘର ଆଡ଼କୁ ମୁହାଁଇଲେ । ପୁଣି ବିଚାରିଲେ, ବୀରେନ୍ଦ୍ର ଘର ତା’ର ହେଲେ ହଉ । ଯେଉଁ କେତେଟା ଦିନ ଏଠାରେ ରହିବ ସେ କେତେଟା ଦିନରାତି ଏହି ଘରେ ତ କଟାଇବାର କଥା । ଆଚ୍ଛେ, ବୀରେନ୍ଦ୍ର ଘରକୁ ଯାଇ ତାକୁ ଡାକି ଆଣିବା ଦରକାର ।

ବୀରେନ୍ଦ୍ରଙ୍କ ଦୁଆରମୁହଁକୁ ଯାଇ ଦେଖିଲେ, ଦୁଆର ମେଲା । ଭିତରୁ ଗୋଟାଏ କିଛି ଚିତ୍କାର ଶୁଭୁଛି । ବୀରେନ୍ଦ୍ର ଘର ତ ତାଙ୍କ ଘର ଭଳିଆ । କାହାକୁ ନ ଡାକି ତୁନି ହୋଇ ବାବୁ ବୀରେନ୍ଦ୍ରଙ୍କ ଘରେ ପଶିଲେ । ଓପର ମହଲାକୁ ଉଠୁଥାନ୍ତି, ପାଖଘରରୁ ଭୀଷଣ ଚିତ୍କାର ଶୁଭିଲା । ମଦନବାବୁ ନିଜେ ଚିତ୍କାର କରନ୍ତି ଖୁବ୍, କିନ୍ତୁ ଅନ୍ୟ କେହି ଚିତ୍କାର କଲେ ତାଙ୍କର ଭାରି ଭୟ ହୁଏ । ସେ ଅତି ସନ୍ତର୍ପଣରେ କବାଟ ପାଖେ କାନଡ଼େରି ଶୁଣିଲେ ।

ଭିତରେ ବୀରେନ୍ଦ୍ର ଜଣ କାହା ଉପରେ ବେଶ୍ ବେଗରେ ହାତ ଚଳାଇ କହୁଛନ୍ତି, ‘‘ତୁଇ କନକ ପାଖକୁ ସେ ଚିଠି ଦେଇଥିଲୁ ପରା ? ଓଃ, କେଡ଼େ ଭଲମଣିଷଟାଏ ହେ ! କନକ ତୋ ସାଙ୍ଗ ବୋଲି ତାକୁ ସତର୍କ କରିଦେଇଥିଲୁ, ନା ? ଏବେ କ’ଣ ହେଲା, ବଦମାସ ! ତୋ ସତର୍କ ଫଳରେ ତୋ ସାଙ୍ଗରେ ଯାହା ଉପକାର ହେଲା କାଲି ଜାଣିବୁ । ଆଉ ତୋ’ର ପୁରସ୍କାର ତ ସେଦିନ ମିଳିଛି, ଆଜି ମିଳୁଛି–ମଲାଯାଏ ମିଳୁଥିବ ।’’

ମାଡ଼ ଖାଉଥିବା ବ୍ୟକ୍ତି ଜଣେ ନାରୀ । ସେ ଏ ମାଡ଼ରେ ଟିକିଏ ସୁଦ୍ଧା ନ କାନ୍ଦି କଠୋର ସ୍ୱରରେ କହୁଛି–ମାର, କେତେ ମାରିବ । ତମ ମାଡ଼କୁ ମୁଁ ଡରିଛି ! ତମ ଅତ୍ୟାଚାର ସହି ସହି ଏତେଦିନ ଗଲାଣି । ଆଉ ଟିକିଏ ଭଲକରି ମାରି ମୋ’ ପ୍ରାଣଟା ହେଲେ ନେଇଯାନ୍ତ ।

ବିରେନ୍ଦ୍ର ବଜ୍ରକଠୋର ସ୍ୱରରେ କହିଲେ–ତୋ’ ପ୍ରାଣଟା ନେବି ଯେ–ଏଇଲାଗେ ନୁହେଁ-। କାଲି ବିଭାଘର ସରୁ । ତୋ ଚିଠିରେ ବିଶ୍ୱାସ କରି ଯେ, ନଈକୂଳକୁ ଲୋକ ପଠେଇଥିଲା ତାକୁ ବି ସାଧ୍ୟ କରିବି; ଆଉ ତା’ରି ଆଗରେ, ତୋତେ ସେ ଭଲକରି ଚିହ୍ନିବା ପରେ, ତୋ ପ୍ରାଣ ନେବି । ମତେ ଚିହ୍ନି ନଥିଲୁ ନା ? ମୋ ନାମରେ ଚିଠି ଲେଖିବାକୁ ତୋର ଏଡ଼େ ସାହସ ? ଜାଣି ନାହୁଁ ମୁଁ କିଏ ?

ଏ ଶେଷକଥାଟା କହିସାରିବା ପରେ ବୋଧହୁଏ ନିଜକୁ ଭଲରୂପେ ଚିହ୍ନାଇଦେବା ଉଦ୍ଦେଶ୍ୟରେ ବୀରେନ୍ଦ୍ର ବାବୁ ଜୋତା କିମ୍ବା ଅନ୍ୟ ଗୋଟାଏ କିଛି ନାତିକଠୋର-କୋମଳ ଜିନିଷରେ ପ୍ରହାର ଆରମ୍ଭ କରିଦେଲେ । ମାଡ଼ର ଟିକିଏ ବିରାମ ହେବାରୁ ପୁଣି ବକ୍ତୃତା ଆରମ୍ଭ ହେଲା । ବୀରେନ୍ଦ୍ର କହିଲେ, ‘‘କି ଲୋ ! ଚିଠି ପରା ଦେଇଥିଲୁ, କ’ଣ ହେଲା ? ନଈକୂଳକୁ ପରା ଡାକିଥିଲୁ, ଗଲା ତୋ ସାଙ୍ଗେ ଦେଖା କରିବାକୁ ? ତୁ ମୋ ଲୋକଙ୍କ ହାତରୁ ଖସିଲାବେଳୁ ପରା ମୁଁ ଜାଣେ, ଗୋଟାଏ କିଛି କାଣ୍ଡ ଭିଆଇବୁ ବୋଲି । ତୋ ଭଲପଣିଆ ଭାଙ୍ଗିଦେଉଛି । ତୋ ସାଙ୍ଗେ ତାକୁ ବି ସାଧ୍ୟ କରିବି ଯେ ? ତୋ ଚିଠି ପାଇକରି ଲୋକ ପଠେଇଥିଲା ପରା ! ହୋଃ, ହୋଃ, ହୋଃ-ହୋଃ । ବାପକୁ ଦେଖେଇ ଦେଇଥିଲା ଚିଠି । ବାପ ଭାଙ୍ଗି ଦେବ ବୋଲି, ବାପକୁ ତ ଆଗରୁ ବନ୍ଧା ବିକ୍ରୀ କରି ରଖିଛି !

ପୁଣି ସ୍ତ୍ରୀ ଲୋକଟି ପ୍ରତି ଦୃଷ୍ଟି ପଡ଼ିଗଲା । ବୀରେନ୍ଦ୍ର ତାକୁ ଗୋଇଠାଏ ମାରିଦେଇ ରାଗରେ ପାଟିକରି ଉଠିଲେ, ‘‘ଚିଠି ଲେଖିବାର ଲାଭ ପା । କ’ଣ ଉପକାର ପାଇବୁ ବୋଲି ଏ କାର୍ଯ୍ୟରେ ଗୋଡ଼ ଭର୍ତ୍ତି କରିଥିଲୁ ?’’

ମଦନବାବୁ ଏସବୁ ଶୁଣି ଅବାକ୍ । ତାଙ୍କ ଆଖି ଆଗରେ ସବୁ ଘଟନା ନୂଆ ଆଲୋକରେ ଜଳଜଳ ଦିଶିଲା । ବୀରେନ୍ଦ୍ରକେଡ଼େ ସରଳ, ସାଧୁ ପିଲାଟି ପରି ଜଣାଯାଉଥିଲା ସିଏ-! ତା’ ଭିତରେ ପୁଣି ଏତେ କଥା ଅଛି ? ସେ କ’ଣ ତେବେ ତାଙ୍କୁ ଠକେଇ ଦେବାକୁ ଷଡ଼ଯନ୍ତ୍ର କରୁଛି ? ଏ କ’ଣ ବୀରେନ୍ଦ୍ରଟି ? ବୃଦ୍ଧଙ୍କ ଆତ୍ମବିଶ୍ୱାସ ଉପରେ ଘୋର ଆଘାତ ଲାଗିଲା । ତାଙ୍କୁ କେହି ଠକେଇ ପାରିବେ ନାହିଁ ବୋଲି ସେ ବୀରେନ୍ଦ୍ର ଆଗରେ କେତେଥର ଆଡ଼ମ୍ବର କରି କେତେ କଥା କହିଛନ୍ତି ! ସବୁ ମନେପଡ଼ି ଟିକିଏ ଲାଜ ମାଡ଼ିଲା । ସଙ୍ଗେ ସଙ୍ଗେ ଭୟଙ୍କର କ୍ରୋଧ ମଧ୍ୟ ହେଲା । ରାଗରେ ଟିକିଏ ଇଚ୍ଛା ହେଲା, ବୀରେନ୍ଦ୍ରଙ୍କୁ ପୁଲିସ ହାତରେ ଧରେଇଦେବେ । ପୁଣି ସନ୍ଦେହ ହେଲା, ସତେ ଘର ଭିତରେ କ’ଣ ତାଙ୍କ ପ୍ରିୟ ବୀରେନ୍ଦ୍ର ? ସେ କେଭେଁ ହୋଇ ନଥିବ ପରା । ସେ ଏପରି କହନ୍ତା ?

ବୁଦ୍ଧ କିଛି ସ୍ଥିର କରିବା ପୂର୍ବରୁ ହଠାତ୍ ବାହାରେ ଯୋତା ମଚ୍‌ମଚ୍ ଶବ୍ଦ ଶୁଣାଗଲା । ସଙ୍ଗେ ସଙ୍ଗେ ଇନ୍‌ସ୍ପେକ୍‌ଟର, କନେଷ୍ଟବଲ ହୋଇ ୫/୬ ଜଣ ଘରେ ପଶିଗଲେ ।

ପୁଲିସ ହାକିମମାନଙ୍କର କିଛିଦିନ ହେଲା ବୀରେନ୍ଦ୍ରଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହୋଇଥିଲା । ସେମାନେ ଗୋପନରେ ଅନୁସନ୍ଧାନ କରୁଥିଲେ ଏବଂ ରାତିରେ ସେ ଗଳିରେ ଯେଉଁମାନେ ପହରା ଦିଅନ୍ତି, ତାଙ୍କୁ ସତର୍କ ରହିବାପାଇଁ ଆଦେଶ ଦେଇଥିଲେ । ଆଜିର ପହରାବାଲା ସଜ୍ଜନ ସିଂହ ବୀରେନ୍ଦ୍ରଙ୍କ ଘରେ କବାଟ ଖୋଲି ପଶି ଘଟନାସବୁର କିଛି ସଙ୍କେତ ପାଇ ଦଳବଳରେ ଆସିବା ନିମନ୍ତେ ଇନ୍‌ସପେକ୍‌ଟର ବାବୁଙ୍କୁ ଡାକିବାପାଇଁ ଥାନାକୁ ମଣିଷ ପଠାଇ ନିକଟରେ ଲୁଚି ରହିଥିଲା । ମଦନବାବୁ ସେ ଘରେ ପଶିବାର ଅଳ୍ପ ସମୟ ପୂର୍ବରୁ ସେ ଘରୁ ବାହାରି ଯାଇଥିବାରୁ ମଦନବାବୁ ତାକୁ ଦେଖିପାରିନଥିଲେ ।

ମଦନବାବୁ ପୁଲିସ ଦଳବଳ ଦେଖି ଟିକିଏ କିଂକର୍ତ୍ତବ୍ୟବିମୂଢ଼ ହେଲେ । ବିଚାରିଲେ, ବୀରେନ୍ଦ୍ରକୁ ଖଲାସ କରିବାପାଇଁ ଯତ୍ନ କରିବେ; କିନ୍ତୁ ବୀରେନ୍ଦ୍ର ମୁହଁରୁ ଯାହା ଶୁଣିଥିଲେ, ସେଥିରେ ତାକୁ ଖଲାସ କରିବା ପାଇଁ ବିଶେଷ ଯେ ପ୍ରବୃତ୍ତି ହେଲା ତାହା ନୁହେଁ ।

ଖଲାସ ବା କରନ୍ତେ କ’ଣ ? ଆଉ ତ ପ୍ରମାଣ ଲୋଡ଼ା ନାହିଁ । କବାଟ ଭାଙ୍ଗି ପୁଲିସ ବାବୁ ବୀରେନ୍ଦ୍ରଙ୍କୁ ଧଇଲେ । ସ୍ତ୍ରୀ ଲୋକଟିର ଅଚେତନ ଅବସ୍ଥା ଏବଂ ଦିହ ମୁଣ୍ଡରେ ଚିହ୍ନସବୁ ଦେଖି ଦୋଷ ସମ୍ପୂର୍ଣ୍ଣରୂପେ ପ୍ରମାଣିତ ହୋଇଗଲା । ବୀରେନ୍ଦ୍ରଙ୍କ ହାତରେ ଦସ୍ତା ହାତକଡ଼ି ପଡ଼ିଲା ।

ମଦନବାବୁ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଯାଇ ଯାହା ଜାଣିଥିଲେ ସବୁ ପରିଷ୍କାର ଭାବେ କହିଗଲେ । ଇନ୍‌ସପେକ୍‌ଟରଙ୍କ ସଙ୍ଗେ ତାଙ୍କର ଭାବ ଥିଲା । ଫଳରେ ତାଙ୍କ ବକ୍ତବ୍ୟ ଇନ୍‌ସପେକ୍‌ଟର ବିଶ୍ୱାସ କଲେ । ଦୋଷ ମୁଣ୍ଡରୁ ଖସିଲା । କିନ୍ତୁ ସାକ୍ଷୀ ତ ହେବାକୁ ହିଁ ହବ ! ଦିନ ୯ଟା ବେଳେ ଥାନାକୁ ଯିବାକୁ ପ୍ରତିଶ୍ରୁତ ହୋଇ ମଦନବାବୁ ଆପଣା ଘରକୁ ଫେରିଲେ-। ପୁଲିସ୍‍ ବାଲା ବୀରେନ୍ଦ୍ର ଏବଂ ସ୍ତ୍ରୀ ଲୋକଟିକୁ ସଙ୍ଗରେ ଧରି ଥାନାକୁ ଗଲେ ।

Image

 

ତେଇଶ

 

ଏ ଆକସ୍ମିକ ଦୁର୍ଦ୍ଦଶାରୁ ଅନ୍ତତଃ କେତେ ଘଣ୍ଟା ଫୁରୁସତ୍ ପାଇ ମଦନବାବୁ ଘରକୁ ଫେରିଲେ । ବୀରେନ୍ଦ୍ରଙ୍କ ଘରର ଘଟଣା ସହିତ କନକର ନିରୁଦ୍ଦେଶ୍ୟ ହେବାର କିଛି ସମ୍ବନ୍ଧ ଅଛି କି ନାହିଁ ଚିନ୍ତା କରି ମଦନବାବୁ ନିଜର ଅବଶ ଶରୀର ନେଇ ପୁଣି ଶଯ୍ୟାରେ ପକାଇଲା ବେଳକୁ ରାତି ପ୍ରାୟ ୩ଟା, ୪ଟା । ଏତେବେଳେ ଆଉ କୁଆଡ଼େ ଯିବେ, କ’ଣ ଖୋଜିବେ ? ଏ ଚିନ୍ତାକୁ ନିଦ୍ରା ଆସି ଲୋପ କରିନପାରି ଜାଗରଣ ଅବସ୍ଥାରୁ ସ୍ୱପ୍ନରାଜ୍ୟରେ ନେଇ ପକାଇ ଦେଲା । ମଦନବାବୁ ସ୍ୱପ୍ନ ଦେଖିଲେ–ତାଙ୍କ ଝିଅ କନକ ଓ ବୀରେନ୍ଦ୍ରଙ୍କର ବିବାହ ହେଉଛି-ଅଗଣା ଭିତରେ ବିଭାଘର । ଆଚାର୍ଯ୍ୟ ନିଜର ଦୁଇପାଖରେ ମୁହାଁ ମୁହିଁ କରି ବୀରେନ୍ଦ୍ର ଓ କନକଙ୍କୁ ବସାଇ ଛାପା କାଗଜରେ ଅକ୍ଷରେ ଅକ୍ଷରେ ପ୍ରତିଜ୍ଞା କରାଉଛନ୍ତି । ବୀରେନ୍ଦ୍ର ତାଙ୍କର ପ୍ରତିଜ୍ଞା କରିସାରିଲେଣି । ଆଉ ବାକୀ କନକ । ଆଚାର୍ଯ୍ୟ କହୁଛନ୍ତି ‘‘ମା କହ, ମୁଁ ଶ୍ରୀମତୀ କନକଲତା ଦେବୀ, ତୁମ୍ଭଙ୍କୁ ଶ୍ରୀ ବୀରେନ୍ଦ୍ର–’’ହଠାତ ବେଦୀରୁ କନକ କୁଆଡ଼େ ଚାଲିଗଲେ । ‘‘କୁଆଡ଼େ ଗଲୁ ମା’’ ବୋଲି କହି ମଦନବାବୁ ବ୍ୟସ୍ତ ସମସ୍ତ ହୋଇ ଖଟରୁ ଉଠିପଡ଼ିଲେ । ମାଧିଆ ଖଟ ପାଖରେ ଠିଆ ହୋଇ କହୁଛି, ‘‘ଅଧୀର ହେଉଛ କାହିଁକି, ବାବୁ ! ଦିଦି କୁଆଡ଼େ ଯାଇଛନ୍ତି, ଏଇଲାଗେ ଫେରି ଆସିବେ । ଇମିତି ହେଲେ କ’ଣ ହେବ ?’’

ମଦନବାବୁ ଚାକରର ଉକ୍ତିରେ କୌଣସି ଉତ୍ତର ନ ଦେଇ ଘଣ୍ଟାକୁ ଚାହିଁଦେଲେ, ବେଳ ସାଢ଼େ ନଅଟା ହେଲାଣି । ଥାନାକୁ ଯେ ଯିବାର କଥା । ମାଧିଆ ଧାଇଁ ଯାଇ ଗାଡ଼ି ସଜିଲ କରିବା ବନ୍ଦୋବସ୍ତ କରିଦେଲା । ବାବୁ କପେ ଚା’ ପିଇଦେଇ ତରବରରେ ଖଣ୍ଡେ କାମିଜ୍ ଗଳେଇ ପକେଇ ଗାଡ଼ିରେ ବସିଲେ ଏବଂ ‘ଥାନାକୁ ଚଲା’ ବୋଲି ହୁକୁମ ଦେଇ ଗତରାତିର ଘଟଣା ଓ ତା’ ସଙ୍ଗେ ଗତରାତିର ସ୍ୱପ୍ନକଥା ଚିନ୍ତା କରୁ କରୁ ଥାନା ଆଡ଼କୁ ଅଗ୍ରସର ହେଲେ ।

ଥାନାକୁ ଗଲାବେଳକୁ ବୀରେନ୍ଦ୍ର ବାବୁଙ୍କ ପକ୍ଷରୁ ଜଣେ ଓକୀଲ ଜାମିନ୍ ନେବାର ଯୋଗାଡ଼ କରିବା ନିମନ୍ତେ ବୀରେନ୍ଦ୍ରଙ୍କୁ ଆଶ୍ୱାସନା ଦେଉଛନ୍ତି । ବୀରେନ୍ଦ୍ରଙ୍କର ବକ୍ତବ୍ୟ ପୁଲିସ ଟିପି ନେଇଛି । ସେ କହିଛନ୍ତି–‘‘ଏ ମାଇକିନିଆ କିଏ ମୁଁ ଜାଣେ ନାହିଁ । ହଠାତ୍ ଆମ ଘର ଭିତରେ ପଶି ଗୋଟାଏ ଜିନିଷ ଧରି ପଳାଇ ଯାଉଥିବା ବେଳେ ମୁଁ ଦେଖିପାରି ତାକୁ ଜବତ୍ କରି ରଖିଥିଲି ।’’

ସ୍ତ୍ରୀଲୋକଟିକୁ ପଚାରିବାରେ ସେ କିଛି କହୁନାହିଁ ।

ମଦନବାବୁ ଯାଇ ପହୁଞ୍ଚିବାରେ ଇନ୍‌ସପେକ୍‌ଟର ବାବୁ ପଚାରିଲେ, ‘‘ଆପଣ ଏ ବିଷୟରେ କ’ଣ ଜାଣନ୍ତି କହନ୍ତୁ ।’’ ମଦନବାବୁ ଅନ୍ୟ ସମୟ ହୋଇଥିଲେ ଅବା କଥାକୁ ବାଗେଇଥାନ୍ତେ, କିନ୍ତୁ ବର୍ତ୍ତମାନର ମାନସିକ ଅବସ୍ଥାରେ ସେ ଗତରାତିରେ କହିଥିବା କଥା ପୁଣି ଆଉଥରେ ଠିକ୍ ସତ ସତ କହିଗଲେ । ‘‘ମୋର ବିଶେଷ କାରଣ ଥିବାରୁ ବୀରେନ୍ଦ୍ରଙ୍କ ଘରକୁ ଯାଇ ଦେଖେତ ଏ ଘଟଣା’’, ବୋଲି କଥା ଆରମ୍ଭକରି ଘରଭିତରୁ ସେ ଯାହା ଶୁଣିଥିଲେ ସବୁ ସଠିକ ବର୍ଣ୍ଣନା କରିଗଲେ ।

ଇନ୍‌ସପେକ୍‌ଟର–ଏ ଯେଉଁ ଚିଠିକଥା ଉଠୁଛି ସେ ବିଷୟ ତ ଆପଣ ଜାଣିଥିବେ ?

ମଦନବାବୁ–ହଁ, ମୁଁ ଜାଣେ ।

ଇନ୍‌ସପେକ୍‌ଟର–ସେ ଚିଠି ଆପଣଙ୍କ ପାଖରେ ଅଛି ?

ମଦନବାବୁ–ନା, ସେଖଣ୍ଡ କୁଆଡ଼େ ହଜିଲାଣି । ତେବେ ମୁଁ ଚିଠିର ବିଷୟ କହିପାରିବି-

ଚିଠିର ବିଷୟ ଶୁଣିସାରି ଇନ୍‌ସପେକ୍‌ଟର ବାବୁ କହିଲେ, ‘‘ବୀରେନ୍ଦ୍ର ବାବୁ, ଆପଣ ଏ ସ୍ତ୍ରୀଲୋକ ବିଷୟରେ ଯେଉଁ ଚୋରି ଅପବାଦ ଦେଉଛନ୍ତି ତାହା ସତ୍ୟପରି ଜଣା ଯାଉନାହିଁ । ମୁଁ ଆପଣଙ୍କ ଉପରେ ଅନେକ ଦିନୁ ନଜର ରଖିଥିଲି ଏବଂ ଆପଣଙ୍କ ଚରିତ୍ର ବିଷୟରେ ଏ ସ୍ତ୍ରୀଲୋକ କିଛି ନ କହୁଥିଲେ ସୁଦ୍ଧା ମୋର ଆଉ ଅନେକ ସାକ୍ଷୀ ବାହାରିବେ । ଆପଣ ଏ ସ୍ତ୍ରୀଲୋକ ଉପରେ ଯେଉଁ ଅପବାଦ ଦେଉଛନ୍ତି, ତାହା ନିତାନ୍ତ ଅସମ୍ଭବ । ଏ ଅପବାଦ ବର୍ତ୍ତମାନ ପ୍ରତ୍ୟାହାର କଲେ ମୁଁ ତାକୁ ହାଜତ୍‌ରୁ ବାହାର କରିଦେବି ।’’

ବୀରେନ୍ଦ୍ର–ମୁଁ ସତ୍ୟର ପ୍ରତ୍ୟାହାର କରି ଜାଣେ ନାହିଁ ।

ଇନସପେକ୍‌ଟର–ଓଃ, ସତେ ନା ! ହଉ, ବାଧ୍ୟ ହୋଇ ସେ ଆଉ କେତେ ଘଣ୍ଟା ହାଜତ୍‌ରେ ରହିବ ।

ତା’ ପରେ ମଦନବାବୁଙ୍କୁ ଇନ୍‌ସପେକ୍‌ଟର କହିଲେ, ‘‘ଆପଣ ଏଥର ଯା’ନ୍ତୁ । ତାରିଖ ଆପଣଙ୍କୁ ଜଣାଇ ଦିଆଯିବ । ଆପଣ ତ ଏ ମକଦ୍ଦମାରେ ସବୁଠାରୁ ବଡ଼ ସାକ୍ଷୀ ।’’

ମଦନବାବୁ ବକ୍ ବକ୍ ହୋଇ ବୀରେନ୍ଦ୍ର ଆଡ଼କୁ ଟିକିଏ ଚାହିଁଲେ, ଶୁଣିଲେ ଓକିଲ ତାଙ୍କୁ କହୁଛି, ‘‘ତୁମକୁ ଜାମିନ୍ ମିଳିବ କି ନାହିଁ ସନ୍ଦେହ । ତା’ ପରେ ଯେ ତୁମର ଜାମିନ୍‌ଦାର ହୋଇଥାନ୍ତେ ସେ ଯେ ପୁଲିସ୍ ତରଫ ସାକ୍ଷୀ ।’’ ବୀରେନ୍ଦ୍ର ମଦନବାବୁଙ୍କ ଆଡ଼କୁ ଚାହିଁଲେ । ବାବୁ ବୁଝିଲେ, ଏ ଚାହାଁଣି ଭିତରେ କେତେ ଘୃଣା ଓ କ୍ରୋଧ ପୂରି ରହିଛି । ସେ ବୀରେନ୍ଦ୍ରର ଦୃଷ୍ଟି ଏଡ଼ି ଘରକୁ ଫେରିଲେ ।

ଘରକୁ ଫେରିବା ସାଙ୍ଗେ ମଦନବାବୁଙ୍କ ମନକୁ କନକର ଚିନ୍ତା ଆସି ଅଧିକାର କଲା । କନକ ନ ଥିବାରୁ ଘରୁଟା ବଡ଼ ଶୂନ୍ୟ ଜଣା ଯାଉଥାଏ । କୁଆଡ଼େ ଗଲା କନକ ? ମଦନବାବୁ ଖୁବ୍ ଭାବି ହେଲେ । ତାଙ୍କ ଭାବଭଙ୍ଗୀରୁ ଜଣା ଯାଉଥାଏ, ସେତିକିବେଳେ କନକ ଆସି ତାଙ୍କ ଆଗେ ପହଞ୍ଚିଥିଲେ ସେ ଝିଅକୁ ସ୍ନେହରେ ଯେ କୌଣସି ବର ଦେଇଥାନ୍ତେ ।

ହଠାତ୍ ଆଖି ଆଗରେ ପଡ଼ିଗଲା କନକ ହାତର ସେ ଚିଠିଖଣ୍ଡ । ବୃଦ୍ଧ ବଡ଼ ବ୍ୟାକୁଳ ହୋଇ, ଆବେଗରେ ହୃଦୟଯାକ ଭରି ବେଗେ ଯାଇ ସେ ଚିଠିଖଣ୍ଡ ଗୋଟେଇ ପକେଇ ପଢ଼ିବାକୁ ଆରମ୍ଭ କଲେ ।

ଚିଠି ପଢ଼ୁ ପଢ଼ୁ ମଦନବାବୁଙ୍କ ତତ୍‌କାଳୀନ ମନୋଭାବର ପୁଣି ଭୟଙ୍କର ପରିବର୍ତ୍ତନ ହେଲା । ଯେ ଟିକକ ପୂର୍ବରୁ ଏତେ ଉଦ୍‌ବିଗ୍ନ ହୋଇ ଚିଠି ଗୋଟାଇବାକୁ ଧାଇଁ ଆସିଥିଲେ, ତାଙ୍କର ସେ ଉଦ୍‌ବିଗ୍ନ ଭାବ କୁଆଡ଼େ ଗଲା । ପୁଣି ମୁହଁକୁ କଠୋର କ୍ରୁଦ୍ଧ ଭାବ ଫେରି ଆସିଲା । ସେ ଓଠରେ ଦାନ୍ତ ଚିପି ପ୍ରତିଜ୍ଞା କଲେ, ‘‘ହାଁ, ପିଲା ଟିକିଏ ତୋ’ର ଏତେ ଏତେ ଜିଗର ! ଆଚ୍ଛା ମୋ’ ଜିଗର ଦେଖିବୁ !’’

ପ୍ରାୟ ଘଣ୍ଟାକ ପରେ ମଦନବାବୁଙ୍କର ଜଣେ ବନ୍ଧୁ ଆସି ମଦନବାବୁଙ୍କୁ ଘରେ ବଡ଼ ଗମ୍ଭୀର ଭାବରେ ବସିଥିବାର ଦେଖି ପଚାରିଲେ, ‘‘କି ହେ, ମଦନବାବୁ, ତୁମେ ଏଠାରେ ଏପରି ବସିଛ ? ମୁଁ ଶୁଣୁଛି, ତୁମ ଝିଅର ଆଜି ବିଭାଘର । କାଠଗଡ଼ା ସାହି ମହାଜନ କୋଠାରେ ହେଉଛି-। କେତେ ଓକୀଲ ମୁକ୍ତ୍ୟାର ନିମନ୍ତ୍ରଣ ପାଇ ଯାଇଛନ୍ତି, ଶୁଣିଲି । ତୁମେ ଯେ ଏଠାରେ ? କଥା କ’ଣ ?’’

ମଦନବାବୁ ଘଡ଼ିଏ ଖଣ୍ଡେ ଅନ୍ୟମନସ୍କ ଥିଲା ଭଳିଆ ଉପରକୁ ଚାହିଁ ରହିଲେ; ତା’ପରେ ବଡ଼ କଠୋର ଭାବରେ ବନ୍ଧୁଙ୍କ ମୁହଁକୁ ପର୍ଯ୍ୟବେକ୍ଷଣ କଲେ; ଶେଷରେ ଖୁବ୍ ରାଗରେ ଚିତ୍କାର କରି ଉଠିଲେ-ମୋ’ ଝିଅର ବିବାହ ! ମୋ’ର ଝିଅ ଫିଅ କେହି ନାହିଁ, ଯାଅ ।

Image

 

ଚବିଶ

 

ଜଗୁଆ ମା ଗୋପାଳଙ୍କ ପାଖରୁ ଜଙ୍ଗଲରୁ ଆସି ବାସୁ ମହାଜନଙ୍କ ସଙ୍ଗେ କି କଥାବାର୍ତ୍ତା ହେଲା, ବାସୁ ମହାଜନ ତାଙ୍କ ବିଶ୍ୱାସୀ ଗାଁ ମାମଲତ୍‌କାର ସାଧୁ ଦାସଙ୍କ ସଙ୍ଗେ କି କଥାବାର୍ତ୍ତା ହେଲେ, ତା’ ପରେ ବାସୁଦେବ ମଧୁ ମହାନ୍ତି, ସାଧୁ ଦାସ ପ୍ରଭୃତିଙ୍କୁ ସାଙ୍ଗରେ ଧରି କଟକ ଆସି ତାଙ୍କ ଓକୀଲଙ୍କ ସଙ୍ଗେ କ’ଣ ପରାମର୍ଶ କଲେ ସେ ବିଷୟରେ ଆମର ବିଶେଷ କିଛି କହିବାର ନାହିଁ; ପାଠକମାନେ ଅନୁମାନ କରିନେବେ । ତେବେ ଏତିକି ମାତ୍ର କୁହାଯାଉ ଯେ, ମଦନବାବୁଙ୍କ ବନ୍ଧୁ ତାଙ୍କୁ ଯେଉଁ ସମ୍ବଦ ଆସି ଶୁଣାଇଲେ ବୋଲି ପୂର୍ବ ପରିଚ୍ଛେଦରେ ଲେଖାଯାଇଛି ତାହା ସତ୍ୟ । ବାସୁମହାଜନଙ୍କ ଖର୍ଚ୍ଚରେ, ତାଙ୍କ କଟକ ଓକୀଲଙ୍କ ପରାମର୍ଶରେ, ମଧୁ ମହାନ୍ତି, ଜଗୁଆ, ଏପରି କି ନିଧିଆର ସସ୍ନେହ ସାହାଯ୍ୟରେ, ବାସୁଦେବଙ୍କ ଗ୍ରାମର ଜଣେ ନୈଷ୍ଠିକ ବ୍ରାହ୍ମଣଙ୍କଦ୍ୱାରା ହିନ୍ଦୁ ମତରେ ଗୋପାଳ ଓ କନକଲତାଙ୍କର ହାତଗଣ୍ଠି ପଡ଼ିଲା ଏବଂ ସେହି ବାସୁଦେବଙ୍କର ସାହାଯ୍ୟ ଓ ସହାନୁଭୂତି ପାଇ ଗୋପାଳ କନକଲତାଙ୍କୁ ଧରି ତାଙ୍କ ସେହି ଜଙ୍ଗଲଘରକୁ ଫେରିଗଲେ ।

ବାସୁଦେବ ଏ ଜଙ୍ଗଲ ଜୀବନର ଘୋର ପ୍ରତିବାଦ କରିଥିଲେ, ଗୋପାଳଙ୍କୁ କାଠଗଡ଼ାସାହିରେ ତାଙ୍କ ନିଜ କୋଠା ଛାଡ଼ି ଦେବାକୁ ଆନନ୍ଦରେ ଅଙ୍ଗୀକାର କରିଥିଲେ ଏବଂ ଗୋପାଳଙ୍କୁ ତାଙ୍କ ନିଜ ପୁଅଭଳିଆ ନିଜ ଅଜସ୍ର ଅର୍ଥର ଯଥେଷ୍ଟ ବ୍ୟବହାର କରିବା ନିମନ୍ତେ ଆଦରର ଯାଚିଥିଲେ । କିନ୍ତୁ ଗୋପାଳ ଏ ସବୁ କଥାରେ କୃତଜ୍ଞତାର ସହିତ ଅନିଚ୍ଛା ଜଣାଇଲେ । ବୋଧହୁଏ ତାଙ୍କର ମନେ ମନେ ଇଚ୍ଛା ହୋଇଥିଲା, କନକ ନଥିବା ବେଳେ ଜଙ୍ଗଲବାସ ଯେପରି ଲାଗୁଥିଲା ତା’ ସଙ୍ଗେ କନକ ସଙ୍ଗରେ ଥିବା ଅନୁଭୂତିର ତୁଳନା କରିବେ । ଯାହାହେଉ, ଗୋପାଳ ଗଲେ, କନକଲତା ଗଲେ ଏବଂ ସଙ୍ଗରେ ଗଲା ଜଗୁଆ ମା ।

ବିବାହ ହେବାର ୫ ବର୍ଷ ହୋଇଗଲାଣି । କନକଙ୍କ କୋଳରେ ବର୍ତ୍ତମାନ ଗୋଟିଏ ଶିଶୁ ପୁତ୍ର । ଶିଶୁଟିର ଚପଳ ଆନନ୍ଦରେ କନକ ବହୁ ପରିମାଣରେ ଅତୀତର ସ୍ମୃତି ଏବଂ ପିତାଙ୍କୁ ପାସୋରି ପକେଇଛନ୍ତି । ନା ଠିକ୍‍ ପାସୋରି ପାରୁନାହାନ୍ତି–କେବଳ ସେ ସ୍ମୃତିର ଚିନ୍ତାକୁ ଶିଶୁଟି ଚାପା ଦେଇ ଦେଇଛି ।

କନକଙ୍କର ଆନନ୍ଦ ଦେଖି ଗୋପାଳଙ୍କ ମନରେ ଆନନ୍ଦ, କିନ୍ତୁ ନିରାନନ୍ଦ ଏକୁଟିଆ ଜଗୁଆ ମା । ସେ ଗୋଟାଏ କ’ଣ ବିଷୟ ନେଇ ସବୁବେଳେ ଚିନ୍ତିତ । ସତେ ଯେପରି ଏ ସବୁ ଭିତରେ ଗୋଟାଏ କିଛି ଅଭାବ ରହିଗଲା ବୋଲି ସେ ମନେକରୁଛି । କିନ୍ତୁ ସେ ଅଭାବ କ’ଣ ସେ କାହାକୁ କିଛି କହୁ ନାହିଁ ।

ହଠାତ୍ ଦିନେ ତା’ ମନରେ ଗୋଟାଏ କିଛି ନୂଆ ଆଶାର ଉଦୟ ଦେଲା । ତା’ର ମୁହଁରୁ ସମସ୍ତ ବିଷାଦଭାବ ଦୂର ହୋଇଗଲା । ଆଶାରେ ତା ମୁହଁର ବାର୍ଦ୍ଧକ୍ୟ ଭିତରେ ଆଲୋକର ରେଖା ଆଙ୍କି ହୋଇଗଲା । ଜଗୁଆ ମା ଜିଦ୍ ଧଇଲା, ସମସ୍ତେ ଯିବେ କଟକ । ଗୋପାଳ କାରଣ ପଚାରିଲେ, କନକ କାରଣ ପଚାରିଲେ । କିନ୍ତୁ ସେ କାରଣ କହୁ ନ ଥାଏ । ଖାଲି ଗୋଟାଏ କଥା–ଚାଲ ଯିବା କଟକ ।

ବାଧ୍ୟ ହୋଇ ସମସ୍ତେ ଗଲେ ମହାଜନଙ୍କର ସେହି କାଠଗଡ଼ାସାହି କୋଠାକୁ । ଜଗୁଆ ମା ବସାରେ ଓହ୍ଲାଉ ଓହ୍ଲାଉ ମଦନବାବୁଙ୍କ ଘରକୁ ଧାଇଁଲା । ମଦନବାବୁଙ୍କ ଆଖିରେ କେଜାଣି ପଡ଼ିଯିବ, ଏହି ଭୟରେ ଲୁଚି ଲୁଚି ଚୋରଣୀପରି ତାଙ୍କ ଘରେ ପଶିଲା–ମାଧିଆ ଚାକରଠାରୁ ମଦନବାବୁଙ୍କ ବର୍ତ୍ତମାନ ଚାଲି ଚଳନ ଭାଗଭଙ୍ଗୀ ବିଷୟରେ ଅନେକ ପଚାରିଲା । ଯାହା ଶୁଣିଲା ସେଥିରେ ତା ମୁହଁରର ଆଲୋକ ଆହୁରି ତେଜି ହୋଇଗଲା ।

କଟକ ଆସିବାର ସପ୍ତାହେ ହୋଇଗଲାଣି । ଜଗୁଆ ମା ଗୋପାଳଙ୍କ ଶିଶୁପୁତ୍ରଟିକୁ ଧରି ଚାକରମହଲରେ ଅନେକ ସମୟ କଟାଏ । ପିଲାଟି ସେ ଘରକୁ ଆଉ ଅଚିହ୍ନା ପାଉନାହିଁ । ଦିନେ ମଦନବାବୁ ତାଙ୍କ ଆରାମ ଚୌକିରେ ଶୋଇ ପଡ଼ିଛନ୍ତି । ବେଳ ଆଉ ଦଣ୍ଡେ ଖଣ୍ଡେ ଅଛି । ମାଧିଆ ଧୀରେ ଧୀରେ ପିଲାଟିକୁ ନେଇ ତାଙ୍କ ବୈଠକଖାନାରେ ଛାଡ଼ିଦେଇ ଆସିଲା । ପିଲାଟି ବୈଠକଖାନାରେ ନାନା ରକମ ସୁନ୍ଦର ଜିନିଷକୁ ଚାହୁଁଥାଏ । ସେ ଭାରି ଆଶ୍ଚର୍ଯ୍ୟ, ଭାରି ଖୁସି ହେଉଥାଏ । ତା ଆଖି ଚାରିଆଡ଼େ ଫେରିଫେରି ଶେଷରେ ନିଦ୍ରିତ ମଦନବାବୁଙ୍କ ଉପରେ ପଡ଼ିଲା-। ପିଲାଦିନୁ ତା’ର ଶିକ୍ଷା–ସେ କାହାକୁ ଡରେନାହିଁ–ଭାଲୁ ତ ତା’ର ସଙ୍ଗୀ, ଭୟ କରିବ ସେ କାହାକୁ ? ସେ କୌତୂହଳରେ ବୁଢ଼ାଙ୍କ ଚୌକି ଆଡ଼କୁ ଦାଣ୍ଡେଇଲା ।

ମଦନବାବୁଙ୍କର ନିଦ ଭାଙ୍ଗିଗଲା । ସେ ଏ ଶିଶୁକୁ ଦେଖିଲେ । ତାଙ୍କ ବୈଠକଖାନାରେ ଶିଶୁ ! କନକଙ୍କ ପିଲାଦିନୁ ତ ଏ ବୈଠକଖାନାରେ ପିଲା ଖେଳିବାର ଦେଖା ନାହିଁ ! କନକ ମନେ ପଡ଼ିଗଲେ । ବୃଦ୍ଧ ଦୀର୍ଘ ନିଃଶ୍ୱାସ ପକାଇ ଶିଶୁକୁ ଚାହିଁଲେ । ସେ କିଏ ? ହଠାତ୍ କନକଙ୍କ ସାଦୃଶ୍ୟ ତା ମୁହଁରେ ଦିଶିଲା ! ମଦନବାବୁ ଆଶ୍ଚର୍ଯ୍ୟ ହେଲେ । କନକ ଭଳିଆ ତ ଏ ଦିଶୁଛି-କିନ୍ତୁ ପରମୁହୂର୍ତ୍ତରେ ନିଜର ବାତୁଳତାରେ ହସିଲେ । କନକ କୁଆଡ଼େ ? ସେ ବିଚାରୁଛନ୍ତି କ’ଣ ?

ମଦନବାବୁଙ୍କ ମନରେ ଏ ସବୁ ଚିନ୍ତା ଚାଲୁଥାଏ । ଶିଶୁଟି ତାଙ୍କରି ଆଡ଼କୁ ଚାହିଁ ରହିଥାଏ, ଯେପରି କି ତା’ର ଇଚ୍ଛା, ମଦନବାବୁଙ୍କଠାରୁ ଟିକିଏ ପ୍ରଶ୍ରୟ ପାଇଲେ, ତାଙ୍କ ଉପରେ ଯାଇ ବସନ୍ତା । ମଦନବାବୁ ଚଉକିରୁ ଉଠି ତାକୁ କାଖ କଲେ–ତା’କୁ ଧରି ବୈଠକଖାନାରେ ଟିକିଏ ବୁଲାଇଲେ । ପିଲାଟି ବୈଠକଖାନାର କେତେ ଖେଳନାକୁ ହାତ ବଢ଼ାଉଥାଏ । ମଦନବାବୁ କୁ’ଠୁ କିମିତି ଗୋଟିଏ ଲେଖାଏ ଆଣି ତା’ ହାତରେ ଦେଉଥାନ୍ତି । ଜଗୁଆ ମା କବାଟ ଆଢ଼ୁଆଳରୁ ଏସବୁ ଦେଖି ଆନନ୍ଦରେ କାନ୍ଦି ପକାଉଥାଏ । ମାଧିଆ ମଦନବାବୁଙ୍କର ଏ ଅପୂର୍ବ ଶିଶୁପ୍ରେମ ଦେଖି ଚକିତ ହେଉଥାଏ ।

ଘଡ଼ିଏ ଖଣ୍ଡେ ଗଲା, ପିଲା ମନ ତ ! ସେ କାନ୍ଦି ଉଠିଲା- ‘‘ବୋଉ ଯିବା’’ । ମଦନବାବୁ ସ୍ୱର୍ଗରୁ ଖସି ପଡ଼ିଲେ । ‘‘କାହାର ପିଲା, କାହା ପାଖକୁ ଯିବ-ହଠାତ୍ ମୋ’ ଠାରେ ଆସି କାହିଁକି ମାୟା ଲଗେଇ ଦେଲା ?’’ ବିଚାରି ସେ ଗୋଟଏ ଦୀର୍ଘ ନିଃଶ୍ୱାସ ଛାଡ଼ି ମାଧିଆକୁ ଡାକି କହିଲେ-ଆରେ ଏ ପିଲାଟି କିଏ ? କାହାଘରୁ ଆସିଛି ? ବିଧୁ ପୁଅ ? (ବିଧିୁ ବାବୁ ତାଙ୍କର ଜଣେ ପଡ଼ୋଶୀ) । ମାଧିଆ ନ ଶୁଣିଲା ପରି ତୁନି ହୋଇ ରହିଲା । ମଦନବାବୁ ବୁଝିଲେ, ବୋଧହୁଏ ଅନୁମାନ ସତ୍ୟ । ମାଧିଆକୁ କହିଲେ–‘‘ନେ ୟାକୁ ତା’ଘରେ ଛାଡ଼ି ଦେଇ ଆ ।’’ ଏହା କହି ତାକୁ ମାଧିଆ କାଖକୁ ବଢ଼େଇ ଦେଲା ବେଳକୁ ପିଲା କାନ୍ଦି ଉଠିଲା-ଅର୍ଥ, ମଦନବାବୁ ନିଜେ ନେଇ, ବୋଉ ପାଖକୁ ପହୁଞ୍ଚାଇ ଦେବେ । ବୃଦ୍ଧ ବାଧ୍ୟ ହୋଇ ତାକୁ ଧରି ତା’ ଘରକୁ ନେବାକୁ ପ୍ରସ୍ତୁତ ହେବାରେ ଲାଗିଲେ ।

ଇତି ମଧ୍ୟରେ ଜଗୁଆ ମା ଯାଇ କନକକୁ ସବୁ ସମ୍ବାଦ ଚୁମ୍ବକରେ ଦେଇ ଡାକି ଆଣିଥାଏ । ମଦନବାବୁ ଗୋପାଳଙ୍କ ଶୁଶିପୁତ୍ରଟି ଧରି ବୈଠକଖାନାରୁ ବାହାରୁଛନ୍ତି, ଲମ୍ବ ଓଢ଼ଣା ପକେଇ ତାଙ୍କ ଘରେ ଜଣେ ଯୁବତୀ ପଶିଲେ । ମଦନବାବୁ ମୁହଁ ନଦେଖି ଚିହ୍ନିପାରିଲେ ନାହିଁ । କିନ୍ତୁ ଶିଶୁ ତା’ ସ୍ୱାଭାବିକ ଶକ୍ତି ବଳରେ ଚିହ୍ନିଲା ଏବଂ ଚିହ୍ନି ‘ବୋଉ’ ‘ବୋଉ’ ବୋଲି ହାତ ବଢ଼ାଇଦେଲା । ମଦନବାବୁ ସ୍ତମ୍ଭୀଭୂତ ହେଲେ । ପର ମୁହୂର୍ତ୍ତରେ ‘ବୋଉ’ ‘ବାପା’ ବୋଲି କାନ୍ଦି ଉଠି ବୃଦ୍ଧଙ୍କ ପାଦରେ ଲୋଟିଲେ–

ଜଗୁଆ ମା’ର ଦୁଃଖ ଦୂର ହେଲା । ମଦନବାବୁ ଗୋପାଳ ଓ କନକ ଉଭୟଙ୍କୁ କ୍ଷମା ଦେଲେ । କିନ୍ତୁ ଜ୍ୱାଇଁ ବା ଝିଅ ସଙ୍ଗେ ତାଙ୍କର ବେଶୀଦିନ କଟେ ନାହିଁ । ମଦନବାବୁଙ୍କ ଶେଷ ସମୟ ଅଜା ନାତି ରହସ୍ୟରେ କଟିଲା ।

ଆଉ ଅନ୍ୟାନ୍ୟଙ୍କ ବିଷୟରେ ପଦେ ଅଧେ କହିଲେ ଆମର କାର୍ଯ୍ୟ ଶେଷ । ଯେ ଖୁବ୍ ପାପୀ, ଯେ ଖୁବ୍ ଦୁରନ୍ତ, ତା’ର ଗତି ଟିକିଏ ଫେରିଲେ, ଖୁବ୍ ବଡ଼ ପରିବର୍ତ୍ତନ ହୁଏ । ସେ ଖୁବ୍ ଧାର୍ମିକ, ଖୁବ୍ ସାଧୁ ହୁଏ । ଅନନ୍ତଃ ବାସୁଦେବଙ୍କଠାରେ ଏକଥା ଦେଖାଯାଇଛି । ସେ ନିଧିଆକୁ ପୁଅ କରିବାକୁ ସେତେବେଳେ ବଡ଼ ଇଚ୍ଛା କରୁଥିଲେ । ଗୋପାଳଙ୍କ ବିଷୟରେ ସେ ଯାହା କରିଥିଲେ ତା’ର ପ୍ରତିଦାନରେ ଜଗୁଆ ମା ନିଧିଆକୁ ତାଙ୍କୁ ଦେଇଛି । କିନ୍ତୁ ବାସୁଦେବଙ୍କର ବର୍ତ୍ତମାନ ପୁଅର ଅଭାବ ନାହିଁ । ଗାଁଯାକର ସେ ବର୍ତ୍ତମାନ ବାପା ହୋଇଛନ୍ତି । ତାଙ୍କ ଗାଁର, ପାଖ ଆଖ ଗାଁର ଦୁଃଖୀରଙ୍କୀ ସମସ୍ତେ ବର୍ତ୍ତମାନ ତାଙ୍କର ଆଶ୍ରିତ ।

ବୀରେନ୍ଦ୍ରଙ୍କ ନାମରେ ମକଦ୍ଦମା ଅନେକ ଦିନ ଧରି ଚାଲିଲା । ବୀରେନ୍ଦ୍ରଙ୍କ ପକ୍ଷରୁ ଓକୀଲ ଜୋର ଦିଆହୋଇ ପାରିଲା ନାହିଁ । ଦିଆ ହୋଇଥିଲେ ବି ଫଳ କିଛି ହୋଇନଥାନ୍ତା । ପୁଲିସ ପକ୍ଷରୁ ଏପରି ଟାଣ ପ୍ରମାଣ ଦିଆ ହେଲା ଏବଂ ଇନସ୍ପେକ୍‌ଟର ସାହେବ ଏତେ ଦିନରୁ ସାକ୍ଷୀ ଯୋଗାଡ଼ କରି ରଖିଥିଲେ ଯେ, ଅନାୟସରେ ବୀରେନ୍ଦ୍ରଙ୍କୁ ୩ ବର୍ଷ ମିଆଦ ହୋଇଗଲା ।

କୁମୁଦିନୀ ଭାଇର ଦୋଷ ପାଇଁ ନିର୍ଦ୍ଦୟ ସମାଜ ହାତରୁ ବଡ଼ ତାଡ଼ନା ପାଉଛନ୍ତି । ତାଙ୍କ ବନ୍ଧୁମାନେ କେହି ଆଉ ତାଙ୍କ ପାଖ ପଶୁ ନାହାନ୍ତି । କୁମୁଦିନୀ ସମସ୍ତଙ୍କର ତାଡ଼ନା ଓ ଘୃଣାର ତାଲିକା ହୃଦୟରେ ଠିକ କରି ରଖୁଛନ୍ତି–ଭାଇ ଫେରିଲେ ଦୁହେଁ ମିଶି ପ୍ରତିହିଂସା ନେବେ ।

ବୀରେନ୍ଦ୍ରଙ୍କର ସେହି ‘ଆଶ୍ରିତା’ (?) ସ୍ତ୍ରୀଲୋକଟି ବର୍ତ୍ତମାନ କନକଙ୍କର ସଙ୍ଗିନୀ ହୋଇଛି । କନକ ତାକୁ ନିଜର ସହାନୁଭୂତିରେ ସୁଖୀ କରିଛନ୍ତି ।

Image